ଅଢେଇ ଅକ୍ଷର ପ୍ରେମ
ଅଢେଇ ଅକ୍ଷର ପ୍ରେମ


ଦିନେ ଅପରାହ୍ନରେ ମୁଁ ବାଡିରେ କେଉଁଦିନୁ ପଡିରହିଥିବା ଚାକୁଣ୍ଡା ଗଛର ଗଣ୍ଡିଟା ଉପରେ ମନଦୁଃଖରେ ବସିଥିବାବେଳେ ମୋର ବାଲ୍ୟ ସାଥୀ ରେବ ପଛପଟୁ ଆସି ମୋ’ ପିଠିକୁ ଟିକେ ଛୁଇଁଦେଇ କହିଲା-
-କ’ଣ ଭାବୁଛ ? ଅନ୍ୟମନସ୍କ ଥିଲାପରି ଲାଗୁଛ ?
-ତୁ ତ ଦେଖୁଛୁ, ବୋଉବାପାଙ୍କ ଦେହପା ଆଜିକାଲି ଆଉ ଭଲ ରହୁନି । ପୁଣି ସବୁଦିନେ ଚାଉଳ ପରିବା କିଣା ସାଙ୍ଗକୁ ଔଷଧପତ୍ରରେ ସବୁ ପଇସା ଯାଉଛି । ଆଉ କିଛି ବଳୁନି । ଏ ନିଅଣ୍ଟିଆ ଦୁନିଆରେ କେମିତି ଚଳିବି କିଛି ଭାବି ପାରୁନି ।
-କାହିଁକି ଅଧର୍ଯ୍ୟ ହେଉଛ ? ଧିରେ ଧିରେ ସବୁ ଠିକ୍ ହେଇଯିବ ।
****
ସକାଳୁ ସକାଳୁ ରେବ ତାଳବଣ ପୋଖରୀକୁ ଗାଧୋଇବାକୁ ଯାଉଥିବା ସମୟରେ ପଛପଟୁ ମୁଁ ଆସି ଖୁସିରେ ତା’ ହାତକୁ ଧରିନେଇ ହସି ହସି କହିଲି –
-ଜାଣିଛୁ ଗୋଟେ କଥା ?
-କ’ଣ ?
-ମଲା, ଗାଁଟା ସାରା ଲୋକେ ଜାଣିସାରିଲେଣି , ଅଥଚ ତୁ ଏଯାଏ ଜାଣିନୁ ?
-କେଉଁ କଥା ବା ?
-ଆମ ବାହାଘର କଥା । ଆସନ୍ତା ମାସରେ ହେବ ବୋଲି ତୁମ ବାପା ପରା କାଲି ସଂଧ୍ୟାରେ ଆମ ଘରକୁ ଆସି ମୋ ବାପାଙ୍କ ସହ କଥା ହୋଇ ଯାଇଛନ୍ତି । ଯାହାହେଉ ଏତେ ଦିନ ପରେ ଆମ ପ୍ରେମ ସତ ହେବାକୁ ଯାଉଛି ।
ମୋ ମୁହଁରୁ ଏକଥା ଶୁଣି ରେବ ଲାଜରେ ମୁହଁ ତଳକୁ କରି ଗୋଡର ବୁଢାଆଙ୍ଗୁଠିରେ ମାଟିରେ ଗାର ଟାଣୁ ଟାଣୁ ହସି ହସି କହିଲା – ତମେ ନିହାତି ବୁଦ୍ଦୁ । ଏତିକି ବୁଝିପାରିଲନି ? ମୁଁ କାଲି ବାପାଙ୍କୁ ତୁମ ଘରକୁ ପଠେଇଥିଲି ବୋଲି ?
***
ଯେନତେନ ପ୍ରକାରେ ମୋ ସହ ରେବର ବାହାଘର ସଂପନ୍ନ ହେଲା । ଚତୁର୍ଥୀ ରାତିରେ ମୁଁ କେତେବେଳୁ ଖଟକୁ ଆଉଜି ମୁହଁକୁ ଶୁଖେଇ ବସିଥିବାର ଦେଖି ରେବ ପାଣି ଢାଳେ ହାତରେ ଧରି, କବାଟ ବନ୍ଦକରି, ପାଖକୁ ଟିକେ ଲାଗିଯାଇ ପଣତକାନୀରେ ମୋ ଦେହରୁ ଝାଳ ପୋଛୁ ପୋଛୁ କହିଲା-
-କ’ଣ ହେଇଛି, ମୋତେ କହିବନି ?
-ଦୁଃଖ ଭିତରେ କେମିତି ବଞ୍ଚିବା ଭାବୁଥିଲି ।
-ଶୁଣ । ଦୁଃଖରେ ବଞ୍ଚିବାରେ ଯେଉଁ ଆନନ୍ଦ ଟିକକ ଅଛି, ତାହା ସୁଖରେ ଥିଲାବେଳେ ମିଳେନି । ତମେ ମନଉଣା କରନି । ମୁଁ ତୁମ ସାଥୀରେ ଅଛି । ଧର୍ଯ୍ୟ ଧରି ପରିସ୍ଥିତିକୁ ସାମ୍ନା କଲେ ବିପଦ ଆପେ ଆପେ ଟଳିଯାଏ, ବୁଝିଲ?