STORYMIRROR

Kalyani Nanda

Romance

1.3  

Kalyani Nanda

Romance

ଅବ୍ୟକ୍ତ ପ୍ରେମ

ଅବ୍ୟକ୍ତ ପ୍ରେମ

4 mins
186



ସକାଲ ସୂରୁଜର କଅଁଳ କିରଣ ସ୍ପର୍ଶରେ ଗଛ, ପତ୍ର, ଫୁଲ ସବୁ ଯେମିତି ନବ ଜୀବନ ପାଇ ସତେଜ ଦେଖା ଯାଉଥାଏ । ଫଗୁଣର ଧିର ପବନ ମନ, ପ୍ରାଣକୁ ଆମୋଦିତ କରୁଥାଏ । ମୁଁ ମନ୍ଦିର ସିଢି ଚଢୁ ଚଢୁ ହଠାତ୍ ଅଟକି ଗଲି । କାହାକୁ ଦେଖୁଛି ମୁଁ ! ! ଦୀପିକା ? ? ହଁ ତ, ଇଏ ତ ଦୀପିକା । ମୋ ଦୀପିକା । ହଠାତ୍ ପ୍ରକୃତିସ୍ଥ ହେଲି । ଇଏ କଣ ଭାବୁଛି ମୁଁ ?ସତରେ କଣ ଦୀପିକା ମୋର ? ସେ ତ ଆଉ କାହାର ହୋଇ ସାରିଛି । ମୋର କେମିତି ହେବ ? ପୁଣିଥରେ ଚାହିଁଲି ଦୀପିକା ର ସେଇ ସୁନ୍ଦର, ଗୋରା, ଶାନ୍ତ ଚେହେରାକୁ । ମଥାରେ ତା ନାଲି ସିନ୍ଦୁର ଟୋପା ତା ସୌନ୍ଦର୍ଯ୍ଯ କୁ ଆହୁରି ବଢାଇ ଦେଉଥାଏ । ସତରେ ଦୀପିକା ଏ ଭିତରେ ଆହୁରି ସୁନ୍ଦର ହେଇ ଯାଇଛି । ଭିଜା ଭିଜା ଲମ୍ବା ଗହଳ କେଶ ତା କମର ଯାଏ ଛୁଉଁ ଥାଏ ।ମନ୍ଦିର ସିଢି ରୁ ଓହ୍ଲାଇ ଆସୁଥାଏ ଦୀପିକା । ହାତରେ ପୂଜା ଥାଳୀ , ଦେହ ରେ ନାଲି ଧାଡିର ମଠା ଶାଢୀ । ଶାନ୍ତ, କମନୀୟ,ସ୍ନିଗ୍ଧ ତପ ଚାରିଣୀ ଟିଏ ଯେମିତି । ମୁଁ ଯେମିତି ତାକୁ ଦେଖି ହତବାକ୍ ହୋଇ ଯାଇଥିଲି । ଦୀପିକା କିନ୍ତୁ ମୋତେ ଦେଖି ନେଇଥିଲା । ମୋ ପାଖକୁ ଆସି ପଚାରିଲା, " ଆରେ ସୋମେଶ ତୁମେ ଏଠି ? କେବେ ଆସିଲ ?"ହଠାତ୍ ଚମକି ପଡି ମୁଁ ଚାହିଁ ଦେଖିଲି ଦୀପିକା କୁ । ଅଳ୍ପ ହସି କହିଲି, " ହଁ କିଛି ଦିନ ଛୁଟି ନେଇ ଆସିଛି ଘରକୁ । ଏବେ ଏଠି ଭୂବନେଶ୍ୱର ରେ ସାନଭାଇ ଫ୍ଲାଟ ନେଇ ରହୁଛି । ବାବା, ମା ବି ତା ପାଖରେ ଅଛନ୍ତି ।" ଦୀପିକା ପୁଣି ପଚାରିଲା, "ଏବେ କଣ କରୁଛ ?" " ବମ୍ବେ ରେ ଗୋଟିଏ ପ୍ରାଇଭେଟ କମ୍ପାନୀରେ ଜବ କରୁଛି ।" ମୁଁ କହିଲି । "ଆଉ ତୁ ଏଠି ? ତୋ ବାହାଘର ହେବା ଖବର ଜାଣିଥିଲି । କେମିତି ଅଛୁ ?"ମୁଁ ପଚାରିବାରୁ ଦୀପିକା କହିଲା ଯେ ସେ ବି ଭୁବନେଶ୍ଵର ରେ ରୁହେ । ତା ସ୍ବାମୀ ବିଜନେସ୍ କରନ୍ତି । ତା ଭୋଗ ଥାଳିରୁ ଭୋଗ ଦେଲା ମୋତେ । ଏତିକି ବେଳେ ଦୀପିକା ର ଡ୍ରାଇଭର୍ ଆସି ତାକୁ ଯିବାକୁ କହୁଥାଏ। ଦୀପିକା ସହିତ ଆଉ କିଛି ସମୟ କଥା ହେବାକୁ ମୋର ଇଚ୍ଛା ଥାଏ। ବହୁତ କିଛି ପଚାରିବାକୁ , ଜାଣିବାକୁ ଇଚ୍ଛା ହେଉଥାଏ । କିନ୍ତୁ...? ନା ଥାଉ । ସେ ଏବେ ଆଉ କାହାର ଘରଣୀ । ଇଏ ତ ଆଉ ମୋ ଦୀପିକା ନୁହଁ । ମୋ ପ୍ରଥମ ପ୍ରେମ । କେବେ ଦିନେ ମୁଁ ତାକୁ ଭଲ ପାଇ ବସିଥିଲି କିନ୍ତୁ କେବେ ମୋ ପ୍ରେମ କୁ ତା ଆଗରେ ପ୍ରକାଶ କରି ପାରି ନ ଥିଲି । ସେ ବା କାହୁଁ ଜାଣିବ, ସେ ହିଁ ମୋ ପ୍ରେୟସୀ, ମୋ ମନରେ ପ୍ରଥମ ପ୍ରେମ ର ରଂଗ ସେ ହିଁ ବୋଳି ଦେଇଥିଲା । ସେ ତ ମୋତେ କେବଳ ସ୍କୁଲ ସାଂଗ ଭାବରେ ହିଁ ଜାଣିଥିଲା । ଗାଁ ସ୍କୁଲରେ ଆମେ ଦୁହେଁ ସାଂଗ ହୋ

ଇ ଗୋଟିଏ ଶ୍ରେଣୀ ରେ ପଢୁଥିଲୁ । ଯୌବନ ର ପ୍ରଥମ ସୋପାନରେ ସେ ଓ ମୁଁ କେବଳ ବନ୍ଧୁ ଥିଲୁ । ଦୀପିକା ଦେଖିବାକୁ ଖୁବ୍ ସୁନ୍ଦର ଥିଲା । କିନ୍ତୁ ଖୁବ୍ ଶାନ୍ତ ଓ ତା ବ୍ଯବହାର ବି ମାର୍ଜିତ ଥିଲା । ମୁଁ ବି ବେଶ ଚୁପ ଚାପ ସ୍ବଭାବର ଥିଲି । ପଢା ପଢି ରେ ଶ୍ରେଣୀରେ ମୁଁ ଆଗୁଆ ଥିଲି ।ଦୀପିକା ପଢାପଢିରେ ବେଶି ଭଲ ନ ହେଲେ ବି ଖରାପ ବି ନ ଥିଲା । ପଢା ପଢି ରେ ମୁଁ ତାକୁ ସାହାଯ୍ଯ କରୁଥିଲି । ଆମ ଦୁହିଁଙ୍କର ଭିତରେ ଭଲ ବନ୍ଧୁତା ଥିଲା କିନ୍ତୁ କେବେ ମୋ ମନ ଭିତରେ ତା ପ୍ରତି ଅନୁରାଗ ସୃଷ୍ଟି ହେଲା ମୁଁ ନିଜେ ବି ବୁଝିପାରି ନଥିଲି । ଯୌବନର ପ୍ରଥମ ଅନୁଭୂତି, ଏକ ନୂତନ ଆକର୍ଷଣ । ଦୀପିକା କୁ ଦିନେ ନ ଦେଖିଲେ ମୋତେ ଭଲ ଲାଗେନି । ଭାରି ଆନମନା ହେଇଯାଏ ମୁଁ ଦିନ ତମାମ। ଦୀପିକା କୁ ଦେଖିବା କ୍ଷଣି ମୋ ହୃଦୟ ର ସ୍ପନ୍ଦନ ବଢିଯାଏ । ମୁଁ ସ୍ବପ୍ନ ଦେଖେ । ମୋ ଚାରି ପାଖେ ଯେମିତି ଫୁଲ ସବୁ ମହ ମହ ହୋଇ ବାସେ । ଫଗୁଣର ର ରଂଗ ମୋ ଦେହ, ମନ କୁ ଯେମିତି ରଂଗେଇ ଦିଏ । ଦୀପିକା କିନ୍ତୁ କିଛି ଜାଣି ପାରେନା । ଦୀପିକା ହୁଏତ ମୋତେ ପସନ୍ଦ କରେ କିନ୍ତୁ ପ୍ରେମ ...? ନା ତା ମନକୁ ବୋଧେ ପ୍ରେମ ଛୁଇଁ ନ ଥିଲା । ପ୍ରେମ କଣ ସେ ବୁଝିବା ଆଗରୁ ମୁଁ ତା ଠୁ ଦୂରେଇ ଯାଇଥିଲି । ଉଚ୍ଚ ଶିକ୍ଷା ପାଇଁ ଗାଁ ଛାଡି ଦୂରକୁ ଚାଲି ଯାଇଥିଲି । ମୋ ପ୍ରେମ ର ପରିଭାଷା ମୋ ଠି ସୀମିତ ହୋଇ ରହିଗଲା । ଦୀପିକା ପ୍ରତି ମୋ ଅକୁହା ପ୍ରେମ ଅକୁହା ହୋଇ ରହିଗଲା । ଦୀପିକା ର ବାହାଘର ହେଇଗଲା । ସେ ତା ସଂସାରରେ ବ୍ଯସ୍ତ । ସୁଖୀ ବି ହୋଇଛି । ମୁଁ କିନ୍ତୁ ତାକୁ ଭୁଲି ପାରି ନ ଥିଲି । ମୋ ତା ପ୍ରତି ଭଲ ପାଇବା, ପ୍ରେମ ଏବେ ବି ଅଛି । ଯଦିଓ ବିବାହିତା ଦୀପିକା କୁ ଦେଖି ମୁଁ ହତବାକ ହୋଇ ଯାଇଥିଲି । ମୋ ଅନ୍ତରର କେଉଁ କୋଣରେ ଏକ ଅବ୍ୟକ୍ତ ଯନ୍ତ୍ରଣା ହାହାକାର କରି ଉଠିଥିଲା । ମୋ ପ୍ରଥମ ପ୍ରେମର ଗାଢ ରଂଗ ଧିରେ ଧିରେ ଫିକା ପଡି ଯାଉଥାଏ । କିନ୍ତୁ ଦୀପିକା ର ଆନନ୍ଦ ରେ ଝଲମଲ କରୁଥିବା ମୁହଁକୁ ଦେଖି ମୁଁ ଜାଣି ପାରୁଥିଲି ଯେ ସେ ବହୁତ ଖୁସିରେ ଅଛି । ସେଇ ତକ ମୋ ପାଇଁ ଶାନ୍ତ୍ୱନା ଥିଲା । ତା ମନରେ ମୁଁ ମୋ ପ୍ରେମର ରଂଗ ସିନା ବୋଳି ଦେଇ ପାରିଲିନି କିନ୍ତୁ ଆଉ କାହା ପ୍ରେମର ପବିତ୍ର, ଶୁଦ୍ଧ , ଖୁସିର ରଂଗରେ ସେ ଯେ ଦୀପ୍ତିମୟୀ ହୋଇ ଉଠିଛି, ସେତକ ମୋ ପ୍ରଥମ ପ୍ରେମର ରୂପକୁ ଆହୁରି ସୁନ୍ଦର କରି ତୋଳୁଥାଏ। ତା ଖୁସିରେ ମୁଁ ବି ଆନନ୍ଦ ଅନୁଭବ କରୁଥାଏ । ମୋ ହୃଦୟର କେଉଁ ଏକ ଅନ୍ଧାର କୋଣରେ ତା ପ୍ରତି ମୋ ପ୍ରଥମ ପ୍ରେମ ର ଆଲୁଅ ଯେମିତି ଦିକ୍ ଦିକ୍ କରି ଜଳୁଥାଏ ।



Rate this content
Log in

Similar oriya story from Romance