ଅଲୋଡ଼ା ପାଉଁଜି
ଅଲୋଡ଼ା ପାଉଁଜି




ସୁଶାନ୍ତି ଆଜି ପାଷାଣି ଅହଲ୍ୟା। ନା ତାଙ୍କର ସୁଖ ଅଛି, ନା ଦୁଃଖ। ସେ କେବଳ ନିରବ। ଧାଡ଼ିର ଶେଷ ମୁଣ୍ଡରେ ଛିଡା ହୋଇ ସେ ଦେଖୁଥିଲା, " ଯାହାକୁ ଦିନେ ହୃଦୟ ରେ ସେ ଦେବତା ସଜାଇ ଥିଲା, ଯିଏ ଦିନେ ଭଗବାନଙ୍କ ଆଗରେ ପ୍ରତିଜ୍ଞା କରି କହିଥିଲା, " ମୁଁ ଭଲ ପାଏ ଏ ପାଦକୁ, ଏ ପାଉଁଜି କୁ ଆଉ ଏ ସୁନ୍ଦର ହୃଦୟକୁ। ସେ ଆଜି ଆଉ କାହା ସହ...।"
ଆଖିର ଲୁହକୁ ଓଠରେ ଚାପି ଧରିଲା ସେ...ଆଖି ରେ ଭାସି ଯାଉଥାଏ କଳା ବାଦଲ ସମ ସେ କଳା ଦିବସ ଟି....।
ସେଦିନ ନାବାଳିକାଟିର ଗଣଧର୍ଷଣକୁ ବିରୋଧ କରି ବାହାରି ଥିବା ବିରାଟ ରାଲିରେ ସୁଶାନ୍ତ ସହ ସୁଶାନ୍ତିର ଭେଟ ହୋଇଥିଲା। ସୁୁଶାନ୍ତ, ସୁନ୍ଦର ଚେହେରା ଏବଂ ମାର୍ଜିତ ବ୍ୟବହାର ପାଇଁ ଭିଡ଼ ଭିତରେ ଅନ୍ୟ ମାନଙ୍କ ଠୁ ବାରି ହୋଇ ପଡୁଥାନ୍ତି। ଉଭୟ ଉଭୟଙ୍କୁ ଭଲ ଲାଗିଲେ। ତାପରେ କଥାବାର୍ତ୍ତା, ଚିହ୍ନା ଜଣା ଆଉ ଆତ୍ମୀୟତା। ପରିଶେଷରେ ପ୍ରେମ...।
ସୁଶାନ୍ତର ବ୍ୟକ୍ତିତ୍ବ ସୁଶାନ୍ତିକୁ ବହୁତ ଅନୁପ୍ରାଣିତ କରେ।
ସୁଶାନ୍ତ ଅନେକ ଜନମଙ୍ଗଳ କାର୍ଯ୍ୟ ସହ ଜଡିତ। ବିଶେଷ କରି ନାରୀ ମାନଙ୍କର ଅଧିକାର ଓ ମହିଳା ସଶକ୍ତିକରଣ ପାଇଁ ସେ ସ୍ୱର ଉତ୍ତୋଳନ କରନ୍ତି। ସେ ସବୁବେଳେ କୁହନ୍ତି, "ନାର୍ଯ୍ୟସୁ ଯତ୍ର ପୂଜ୍ୟନ୍ତେ ତତ୍ର ରମ୍ୟନ୍ତେ ଦେବତାଃ"। ସୁଶାନ୍ତଙ୍କ ଭଲ ଗୁଣକୁ ନେଇ ସୁଜାତା ବେଶ ଖୁସି।
ଏବେ ଉଭୟ ଉଭୟଙ୍କୁ ସମୟ ଦିଅନ୍ତି। ଅନେକ କଥା, ଅନେକ ପ୍ରତିଶ୍ରୁତି ଆଉ ସାରା ଜୀବନ ଏକାଠି ରହିବାର ପ୍ରତିଜ୍ଞା। ଅନେକ ରାତି ପର୍ଯ୍ୟନ୍ତ ଅନ ଲାଇନରେ ଚାଟିଙ୍ଗ। ଅନେକ ଥର କଥା ହେଉ ହେଉ ପୁରା ରାତି ସରିଯାଏ। ଯେଉଁ ଦିନ ସେମାନେ ସାରା ରାତି କଥା ହୋଇ କାଟନ୍ତି, ସୁଶାନ୍ତି ନିଜ ଡାଇରୀରେ ସେ ଦିନର ତାରିଖ ଲେଖି ରଖେ। ସେଦିନ ସୁଶାନ୍ତ କହେ, "ଏ ତ ଗୋଟେ ରାତି ନୁହେଁ, ମୋ ପାଇଁ ଅଭୁଲା ସ୍ମୁତି। ଦୁଇ ଜଣଙ୍କର ଦିନ ଉଭୟ ଉଭୟଙ୍କ ପାଖରୁ ଆରମ୍ଭ କରି ଉଭୟଙ୍କ ପାଖରେ ଶେଷ କରନ୍ତି। ସୁଶାନ୍ତ, ସୁଶାନ୍ତିର ବହୁତ ଯତ୍ନ ନିଏ। ଦିନଚର୍ଯ୍ୟା ର ସମ୍ପୂର୍ଣ୍ଣ ବିବରଣୀ ଜାଣି ରଖେ। ଟିକେ ଦେହ ମୁଣ୍ଡ ହେଲେ ବହୁତ ବ୍ୟସ୍ତ ହୁଏ।
ସୁଶାନ୍ତି ପ୍ରିୟ ପୁରୁଷଙ୍କୁ ନେଇ ଅନେକ ସ୍ବପ୍ନ ଦେଖେ, ଅନେକ ସ୍ମୃତି ସାଉଁଟେ। ତାର ଦେହ ମନ ଏକ ଅଜଣା ପୁଲକରେ ପୁଲକିତ ହୁଏ। ସୁଶାନ୍ତଙ୍କ ମିଠା ମିଠା କଥା ସୁଶାନ୍ତିର ହୃଦୟକୁ ଆନମନା କରେ। ତାର ଭାବନାରେ ଉଙ୍କି ମାରେ ଫଗୁଣର ଫଗୁ, ଜୀବନର ଉପବନରେ ଶୁଭେ କୋକିଲର କୁହୁତାନ। ଜଣେ ଅନ୍ୟ ଜଣଙ୍କୁ ଦଣ୍ଡେ ନ ଦେଖିଲେ ପାଗଳ ହୁଅନ୍ତି।
ସୁଶାନ୍ତ ଜଣେ ଡିପ୍ଲୋମା ଇଂଜିନିୟର। ଏଥର ଦୀର୍ଘ ଦୁଇମାସ ପରେ ଆସିଛନ୍ତି ସୁଶାନ୍ତିକୁ ଦେଖା କରିବା ପାଇଁ। ପୁରୀ ବେଳାଭୂମିରେ ଏକ ସୁନ୍ଦର ସନ୍ଧ୍ୟାରେ ଉଭୟ ହାତରେ ହାତ ଛନ୍ଦି ଚାଲିଛନ୍ତି ଅନ୍ୟମନସ୍କ ଭାବରେ। ନିରବତାକୁ ଭଙ୍ଗ କରି ସୁଶାନ୍ତ କହିଲେ,
-- ଜାଣିଛ, ଦୁନିଆରେ ମତେ ସବୁଠୁ କଣ ଭଲ ଲାଗେ?
--କଣ?
--ତୁମର ସେଇ ସୁନ୍ଦର ପାଦ! ମୁଁ ତ ଆଗରୁ ଝିଅଙ୍କ ମୁହଁକୁ ସିଧା ଚାହିଁ ପାରେନି। ପ୍ରଥମ ଦେଖାରେ ତୁମ ପାଦକୁ ହିଁ ଦେଖି ଭଲ ପାଇ ବସିଥିଲି। ସେହି ଦୁଇଟି ପାଦ ହିଁ ମୋର ପ୍ରେମ ଆଉ ମୋର ପୂଜା। ଏବେ କିନ୍ତୁ ତୁମ ମୁହଁ ଛଡା ମୁଁ କାହାକୁ ଦେଖୁନି, କାରଣ ତୁମେ ତ ଦୁନିଆରେ ସବୁଠୁ ସୁନ୍ଦର।
ଏ କଥା ପଦକ ଶୁଣି ସୁଶାନ୍ତି ଖୁସିରେ ଅଧିର ହୋଇ କହିଲେ, "ତମେ ମତେ ଏତେ ଭଲ ପାଅ! ସତରେ ତମକୁ ଯେତେ ଭଲ ପାଇବା ଦେଲେ ବି କମ ପଡିବ। ମତେ ଲାଗୁଛି, ମୁଁ ଦୁନିଆରେ ସବୁଠୁ ଭାଗ୍ୟଶାଳୀ ଝିଅ। ଲଭ୍ୟୁ ସୁଶାନ୍ତ।"
ସୁଶାନ୍ତ ସାଙ୍ଗରେ ଆଣିଥିବା ଏକ ସୁନ୍ଦର ରୂପା ପାଉଁଜି ବାହାର କରି କହିଲେ, "ତମ ସୁନ୍ଦର ଲକ୍ଷ୍ମୀ ପାଦର ଶୋଭା କୁ ଏ ପାଉଁଜି ଦ୍ୱିଗୁଣିତ କରିବ। ଦିଅ ତୁମ ପାଦ, ମୁଁ ପିନ୍ଧାଇ ଦେବି।" ଏ କଥା ଶୁଣି ସୁଶାନ୍ତିର ମୁହଁ ଲାଜରେ ଲାଲ ପଡ଼ିଗଲା। ସେ ପାପୁଲିରେ ନିଜ ମୁହଁକୁ ଲୁଚାଇ ପାଦଟିକୁ ବଢ଼ାଇ ଦେଲେ। ସୁଶାନ୍ତ ବେଳାଭୂମିର ବାଲୁକା ରାଶି ଉପରେ ବସି ପଡ଼ି ଆଣ୍ଠୁ ଉପରେ ସୁଶାନ୍ତିର ପାଦ ରଖି ପାଉଁଜି ପିନ୍ଧାଇ ଦେଇ କହିଲେ, "ଏ ପାଉଁଜି କେବେ ଖୋଲିବ ନି। ଏହା କେବଳ ଗୋଟେ ଚିଜ ନୁହେଁ। ମୋ ସ୍ନେହ ପ୍ରେମ ଆଉ ଭଲ ପାଇବାର ସନ୍ତକ। ଦେଖବ, ତୁମ ପ୍ରେମ ଆଗରେ ମୁଁ ଏମିତି ଜୀବନ ସାରା ମୁଣ୍ଡ ନୁଆଁଉ ଥିବି।" ଅସ୍ତଗାମୀ ସୂର୍ଯ୍ୟଙ୍କ ଲୋହିତ କିରଣରେ ବେଳାଭୂମିର ରାଶି ରାଶି ବାଲୁକା ରାଶି ସୁନାର ଭ୍ରମ ସୃଷ୍ଟି କରୁଥିଲା। ଚାରୋଟି ପାଦ ଚିହ୍ନ ସେହି ବାଲୁକା ରାଶି ରେ ଅନେକ ଦୂର ପର୍ଯ୍ୟନ୍ତ ଲମ୍ବି ଯାଇଥିଲା। ଫେରିବା ସମୟରେ ସୁଶାନ୍ତ କହିଲେ, "କିଛି ସମୟ ପାଇଁ ଏ ସାଗର ଟା ନିରବ ହୋଇ ଯାଆନ୍ତା ନାହିଁ। କାରଣ ତମ ପାଉଁଜିର ଶବ୍ଦକୁ କାନ ଡେରି ଶୁଣିବାକୁ ମୁଁ ଅଧିର।"
ଫେରିବା ସମୟରେ ସୁଶାନ୍ତ ଅଭିମାନ କରି କହିଲେ, "ଜାନୁ, ମୋର ଗୋଟେ କଥା ରଖିବ। ଆଜି ତୁମ ପାଉଁଜି ଶବ୍ଦରେ ମୁଁ ହଜିବାକୁ ଚାହେଁ, ଭିଜିବାକୁ ଚାହେଁ। ତୁମର ମିଠା ମିଠା କଥାରେ ମୁଁ ଅନୁଭବ କରେ ପ୍ରେମ, ପାପ୍ତି ଓ ପୂର୍ଣ୍ଣତା। ଆସ ଆଜି ରାତିକ ପାଇଁ ଏକାଠି ରହିଯିବା। କିନ୍ତୁ ସୁଶାନ୍ତି ମନା କରି କହିଲା, "ନା, ନା, ବିବାହ ପୂର୍ବରୁ ଏମିତି ଏକାଠି ରହିବା ଉଚିତ ନୁହେଁ। ଦୁନିଆ କଣ କହିବ? ମୁଁ ଚାହେଁ ନି ବିବାହ ପୂର୍ବରୁ ଆମ ପ୍ରେମ କଳଙ୍କ ହେଉ।"
ସୁଶାନ୍ତ ପାଖରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରକୁ ସୁଶାନ୍ତିର ହାତ ଧରି ନେଇଗଲେ। ରାଧାକୃଷ୍ଣଙ୍କୁ ସାକ୍ଷୀ ରଖି ସାଙ୍ଗରେ ଆଣିଥିବା ସୁନା ମୁଦିଟିଏ ପିନ୍ଧାଇ ଦେଇ କହିଲେ, "ଆଜି ଠୁ ତୁମେ କେବଳ ମୋର।" ସୁଶାନ୍ତି ର ଆଖିରୁ ଆନନ୍ଦରେ ଦୁଇ ଟୋପା ଲୁହ ବହି ଗଲା। ମନ୍ଦିରରୁ ଟିକେ ସିନ୍ଦୁର ଆଣି ଲଗାଇ ଦେଲେ ପ୍ରାଣ ପ୍ରିୟାର କପାଳରେ। ସୁଶାନ୍ତି ନିଜକୁ ରୋକି ନ ପାରି ସୁଶାନ୍ତକୁ ଭିଡି ଧରିଲେ, ଆଉ କୋହ ଭରା କଣ୍ଠରେ କହିଲେ "ମୋ ବିଶ୍ୱାସରେ ବିଷ ଦେବନି।"
ସୁଶାନ୍ତଙ୍କ ଅଭିଳାଷକୁ ପୁର୍ଣ୍ଣ କରିବାକୁ, ଅନିଚ୍ଛା ସ୍ଵତ୍ତ୍ୱେ ସୁଶାନ୍ତିକୁ ରାତିଟିଏ ହୋଟେଲରେ ରହିବାକୁ ପଡିଲା। ହୋଟେଲର ବନ୍ଦ କୋଠରୀ ଭିତରୁ ଅନେକ ରାତି ଯାଏଁ ଶୁଭୁଥିଲା ଚୁପ ଚୁପ କଥା, ଆଉ ଝୁମୁ ଝୁମୁ ପାଉଁଜିର ଶବ୍ଦ। ଜଣେ ସାଜିଥିଲା ଫୁଲ, ଆଉ ଜଣେ ପ୍ରଜାପତି।
ସବୁଦିନ ଭଳି ନୂଆ ସକାଳ ଟିଏ ଆସିଲା, ପକ୍ଷୀ ମାନଙ୍କର କାକଳି ନେଇ। ନୂଆ ସୂର୍ଯ୍ୟ, ନୂଆ ଆଶା ଆଉ ନୂଆ ଆଲୋକ। ଜଣେ ସବୁକିଛି ପାଇବାର ବିଜୟ ଉଲ୍ଲାସରେ ଉଲ୍ଲସିତ ଆଉ ଜଣେ ଅନେକ କିଛି ହରାଇବାର ଭୋକ୍ଷ। ଫେରିବା ସମୟରେ ସୁଶାନ୍ତିର ମନରେ ଅନେକ ଦୁଃଚିନ୍ତା। ସେ ଅନ୍ୟମନସ୍କ ଭାବରେ ସୁଶାନ୍ତକୁ ପଚାରିଲେ, "ତମେ ବଦଳି ଯିବନି ତ? ମତେ ଭୁଲି ଯିବନି ତ?" ସୁଶାନ୍ତ ଉତ୍ତର ରଖିଲେ, "ତମ ସହ ଅନ୍ୟାୟ କଲେ ଭଗବାନ ବି ମତେ କ୍ଷମା କରିବେନି। ତମ ପଢା ସରୁ, ତା ପରେ ଆମେ ଚାଲିଯିବା ଜହ୍ନ ରାଇଜକୁ। ସେଠି କେବଳ ତୁମେ ଆଉ ମୁଁ ଥିବା। ଆଉ ତା ସହିତ ଥିବ ପାଉଁଜିର ଝୁମୁ ଝୁମୁ ଶବ୍ଦ।"
ଛୁଟିରେ ହଷ୍ଟେଲର ସବୁ ସାଙ୍ଗମାନେ ଘରକୁ ଯାଆନ୍ତି। କିନ୍ତୁ ସୁଶାନ୍ତି ପାଠ ପଢ଼ାର ବାହାନା କରି ଚାଲିଯାଏ, ହୋଟେଲ ସେହି ବନ୍ଦ କୋଠରୀ କୁ। ଚୁପ ଚୁପ କଥା, ଝୁମୁ ଝୁମୁ ପାଉଁଜିର ଶବ୍ଦ। ପ୍ରାଣ ପ୍ରିୟଙ୍କ ସହ ସେ ପକ୍ଷୀରାଜ ଘୋଡ଼ା ଚଢି ଉଡି ଯାଏ, ଦୂରକୁ ଅନେକ ଦୂରକୁ। ହଷ୍ଟେଲରେ ବିବାହ ନ କରି ବି ସେ ସାବିତ୍ରୀ ବ୍ରତ ରଖେ। ସନ୍ତୋଷି ମା'ଙ୍କ ପାଖରେ ସୁଶାନ୍ତ ର ଶୁଭ ମନାସେ। ଆଉ ଲୁଚି ଲୁଚି ସିନ୍ଦୁର ପିନ୍ଧେ। ଆଉ ସନ୍ଧ୍ୟାରେ ସଜେଇ ହୋଇ ଆଇନାରେ ଓଢଣା ତଳର ମୁହଁ ଦେଖେ।
କିନ୍ତୁ, ଦୁନିଆ ପରିବର୍ତ୍ତନଶୀଳ। ଇଚ୍ଛା ପୁରାଣ ହୋଇ ଗଲା ପରେ, ସ୍ୱାର୍ଥ ହାସଲ ହୋଇଗଲା ପରେ ଆକର୍ଷଣ କମିଯାଏ। ଏଠି ସ୍ନେହ ପ୍ରେମ ଭଲ ପାଇବାର ବି ପରିବର୍ତ୍ତନ ହୁଏ। ଏବେ ସୁଶାନ୍ତର ଅନେକ ପରିବର୍ତ୍ତନ। ସବୁବେଳେ ବାହାନା, ବ୍ୟସ୍ତତା ଆଉ ଉପେକ୍ଷା। ସବୁବେଳେ କାମ ଆଉ କାମ। ଫୋନ ପ୍ରାୟ ଆସେ ନାହିଁ। ଏପଟୁ ଫୋନ ଗଲେ ବିରକ୍ତ ହୋଇ ଡିଷ୍ଟର୍ବ ନ କରିବାକୁ ତାଗିଦ କରେ। ତା ସହିତ ତାଙ୍କ ଫୋନ ବ୍ୟସ୍ତ ରହେ ଘଣ୍ଟା ଘଣ୍ଟା ଆଉ କାହା ସହ ଗପିବାରେ। ଦିନେ ଦିନେ ଘରକୁ ଯିବା ପାଇଁ ସୁଶାନ୍ତଙ୍କ ବାଟ ଚାହିଁ ଚାହିଁ ନିରାଶ ହୋଇ ବସରେ ଯିବାକୁ ପଡେ। ଧୀରେ ଧୀରେ ମନର ମଣିଷ ଦୂରେଇ ଯାଏ କେଉଁ ଅଜଣା ରାଇଜକୁ। ଫୋନ ବି ଆଉ ଲାଗେନି। ନିରୀହ ପ୍ରଜାପତି ଏବେ ପାଗଳ ଭଅଁର। ହଁ, ପାଗଳ। ନୂଆ ନୂଆ ଫୁଲର ସନ୍ଧାନରେ ପାଗଳ। ପ୍ରତାରକ କଣ ଜାଣେ ପ୍ରେମର ଭାଷା? ସେ ତ କେବଳ ଜାଣେ ମହୁ ଶୋଷି ଫୁଲକୁ କିପରି ଛାଡି ଯିବାକୁ ହୁଏ। କିପରି ଉଡି ଯିବାକୁ ହୁଏ, ଆଉ କାହା ପ୍ରେମ ପାଇବା ପାଇଁ।
ସୁଶାନ୍ତିର ସ୍ବପ୍ନ ଚୁରମାର ହୋଇଯାଏ। କୁହୁଡ଼ିଆ ମେଘୁଆ ଆକାଶ ତଳେ ମଥାର ସିନ୍ଦୁରକୁ ଖୋଜି ଖୋଜି ବାଟ ବଣା ହୁଏ। ତାର ସବୁ ଆଶା ଆଲୋକ କୁଆଡେ ଉଭେଇ ଯାଏ। ତା ମନରେ ଅନେକ ଅବୁଝା ପ୍ରଶ୍ନ। ଯାହାର ଉତ୍ତର ଖୋଜି ଖୋଜି ସେ ଅଣନିଃଶ୍ବାସୀ ହୁଏ। ସତ ଚେଷ୍ଟାରେ ସୁଖ ତାର ସତ ସପନ ହୁଏ। ଏକ ଅଜଣା ଯନ୍ତ୍ରଣା ତା ଦେହ ମନକୁ ଛଟପଟ କରେ। ଜୀବନକୁ ସଜାଡ଼ିବା ପାଇଁ ଆଉ ଉପାୟ ନ ଥାଏ। ରାମଚନ୍ଦ୍ରଙ୍କ ଆଦର୍ଶର କଥା କହୁଥିବା ମଣିଷ ଭିତରେ ରାବଣ ଯେ ଲୁଚିଥିଲା, ସେ କେବେ ବିଶ୍ୱାସ କରି ପାରେନି। ତଥାପି ସେ ଅପେକ୍ଷା କରିଥାଏ ସୁଶାନ୍ତର ଫେରିବା ବାଟକୁ। ଭଗବାନଙ୍କ ପାଖରେ ନେହୁରା ହୁଏ, ସୁଶାନ୍ତକୁ ପାଇବା ପାଇଁ। ବାରମ୍ବାର ସେ ଦେଖୁଥାଏ ସେ ରୁପା ପାଉଁଜିଟିକୁ, ତାର ପ୍ରଥମ ପ୍ରେମକୁ ଆଉ ତା ସହିତ ଅତୀତର ସୁନ୍ଦର ସ୍ମୃତି ସବୁକୁ। ସୁଶାନ୍ତିର ବିଶ୍ୱାସ, ଦିନେ ସେ ନିଶ୍ଚୟ ଫେରିବେ....
ମଣିଷର ସବୁ ଆଶା କଣ ପୂରଣ ହୁଏ? ସୁଶାନ୍ତ ଧୀରେ ଧୀରେ ଚାଲି ଯାଆନ୍ତି ମରୀଚିକାର ପାଣି ଭଳି ଦୂରକୁ ଦୂରକୁ। ଅନେକ ବର୍ଷ ପରେ ବଳାତ୍କାରୀଙ୍କ ଫାଶି ହୁଏ। ସବୁ ଆଡ଼େ ଉତ୍ସବ ମୁଖର। ଜୟ ଜୟକାରରେ ଗଗନ ପବନ ପ୍ରକମ୍ପିତ ହୁଏ। ସବୁଆଡେ ଖୁସିର ମାହୋଲ। ସବୁଠୁ ଆଗରେ ସୁଶାନ୍ତ ଛିଡା ହୋଇଥାନ୍ତି। ପାଖରେ ଥାଏ ଜଣେ ସୁନ୍ଦର ତରୁଣୀ। ମଥାରେ ସିନ୍ଦୁର। କଥାରେ କଥାରେ ଭିଡି ଧରୁଥାନ୍ତି ସୁଶାନ୍ତକୁ। ବୟସରେ ବି ବହୁତ ସାନ। କେତେ ମିଡିଆ ବାଲା କେତେ ଟିଭି ରିପୋଟରଙ୍କ ଭିଡ଼। ସମସ୍ତେ ଖୁସି ଜାହିର କରୁଥାନ୍ତି।
ସୁଶାନ୍ତି କିନ୍ତୁ ତା ରୁମଝୁମ ପାଉଁଜି ର ତାନକୁ ସ୍ମୃତି ରେ ଧରି, ଥାଏ, ଅସମ୍ଭବ ଭାବେ ନିରବ ଓ ନିଶ୍ଚଳ ....
ଭାଙ୍ଗିଯାଇଥିବା ସମ୍ପର୍କକୁ ଆଉଥରେ କଣ କେବେ ଯୋଡି ହୁଏ? ନା ଦୁନିଆରେ ବଳାତ୍କାରର ମୃତ୍ୟୁ ହୁଏ?