ଅଜଣା ସମ୍ପର୍କ
ଅଜଣା ସମ୍ପର୍କ
ମିତା ଟିକେ ରିଲାକ୍ସ ଥିଲା , କାହିଁକି ନା ଆଜି ତା' ଝିଅ ଅନିଶାର ସ୍କୁଲ ଛୁଟି ଥିଲା । ଅମିତ୍ ଖାଇକି ଅଫିସ୍ ଗଲେ , ତେଣୁ ସେ ଆସି ବେଡ଼ରେ ଟିକେ ଗଡିପଡିଲା । ଝିଅ କଣ୍ଢେଇ ଧରି ଖେଳିବାକୁ ଗଲା । ଟିକେ ଛାଇନିଦ ମାଡିଆସିଲା ବେଳକୁ ମୋବାଇଲଟା ରିଂ ହେଲା । ଝିଅ ଆସି ଫୋନ୍ ଟା ଧରାଇ ଚାଲିଗଲା । ଧେତ୍ ତେରିକା ,ଏ ମୋବାଇଲଟା ବି ତାକୁ ଟିକେ ଶାନ୍ତିରେ ବସେଇ ଉଠେଇଦେବନି । ସଉତୁଣୀ ଭଳି ତା'ପଛରେ ଲାଗିଥିବ । ଅଚିହ୍ନା ନମ୍ବରଟେ ଭଳି ଲାଗୁଛି । ତଥାପି ସେ ଫୋନ୍ ଧରିଲା ।
- ହାଲୋ ! କିଏ କହୁଛନ୍ତି?
- ହଁ,ମାଡାମ, ମୁଁ ରଞ୍ଜନ କହୁଛି ।
- ନାଁ.. ନାଁ , ରଂ ନମ୍ବର କହି ମିତା ଫୋନ୍ କାଟିଦେଲା ।
ପୁଣି ଥରେ ଫୋନ୍ ରିଂ ହେଲା,ସେଇ ଏକା ନମ୍ବର । ମିତା ରାଗ ଗରଗର ହୋଇ କହିଲା ,"ରଂ ନମ୍ବର କହିଲି ପରା , କାହିଁକି କରୁଛନ୍ତି?"
- ଶୁଣନ୍ତୁ ତ ମୋ କଥା , ଆପଣଙ୍କ ନାଁ 'ମିତାଲି ମହାପାତ୍ର'?-ହଁ, କ'ଣ ହେଲା?
- ମୁଁ ରଞ୍ଜନ କହୁଛି , ଆପଣଙ୍କ ଝିଅର ସାଙ୍ଗ ରଶ୍ମିତାର ମାମୁଁ । ସେଦିନ ସ୍କୁଲ ଫଙ୍କସନରେ ଦେଖାହୋଇଥିଲା । - ଆପଣ ମୋ ନମ୍ବର କେଉଁଠୁ ପାଇଲେ?- ଫଙ୍କସନ୍ ଦିନ ଆପଣ ମୋ ନାନୀକୁ ନମ୍ବର ଦେବାବେଳେ ମୁଁ ସେଭ୍ କରିଦେଇଥିଲି ।
ମିତାର କିଛି ମନେ ପଡୁନଥିଲା । ଟିକେ ଝାପସା ମନେ ପଡ଼ିଲା ଯେ ରଶ୍ମିତାର ମା' ତାଙ୍କ ଭାଇଙ୍କ ସାଙ୍ଗରେ ତାଙ୍କୁ ଚିହ୍ନା କରାଇଦେଇଥିଲେ ।
- ଆପଣଙ୍କ ଝିଅ ବହୁତ କ୍ୟୁଟ୍ ହୋଇଛି , ଠିକ୍ ଆପଣଙ୍କ ଭଳି ସୁନ୍ଦର ।
- ନାଁ... ନାଁ ମୁଁ ସୁନ୍ଦର ନୁହେଁ , ସେ ତା ପାପାଙ୍କ ଭଳି , ତା' ପାପା ବି ହ୍ୟାଣ୍ଡସମ ଦେଖିବାକୁ ।
- ମୋ ନାନୀ ଆପଣଙ୍କୁ ବହୁତ ପ୍ରଶଂସା କରେ । ଆପଣ ଘର କାମ ଓ ବାହାର କାମ ଖୁବ୍ ଭଲଭାବରେ ମ୍ୟାନେଜ କରନ୍ତି ବୋଲି ସେ କହୁଥିଲା , ବହୁତ ସିମ୍ପଲ ବି ଆପଣ ।
ମିତା କିଛି ନକହି ଫୋନ୍ କାଟିଦେଲା । କେହି ତା' ସୁନ୍ଦରତାକୁ ଏମିତି ବର୍ଣ୍ଣନା କରିବାକୁ ସେ ବୋଧେ ହଜମ କରିପାରୁନଥିଲା । ଗୁମ୍ ହୋଇ ଉପରକୁ ଅନାଇ ରହିଥିଲା । ମୁଣ୍ଡ ଉପରେ ସିଲିଂ ଫ୍ୟାନଟା ଘିରଘିର୍ ହୋଇ ବୁଲୁଥିଲେ ବି ତା କପାଳରେ ବୁନ୍ଦା ବୁନ୍ଦା ଝାଳ ହୋଇ ଯାଇଥିଲା । ଝିଅ ଆସି ଡାକିବାରୁ ସେ ଉଠିକି ଗଲା ତାକୁ ଖୋଇଦେବାକୁ । ଖାଇସାରି ଝିଅକୁ ଧରି ଶୋଇପଡ଼ିଲା ସେ । କଲିଂବେଲ୍ ଶବ୍ଦରେ ନିଦ ଭାଙ୍ଗିଗଲା ମିତାର । କାଞ୍ଚନ , ତା' ଘରେ ଯିଏ କାମ କରେ ଗ୍ରୀଲ୍ ବାହାରେ ଛିଡ଼ା ହୋଇଥିଲା । ତାକୁ ଗ୍ରୀଲ୍ ଫିଟାଇଦେଇ ସେ ଚାଲିଆସିଲା ଚା' ବସାଇବାକୁ । ମୁଣ୍ଡଟା ଭାରି ଭାରି ଲାଗୁଥିଲା । ଅଦା , ଗୋଲମରିଚ ମିଶା ଚା' ଟିକେ ପିଇଦେଲେ ଭଲ ଲାଗିବ ବୋଧେ । ଚା' ବସାଇ ଚାମଚରେ ଗୋଳାଉଛି ଫୋନ୍ ରିଂ ହେଲା । ଦେଖିଲା ,ଏଇଟା ଗୋଟେ ନୂଆ ନମ୍ବର । ଫୋନ୍ ରିସିଭ୍ କଲା , ପୁଣି ସେଇ ରଞ୍ଜନ ବାବୁଙ୍କ ସ୍ୱର ।
- କ'ଣ କରୁଛନ୍ତି?
- ଚା' ବସାଇଛି, ଯାଉଛି ପିଇବାକୁ ।
- ହଁ , ନାନୀ କହୁଥିଲା, ଆପଣ ଭଲ ଚା' କରନ୍ତି । ଝିଅକୁ ଧରି କେବେ ଆସନ୍ତୁ ନାନୀ ଘରକୁ , ସେଇ ପିଙ୍କ୍ ରଙ୍ଗର ଶାଢ଼ୀ ପିନ୍ଧିକି ଆସିବେ, ଫଙ୍କସନ୍ ଦିନ ଯେଉଁଟା ପିନ୍ଧିଥିଲେ । ସେଦିନ ଆପଣ ଖୁବ୍ ସୁନ୍ଦର ଓ ଚାର୍ମିଙ୍ଗ୍ ଦେଖା-ଯାଉଥିଲେ । କାଞ୍ଚନ ରୋଷେଇ ଘରେ ଥିବା ବେସିନ୍ ଠାରେଠିଆହୋଇ ବାସନ ମାଜୁଥିଲା । ସେ କେମିତି କେମିତି ଆଖିରେ ଅନାଉଥିଲା ମିତାକୁ , ଯାହାକି ତାକୁ ଶରବିଦ୍ଧ ହେଲାଭଳିଆ ଲାଗୁଥିଲା । ତେଣୁ ସେ ବେଶି କିଛି କଥାବାର୍ତ୍ତାନ କରି , 'ଆଛା ରହୁଛି' କହି ଫୋନ୍ କାଟିଦେଲା ।
ସନ୍ଧ୍ୟା ଦେଇସାରି ଝିଅକୁ ପାଠ ପଢ଼ାଇ ବସିଲା । ବହୁତ ଅନ୍ୟମନସ୍କ ଥିଲା ସେ , ତେଣୁ ଠିକ୍ ରେ ଝିଅକୁ ପାଠପଢ଼ାଇ ପାରୁନଥିଲା । ଭାବିଲା , ଅମିତ୍ ଙ୍କୁ ଆଜି ରାତିରେ ସବୁକଥା ଜଣାଇଦେବ । ଏମିତିରେ ଅଫିସ୍ ର ଟେନସନ୍ ଯୋଗୁଁ ସେ ଅମିତ୍ ଙ୍କୁ ଘର କଥା କିଛି ଜଣାଏନି । ଏ କଥା କହି ବୋଝ ଉପରେ ଲଳିତା ବିଡା ଭଳି ତାଙ୍କ ଉପରେ ଲଦିଦେବାକୁ ସେ ଚାହୁଁନଥିଲା ।
ଅଫିସ୍ ରୁ ଅମିତ୍ ଫେରିଲେ ରାତି ୧୦ଟାରେ । ଖାଇପିଇ ସାରି ବହିଖଣ୍ଡେ ଧରି ଶୋଇପଡ଼ିଲେ ସବୁଦିନ ଭଳି । ନିଜେ କ'ଣ ଟିକେ ଖାଇଦେଇ ଝିଅକୁ ଧରି ସେଶୋଇପଡ଼ିଲା । ରାତିସାରା ବେଡ଼ରେ ସେ ଖାଲି କଡ ଲେଉଟେଉଥିଲା । ନିଦ ଜମା ଲାଗୁ ନଥାଏ । ତେଣୁ ଭୋର ୫ଟାରୁ ବେଡ଼ରୁମରୁ ବାହାରି ଆସିଲା ।
ସେ ବହୁତ କ୍ଲାନ୍ତ ଅନୁଭବ କରୁଥିଲା । ଚେୟାର ପକାଇ ବାଲକୋନୀରେ ବସିପଡ଼ିଲା ଓ ବାହାରକୁ ଅନାଇ ରହିଲା । ବାହାରେ ଚଢେଇମାନେ କିଚିରିମିଚିରି ଶବ୍ଦ କରି ଥଣ୍ଡା ପବନର ମଜା ନେଉଥିଲେ । ରାସ୍ତାକଡ଼ରେଥିବା କୃଷ୍ଣଚୂଡ଼ା ଗଛ ଗଦା ଗଦା ଫୁଲରେ ଭର୍ତ୍ତି ହୋଇଥିଲା । ପ୍ରକୃତିର ଶୀତଳ ସ୍ପର୍ଶ ତା'ର ସବୁ କ୍ଲାନ୍ତିକୁ ଦୂର କରିଦେଲା । ରାସ୍ତାରେ ଯିଏ ଯାଉଥିଲେ କୃଷ୍ଣଚୂଡ଼ା ଗଛକୁ ଘଡ଼ିଏ ଅନାଇରହୁଥିଲେ । ସତରେ ସୃଷ୍ଟି କର୍ତ୍ତା ଏ ସୃଷ୍ଟିକୁ କେତେ ସୁନ୍ଦର କରି ଗଢ଼ିଛନ୍ତି ! ସୁନ୍ଦର ଜିନିଷ ଦେଖିବାର ଅଧିକାର ତ ସମସ୍ତଙ୍କର ଅଛି । ସେଥିପାଇଁ କବିବର ରାଧାନାଥ ରାୟଲେଖିଛନ୍ତି:
" ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ।"
ତେବେ ରଞ୍ଜନ ଉପରେ ସେ କାହିଁକି ଅଯଥାରେ ଚିଡୁଛି ? ତାକୁ ତ ବୁଝାଇପାରିବ ସେ ! ଏତିକିବେଳେ ଝିଅ ଆସି ତା ଭାବନାରେ ପୂର୍ଣ୍ଣଛେଦ ପକାଇଲା । ଦାନ୍ତ ବ୍ରସ୍ କରିବାକୁ ଡାକୁଥିଲା । ଦାନ୍ତ ବ୍ରସ୍ କରାଇବା ସହ ନିଜେ ତାନିତ୍ୟକର୍ମ ସାରିଦେଲା । ଅମିତ୍ ଉଠିଲେ ଚା' ପିଇବେ ଓ ତା'ପରେ ରୋଷେଇ ୯ଟା ସୁଧା ଶେଷ କରିବାକୁ ପଡ଼ିବ । ଅମିତ୍ ଅଫିସ୍ ଗଲା ପରେ ଝିଅକୁ ସେ ସ୍କୁଲରେ ଛାଡ଼ିଦେଇଆସିଲା । ସବୁଦିନ ଭଳି କାମଦାମ ସାରି ବେଡ଼ରେ ଶୋଇ ପଡ଼ିଲା । ଗ୍ରୀଲ୍ ଖଡ଼ ଖଡ଼ରେ ମିତାର ନିଦ ଭାଙ୍ଗିଗଲା । ଦେଖିଲା ଝିଅ ଆସି ଗ୍ରୀଲ୍ ଖଡ଼ ଖଡ଼ କରୁଛି । ରାତିସାରା ଭଲରେ ଶୋଇ ନ ଥିବାରୁ ଗହଳିଆ ନିଦ ହୋଇ ଯାଇଥିଲା । ମିତା ଗ୍ରୀଲ ଖୋଲୁ ଖୋଲୁ ଝିଅର କମପ୍ଲେନ୍ ,"ମାମା, ତମେ ଆଜି ମୋତେ କାହିଁକି ଆଣିବାକୁ ଗଲନି? ମୁଁ ଆଜି ସୁମନ ଆଣ୍ଟିଙ୍କ ସାଙ୍ଗରେ ଆସିଲି । " ସୁମନ , ମିତା ଘର ଗଳିରେ ରହନ୍ତି । ତାଙ୍କ ପୁଅକୁ ଆଣିବାକୁ ଗଲାବେଳେ ତା' ଝିଅକୁ ନେଇ ଆସନ୍ତି । ଝିଅର କାମ ସରୁ ସରୁ ୬ଟା ବାଜିଗଲା ।
ମିତା ସନ୍ଧ୍ୟା ଦେଇସାରି ଝିଅକୁ ପଢ଼ାଇବାକୁଯାଉଛି ଫୋନ୍ ରିଂ ହେଲା । ଫୋନ୍ ରଞ୍ଜନର ଦେଖି ଧରିବ ନ ଧରିବ ହୋଇ ଶେଷରେ ଧରିଲା । ଯଦି ରଶ୍ମିତାର ମାମୁଁ ହୋଇ ନ ଥାନ୍ତା , ସେ କେବେଠାରୁ ନମ୍ବରଟାକୁ ବ୍ଲକ୍ କରିସାରନ୍ତାଣି ।
- ଝିଅକୁ ପଢ଼ାଉଛନ୍ତି ବୋଧେ?
- କେମିତି ଜାଣିଲେ?
- ହଁ, ନାନୀଠୁ ଯାହା ଇନଫରମେସନ୍ ପାଇଛି ସେଥିରୁ ଅନୁମାନ କରି କହୁଛି ।
- ଆଛା ରଞ୍ଜନ ବାବୁ ! ଆପଣ ମ୍ୟାରେଜ୍ କରିନାହାନ୍ତି?
- ନା , କରିନି ।
-ବୟସ କେତେ ହେଲାଣି ଆପଣଙ୍କୁ?- ମୋତେ ? ହଁ ,୩୦ ହେଲା ।
- ମୋତେ ଆସି ୩୮ ବର୍ଷ ହେଲାଣି । ମୁଁ ଆପଣଙ୍କଠୁ କେତେବଡ଼ ଜାଣିପାରୁଛନ୍ତି ତ?
- ବନ୍ଧୁ ହେବାରେ ବୟସ ବଡ଼ , ସାନର ତାରତମ୍ୟ କେଉଁଠୁଆସିଲା ?
-ନାଇଁ , ଛାଡ଼ନ୍ତୁ ସେ କଥା , କହିଲେ ଆପଣ କାହିଁକି ମ୍ୟାରେଜ କରିନାହାନ୍ତି ?
- ସେମିତି ଝିଅ ମିଳିନାହାନ୍ତି , ଠିକ୍ ଆପଣଙ୍କ ଭଳି । ଆପଣଙ୍କ ସମ୍ଭ୍ରମତା , ସରଳତା ପାଇଁ ମୁଁ ଆପଣଙ୍କୁ ଫୋନ୍କରେ । କେମିତି କେଜାଣି ବହୁତ ଶାନ୍ତି ଲାଗେ ମୋତେ ।
- ଆଛା , ଆପଣଙ୍କ ପାଇଁ ବହୁତ ଭଲ ଓ ସୁନ୍ଦର ଝିଅଟେ ଖୋଜିଦେବା ।
ଏତିକିବେଳେ ଝିଅ ପଚାରିଲା ,"ମାମା କିଏ?"ମିତା କହିଲା, "ରଶ୍ମିତାର ମାମୁଁ । " ଝିଅର ପ୍ରଶ୍ନିଳ ଆଖିକୁଦେଖି ସେ ଫୋନ୍ କାଟିଦେଲା । ତାକୁ ବି କିଛି ଭଲ ଲାଗୁନଥିଲା । ସେ କିପରି ଭଲରେ ଭଲରେ ସବୁ ସମାଧାନହେଇଯାଉ ବୋଲି ଭାବୁଥିଲା । ବୁଢୀଆଣୀ ଜାଲରେ ସେ ଛନ୍ଦିହୋଇଯିବା ଭଳି ଲାଗୁଥିଲା । ତା' ପିଲା ଦିନରୁ ସେ ବାପାଙ୍କ ଠାରୁ ରାମାୟଣର ପ୍ରତ୍ୟେକ ଚରିତ୍ର ଉପରେ ଶୁଣିଥିଲା । ବିଶେଷ କରି ସୀତାଙ୍କ ଚରିତ୍ର ଉପରେ ବାପା ବହୁତ ଶୁଣାଉଥିଲେ ।
ରାତିରେ ଅମିତ୍ ଓ ଝିଅ ଶୋଇବା ପରେ ମିତାଭାବୁଥିଲା କିପରି ଏହାର ଗୋଟେ ସ୍ଥାୟୀ ସମାଧାନ କରି- ପାରିବ । ହଠାତ୍ ତା'ର ସୁମନର ନଣନ୍ଦ କଥା ମନେପଡିଲା । ସୁମନ ତା ନଣନ୍ଦ ପାଇଁ ପ୍ରସ୍ତାବ ଖୋଜୁଥିଲା । ଏକା ଜାତି ବି ଦୁଇ ଘରଯାକ । କେମିତି ସକାଳ ହେବ ଭାବି ଭାବି ଶୋଇ ପଡିଲା ।
ତା'ପରଦିନ ଅମିତ୍ ଓ ଝିଅ ଯିବାପରେ ସୁମନ ଘରକୁ ଫୋନ୍ କଲା ଓ ରଞ୍ଜନର ପ୍ରସ୍ତାବ ତା' ନଣନ୍ଦ ପାଇଁ ପକାଇଲା । ସୁମନ ରାଜି ହୋଇଗଲା । ପୁଣି ଫୋନ୍ କରି ରଞ୍ଜନର ଭଉଣୀକୁ ଏ ପ୍ରସ୍ତାବ ବିଷୟରେ କହିଲା । ସେ ତା' ପରଦିନ ସୁମନ ଘରକୁ ଆସିବେ ବୋଲି କହିଲା ।
ତା'ପରଦିନ ରଞ୍ଜନ ତା'ଭଉଣୀ , ଭିଣୋଇଙ୍କ ସଙ୍ଗେ ସୁମନର ନଣନ୍ଦ ପ୍ରେରଣାକୁ ଦେଖିବାକୁ ଆସିଲା । ରଞ୍ଜନ ମନ୍ତ୍ରମୁଗ୍ଧ ହୋଇଗଲା ପ୍ରେରଣାକୁ ଦେଖି । ମୁଦି ପିନ୍ଧାଇବାହାଘର ତାରିଖ ଓ ଦିନ ବି ଧାର୍ଯ୍ୟ କରିଦେଲେ । ରଞ୍ଜନର ବାପା , ମା' ନ ଥିବାରୁ ତା' ଭିଣୋଇ ବାହାଘର ଆୟୋଜନ ରେ ଲାଗିପଡିଲେ । ବାହାଘର ଭଲରେ ଭଲରେ ହୋଇଗଲା ।
ରଞ୍ଜନର ରିସେପସନକୁ ସୁମନ ଘର ତରଫରୁ ଅମିତ୍ ଓ ଝିଅ ସହ ମିତା ଯାଇଥିଲା । ଦୁହିଁଙ୍କ ଯୋଡ଼ି ଖୁବ୍ସୁନ୍ଦର ଦେଖାଯାଉଥିଲା । ମିତା ମନେ ମନେ ଭଗବାନ୍ ଙ୍କୁଧନ୍ୟବାଦ ଦେଉଥିଲା ।
ତା ପରଦିନ, ସକାଳ ୧୧ଟାରେ ରଞ୍ଜନରଫୋନ୍ ନମ୍ବର ଦେଖି ମିତାର ଟେନସନ୍ ହୋଇଗଲା । ଯା' ହେଉ ଫୋନ୍ ଧରିଲା । ରଞ୍ଜନ କହୁଥିଲା ,"ଆପଣଙ୍କୁ ମୁଁ ସାରା ଜୀବନ ଭୁଲିପାରିବିନି । ଆପଣ ମୋ ହୃଦୟ ଭିତରେ ସବୁଦିନ ପାଇଁ ଦେବୀ ହୋଇ ରହିବେ । " ମିତା ଜୋରରେ ହସି ହସି 'ଥ୍ୟାଙ୍କ ୟୁ' କହି ଫୋନ୍ କାଟିଦେଲା ।