ଅବ୍ଯକ୍ତ ପ୍ରେମ
ଅବ୍ଯକ୍ତ ପ୍ରେମ
ସମୟ କେତେବେଳେ ଯେ କାହାକୁ ନେଇ କୋଉଠି ପହଞ୍ଚାଇ ଦିଏ ସେ କଥା କହିବ ବା କିଏ ? ଏମିତି ଅଚାନକ ଭାବରେ ପୂର୍ଣ୍ଣେନ୍ଦୁ ସହ ଦେଖା ହେଇଯିବ ବୋଲି ସେ କେବେ ଚିନ୍ତା କରି ନ ଥିଲା। ପୂର୍ଣ୍ଣେନ୍ଦୁ ସାମନ୍ତରାୟ ; ତା ପି.ଜି. ବେଳର ସହପାଠୀ। ବେଶ୍ ଶାନ୍ତ ସ୍ୱଭାବର ପିଲାଟିଏ। ନମ୍ର ବ୍ୟବହାର। ଭଲ ପାଠ ପଢେ। ଶ୍ରେଣୀରେ ପ୍ରଥମ ହୁଏ। ବଙ୍ଗାଳୀ ପିଲା ଓଡ଼ିଆରେ ଏତେ ଭଲ ଭାବେ କଥା କହି ପାରେନା ବେଳେବେଳେ ତା'ର ଓଡ଼ିଆ ଶୁଣି ପିଲାମାନେ ତ ହସି ହସି ଗଡିଯାଆନ୍ତି। କିନ୍ତୁ ଜ୍ୟୋସ୍ନାକୁ ଏ ସବୁ ଭଲ ଲାଗେନି। କିନ୍ତୁ ସାଙ୍ଗମାନଙ୍କୁ କିଛି କହିପାରେନି। କାଳେ କିଏ ଖରାପ ଭାବିବ। ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ହୋଇଗଲା। ନୋଟ୍ ଖାତା ଦିଆ ନିଆ ; କୌଣସି ବିଷୟ ଉପରେ ଆଲୋଚନା ; ଡିପାର୍ଟମେଣ୍ଟ ର ବିଭିନ୍ନ କାର୍ଯ୍ୟକ୍ରମ ସାଙ୍ଗହେଇ କରନ୍ତି । ଦୁଇ ଜଣ ପାଖାପାଖି ମାର୍କ ବି ରଖନ୍ତି । ଏମାନଙ୍କ ବନ୍ଧୁତାକୁ ଅନ୍ୟ ସାଙ୍ଗ ମାନେ ଟିକେ ଅନ୍ୟ ନଜରରେ ଦେଖନ୍ତି । ଦେଖେଇକି ବହୁତ କଥା କୁହନ୍ତି । ଡିରେକ୍ଟ ବି କେତେଜଣ କହିଦିଅନ୍ତି। ହେଲେ ଜ୍ୟୋସ୍ନା ସେ କଥାକୁ ହସରେ ଉଡେଇ ଦିଏ। ଆରେ ଆମେ ଦି' ଜଣ କେବଳ ସାଙ୍ଗ ଆଉ କିଛି ନୁହେଁ। ଯେତେବେଳେ ତା'ର କିଛି ମନ ଦୁଃଖ ଥାଏ ବା କୌଣସି ଚିନ୍ତାରେ ଥାଏ ସେତେବେଳେ ପୂର୍ଣ୍ଣେନ୍ଦୁ କଲ ଆସେ ଆଉ ତା'ର ସମସ୍ୟାର ସମାଧାନ ହେଇଯାଏ। ସତେ ଯେମିତି ପୂର୍ଣ୍ଣେନ୍ଦୁ ତା' ମନ କଥା ଜାଣି ପାରେ , ସେ ଖୁସି ରେ କହିଦିଏ " ତୁ ମୋର ସବୁଠୁ ଭଲ ସାଙ୍ଗ। ମୋର ବେଷ୍ଟ ଫ୍ରେଣ୍ଡ୍ର କେବେ ବି ମୋତେ ଭୁଲିବୁନି। " ପୂର୍ଣ୍ଣେନ୍ଦୁ ହସିକି କୁହେ " ମୁଁ ତତେ କଣ ଭୁଲିପାରିବି। " ଏଇ ପଦେ କଥା ଶୁଣିଲାବେଳେ ତା' ଛାତି ଭିତରଟା କେମିତି ହେଇଯାଏ କେମିତି ଗୋଟେ ଅଲଗା ଫିଲ ହୁଏ।
ୟା ଭିତରେ ସେମାନଙ୍କ ମଧ୍ୟରେ ଦୃଢ ବନ୍ଧୁତା ହେଇ ସରିଥାଏ। କ୍ଲାସ ରେ ଦିନେ ଅନ୍ୟ ଜଣକୁ ନ ଦେଖିଲେ ବ୍ୟସ୍ତ ହୋଇ ପଡନ୍ତି। ଜ୍ୟୋସ୍ନା ଖୁବ ମେଳାପି। ସେ ସମସ୍ତଙ୍କ ସାଙ୍ଗେ ସହଜରେ ମିଶିଯାଏ। ଅଂଶୁମାନ ତା'କୁ ମନେ ମନେ ଭଲ ପାଉଥାଏ। ହେଲେ ଡରରେ ଖୋଲିକି କହିପାରେନା। କଥା ଛଳରେ କହେ..." କହିଲୁ ପୂର୍ଣ୍ଣେନ୍ଦୁ ଓ ମୋ ଭିତରେ ତୁ କାହାକୁ ବେଶୀ ଭଲ ପାଉ ? "ପୂର୍ଣ୍ଣେନ୍ଦୁକୁ" ଉତ୍ତର ଶୁଣିଲା ପରେ ମନ ଦୁଃଖ କରି ସେ କହେ... "ହଁ ମୁଁ ଜାଣିଛି , ହେଲେ ମୁଁ ତା'ଠୁ ଭଲ ପିଲା।" ଅଂଶୁମାନର ମନ କଥା ଜ୍ୟୋସ୍ନା ବୁଝିପାରେ କିନ୍ତୁ ଚୁପ ରହେ। ସେ ତାକୁ କେବଳ ସାଙ୍ଗ ହିସାବରେ ଦେଖେ।
ଫାଇନାଲ ୟିଅର ପରୀକ୍ଷା ଆଉ ଅଳ୍ପ ଦିନ ରହିଲା। ଏହା ପରେ ଯିଏ ଯୁଆଡେ ଚାଲିଯିବେ। କାହାର ଦେଖା ହେବ କି ନାହିଁ। ସେଥି ପାଇଁ ଏକ ଭୋଜିର ଆୟୋଜନ କରିଥାନ୍ତି। ରୋଷେଇରେ କିଛି ପିଲା ନିୟୋଜିତ ଥାନ୍ତି। ଆଉ କେତେ ପିଲା ଖେଳୁ ଥାନ୍ତି ; କିଛି ପିଲା ବସି ଗପୁଥାନ୍ତି। ଏତିକିବେଳେ ନିଶା କହିଲା "ଚାଲ ସମସ୍ତେ ମିଶିକି ଡ୍ୟାନ୍ସ କରିବା।" ଗୀତ ବାଜିଲା ସମସ୍ତେ ନାଚିଲେ ହେଲେ ଜ୍ୟୋସ୍ନା ଚୁପ ଚାପ ବସିଥାଏ। ତାକୁ ଯେତେ ଡାକିଲେ ବି ସେ ମନା କଲା। ଅଂଶୁମାନ କହିଲା ପୂର୍ଣ୍ଣେନ୍ଦୁ ତୁ ଡାକିଲେ ସେ ଆସିବ। ପୂର୍ଣ୍ଣେନ୍ଦୁ ଡାକିଲା ହାତ ଧରି ଟାଣିଲା ହେଲେ ସେ ଆସିଲାନି। ପୂର୍ଣ୍ଣେନ୍ଦୁ ଦେଖିଲା ଜ୍ୟୋସ୍ନା ମଥାରେ ଟିକିଲି ନାହିଁ। କୋଉଠୁ ଗୋଟେ ଟିକିଲି ଆଣି... " ଦେଖେଇଲୁ ଲଗେଇଦେବି ତୋ ମଥାଟା ଖାଲି ଭଲ ଲାଗୁନି ।... କଣ ? ଟିକିଲି । ହଉ ତୁ ଲଗାନା।.... କାହିଁକି ? ତୋ ମଥାଟା ଖାଲିରେ ଜମା ବି ଭଲ ଦିଶୁନି।" ଏ କଥା ଶୁଣି ତାକୁ କେମିତି ଲାଗିଲା । ତା ହେଲେ କ'ଣ ସେ ତାକୁ ....!
ଯେତେବେଳେ ତା କଥା ଆଲୋଚନା ହୁଏ ଜ୍ୟୋସ୍ନା ଦେହରେ ଯେମିତି ଶିହରଣ ଖେଳିଯାଏ । ଏବେ ଆଉ ସେ ତା' ମୁହଁକୁ ସିଧା ସିଧା ଚାହିଁ ପାରୁନି।ତାକୁ ଦେଖିଲେ ଯେମିତି ଅନ୍ୟ ମନସ୍କ ହୋଇ ପଡୁଛି। ତା ଚାହାଁଣିରେ ସେ ଯେମିତି ଗୋଟେ ପ୍ରେମିକକୁ ଦେଖି ପାରୁଛି। ପୂର୍ଣ୍ଣେନ୍ଦୁ ମଧ୍ୟ ତାକୁ ମନେ ମନେ ଭଲ ପାଇ ବସିଥାଏ। ହେଲେ କିଏ କାହାକୁ କହି ପାରନ୍ତି ନାହିଁ। ଶେଷ ଦେଖାରେ କେବଳ ଏକ ପ୍ରତିଜ୍ଞା କେହି କାହାକୁ ଭୁଲିବେ ନାହିଁ । ଫୋନରେ କଣ୍ଟାକ୍ଟ ରହିବ।
ଏହା ଭିତରେ ଦଶ ବର୍ଷ ବିତିଗଲାଣି। ଜ୍ୟୋସ୍ନାର ବାହାଘର ସାରି ଯାଇଛି। ଗୋଟେ ପୁଅ ବି ହେଇସାରିଲାଣି ଦୁଇ ବର୍ଷର ।
ତା ସ୍ୱାମୀଙ୍କୁ ନେଇ ସେ ଖୁସିରେ ଅଛି ।ପୂର୍ଣ୍ଣେନ୍ଦୁ ଏବେ କଲେଜରେ ଆଧ୍ଯାପକ। ଏବେ ଫୋନରେ ଆଉ କଥା ନାହିଁ। କେତେବେଳେ କେମିତି ହ୍ୱାଟ୍ସଅପ୍ପରେ ଗୋଟେ ଦୁଇଟା ମସେଜ। ଜ୍ୟୋସ୍ନାର ସ୍ୱାମୀ ପ୍ରଦୋଷ ଜଣେ ବଡ ବ୍ୟବସାୟୀ। ବେଶ ଧନି ଘର।ଖୁସି ମଜାଜ ର ପିଲା ସେ। ଜ୍ୟୋସ୍ନାକୁ ବି ଭଲ ପାଆନ୍ତି।
ଅଂଶୁମାନର ବାହାଘର ଆଜି। ସେ ନିମନ୍ତ୍ରଣ କରିଥିଲା , ହେଲେ ଜ୍ୟୋସ୍ନା ମନା କରୁଥିଲା। ପ୍ରଦୋଷଙ୍କ କଥା ଅନୁସାରେ ସେ ଆସିଛି। ଅନ୍ଯ ପୁରୁଣା ବନ୍ଧୁଙ୍କୁ ଦେଖିବାକୁ ପାଇଛି। କିନ୍ତୁ ପୂର୍ଣ୍ଣେନ୍ଦୁଙ୍କୁ ଦେଖି ସେ ନା ଖୁସି ହେଇ ପାରୁଛି ନା ଦୁଃଖ କରିପାରୁଛି । ମନେ ପଡିଯାଇଛି ତାର ସେଇ ପୁରୁଣା ଦିନ। କ୍ଲାସରେ ପାଠପଢା କଥା, ଥଟ୍ଟାମଜା କଥା, ଛୁଟିଦିନ ସାଙ୍ଗମାନେ ମିଶି ବୁଲିଯିବା କଥା। ଶେଷ ଭୋଜିରେ ଟିକିଲି ପିନ୍ଧିବାକୁ କହିବା କଥା । ପ୍ରତି ମୁହୂର୍ତ୍ତ ରେ ଯାହାକି ସେମାନେ ସାଙ୍ଗ ହେଇ ବିତେଇଥିଲେ। ତା ଅଜାଣତରେ ତା ଆଖିରୁ ଝରି ପଡିଛି ଦୁଇ ଟୋପା ଲୁହ ଆଉ ଆଖି ଆଗରେ ତା'ର ସେହି ଅବ୍ୟକ୍ତ ପ୍ରେମ ।

