ଅନାବିଳ ପ୍ରେମ
ଅନାବିଳ ପ୍ରେମ
ହଠାତ୍ ମାଧୁରୀ କୁ ଏକ ଦୋକାନ ସମ୍ମୁଖରେ ଦେଖିଦେଇ ଚମକି ଉଠିଲା ମୋହନ। ସେ ଏମିତି ଅବସ୍ଥାରେ ମାଧୁରୀକୁ ଦୀର୍ଘ ଛଅ ବର୍ଷ ପରେ ଦେଖିବ ବୋଲି ଆଶା କରି ନଥିଲା। ନା ତା'ହାତରେ ଥିଲା ଶଙ୍ଖା ନା ମଥାରେ ସିନ୍ଦୂର। ସର୍ବଦା ତାର ହସ ହସ ମୁହଁଟି କଳାକାଠ ପଡ଼ିଯାଇଥିଲା ଯେମିତି।
ସମ୍ମୁଖରେ ତା କଲେଜ ଜୀବନର ସାଥୀ, ମୋହନକୁ ଦେଖି ମଧ୍ୟ ମାଧୁରୀ ନର୍ଭସ୍ ହୋଇ ଯାଇଥିଲା। ଦୁହେଁ ପରସ୍ପରକୁ ଅନାଇ ଯେମିତି ନିର୍ବାକ୍ ପାଲଟି ଯାଇଥିଲେ। କାହା ପାଟିରୁ କଥା ବାହାରୁ ନଥିଲା। ମାଧୁରୀ ର ଚକ୍ଷୁ ଯୁଗଳରୁ ଅଜଣାରେ କିଛି ଅଶ୍ରୁ ବାଧା ନମାନି, ଗଡ଼ି ଆସୁଥିଲା ଗଣ୍ଡ ଦେଶକୁ। ପ୍ରଶ୍ନିଳ ଚକ୍ଷୁ ରେ ଅନାଇ ରହିଥିଲା ମୋହନ। ନସ୍ତବ୍ଧତା ଭଙ୍ଗ କରି ପ୍ରଶ୍ନ କଲା ସେ। ,"ମାଧୁରୀ ତମର ଏଇ ଅବସ୍ଥା"?ମାଧୁରୀ ନିଜର ଲୋତକକୁ ପୋଛିନେଇ ନିଜର ଅକୁହା ଯନ୍ତ୍ରଣା କୁ ଢାଙ୍କିବାକୁ ଚେଷ୍ଟା କରୁଥିଲା ମୋହନ ସମ୍ମୁଖରେ। କିନ୍ତୁ ନିଜର ହୃଦୟ ଭିତରୁ ବାହାରି ଆସୁଥିବା କୋହକୁ, ଚାପି ପାରୁ ନଥିଲା।
ମୋହନ କହିଲା, "ମାଧୁରୀ ଦୀର୍ଘ ଛଅ ବର୍ଷ ପୂର୍ବେ, ତୁମ ବିବାହ ବେଳେ ଶେଷଥର ପାଇଁ ମୁଁ ତୁମକୁ ଦେଖିଥିଲି। ଆଜି ଦେଖୁଛି ଏହି ଅବସ୍ଥାରେ। ଅନୁରୋଧ କରୁଛି, ଯଦି ଖରାପ ନ ଭାବିବ ଚାଲ ଏ ନିକଟସ୍ଥ ପାର୍କରେ ବସି କିଛି ସମୟ ଆମ ଦୁଃଖସୁଖ ବାଣ୍ଟିବା। "
ନାହିଁ କହିବାର କୌଣସି ଯଥାର୍ଥତା ନଥିଲା ମାଧୁରୀ ପାଖରେ। ସେ ତାର ପାଞ୍ଚ ବର୍ଷ ର କୁନି ଝିଅଟିକୁ ସାଙ୍ଗରେ ଧରି ପାର୍କ ଅଭିମୁଖେ ଆଗେଇ ଗଲା ମୋହନ ସହିତ। ଦୁହେଁ ଯାଇ ପାର୍କର ଏକ କୋଣରେ ଥିବା ବେଞ୍ଚ୍ ଉପରେ ବସିଲେ। କୁନି ଝିଅଟି ଫୁଲ ଉପରେ ଉଡୁଥିବା ପ୍ରଜାପତି ଧରିବାରେ ବ୍ୟସ୍ତ ରହିଲା।
ମୋହନ ପଚାରିଲା, "କୁହ ମାଧୁରୀ, ତୁମର ଆଜି ଏ ଅବସ୍ଥା କାହିକି ?କାହିଁ ସେ ତମର ହସ ହସ ଲାଜୁଆ ମୁହଁ,ଯାହାକୁ ମୁଁ କଲେଜ ଜୀବନରେ ଦେଖି ବିଭୋର ହୋଇ ଯାଉଥିଲି ଓ ତମ ସହିତ ଅନେକ ଥଟ୍ଟା ତାମସା କରୁଥିଲି। ତୁମର ଆଜି ଏ ବେଶ ଦେଖି ମୁଁ ନିର୍ଜୀବ ପାଲଟି ଯାଇଛି ମାଧୁରୀ ।ଆଶା କରୁଛି ନିଜର ସାଙ୍ଗ ଭାବି, ନିଶ୍ଚୟ ତୁମର ଦୁଃଖ ବାଣ୍ଟିବ ମୋ ସହିତ"।
ମାଧୁରୀ ର ନୟନ ଯୁଗଳରୁ ବୋହି ଆସୁଥିଲା ଧାର ଧାର ଲୁହ। କୋହକୁ ଚାପିଧରି କହିବାକୁ ଲାଗିଲା, "ଶୁଣ ମୋହନ, ମୋର ପିତା ମାତା ଏକ ଭଲ ବର, ଅର୍ଥ ରୋଜଗାର ର ପନ୍ଥା ଠିକ୍ଅଛି ବୋଲି ଭାବି, ତା ବିଷୟରେ କିଛି ନଭାବି ନଚିନ୍ତି ଏକ ବ୍ୟାଙ୍କ କେସିଅର ସହିତ ମୋର ବାହାଘର କରିଦେଲେ। ମୁଁ ପ୍ରଥମ ରାତିରେ ହିଁ ଜାଣିବାକୁ ପାଇଲି ଯେ, ଯାହାକୁ ନେଇ ମୋର ଆଗାମୀ ଜୀବନ କଟିବ ସେ ଜଣେ ଘୋଡ଼ା ମଦୁଆ। ବାସର ରାତିରେ ହିଁ ସେ ମାତାଲ ଅବସ୍ଥା ରେ ମୋ ନିକଟକୁ ଆସିଥିଲେ। ମଦ ଦୁର୍ଗନ୍ଧରେ ମୋର ନାକ ଫାଟି ପଡ଼ୁଥାଏ। ସେହି ସମୟରେ ହିଁ ଭାବିନେଲି, ମୁଁ ଆସି ଏକ ନର୍କ ପୁରୀରେ ପ୍ରବେଶ କରିଛି ଓ ଆଜିଠାରୁ ଜୀବନ ସାରା ନରକ ଯନ୍ତ୍ରଣା ହିଁ ଭୋଗ କରିବାକୁ ପଡ଼ିବ। ମୋର ଭାଗ୍ୟକୁ ନିନ୍ଦି, ସେ ମାତାଲ୍ ନିକଟରେ ନିଜକୁ ସମର୍ପଣ କରିବା ଛଡ଼ା ମୋର ଆଉ ଉପାୟ କିଛି ନଥିଲା।
ସେ ବ୍ୟାଙ୍କରୁ କାର୍ଯ୍ୟ ସାରି ଫେରିଲା ବେଳେ ପ୍ରତିଦିନ ପେଟେ ମଦ ପିଇ ଆସୁଥିଲେ। ମୁଁ ତାଙ୍କୁ ଏମିତି କାମ କାହିଁକି କରୁଛ କହି ମନାକଲେ, ମୋ ଉପରେ ଅସଭ୍ୟ ଭାଷାରେ ଗାଳି ବର୍ଷଣ ସହିତ ବିଧା, ଗୋଇଠା ମାରିବାକୁ ମଧ୍ୟ ପଛାଉ ନଥିଲେ। ପ୍ରତିଦିନ ତାଙ୍କର ନିର୍ଯ୍ୟାତନା ସହି ସହି ଆସୁଥିଲି ମୁଁ।
ମଦ ପାଇଁ ତାଙ୍କର ମାସିକ ଦରମା ନିଅଣ୍ଟ ହେଉଥିଲା। ସାଙ୍ଗ ସାଥୀଙ୍କ ଠାରୁ ଧାର ଉଧାର କରି ଶୁଝି ମଧ୍ୟ ପାରୁନଥିଲେ ଓ ସମସ୍ତ ଙ୍କ ରୋଷର ଶିକାର ହେଉଥିଲେ। କେବେ କେମିତି ମାତାଲ ଅବସ୍ଥା ରେ ମଧ୍ୟ ବ୍ୟାଙ୍କ କାର୍ଯ୍ୟ ରେ ଯୋଗଦେଇ ଅନେକଙ୍କ ଠାରୁ ଗାଳି ଗୁଲଜ ଶୁଣୁଥିଲେ। ତାଙ୍କ ପାଇଁ ଘରେ ଏପରି କି ବ୍ୟାଙ୍କରେ ମଧ୍ୟ ଅଶାନ୍ତି ବଢ଼ି ଚାଲିଥାଏ।
ଦିନେ ପ୍ରଚୁର ମଦ ପିଇ, ସନ୍ଧ୍ୟା ସମୟରେ ବ୍ୟାଙ୍କ ରୁ ଫେରୁଥିଲେ,ବାଇକ୍ ଯୋଗେ। ତାଙ୍କର ହୋସ୍ ପୁରା ନଥିଲା। ତଥାପି ଜୋରରେ ବାଇକ୍ ଚଲାଇ ଆସୁଥିବା ବେଳେ, ଭାରସାମ୍ୟ ହରାଇ ପାଖରେ ଥିବା ଏକ ବିଜୁଳି ଖୁଣ୍ଟରେ ଜୋରରେ ପିଟିହୋଇ ଛିଟିକି ପଡ଼ିଲେ। ମୁଣ୍ଡରେ ବହୁତ୍ ଜୋରରେ ଆଘାତ ଲାଗିଥିବାରୁ, ତାଙ୍କ ମୁଣ୍ଡ ଛତୁ ହୋଇ ସେହିଠି ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କଲେ"।ଏତିକି କହି କୋହ ସମ୍ଭାଳି ନ ପାରି କଇଁ କଇଁ ହୋଇ କାନ୍ଦି ଉଠିଲା ମାଧୁରୀ।
ମୋହନ ପ୍ରବୋଧନା ଦେଇ ପଚାରିଲା, "ବର୍ତ୍ତମାନ କେମିତି ଚଳୁଛ ମାଧୁରୀ "?ମାଧୁରୀ ନିଜର ଅଶ୍ରୁ ପୋଛି ନିଜକୁ ସମ୍ଭାଳି ନେଇ କହିବାକୁ ଲାଗିଲା, "ତାଙ୍କ ମୃତ୍ୟୁର ଶୁଦ୍ଧି କ୍ରୟାକଳାପ ସରିଲା ପରେ, ତାଙ୍କର ଚାକିରୀ ହାତେଇବାକୁ ତାଙ୍କର ବାଳୁଙ୍ଗା ସାନଭାଇ ଲାଗି ପଡ଼ିଲେ ଓ ମୋର ଶାଶୁ ଶ୍ବଶୁର ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଲେ। କିନ୍ତୁ ତାଙ୍କ ଜୀବିତ ଅବସ୍ଥାରେ ତାଙ୍କୁ ଘୋଡ଼ା ମଦୁଆ କହି, ଆମ ପାଖକୁ କେହି ଆସୁ ନଥିଲେ କି ପଚାରୁ ନଥିଲେ।
ମୁଁ ଅବା ଛୋଟ ଝିଅଟିକୁ ନେଇ ଚଳନ୍ତି କିପରି ?ତେଣୁ ସ୍ୱାମୀ ଙ୍କ ଚାକିରୀ ପାଇବା ପାଇଁ ମୁଁ ଆବେଦନ କଲି। ମୋର ସ୍ୱାମୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ପରେ, ତାଙ୍କର ଚାକିରୀ ପାଇବାର ମୋର ସମ୍ପୂର୍ଣ୍ଣ ହକ୍ ଥିଲା। ଶେଷରେ ମୋର ପ୍ରୟାସରେ କୃତକାର୍ଯ୍ୟ ହେଲି ଓ ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ନିଯୁକ୍ତି ପାଇଲି। ଏଥିପାଇଁ ଶ୍ବଶୁର ଘର ସମସ୍ତେ ମୋର ଶତ୍ରୁ ସାଜିଲେ ଓ ମୋତେ ଗୃହରୁ ବାହାର କରିଦେଲେ। ମୁଁ ମୋର ଏ ପାଞ୍ଚ ବର୍ଷ ର କୁନି ଝିଅଟିକୁ ନେଇ ଏକ ଭଡ଼ାଘର ନେଇ ମୋର କାର୍ଯ୍ୟ ତୁଳାଇ ଆସୁଛି।
ମୋର ପିତାମାତା ମୃତ୍ୟୁ ବରଣ କଲା ପରେ ମୋର ଏକମାତ୍ର ବଡ଼ ଭାଇ ତା ସ୍ତ୍ରୀ ବୋଲରେ ପଡ଼ି, ମୋତେ ଅଲକ୍ଷଣୀ କହି ମୋ ପାଖ ମାଡୁନାହିଁ। କେଉଁ ଏକ ସହରରେ କମ୍ପାନୀ ଚାକିରୀ କରି, ତା ସ୍ତ୍ରୀ କୁ ନେଇ ସେଠାରେ ରହୁଛି। କହିବାକୁ ଗଲେ ପିତା ଘରୁ କିମ୍ବା ଶ୍ୱଶୁର ଘରୁ ମୋର କେହି ସାହାରା ନାହାନ୍ତି। ଏ କୁନି ଝିଅ ମୁନି ହିଁ ମୋର ଏକମାତ୍ର ବଞ୍ଚିବା ର ସାହାରା ହୋଇଛି। କିପରି ମୋର ଦିନ କଟୁଥିବ, ଏଥିରୁ ଜାଣି ପାରୁଥିବ। କୁନି ଝିଅଟି ବିନା ଆଉ ମୋର କେହି ନାହାନ୍ତି ଏ ସ୍ୱାର୍ଥପର ଦୁନିଆରେ"।
ମାଧୁରୀ ର କରୁଣ କାହାଣୀ ଶୁଣି, ମୋହନର ଚକ୍ଷୁ ଦ୍ୱୟରୁ ଗଳି ପଡ଼ିଲା କେଇ ବୁନ୍ଦା ଲୋତକ। କହିଲା, ତୁମ ଦୁଃଖରେ ମୁଁ ଖୁବ୍ ମର୍ମାହତ ମାଧୁରୀ। ତୁମ ଜୀବନରେ ଏମିତି ଦୁଃଖର ଦିନ ଆସିବ ବୋଲି ମୁଁ କେବେ ସ୍ୱପ୍ନ ରେ ସୁଦ୍ଧା ଭାବି ନଥିଲି। ଭଗବାନ ଙ୍କ ନିକଟରେ ପ୍ରାର୍ଥନା, ସେ ତୁମର ଆଗାମୀ ଜୀବନ ସୁଖମୟ କରନ୍ତୁ"।
ମାଧୁରୀ କହିଲା, "ମୋହନ ତୁମ କଥା କହିଲ ନାହିଁ ଯେ, ତୁମ ପରିବାର କେମିତି ଅଛନ୍ତି"?
ମୋହନ କହିଲା, "ପରିବାର ?ମୋର ପରିବାରରେ କେହି ନାହାନ୍ତି ମାଧୁରୀ। ବାପାମାଆ ତ ଚାଲି ଗଲେଣି। ମୋର ଗୋଟିଏ ମାତ୍ର ସାନ ଭଉଣୀ ପୂର୍ବରୁ ବିବାହ କରି ସାରିଥିଲା। ମୁଁ ବର୍ତ୍ତମାନ ଗୃହରେ ଏକୁଟିଆ। ଆଗକୁ କି ପଛକୁ ମୋର କେହି ନାହିଁ। ତୁମର ଯାହାହେଲେ ମଧ୍ୟ ଏକ ଝିଅ ସାହରା ଅଛି"।
"ତୁମେ ଏ ପର୍ଯ୍ୟନ୍ତ ବିବାହ କରିନାହିଁ ମୋହନ ?ମାଧୁରୀ ପ୍ରଶ୍ନ କଲା। ମାଧୁରୀ ର ଏହି ପ୍ରଶ୍ନ ରେ ମୋହନର ଚକ୍ଷୁରୁ ଲୁହ ଝଳସି ଉଠିଲା ଓ ସେ ମୁହଁ ତଳକୁ କରି ଚୁପ୍ ରହିଲା। ମାଧୁରୀ ପୁନର୍ବାର ପ୍ରଶ୍ନ କଲା। "କୁହ ମୋହନ କଣ ପାଇଁ ଏ ପର୍ଯ୍ୟନ୍ତ ବିବାହ କରିନାହିଁ ?ତୁମର ଜୀବନକୁ କାହିକି ବର୍ବାଦ୍ କରୁଛ ?ତୁମେତ ତୁମ ବାପାଙ୍କ ର ଅନେକ ସମ୍ପତ୍ତି ର ମାଲିକ। ତାହା କିଏ ଉପଭୋଗ କରିବ ?ମୁଁ ମୋର ଦୁଃଖ ର କାହାଣୀ ତୁମ ଆଗରେ ପ୍ରକାଶ କରି ସାରିଛି। ମୁଁ ବର୍ତ୍ତମାନ ତୁମଠାରୁ ଜାଣିବାକୁ ଚାହେଁ, ତୁମ ଜୀବନର ଦୁଃଖ କଣ ?କାହିକି ଏ ପର୍ଯ୍ୟନ୍ତ ବିବାହ କରିନାହିଁ"?
ସେ ଅନେକ କଥା ମାଧୁରୀ, ଯାହା ମୁଁ କହିବାକୁ ସଂକୋଚ ବୋଧ କରୁଛି। କଲେଜ ଜୀବନରେ ମୁଁ ଜଣକୁ ମନ,ପ୍ରାଣ ଦେଇ ଭଲ ପାଉଥିଲି ଓ ତାକୁ ନେଇ ଆଗାମୀ ଜୀବନର ସୁନେଲୀ ସ୍ୱପ୍ନ ଦେଖୁଥିଲି। ସେ ଅନ୍ୟତ୍ର ବାହାହୋଇ ଚାଲିଗଲା ପରେ ଆଉ ମୁଁ କଣ କରନ୍ତି। ଆଉ କାହାକୁ ମୋ ହୃଦୟରେ ସ୍ଥାନ ଦେବାର ପ୍ରଶ୍ନ ଉଠୁନାହିଁ। ତାହା ବିନା ସାରା ଜୀବନ ଅବିବାହିତ ରହିବାର ନିଷ୍ପତ୍ତି ମୁଁ ନେଇ ସାରିଛି"।
ମାଧୁରୀ ପ୍ରଶ୍ନ କଲା, "କାହା କଥା କହୁଛ ମୋହନ ?ମୋ କଥା କହୁ ନାହଁ ତ ?ମୋ ସହିତ ତୁମର ସୁନ୍ଦର ସମ୍ପର୍କ ଥିଲା ଏକ ଉତ୍ତମ ପଢ଼ାସାଙ୍ଗ ଭାବରେ କଲେଜ ଜୀବନରେ। ଦୁହେଁ ଅନେକ ଥଟ୍ଟା ମଜା କରୁଥିଲେ। ଦିନେ ମଜାକ୍ ରେ ମୋତେ, ତୁମକୁ ବିବାହ କରି ତୁମର ଥଟ୍ଟା କରିବାର ମଜା ବାହାର କରିଦେବି କହିଥିଲ। କୁହ ମୋହନ, ସେ ଝିଅ ମୁଁ ନୁହେଁ ତ ?ଜବାବ୍ ଦିଅ ଆଜି ମୋ ପାଖରେ। ମୁଁ ସେ ଦିନ ତୁମ କଥାକୁ ମଜାକ୍ ସମଝି ନେଇଥିଲି,ଜଣେ ସାଙ୍ଗ ହିସାବରେ ପରିହାସ କରୁଛ ବୋଲି" ।
"ହଁ ମାଧୁରୀ, ସେ ଝିଅଟି ହେଉଛ ତୁମେ। ମୁଁ ତୁମକୁ ପ୍ରାଣଭରି ଭଲ ପାଉଥିଲି ଓ ତୁମକୁ ନେଇ ଆଗାମୀ ଦିନର, ମୋର ସୁନ୍ଦର ନୀଡ଼ ଗଢ଼ିବାର ସ୍ୱପ୍ନ ଦେଖୁଥିଲି। ଯାହା ଭଗବାନ କରେଇ ଦେଲେ ନାହିଁ। ତୁମେ ବିବାହ କରି ଚାଲିଗଲ ଅନ୍ୟତ୍ର"।
"ଗତ କଥା ଭାବି ଆଉ ଲାଭ ନାହିଁ ମୋହନ। ମୋର ଜୀବନ ବୋଧେ ଏଥିପାଇଁ ବର୍ବାଦ୍ ହୋଇଯାଇଛି। ତୁମର ମୋପ୍ରତି ଅନାବିଳ ଭଲ ପାଇବାଟାକୁ ମୁଁ ବୁଝି ପାରି ନଥିଲି ଓ ବୁଝିବାକୁ ଚେଷ୍ଟା ମଧ୍ୟ କରି ନଥିଲି। ତୁମକୁ ମୁଁ, ମୋର ଜଣେ ଶୁଭ ଚିନ୍ତକ ଓ ସବୁଠାରୁ ଭଲ ସାଙ୍ଗ ଭାବରେ ଦେଖୁଥିଲି। ବର୍ତ୍ତମାନ ମୁଁ ଅନୁରୋଧ କରୁଛି, ଯାହାତ ହେବାର ହେଲାଣି। ଗତ ଚିନ୍ତା ଛାଡ଼ି, ନିଜ ଭବିଷ୍ୟତ ଚିନ୍ତା କର। ଜଣେ ସୁନ୍ଦରୀ ଯୁବତୀ କୁ ବିବାହ କରି, ତୁମର ଆଗାମୀ ଜୀବନ ସୁଖମୟ କର। ଏଥିରେ ମୋର ସାହାଯ୍ୟ କି ସହଯୋଗ ଚାହୁଁଛ ଯଦି, ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। କୁହ ମୋହନ,ମୋ ଅନୁରୋଧ ରକ୍ଷା କରିବନା "?
ମୋହନ କହିଲା, "ମୁଁ ତୁମର ସହଯୋଗ ହିଁ ଚାହେଁ ମାଧୁରୀ। ତୁମେ ସହଯୋଗ କଲେ, ମୁଁ ମୋର ସୁନାର ସଂସାର ଗଢ଼ିବି। କୁହ ମାଧୁରୀ ମୋତେ ସହଯୋଗ କରି ପାରିବ "?
ମାଧୁରୀ କହିଲା, "ମୋର ସହଯୋଗ ?ମୁଁ ସହଯୋଗ କରିବା ପାଇଁ ପ୍ରସ୍ତୁତ ମୋହନ। ତୁମର ସଂସାର ଗଢ଼ିବା ପାଇଁ, ମୁ ସବୁ ପ୍ରକାର ସହଯୋଗ କରିଵା ପାଇଁ ପ୍ରସ୍ତୁତ ଅଛି। ମୋ ଜୀବନ ବିନିମୟରେ ମଧ୍ୟ ମୁ ତୁମକୁ ସହଯୋଗ କରିବି। ମୁଁ ତୁମର ବିବାହ ଦେଖିବାକୁ ଚାହେଁ "।
"ମୋତେ କଥା ଦିଅ ମାଧୁରୀ, ମୋ କଥା ଶୁଣି ସହଯୋଗର ହାତ ଫେରାଇ ନେବ ନାହିଁ ତ"?
"ପ୍ରଶ୍ନ ଉଠୁନାହିଁ ମୋହନ,ମୁଁ କଥା ଦେଉଛି ତୁମକୁ ସମ୍ପୂର୍ଣ୍ଣ ସହଯୋଗ କରିବି। ମୋତେ ବିଶ୍ୱାସ କର, ସତ୍ୟକରି କହୁଛି "।
ମୋହନ ମୁହଁ ରେ ସାମାନ୍ୟ ହସର ଲହରୀ ଉଙ୍କି ମାରିଲା। ସେ ମାଧୁରୀ ଆଡ଼କୁ ହାତ ବଢ଼େଇ କହିଲା, "ମୋର ଏ ହାତ ଧର ମାଧୁରୀ,ସବୁଦିନ ପାଇଁ। ଆମେ କେବେ କାହାରିକୁ ଛାଡ଼ିଯିବା ନାହିଁ। ତୁମକୁ ନେଇ ହିଁ ମୋର ସୁନାର ସଂସାର ଗଢ଼ିବାକୁ ଚାହୁଛି ମୁଁ। ତୁମ ବିନା ମୋ ଜୀବନ ଅସମ୍ପୂର୍ଣ୍ଣ। ତୁମକୁ ପୂର୍ବରୁ ଯେତେ ଭଲ ପାଉଥିଲି, ଆଜି ମଧ୍ୟ ମୁଁ ତୁମକୁ ସେତିକି ଭଲ ପାଉଛି। ତୁମ ପ୍ରତି ମୋର ଏ ଅନାବିଳ ପ୍ରେମ ମାଧୁରୀ। ତୁମେ ଚାହିଁଲେ ଆମ ଦୁହିଁଙ୍କ ର ସମସ୍ୟା ସମାଧାନ ହୋଇଯିବ।
ମାଧୁରୀ ନିର୍ବାକ୍ ହୋଇ ଚାହିଁ ରହିଥିଲା, ତାର ପ୍ରିୟ ପଢ଼ା ସାଥୀ ମୋହନକୁ। ତା ଚକ୍ଷୁ ସମ୍ମୁଖରେ ଦେଖା ଯାଉଥିଲା, ସତେ ଏକ ଦେବ ତୁଲ୍ୟ ରାଜକୁମାର ଆସି, ତାକୁ ଏ ଦୁଃଖ ବେଳାରେ ନରକ ଯନ୍ତ୍ରଣା ରୁ ଉଦ୍ଧାର କରିବାକୁ ଚାହୁଛି। ମୋହନ ପ୍ରତି ତା ହୃଦୟରେ କୃତଜ୍ଞତା ଓ ପ୍ରେମ ଭାବ ଜାଗି ଉଠିଲା। ଧନ୍ୟ ମନେ କରୁଥିଲା ମାଧୁରୀ ନିଜକୁ। ଭଗବାନ ଙ୍କୁ ଧନ୍ୟବାଦ ଜଣାଉଥିଲା, ମୋହନ ପରି ଏକ ସୁନ୍ଦର ଓ ପ୍ରତିଭାବାନ ଯୁବକକୁ ତାକୁ ଭେଟି ଦେଉଥିବାରୁ। ମୋହନର ଅନାବିଳ ପ୍ରେମକୁ ସମ୍ମାନ ଜଣାଇ ନିରବରେ ନିଜର ହାତ ବଢ଼ାଇ ଦେଲା ମୋହନ ଆଡ଼କୁ। ମୋହନ ଧରିନେଲା ତାକୁ ଦୃଢ଼ ଭାବରେ। ଦୁଇ ଜଣଙ୍କ ନୟନ ଯୁଗଳରୁ ଅନାବିଳ ପ୍ରେମର ସନ୍ତକ ସ୍ୱରୂପ ଝରି ପଡ଼ୁଥିଲା କିଛି ଆନନ୍ଦାଶ୍ରୁ।

