Madhumita Mishra

Fantasy

4  

Madhumita Mishra

Fantasy

ଅଭୟ

ଅଭୟ

5 mins
470



ପିଲା ଦିନରୁ ସୁଗନ୍ଧିତ ଫୁଲ ଦେଖିଲେ ମୋତେ କାହିଁକି କେଜାଣି ଭାରି ଖୁସି ଲାଗେ । ସବୁ କାମ ପଛରେ ପକାଇ ମୁଁ ସେ ଫୁଲ ପାଖକୁ ଧାଇଁଯାଏ..ଆଉ ଏଇ ଫୁଲ ପ୍ରେମ ପାଇଁ ଅନେକ ସମୟରେ ମୁଁ ସମାଲୋଚନାର ପାତ୍ର ମଧ୍ୟ ହୁଏ କିନ୍ତୁ ମୋ ଭିତରେ ଥିବା ଏ ଶାଶ୍ଵତ ଭଲ ପାଇବା କେବେ ବି କମ୍ ହୋଇ ପାରେନା..!!


ଗୋଟିଏ ମାତ୍ର ମୋର ଜାଗ୍ରତ ସ୍ବପ୍ନ..!!ସବୁଠୁ ଦୁର୍ଲଭ.. ସବୁଠୁ ମହକଦାର ଆଉ ସବୁଠୁ ସୁନ୍ଦର ଫୁଲରେ ମୁଁ ମୋ ସ୍ବପ୍ନ ବଗିଚାକୁ ସଜେଇବି..!!ଆଉ ଖାସ୍ ଏଇ ସ୍ଵପ୍ନ ସାକାର କରିବା ପାଇଁ ମୁଁ ଦୁନିଆର ସବୁଠାରୁ ଉକୃଷ୍ଟ ମାଳୀକୁ ଚୟନ କଲି । ଆମେ ଦୁହେଁ ବହୁତ ସନ୍ଧାନ କଲୁ..ଦୁନିଆ ସାରା ଖୋଜି ଖୋଜି ଶେଷରେ ସେହି ଦୁଷ୍ପ୍ରାପ୍ୟ ସ୍ବପ୍ନ ଫୁଲଗଛର ବୀଜ ପାଇଲୁ ଆଉ ଯତ୍ନ ସହକାରେ ନେଇ ତାକୁ ମୋ ମନର ସେହି ସ୍ନେହ ଅଗଣାରେ ବିଶ୍ୱାସ ମାଟିରେ ଆନନ୍ଦରେ ପୋତି ଦେଲୁ..ସେହି ବୀଜରୁ ଗଛ ହୋଇ ପୁଷ୍ପ ପ୍ରସ୍ଫୁଟିତ ହେବା ସତରେ ଏକ ବଡ଼ ଆହ୍ବାନ ଥିଲା..କାରଣ ସେ ଅତ୍ୟନ୍ତ ଦୁର୍ମୂଲ୍ୟ ଥିଲା...


ଚନ୍ଦ୍ରକଳା ପରି ସେ ବୀଜ ଫୁଲଗଛଟିଏ ହୋଇ ଆସ୍ତେ ଆସ୍ତେ ବଡ଼ ହୋଇ ଆସିଲା । ଗଛରେ କଢ଼ ଆସିବା ପୂର୍ବରୁ ହିଁ ତା ସୁଗନ୍ଧରେ ମୋ ଫୁଲ ବଗିଚାଟି ମହକି ଉଠିଲା..!!ଦିନରାତି ତାର ପ୍ରତ୍ୟେକ ଗତିବିଧି ମୋ ଅନ୍ତର ସହ ଜଡ଼ିତ ହୋଇ ରହିଲା । ସବୁଠୁ ଉର୍ବର ମାଟି ଆଉ ପର୍ଯ୍ୟାପ୍ତ ଉତ୍ତମ ଖତ ଦେଇ ଶୀତଳ ଜଳ ସହ ତାକୁ ସିଂଚନ କଲି..ଉପଯୁକ୍ତ ସୂର୍ଯ୍ୟ କିରଣରେ ଛୋଟ ଚାରାଟି ନିଜ ଶାଖା ପ୍ରଶାଖା ମେଲାଇବାକୁ ଆରମ୍ଭ କଲା । ମୁଁ ତୃପ୍ତ ହୋଇ ଦେଖି ରହେ ସେ ଗଛକୁ । ଆଉ ଅପେକ୍ଷା କରେ କେବେ ମୋ ଗଛରେ ଫୁଲ ଫୁଟିବ..!!??


ଦିନେ ମନ୍ଦ ମନ୍ଦ ସମୀରଣ ସହ ଏକ ଅପୂର୍ବ ବାସ୍ନା ଆସି ମୋତେ ଆନମନା କଲା । ଦୋୖଡି ଯାଇ ଦେଖେ ତ ଗଛଟିରେ ଏକ ଛୋଟ କଳିକା ଅଳ୍ପ ଅଳ୍ପ ହସୁଛି । ଆଉ ତା ହସ ତା ମହକରେ ମୋ ମନ ଅଗଣା ମହକିତ ହେଉଛି । ଏତେ ଶୀଘ୍ର ଏପରି ଅଦ୍ଭୁତ ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହେଲି । ଅତ୍ୟନ୍ତ ତୃପ୍ତିରେ ନିଜ ଓଠ ସେ ଗଛ ପାଖକୁ ନେଲି..ଭାବିଲି ଚୁମ୍ଵନଟିଏ ଆଙ୍କିଦେବି..କିନ୍ତୁ ନା..କାଳେ ମୋ ନିଃଶ୍ୱାସର ଗରମ୍ ହାୱାରେ ଗଛଟିର କିଛି ଅସୁବିଧା ହେବ..ଭାବି ପଛକୁ ଚାଲି ଆସିଲି..!!


ଅନେକ ସମୟରେ ମାଳୀ ଇଚ୍ଛା କରେ ..ଏପରି ହୁଅନ୍ତା କି ଏ ଗଛ ବହୁତ ଜଲଦି ବଡ଼ ହୋଇ ଯାଆନ୍ତା ଆଉ ତା ସୁଗନ୍ଧରେ ତାର ଚର୍ଚ୍ଚା ମଧ୍ୟ ଜଗତ ବିଖ୍ୟାତ ହୁଅନ୍ତା..କିନ୍ତୁ ମୁଁ ସବୁବେଳେ ତାକୁ ବାରଣ କରେ । ପ୍ରକୃତି ବିରୁଦ୍ଧରେ ଯାଇ ଏପରି କୌଣସି ମନବାଞ୍ଛା ନ ରଖିବାକୁ ବୁଝାଏ..ସମୟ ତାର ଗତିରେ ଚାଲୁ । ଏଥିରେ ଅଯଥା ହସ୍ତକ୍ଷେପ କାହିଁକି??ତା ଛଡା ଏ ଗଛ ଯେ ମୋତେ ମୋ ପ୍ରାଣଠାରୁ ମଧ୍ୟ ଅଧିକ ପ୍ରିୟ…!!


ଆଖି ଟିକେ ଲାଗି ଆସିଥିଲା । ସ୍ବପ୍ନ ଦେଖିଲି..ସେ କଢ଼ ଧୀରେ ଧୀରେ ଫୁଲ ହୋଇଛି । ଆଉ ସେ ଫୁଲର ବାସ୍ନାରେ ଚତୁର୍ଦ୍ଦିଗ ମହକି ଉଠୁଛି । ଗଛରୁ ଅସଂଖ୍ୟ ଫୁଲ ଫୁଟି ସାରା ଦୁନିଆରେ ନିଜ ବାସ୍ନା ଖେଳାଇ ଚାଲିଛନ୍ତି..ହଠାତ୍ ମୋ ନିଦ ଭାଙ୍ଗିଗଲା..କେଜାଣି କାହିଁକି କେମିତି ଏକ ଅସ୍ବାଭାବିକ ଅନୁଭୂତି ହେଲା..!!ପାଟି ଅଠା ହୋଇଗଲା ଆଉ ଗଳା ଶୁଖିଗଲା..!!


ଢୋକେ ପାଣି ପିଇ ଦେଖିଲା ବେଳକୁ ସେତେବେଳେ ରାତିର ଦ୍ଵିତୀୟ ପ୍ରହର..!!ବଗିଚାରେ କିଏ ଜଣେ ଥିବା ପରି ଲାଗିଲା..ଦୋୖଡି ଯାଇ ଦେଖିଲା ବେଳକୁ ମାଳୀ କିଛି ଧରି ସେ ମୃତ୍ତିକାରେ ପକେଇ ଚାଲିଛି..ଆଶ୍ଚର୍ଯ୍ୟ ହେଲି ମୁଁ..ତା ହାତକୁ ଧରି ପକେଇଲି..!!


ମନା କରିବା ସତ୍ତ୍ଵେ ମଧ୍ୟ ନିଜ ବିକୃତ ମନୋରଥ ଚରିତାର୍ଥ କରିବା ପାଇଁ ଆଉ କାହା ନିର୍ଦ୍ଦେଶରେ..କିଛି ଅବିବେଳୀ ପ୍ରରୋଚନାରେ ସେ କିଛି ରାସାୟନିକ ପଦାର୍ଥ ମୋ ଅଗୋଚରରେ ରାତ୍ରୀ ଅନ୍ଧକାରରେ ମୋ ବଗିଚାରେ ପକେଇ ଚାଲିଛି..!!ଅତି ଶୀଘ୍ର ଗଛ ବଡ଼ ହେବା ଆଉ ଫୁଲ ଫୁଟିବା ପାଇଁ ସେ ଏପରି କରି ଚାଲିଛି..!!??ସେ ରସାୟନ ପ୍ରଭାବ ଯେ ଅତ୍ୟନ୍ତ ବିଷାକ୍ତ..ଏକଥା ସେ ଜାଣି ପାରିନି..!!ଏତେ କହିବା ପରେ ମଧ୍ୟ ସେ ବୁଝିବା ପାଇଁ ଜମାରୁ ପ୍ରସ୍ତୁତ ନୁହଁ..!!


ଚିତ୍କାର କଲି.. ପ୍ରଳାପ କଲି..କେତେ ମନା କଲି..କିନ୍ତୁ ସେ ନିଜ ଜିଦରେ ଅଟଳ । ଅତି ଶୀଘ୍ର ବଗିଚାରେ ସେ ଅସଂଖ୍ୟ ପୁଷ୍ପ ସମ୍ଭାର ଚାହେଁ.. । ଏବେ ତ ଏ ମାଟି ହିଁ ଅସୁରକ୍ଷିତ ହୋଇଗଲାଣି । ଆଉ ଏପରି ବିଷାକ୍ତ ମୃତ୍ତିକାରୁ ଗଛକୁ ଯେମିତି ହେଲେ ବଂଚେଇବାକୁ ହେବ । ଅସ୍ବାଭାବିକ ପ୍ରକ୍ରିୟାରେ କିଛିବି କରି ହୁଏନି । ତାକୁ ଏପରି ଅପରାଧ କରିବାକୁ ମନା କଲି । କିନ୍ତୁ ମାଳୀ ତ ନଛୋଡ଼ ବନ୍ଧା । କିନ୍ତୁ ତା ବୃଥା ମହତ୍ତ୍ଵଆକାଂକ୍ଷା ଯେ ମୋ ଗଛର ଅଶେଷ କ୍ଷତି ହିଁ କରିବ..!!ଅତଏବ ମୁଁ ଗଛଟିକୁ ବଞ୍ଚେଇବା ପାଇଁ ମାଳୀକୁ ପ୍ରତିହତ କଲି.. ଆହତ କରିବାକୁ ବି ପଛେଇଲିନି..!!କିନ୍ତୁ ମାଳୀ ହସୁଥାଏ ଏକ ଉନ୍ମାଦ ସମ ପ୍ରଗଳ୍ଭ ହସ..!!ତା ହାତଲଗା ଏ ଗଛ କେମିତି ଦୃତ ଗତିରେ ବଢି ଚାଲିଛି ସେ କଥା ମୋତେ କହି ଅଟ୍ଟହାସ୍ୟ କରିବାକୁ ଲାଗିଲା..ଅତି ଶୀଘ୍ର ଦୁନିଆ ତା କରାମତି ଜାଣିବେ..ତା ନାମ ଚାରିଆଡ଼େ ପ୍ରଚାର ହେବ କହି ଖୁସି ହେବାକୁ ଲାଗିଲା... ।


ଓଃ..ମୁଣ୍ଡ ଖରାପ ହୋଇଗଲାଣି । ଆଉ ଡେରି କଲେ ହୁଏତ ସବୁକିଛି ସମାପ୍ତ ହୋଇଯାଇ ପାରେ । ମୋତେ ହିଁ ମୋ ଗଛକୁ ବଂଚେଇବାକୁ ହେବ..!!ଆଉ ମୋ ପାଖରେ କୌଣସି ଉପାୟ ନାହିଁ । ସମୟ ନଷ୍ଟ କରିହେବନି । ତେଣୁ ନିଜର ସବୁ ଶକ୍ତି ଲଗାଇ ତାକୁ ଠେଲିଦେଇ ଦୌଡ଼ିଗଲି ମୋ ପ୍ରିୟ ଗଛ ପାଖକୁ..


ହେଲେ କଣ ହେଲା ଯଦି ମାଟିରେ କୌଣସି ବିଷ ପ୍ରକ୍ରିୟା ମିଶି ଯାଇଛି..!!??ମୁଁ ନେଇଯିବି ମୋ ଗଛକୁ ଆଉ କେଉଁ ସୁରକ୍ଷିତ ମୃତ୍ତିକା ଉପରକୁ...ତା ସୁଗନ୍ଧକୁ.. ତା ପୁଷ୍ପକୁ ..ତାକୁ..ଏପରି ବିଷାକ୍ତ ହେବାକୁ ଦେବିନି ମୁଁ..ନଷ୍ଟ ହେବାକୁ ଦେବିନି..କିନ୍ତୁ..!!??  


ମୋ ହାତ ଲାଗିଯିବାରୁ ଗଛଟି ହଠାତ୍ କ୍ରୋଧିତ ହୋଇଗଲା । ସେ ମଧ୍ୟ ଯଥାଶୀଘ୍ର ପରିପକ୍ୱତା ଚାହେଁ । ପରିଣାମ ଯାହା ବି ହେଉ..ତାର ସେଥିପାଇଁ ଚିନ୍ତା ନାହିଁ..!!ସେ ମୋତେ ସ୍ପର୍ଶ କରିବାକୁ ବାରଣ କଲା..!!ମୋର କାଳେ ତାକୁ ହାତ ଲଗେଇବାର ଆଉ ଅଧିକାର ନାହିଁ..ସେ ଯେ କେବଳ ମାଳୀର ହିଁ ନିଜସ୍ବ ସମ୍ପତ୍ତି..!!??


କେତେ ବୁଝେଇଲି..ନେହୁରା ହେଲି.. କାନ୍ଦିଲି.. ହାତ ଯୋଡ଼ି ଭିକ୍ଷା ମାଗିଲି..ତାକୁ ବଞ୍ଚିବା ପାଇଁ କେତେ ଅନୁନୟ ବିନୟ ହେଲି । କିନ୍ତୁ ସେ ଶୁଣିଲାନି..ବରଂ କହିଲା ..


"ମୁଁ ଏଇଠି ରହିବି । ମାଳୀର ତତ୍ତ୍ଵାବଧାନରେ ଅତି ଶୀଘ୍ର ମହାଦ୍ରୁମ ହେବି । ଆଉ ଯଦି ତୁମେ ମୋତେ ଜବରଦସ୍ତି ନେବାକୁ ଚେଷ୍ଟା କରିବ ତେବେ ମୁଁ ଏଇଠୁ ଗ୍ରହଣ କରିଥିବା ବିଷ ସାରା ଦୁନିଆରେ ଭରିଦେଵି..!!??"


ବିକଳ ହୋଇ ମାଟିରେ ମୁଣ୍ଡ ପିଟିଲି..ଛାତି ବାଡେଇ ବାଡେଇ କାନ୍ଦିଲି..ଥରୁଟିଏ ସେ ମାଟିରୁ ବାହାରି ଆସିବାକୁ କହିଲି.. ବିଷକ୍ରୀୟାରୁ ବଞ୍ଚିବାକୁ କେତେ ଯେ ବୁଝେଇଲି..କିନ୍ତୁ..ସେ ଜମାରୁ ରାଜି ହେଲାନି..!!??


ସେଇଠୁ ଆଖି ଟିକେ ହଟେଇ ଦେଖିଲା ବେଳକୁ ଆଖିରେ ପଡ଼ିଲା ଏକ ଅଦ୍ଭୁତ ଦୃଶ୍ୟ..!!ସେହି ଗଛକୁ ଲାଗି ତାର ଛତ୍ରଛାୟାରେ ଆର ଗୋଟିଏ ଅତି ଛୋଟ ଚାରା ନିଜ ପତଳା ଶରୀର ଆଉ ଦୁଇଟି ଅନୁମୁକ୍ତ ପତ୍ର ନେଇ ଜୀବନ୍ତ ହୋଇଯାଇଛି..!!ଆଉ ସେ ମୋତେ ବିକଳ ହୋଇ ଚାହୁଁଛି..ଯେମିତି କହୁଛି..


"ମୋତେ କଣ ବଞ୍ଚେଇବନି..!!??" 


ଲୁହ ପୋଛି ଠିଆ ହେଲି..ବଡ଼ ଗଛଟି ନ ହେଲେ ବି ଅମୂଲ୍ୟ ବୀଜରୁ ଏଇ ନୂଆ ନୂଆ ଅଙ୍କୁରୋଡଗମ ହୋଇଥିବା ଛୋଟ ପତଳା ନଗଣ୍ୟ ଚାରାଟି ଅନ୍ତତଃ ବଞ୍ଚିବା ନିହାତି ଆବଶ୍ୟକ । ଏଣୁ ଦୁଇ ହାତ ଶକ୍ତ କରି ସେଇ ଛୋଟ ଚାରାଟିକୁ ସମୂଳେ ଓପାଡି ଆଣିଲି..ଯେମିତି ସେ ବିଷାକ୍ତ ମାଟିରୁ ଟିକିଏ ମଧ୍ୟ ତା ଦେହରେ ଭୁଲରେ ବି ଲାଗି ନ ଥିବ..!!ନିଜ ପଣତ କାନିରେ ଯତ୍ନରେ ଝାଡି ପକେଇଲି..ମୋତେ ଏପରି କରିବା ଦେଖି ମାଳୀ ଦୋୖଡି ଆସୁଥିଲା..ବୋଧେ ମୋ ହାତରୁ ଛଡେଇ ନେବାକୁ..ମୋର ଜୀବନର ସର୍ବକୃଷ୍ଟ ସେ ଶେଷ ସ୍ବପ୍ନ ଟିକକ..!!


କିନ୍ତୁ ..ନିଜର ସମସ୍ତ ଶକ୍ତି ଲଗେଇ ପଛକୁ ନ ଚାହିଁ ମୁଁ ଚାରାଟିକୁ ଧରି ଏକମୁହାଁ ହୋଇ ଦୋୖଡିଦୋୖଡି ଆଗେଇଗଲି..ଏକ ଉର୍ବର ମୃତ୍ତିକାରେ ମୋ ସ୍ବପ୍ନକୁ ପୁନଃ ଜୀବିତ କରିବା ଆଶା ନେଇ..ନୂଆ ଉଠିଥିବା ସେ ଚାରାଟିକୁ ଅଭୟ ଦେଇ ବଂଚେଇଦେବାକୁ..!!ବିଷାକ୍ତ ପରିବେଶର ଟିକେ ପବନ ମଧ୍ୟ ତାକୁ ଆଉ ଛୁଇଁ ପାରିବନି..ନେଇଯିବି ମୁଁ ତାକୁ କେଉଁ ଏକ ଦୂର ସୁରକ୍ଷିତ ଦୁନିଆକୁ..ଏତେ ବଡ଼ ଦୁନିଆରେ କଣ ତା ପାଇଁ ଏତିକି ଟିକେ ପ୍ରକୃଷ୍ଟ ମାଟି ପାଇ ପାରିବିନି..!!??


ମୋ ସ୍ଵପ୍ନ ବଗିଚାର ବିଷାକ୍ତ ପରିବେଶରେ କିନ୍ତୁ ମୋ ଜୀବନ ସାରାର ତପସ୍ୟା..ମୋ ସ୍ବପ୍ନ..ମୋ ପ୍ରତୀକ୍ଷା ..ମୋ ପ୍ରାଣପ୍ରୀୟ..ମୋ ମନ ଅଗଣାର ସେ ପ୍ରଥମ ସୁନ୍ଦର ଗଛଟି ସେଇଠି ସେମିତି ହିଁ ପଛରେ ରହି ଯାଇଥିଲା..ନିଜ ଅବୁଝାପଣିଆର ଶକ୍ତ ବିଷାକ୍ତ ମାଟିକୁ ଜାବୋଡ଼ି ଧରି...

ସେମିତି ଦୌଡିବା ସହ କାନ୍ଦି କାନ୍ଦି ଈଶ୍ୱରଙ୍କୁ ପ୍ରାର୍ଥନା କଲି..କିଛି ବି ଅଲୌକିକ ଚମତ୍କାର ହେଉ..ପ୍ରଳୟ ହେଉ କି ଯାହା ବି ହେଉ..!!କିଛି ନ ହେଲେ ବି ଏତେ ବର୍ଷା ହେଉ ଯେ ସେ ବିଷାକ୍ତ ମାଟି ସବୁ ଧୋଇ ହୋଇଯାଉ...ମୋ ବଗିଚା ସବୁଦିନ ପାଇଁ ବରଂ ନଷ୍ଟ ହୋଇଯାଉ..ମୋ ଏତେ ଦିନର ଜାଗ୍ରତ ସ୍ବପ୍ନ ପଛେ ଲିଭିଯାଉ କିନ୍ତୁ ମୋ ଗଛଟି ସେ ମାଟିରୁ ବାହାରି ଯାଇ ବଞ୍ଚିଯାଉ..


କେଉଁଠି ହେଲେ କେଉଁ କୂଳରେ ହେଉ ଟିକେ ମାଟି ପାଇ ସେ ନିଶ୍ଚୟ ଚେର ଧରି ରହିଯିବ..କିନ୍ତୁ ଆଉ ସେ ପୁରୁଣା ବିଷ ତ ସେତେବେଳେ ତା ଦେହରେ ନ ଥିବ ନା..!!


କେଜାଣି..କଣ ଅଛି ଭବିଷ୍ୟ ଗର୍ଭରେ..!!



Rate this content
Log in

Similar oriya story from Fantasy