ଅଦିତି ଆଉ ବର୍ଷା
ଅଦିତି ଆଉ ବର୍ଷା
ଏଇ ଏବେ ଏବେ ଘଡ ଘଡ଼ି ଗର୍ଜି ଉଠି ବିଜୁଳି ଚମକେଇ ଦେଇ ଅସରାଏ ବର୍ଷା ବର୍ଷିଗଲା । ମୁଁ ତିନ୍ତିନଥିଲି କାରଣ ମୁଁ ଘର ଭିତରେ ଥିଲି କିନ୍ତୁ ମୋ ମନ ପୁରା ପୁରି ଭାବରେ ଭିଜି ସାରିଥିଲା ।
ହଁ ମୋ ମନ ଭିଜେ ପ୍ରତ୍ୟେକ ବର୍ଷାରେ । ଅଦିତିର ମିଠା ସ୍ମୃତି ସହ । ଅଦିତି ମୋ କଲେଜ ବାନ୍ଧବୀ ଖୁବ୍ ସୁନ୍ଦରୀ ଆଉ ହସକୁରି ଝିଅଟିଏ ଅଦିତି । ଆମ ସଂପର୍କ କେବଳ ବନ୍ଧୁତା ଥିଲା ନା ତାହା ପ୍ରେମ ଆଡ଼କୁ ଧିରେ ଧିରେ ଗତି କରି ଥିଲା ତାହା ଆମ ଦୁଇ ଜଣଙ୍କ ଭିତରୁ କେହି ବି ଜାଣି ନଥିଲୁ । ବାସ୍ ଥିଲା ଗୋଟେ ମିଠା ସଂପର୍କ ଆମର ଦେହଜ ସୁଖରୁ ବହୁତ ଉର୍ଦ୍ଧ୍ୱରେ ଆମ ସଂପର୍କ ଥିଲା । ସେ ଭଲ ପାଉଥିଲା ମୋତେ ମୁଁ ଭଲ ପାଇଥିଲି ତାକୁ ବିନା ସ୍ୱାର୍ଥରେ ।
ଅଦିତିର ବହୁତ ଭଲ ଗୁଣ ଭିତରେ ଗୋଟିଏ ବଦଗୁଣ ଥିଲା ତାହା ହେଉଛି ସେ ବର୍ଷାରେ ଭିଜିବାକୁ ପସନ୍ଦ କରୁଥିଲା । ଜ୍ୱର ଥଣ୍ଡାକୁ ଖାତିର ନକରି ସେ ଭିଜୁଥିଲା ଆଉ ଭିଜୁଥିଲା । ଆକାଶରେ ମେଘ ଦେଖିଲେ ସେ ମୟୁରୀ ପରି ଝୁମି ଯାଉଥିଲା ନାଚି ଯାଉଥିଲା । ଦିନେ କଲେଜ ବାଟରେ ଆମେ ଦୁହେଁ ଆସୁ ଆସୁ ବର୍ଷା ଛେଚିଲା ଯେ ଛେଚିଲା । ବସ୍ ସେତେବେଳେ ଆସିନଥାଏ ଆଉ ଏ ଅଦିନିଆ ବର୍ଷା ପାଇଁ ଛତା କି ବର୍ଷାତି ପାଖରେ ବି ନଥାଏ । ବର୍ଷା ଆସିଲା କ୍ଷଣି ମୁଁ ପାଖରେ ଥିବା ଗୋଟେ ରେଷ୍ଟ୍ ସେଡ୍ ତଳକୁ ପଳେଇଲି କିନ୍ତୁ ଅଦିତି ମଝି ରାସ୍ତାକୁ ଯାଇ ଦୁଇ ହାତ ମେଲି ଖୋଲା ଆକାଶକୁ ଚାହିଁ ଘେରାଏ ବୁଲି ଆସିଲା । ମୁଁ ବାରଣ କରି ପନ୍ଦର ମିନିଟ୍ କାଳ ଗଜର ଗଜର ହେବା ପରେ ଯାଇ ସେ ମୋ ପାଖକୁ ଆସିଲା ତା ପରେ ମୁହଁ ଟାକୁ ହେଙ୍ଗୁ ଶୁଙ୍ଘିଲା ପରି କରି ଦେଇ କହିଲା, କେତେ ବଢିଆ ବର୍ଷା ହେଉଥିଲା ବଢିଆ ମଜା ଲାଗୁଥିଲା ହେଲେ ତୁ ସବୁ ବେକାର କରିଦେଲୁ ।
ଆଉ ଦିନେ ଶୁଣୁ ଶୁଣୁ ଥଣ୍ଡା ଜରରେ ପଡ଼ିଛି । କଲେଜରୁ ସିଧା ଫେରି ଗଲି ତା ପାଖକୁ । ଦେଖିକି ହସି ଦେଲା ଆଉ କହିଲା, ଚୁ.... ବେକାର୍ ଜରଟା କୋଉଠି ଥିଲା କେଜାଣି ଏ ବଢିଆ ବର୍ଷାକୁ ମିସ୍ କରିବାକୁ ପଡୁଛି ଏଠି ଶୋଇ ଶୋଇ ।
ମୁଁ ତାକୁ ଅଧିକ କିଛି କହିଲିନି ଖାଲି ଏତିକି କହିଲି, ତୁ ସତରେ ଜମା ସୁଧୁରିବୁନି ।
କଲେଜ ପରେ ତା ଖବର ମୁଁ ରଖିନଥିଲି ସେ ବି ମୋ ଖବର ରଖିନଥିବ ଅବଶ୍ୟ ଭାବୁଥିଲି । ହେଲେ କୋଉଠୁ କେଜାଣି ମୋ ନମ୍ବର ପାଇ ମୋତେ ଫୋନ୍ କରିଥିଲା, ମୋ ସହ ଅଧ ଘଣ୍ଟେ କାଳ ନଖରା ଦେଖେଇ ଖେଳିଲା ପରେ ଯାଇ ମୋତେ ତା ପରିଚୟ ଦେଲା । ଢେର୍ ସମୟ କଥା ହେଲୁ ପୁରୁଣା ସ୍ମୃତିକୁ ଘାଣ୍ଟି ଚକଟି ଆଲୋଚନା କଲୁ, ଏବେ ସେ ବହୁତ ଖୁସିରେ ଅଛି । ସେ ଲଭ୍ ମ୍ୟାରେଜ କରିଛି ଗୋଟେ ହିନ୍ଦି ପିଲାକୁ, ତା ହବି ସଞ୍ଜୟ ପାଟଯୋଶୀ ସାଉଦିରେ ଚାକିରୀ କରୁଛି ଭଲ ମୋଟା ଦରମା କମଉଛି । ଘରେ ଶାଶୁ ଶଶୁର ଆଉ ତାର ଦୁଇ ବର୍ଷର ଝିଅ ଟିଏ । କଥା ପଡୁ ପଡୁ ପଚାରି ଦେଲି, ଆଉ ବର୍ଷାରେ ଭିଜିବା ଅଭ୍ୟାସ ଅଦିତିର ଅଛି ନା ଛାଡିଲାଣି ?
ଅଦିତି ଟିକେ ହସିଲା ଆଉ କହିଲା, କୁହନି କୁହନି ସେଥିପାଇଁ ପା ସବୁ ବର୍ଷାରେ ମାଆଙ୍କଠୁଁ ଗାଳି ଶୁଣିବାଟା ଥୟ ।
ମୁଁ ମନେ ମନେ କହୁଥାଏ, ସତରେ ଅଦିତି ତୁ ଜମା ବଦଳିନୁ ଯେମିତି ଥିଲୁ ସେମିତି ହିଁ ଅଛୁ ।

