Seetaram Dash

Romance

2  

Seetaram Dash

Romance

ଅମୂଲ୍ୟ ଉପହାର

ଅମୂଲ୍ୟ ଉପହାର

4 mins
201



       ହରିଶ ବାବୁ ତରତର ହୋଇ ବାହାରୁ ଥିଲେ ଅଫିସ। ଅଫିସ ବ୍ୟାଗଟି ହାତକୁ ବଢ଼ାଉ ବଢ଼ାଉ ସ୍ମିତା ଦେବୀ କହି ଉଠିଲେ, "ଆଉ ଡ୍ରେସ ନ ଥିଲା ଭଳି, ଏ ଧଳା ସାର୍ଟକୁ କେତେ ଥର ପିନ୍ଧିଲଣି। ମଳି ହୋଇ କଣ ଦେଖା ଯାଉଛି? ତାକୁ ରଖି ଆଉ ଗୋଟେ ସାର୍ଟ ପିନ୍ଧି ନିଅ। ମୁଁ ଆଜି ସଫା କରିଦେବି। କାମ ବ୍ୟସ୍ତ ଭିତରେ କାଲି ସଫା କରିବାକୁ ଭୁଲି ଯାଇଛି।" ହରିଶ ବାବୁ ହସିଦେଇ କହିଲେ ହଉ, ଆଜି ଦିନକ ଚଳେଇ ଦେବା"। ଯାଉ ଯାଉ କାନ ପାଖରେ କହିଲେ, "ଏ ସାର୍ଟ ପିନ୍ଧିଲେ ପା, ତୁମେ ପାଖରେ ଥିଲା ଭଳି ଲାଗ"। ସ୍ମିତା ଦେବୀ ମନେ ମନେ ହସୁଥିଲେ ଆଉ ଭାବୁଥିଲେ ଅତୀତକୁ...


   ଦିନ ଥିଲା, ସ୍ମିତା ଦେବୀଙ୍କୁ ଲାଗେ ସ୍ୱାମୀ ହରିଶ ବାବୁ ଘରେ ଏବଂ ବାହାରେ ଭିନ୍ନ ଭିନ୍ନ ସ୍ୱଭାବର ଦୁଇଟି ଅଲଗା ଅଲଗା ମଣିଷ। ବାହାରେ ସେ ଯେତିକି ଶାନ୍ତ ସରଳ ଘରେ ସେତିକି ଗମ୍ଭୀର। ବାହାରେ ସେ ବେଶ ହସଖୁସିଆ ମଣିଷଟିଏ କିନ୍ତୁ ସ୍ତ୍ରୀଙ୍କ ଆଗରେ ରାଗି, କଥା କଥାରେ ଭୁଲ ବାହାର କରୁଥିବା ଜଣେ ରୁକ୍ଷ ମଣିଷ। ଏହା ବୋଧେ ତାଙ୍କର ପୁରୁଷ ପଣିଆର ଅହଂ।


     ଏହା ଭିତରେ ବିତି ଗଲାଣି ପାଞ୍ଚ ବର୍ଷ। ପିଲାଛୁଆ ଜଞ୍ଜାଳରେ ସ୍ମିତା ଦେବୀ ଭୁଲି ଯାଇଛନ୍ତି ନିଜକୁ। ଅନ୍ୟ ପାଇଁ ନିତି ବଞ୍ଚୁଥିବା ମଣିଷଟି ଭୁଲି ଯାଇଛି ନିଜ କଥା। ସ୍ୱାମୀ, ପିଲା ଏବଂ ଘରକୁ ସମ୍ଭାଳୁ ସମ୍ଭାଳୁ ସାରିଯାଏ ତାଙ୍କର ସୁଖର ଆୟୁଷ।


     ହରିଶ ବାବୁ କେବେ ସ୍ମିତା ଦେବୀଙ୍କ ପାଇଁ କୋୖଣସି ଉପହାର ଆଣି ନାହାଁନ୍ତି। କେବେବି ତାଙ୍କ କାମର ପ୍ରଶଂସା କରି ନାହାଁନ୍ତି। ଆଉ ମିଠା କଥା ପଦେ ବି ତାଙ୍କ ମୁହଁରୁ ସ୍ମିତା ଦେବୀଙ୍କ ପାଇଁ କେବେ ବାହାରି ନାହିଁ। ସ୍ମିତା ଦେବୀ ନିଜର ସବୁ କିଛିକୁ ଛାଡି ଶାଶୁ ଘରକୁ ଆସିଲା ପରେ ଆଉ ସୁଖ ବୋଲି କଣ ଜାଣୁ ନ ଥିଲେ। କେବଳ ନିଜର କର୍ତ୍ତବ୍ୟ ଭାବି ସବୁ କରି ନେଉ ଥିଲେ। ସେ ସବୁ ଇଚ୍ଛାକୃତ ହେଉ କି ଅନିଚ୍ଛାକୃତ, କାହାକୁ କିଛି ଫରକ ପଡୁ ନ ଥିଲା। ହରିଶ ବାବୁ ସ୍ମିତା ଦେବୀଙ୍କ କାର୍ଯ୍ୟ କଳାପକୁ ନେଇ ମନେ ମନେ ବହୁତ ଖୁସି ହେଲେ ବି, ମୁହଁରେ ସ୍ମିତା ଦେବୀଙ୍କ ଉପରେ ଭାରି ବିରକ୍ତ ହୁଅନ୍ତି। କାରଣ ତାଙ୍କ ଘରେ ତାଙ୍କର ବାପା', ମା' ଏବଂ ପୁରା ପରିବାର। ସେମାନଙ୍କ ଆଗରେ ଯଦି ସେ ସ୍ମିତା ଦେବୀଙ୍କ ଭଲ ମନ୍ଦ କଥା ବୁଝିବେ, କି ତାଙ୍କର ପ୍ରଶଂସା କରିବେ ଘର ଲୋକେ ତାଙ୍କୁ ସ୍ତ୍ରୀ ବୋଲକରା ବୋଲି କହିବେ। ପୁରୁଷ ପଣିଆର ଅହଂଟା ଭାଙ୍ଗି ଯିବନି? ସେହି ଡରରେ ସେ ସ୍ତ୍ରୀଙ୍କ ନିକଟରୁ ଦୂରେଇ ହୋଇ ରୁହନ୍ତି।


     ଘର ଲୋକଙ୍କୁ ଖୁସି କରିବା ପାଇଁ ହେଉ କି ନିଜର ପୁରୁଷ ପଣିଆ ଜାହିର କରିବାକୁ ହେଉ, ଅନେକ ସମୟରେ ସାମାନ୍ୟ ଭୂଲରେ ଅନେକ କଥା ସ୍ତ୍ରୀଙ୍କୁ ହରିଶ ବାବୁ କୁହନ୍ତି। ବେଳେ ବେଳେ କିଛି ଭୂଲ ନ ଥାଇ ମଧ୍ୟ ସ୍ମିତା ଦେବୀ ଚୁପ ରୁହନ୍ତି। ସ୍ମିତା ଦେବୀ ମନେ ମନେ ଭାବନ୍ତି ପଦେ କହି ଘରେ କଳି ଝଗଡ଼ା କରିବା ଅପେକ୍ଷା ନୀରବ ରହିଲେ କ୍ଷତି କଣ? 


     ସ୍ମିତା ଦେବୀ ବାହାଘର ପରେ ବାପ ଘର ଛଡା କେବେ କୁଆଡେ ଯାଆନ୍ତି ନାହିଁ। ନିଜ ଘରକୁ ଆସିଲେ କିଛି ନା କିଛି ସ୍ୱାମୀଙ୍କ ପାଇଁ କିଣନ୍ତି। କିନ୍ତୁ ସେ ବାବଦରେ ହରିଶ ବାବୁ ଠୁ ପ୍ରଶଂସା ବଦଳରେ ନିନ୍ଦା ମିଳେ। କାରଣ ହରିଷ ବାବୁ ସବୁ ଜିନିଷର ମୂଲ୍ୟ ତାର ଦାମରେ ତୁଳନା କରନ୍ତି। ଗଲା ରଜରେ ଅତି ଆଗ୍ରହରେ ସେ ଧଳା ରଙ୍ଗର ସାର୍ଟଟିଏ ଆଣିଥିଲେ। ହରିଷ ବାବୁଙ୍କୁ, ତାହା ପସନ୍ଦ ହେଲାନି। ଦିନେ ତ ପିନ୍ଧିଲେନି, ତା ସହିତ ସାର୍ଟର ଦାମକୁ ନେଇ କେତେ କଥା କହି ଗଲେ।



     ସ୍ମିତା ଦେବୀଙ୍କୁ ଏସବୁ କଥା କଷ୍ଟ ଦେଲେ ମଧ୍ୟ ସେ କେବେ ବି ମୁହଁ ଖୋଲି କୁହନ୍ତି ନାହିଁ, କି ସ୍ଵାମୀଙ୍କୁ କେବେ ଭୁଲ ବୁଝନ୍ତି ନାହିଁ। କାରଣ ତାଙ୍କ ସ୍ୱାମୀଙ୍କର ପ୍ରତ୍ୟେକ ଟି କଥା ତାଙ୍କୁ ଭଲ ରୂପେ ଜଣା ଥିଲା। ଏତେ ସବୁ କାମ କରି ପରିବାର ସମସ୍ତ ଲୋକଙ୍କ କଥା ବୁଝି ସେ ଯେତେବେଳେ ସମୟ ପାଆନ୍ତି, ନୀରବରେ ମନ କଥାକୁ ଲେଖନ୍ତି ଡାଏରିରେ। ଡାଏରିଟି ତାଙ୍କର ଅତି ଆପଣାର, ଅତି ନିଜର, ଅମୂଲ୍ୟ ସମ୍ପତ୍ତି।


     ଦିନେ ହରିଷ ବାବୁ ଦେଖିଲେ ସ୍ମିତା ଦେବୀ, ସେ ଡାଏରିକୁ ଦେଖି କଣ ସବୁ ଭାବୁଛନ୍ତି ଓ ତାଙ୍କ ଆଖିରେ ଲୁହ ମଧ୍ୟ। ଏସବୁ କଥା ଦେଖି ସ୍ମିତା ଦେବୀଙ୍କ ଉପରେ ତାଙ୍କର ସନ୍ଦେହ ହେଲା । ଯାହା ପାଇଁ ସେ ମନେ ମନେ ଏତେ ଖୁସି ହୁଅନ୍ତି ସେ ପୁଣି ଆଜି ଲୁଚି ଲୁଚି ଏ ଡାଏରି ଦେଖି କାନ୍ଦୁଛି। ଡାଏରି ଭିତରେ କଣ ଥାଇ ପାରେ? ଅନେକ ଚିନ୍ତା ତାଙ୍କ ମନକୁ ଭାରାକ୍ରାନ୍ତ କରୁଥାଏ। ସ୍ମିତା ଦେବୀ ଯେତେବେଳେ ରୁମରୁ ବାହାରି ଚାଲିଗଲେ, ହରିଶ ବାବୁ ସେ ଡାଏରିକୁ ଖୋଲି ଦେଖିଲେ। ଡ଼ାଏରି ଟିକୁ ଦେଖି ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। କାରଣ ସେ ଡାଏରିରେ ଥିଲା ଦୁଇଟି ଗୋଲାପ। ସ୍ମିତା ଦେବୀ ସେ ଗୋଲାପ ଦୁଇଟିକୁ ବହୁତ ଯତ୍ନରେ ନିଜ ଡାଏରି ଭିତରେ ରଖିଥିଲେ। ଆଉ ସେଦିନର ତାରିଖ ସହ ଲେଖିଥିଲେ ସ୍ମୁତିର ଗୋଲାପ।


    ସ୍ମିତା ଦେବୀଙ୍କୁ ହରିଶ ବାବୁ ପଚାରିଲେ, "ଏ ଗୋଲାପର ରହସ୍ୟ କଣ?" ସ୍ମିତା ଦେବୀ ଡରି ଡରି ଉତ୍ତର ଦେଲେ, "ଚାରି ବର୍ଷ ତଳେ ଆମ ବାହାଘର ନୂଆନୂଆ ହେଇଥାଏ, ସେଦିନ ଥିଲା ରୋଜ ଡେ। ତୁମେ ତୁମର ସାଙ୍ଗ ବାହାଘରରେ ଭୋଜି ଖାଇ ଫେରିଲା ବେଳକୁ ରାତି ଅନେକ। ଘରେ ସମସ୍ତେ ଶୋଇଥାନ୍ତି। ମୁଁ କିନ୍ତୁ ଅପେକ୍ଷା କରିଥାଏ ତୁମକୁ। ସେଦିନ ଏ ଗୋଲାପ ଦୁଇଟି ତୁମେ ଦେଇ ଥିଲ। ଯାହାକୁ ମୁଁ ମୋ ଡାଏରି ଭିତରେ ଆଜି ପର୍ଯ୍ୟନ୍ତ ସାଇତି ରଖିଛି। ହରିଶ ବାବୁଙ୍କ ମନରେ ଅନୁତାପର ବହ୍ନି। ସେ ବଡ଼ ଲଜ୍ଜିତବୋଧ କଲେ କିନ୍ତୁ ଭିତରର ଭାବପ୍ରବଣତା କୁ ଲୁଚାଇବାକୁ ଯାଇ ବିରକ୍ତ ହୋଇ କହିଲେ, "ଏଗୁଡା ସାଇତି ରଖିବା କଣ ଦରକାର?"


     ଏକଥା ଶୁଣି ସ୍ମିତା ଦେବୀ କହିଲେ, "ଏ ହୁଏତ ତୁମ ପାଇଁ ସାମାନ୍ୟ ଗୋଲାପ ହୋଇପାରେ, ହେଲେ ଏ ହେଉଛି ମୋ ପାଇଁ ତୁମ ତରଫରୁ ପ୍ରଥମ ଉପହାର। ଆଉ ତୁମ ଅସରନ୍ତି ଭଲ ପାଇବାର ସ୍ମୁତି । ଖାଲି ସେତିକି ନୁହେଁ ଏହାର ତୁଳନାରେ ଦୁନିଆର କୌଣସି ମୁଲ୍ୟବାନ ଵସ୍ତୁ ମଧ୍ୟ ମୋ ପାଇଁ ସମାନ ହେବନି।"

   

    ହରିଶ ବାବୁ ନିଜକୁ ଆଉ ରୋକି ପାରିଲେନି। ସ୍ମିତା ଦେବୀଙ୍କୁ ଦୃଢ଼ ଆଲିଙ୍ଗନରେ ନିଜ ଆଡକୁ କୋଳେଇ ନେଲେ। ଧୀରେ ଧୀରେ ହରିଶ ବାବୁଙ୍କ ଆଖିର ଲୁହରେ ସ୍ମିତା ଦେବୀଙ୍କ କପାଳ ଓଦା ହେଉଥିଲା ଆଉ ସ୍ମିତା ଦେବୀଙ୍କ ଲୁହରେ ହରିଶ ବାବୁଙ୍କ ସାର୍ଟ।


Rate this content
Log in

Similar oriya story from Romance