Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Seetaram Dash

Romance


3  

Seetaram Dash

Romance


ଅଭୁଲା ସ୍ମୁତି

ଅଭୁଲା ସ୍ମୁତି

5 mins 114 5 mins 114


 ବାଙ୍ଗାଲୋର ସହରର କାବେରୀ ନଦୀ କୂଳରେ ଏକ ବିରାଟ ଅଟାଳିକା "ରିଭର ଭିୟୁ"। ସୂର୍ଯ୍ୟାସ୍ତ ସମୟ। ଏହି ବହୁତଳ ପ୍ରାସାଦର ନିଜ ବାଲକୋନିରେ ସୁବାଷ ବାବୁ ବସି ଅପେକ୍ଷା କରିଛନ୍ତି ସୁଜାତା ଦେବୀଙ୍କୁ। ସୂର୍ଯ୍ୟଙ୍କର ଶୁନେଲି କିରଣରେ କାବେରୀ ନଦୀର ଜଳ ରକ୍ତାଭ। ନିଡ଼ ଫେରା ଅନେକ ପକ୍ଷୀଙ୍କର କାକାଳୀ। ଏମିତି ଏକ ମାଦକ ଭରା ପରିବେଶ ସୁବାଷ ବାବୁଙ୍କୁ ଆନମନା କରୁଥାଏ। ସୁଜାତା ଦେବୀ ଓରଫ ସୋନି ଚା ଆଣି ସୁବାଷ ବାବୁଙ୍କ ପାଖରେ ବସିଲେ। ସୁବାଷ ବାବୁ ସୁଜାତା ଦେବୀଙ୍କୁ ପାଖରେ ଥିବା ଖବରକାଗଜରେ ଭାଲେଣ୍ଟାଇନ ଡେ' ପାଇଁ ଲେଖା ହୋଇଥିବା ପଂକ୍ତିଟି ପଢି ଶୁଣାଇଲେ। ସେଥିରେ ଲେଖା ଥିଲା....


    "ଭାଲେଣ୍ଟାଇନ ଡେ, ପ୍ରେମୀ ଦିବସ। ଦୃଦୟର ଭାବନାକୁ ପରିପ୍ରକାଶ କରିବାର ଦିବସ। ପରକୁ ସବୁଦିନ ପାଇଁ ନିଜର କରିବାର ଦିବସ।"


    ସୁଜାତା ଦେବୀ ହସିଦେଇ କହିଲେ, "ତୁମେ ବୁଢା ହେଲାଣି ପରା"। ସୁବାଷ ବାବୁ ସୁଜାତା ଦେବୀଙ୍କ ହାତକୁ ଧରି କହିଲେ, ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତିମ ଆଭାରେ ତୁମେ କେତେ ସୁନ୍ଦର ଦେଖା ଯାଉଛ ପ୍ରିୟେ। ଠିକ ଗୋଟେ ରକ୍ତ ଗୋଲାପ ଭଳି। ସେଦିନର କୋଣାର୍କ ବେଳାଭୂମିରେ ଠିକ ଏମିତି ଦେଖା ଯାଉଥିଲ। ମନେ ଅଛିନା ସେ ଦିନ??

    ଏତକ ଶୁଣି ଲାଜରେ ଘର ଭିତରକୁ ଚାଲି ଯିବାକୁ ଉଠୁ ଉଠୁ ନିଜ ଆଡକୁ କୋଳେଇ ଆଣିଲେ ସୁବାଷ ବାବୁ ଆଉ ଉଭୟ ହଜି ଗଲେ ଅତୀତରେ....


    ସୋନି(ସୁଜାତା ଦେବୀ) ଥିଲେ ସୁରେଶ ମହାପାତ୍ରଙ୍କ ଏକ ମାତ୍ର ଅଲିଅଳି କନ୍ୟା। ରୂପ ଯେମିତି ଗୁଣ ବି ସେମିତି। ଗୋଟିଏ ଚାଉଳରେ ଗଢ଼ା। ନିଜର ନିରୀହ ସ୍ଵଭାଵ ଲାଗି ଗାଁ ଠୁ ନେଇ ସାହି ଭାଇ, ବନ୍ଧୁ ବାନ୍ଧବ ସମସ୍ତେ ତାକୁ ଭଲ ପାଆନ୍ତି। ସବୁଆଡେ ସୋନିର ଭୁରି ଭୁରି ପ୍ରଶଂସା କିନ୍ତୁ ମାମୁଁ ମାଇଁ ସବୁଠୁ ଅଧିକ ଭଲ ପାଉଥିଲେ ସୋନିକୁ। ସୋନିର ବି ଅହେତୁକ ଦୁର୍ବଳତା ଥିଲା ମାମୁଁ ଘର ପ୍ରତି। ଦଶମ ପରୀକ୍ଷା ପରେ ଗାଁ ପାଖରେ କଲେଜ ନ ଥିବାରୁ ମାମୁଁ ଘରେ ରହି ପଢିବାକୁ ଏକ ପ୍ରକାର ବାଧ୍ୟ କରିଥିଲେ ମାମୁଁ ମାଇଁ। ଏମିତି ବି ସୋନି ପ୍ରାୟ ମାମୁଁ ଘରକୁ ଯାଏ ଭଲ ମନ୍ଦରେ। ତେଣୁ ଘରେ ସମସ୍ତେ ରାଜି ହୋଇଥିଲେ।


    ମାମୁଁ ଘରେ ମାମୁଁ ମାଇଁ ଏବଂ ତାଙ୍କର ଦଶ ବର୍ଷର ପୁଅ ତପୁ ସହିତ ସୋନିର ବେଶ ହସ ଖୁସିରେ କଟିଯାଏ ଦିନମାନ। କଲେଜରେ ସୋନି ପାଇଁ ସମସ୍ତେ ଅଜଣା। ସବୁ ମୁହଁ ନୂଆ। ସୋନି ସହଜରେ କାହା ସହ ବି ମିଶି ପାରେନି। କେବଳ ସୁବାଷକୁ ସେ ଜାଣିଛି, ସୁବାଷ ମାମୁଁ ଘର ଗାଁର। ବେଳେବେଳେ ମାମୁଁ ଘରକୁ ଯିବା ଆସିବା ବି କରେ। ଘରେ କିଛି ଜରୁରୀ କାମ ପଡିଲେ ସୁବାଷକୁ ଖୋଜା ହୁଏ। ସୋନି କେବେ ସୁବାଷ ସହ କଥା ହୁଏନି, ଯାହା ଯିବା ଆସିବା ବେଳେ ଯାହା ଦେଖା ସାକ୍ଷାତ। ସୁବାଷ ବି କେବେ ଚେଷ୍ଟା କରେନି ସୋନି ସହ କଥାବାର୍ତ୍ତା କିମ୍ୱା ମିଳାମିଶା କରିବାକୁ।


    ସୋନିକୁ କାହିଁକି କେଜାଣି ସମ ବୟସ୍କ ଅଜଣା ପୁଅ ମାନେ ଭାରି ବିରକ୍ତ ଲାଗନ୍ତି? ସେମାନଙ୍କ ପାଖରେ ନିଜକୁ କେବେ ସହଜ ମନେ କରେନି ସେ। ମୁଣ୍ଡରେ ବିଭିନ୍ନ ଦୁଃଶ୍ଚିନ୍ତା ଘୁରି ବୁଲେ। ତେଣୁ ସେମାନଙ୍କ ଠୁ ଦୁରେଇ ରୁହେ ସଦା ସର୍ବଦା। ତେଣୁ ସୁବାଷକୁ ଦେଖିଲେ ଭାରି ବିରକ୍ତ ଲାଗେ ତାକୁ।


     ସେଦିନ ସୋନିର କ୍ଳାସ ନ ଥିବାରୁ କମନ ରୁମରେ ବସିଥିଲା, କଲେଜର ଜଣେ ସିନିୟର ପିଲା ସୋନିକୁ କମେଣ୍ଟ ମାରି କହିଲା, "ଚିଲିକାରୁ ଗୋଟେ ସୁନ୍ଦର ପକ୍ଷୀ ଉଡି ଆସିଛି ଆମ କଲେଜକୁ। ଦେଖିବା ପୋଷା ମାନୁଛି କି ନାହିଁ?"


     ସୋନିର ଭୟ ଏବଂ ଅପମାନରେ ଦେହ ହାତ ଥରିଲାଣି। କାନ୍ଦି କାନ୍ଦି ଲୁହ ଲହୁ ଏକାକାର। କିଛି ପିଲା ସୁବାଷକୁ ଯାଇ କହିଲେ, ଘଟି ଥିବା ଘଟଣା ସବୁ। ସୁବାଷ ଯେତେ ପଚାରିଲେ ବି କାନ୍ଦିବା ଛଡା କିଛି କହୁ ନ ଥାଏ ସୋନି। ସଙ୍ଗେ ସଙ୍ଗେ ସୁବାଷ ମାମୁଁଙ୍କୁ କଲେଜ ଡକାଇବା ସହ ପ୍ରିନ୍ସପାଲଙ୍କୁ ଲିଖିତ ଆକାରରେ ସମସ୍ତ ଘଟଣା ଜଣାଇଲା। ପ୍ରିନ୍ସପାଲ, ମାମୁଁ ଏବଂ କଲେଜର ସମସ୍ତ ପିଲାଙ୍କ ଆଗରରେ ଅଭିଯୁକ୍ତକୁ ଭୁଲ ମଗାଇବା ସହିତ ଆଗକୁ ଏପରି ନ କରିବାକୁ ସତର୍କ କରାଇଲେ। ଏବେ ସୁବାଷକୁ ଗଡ଼ ଜିତିଲା ପରି ଲାଗୁଥାଏ। ସୋନି ତା ଅଜାଣତରେ ଦୃଦୟର ଅଜଣା ଅଗଣାରେ ଜାଗାଟିଏ ସୃଷ୍ଟି କରିଥାଏ, ସୁବାଷ ପାଇଁ।


    ସୋନି ଏବଂ ସୁବାଷ ଏବେ ସାଙ୍ଗ ହୋଇ କଲେଜ ଆସନ୍ତି l ସୁବାଷକୁ ତା ପୁଅ ସାଙ୍ଗ ମାନେ ସୋନି ନାଁରେ ଚିଡ଼ାନ୍ତି l ସୁବାଷ ସଫେଇ ଦେଇ କହେ, "ହେ ! ସେମିତି ଗୋଟେ କ'ଣ କହୁଛ? ଆମ ଘର ପାଖରେ ତାଙ୍କ ମାମୁଙ୍କ ଘର l ମୁଁ ଆସିଲା ବେଳେ ସେ ଵି ଆସୁଥାଏ l ଆଉ କ'ଣ ମୁଁ ନଟାରେ ନଆସି ସେ ଆସି ସାରିଲା ପରେ ଏଗାର ଟାରେ ଆସିବି? "


     ସମୟ ଗଡିଚାଲେ। ଉଭୟଙ୍କ ମନରେ ଅନେକ ଆଶା ଅନେକ ଆକାଂକ୍ଷା। କେହିବି କାହାକୁ କହି ପାରନ୍ତି ନାହିଁ ମନ ଗହନର ଅକୁହା କଥା ସବୁ। ସୁବାଷର ସାଙ୍ଗ ମାନେ ସୁବାଷ କୁ ଆକ୍ଷେପ କରି କୁହନ୍ତି, କେଡେ ମାଇଚିଆ ଟାରେ ତୁ। ଭଲ ପାଉଛୁ କହିବାକୁ ଏତେ ଡର। କିନ୍ତୁ ସୁବାଷ ଭାବୁଥାଏ ଯଦି ଏସବୁ ଶୁଣି ସୋନି ରାଗରେ ସବୁ ସମ୍ପର୍କ କାଟିଦିଏ। ଯଦି ସେ ତାକୁ କେବଳ ବନ୍ଧୁ ଭାବରେ ଦେଖୁଥାଏ।


     ଏହା ଭିତରେ ସରିଯାଏ କଲେଜ ସମୟ। ସୋନି ଫେରିଯାଏ ତାଙ୍କ ଗାଁକୁ। କିନ୍ତୁ ସାଙ୍ଗରେ ଆଣିକି ଆସେ ଅନେକ ସ୍ମୁତି, ଅସୁମାରୀ ସ୍ୱପ୍ନ, ଅନେକ ଆଶା ଆଉ ତା ସହିତ ସୁବାଷର ଫୋନ ନମ୍ବର। ଉଭୟ ଉଭୟଙ୍କ ଠୁ ଦୂରେଇ ଗଲାପରେ ଜଣେ ଅନ୍ୟ ଜଣଙ୍କର ଆବଶ୍ୟକତା ଅନୁଭବ କରନ୍ତି।


    ସୋନିର ସବୁବେଳେ ଇଚ୍ଛା ସୁବାଷ ସହ କଥା ହେବା ପାଇଁ ହେଲେ ନିଜ ଆଡୁ ଫୋନ କରି ପାରେନି। ଆଉ ସୁବାଷ ଫୋନ କରେ, ଭଲ ମନ୍ଦ ସୁଖ ଦୁଃଖ ଏମିତି କେତେ କଥା କୁହେ କିନ୍ତୁ କହି ପାରେନି ମନ ତଳର ସେଇ ଦୁଇ ପଦ କଥା କିନ୍ତୁ ନିଜ ଭିତରେ ଛଟପଟ ହୁଏ ସେ। ପର ଦିନ ନିଶ୍ଚିତ କହିଦେବା ପାଇଁ ସାହସ ନେଇ ରହିଯାଏ। ଦିନ ପରେ ଦିନ, ସପ୍ତାହ ପରେ ସପ୍ତାହ, ମାସ ପରେ ମାସ ଗଡିଚାଲେ। କିନ୍ତୁ ହୃଦୟ ଭାଷା ଓଠର ଏରୁଣ୍ଡି ଡେଇଁ ପାରେନି। ସବୁ ଦିନ ସୋନି ପାଖକୁ ସୁବାଷର ଫୋନ ଆସେ। କିଛି କଥା ନ ଥାଏ କିନ୍ତୁ ଅନେକ କିଛି କଥା ହୁଅନ୍ତି। ମାତ୍ର ଅପେକ୍ଷା ଥାଏ ସବୁ କିଛି କି...


    ଚାହୁଁ ଚାହୁଁ ବିତିଗଲା ବର୍ଷେ। ଏ ବର୍ଷ ରଜରେ ସୋନି ପୁଣି ମାମୁଁ ଘରେ। ସୋନିର ଦେହ ଆଉ ମନରେ ଅନେକ ପରିବର୍ତ୍ତନ। ଯୌବନର ଅପୂର୍ବ ଶିହରଣ ଯେମିତି ଲହଡ଼ି ଭାଙ୍ଗି ଲୋଟି ଯାଉଛି ମଥା ଠୁ ତଳିପା ଯାଏଁ। ସତେ ଯେମିତି ସେ ଉପବନର ସଦ୍ୟ ପ୍ରସ୍ଫୁଟିତ ରକ୍ତ ଗୋଲାପ। ତାର ବାସରେ, ତା ହସରେ ଆନମନା ତା ପ୍ରେମିକ ପ୍ରବର ସୁବାଷ। ଅପୂର୍ବ ସଂଯୋଗ, ପହିଲି ରଜରେ ସୋନି ଆଉ ସୁବାଷ ବାହାରିଲେ କୋଣାର୍କ ବୁଲିଯିବା ପାଇଁ। ପହିଲି ଆଷାଢ଼ରେ ଭିଜା ମାଟିର ଭୂରୁ ଭୂରୁ ବାସ୍ନାରେ ସସାଗରା ଧରା ଆନମନା। ଏକ ଅଜଣା ପୁଲକରେ ସମସ୍ତେ ଅସ୍ତବ୍ୟସ୍ତ। ତା ଭିତରେ ସୋନି ଆଉ ସୁବାଷ ବି କିପରି ନିସ୍ତାର ପାଇବେ। କୋଣାର୍କର ସମୁଦ୍ର କୁଳିଆ ବିସ୍ତୀର୍ଣ୍ଣ କଳା ମଚ ମଚ ରାଜପଥରେ ତୀର ବେଗରେ ଛୁଟୁଥାଏ ସୁବାଷର ବାଇକ। ଆଉ ତା ଠୁଁ ହଜାର ଗୁଣ ଅଧିକ ବେଗରେ ଦୁହିଁଙ୍କର ମନ। ଏମାନଙ୍କର ସ୍ୱପ୍ନର କୋଣାର୍କ ନିକଟରେ ବାରଶହ ବଢ଼େଇଙ୍କର ହାତ ତିଆରି କୋଣାର୍କ ବି ଲାଗୁଥାଏ ଫିକା।


   କୋଣାର୍କର ଅପୁର୍ବ କାରୁକାର୍ଯ୍ୟକୁ ମନଭରି ଉପଭୋଗ କରୁଥାନ୍ତି ଉଭୟ। କେତେବେଳେ ସୋନି ଧରିଥାଏ ସୁବାଷର ହାତ, ତ କେତେବେଳେ ସୁବାଷ ଧରିଥାଏ ସୋନିର ହାତ। ଏକ ଅଜଣା ପୁଲକରେ ପୁଲକିତ ହେଉଥାଏ ଉଭୟଙ୍କ ଦେହ ମନ ଆଉ ଆତ୍ମା। ମନ୍ଦିରରେ ବୁଲାବୁଲି ସାରି ନବଗ୍ରହଙ୍କୁ ପୂଜାକରି ଅଗ୍ରସର ହୁଅନ୍ତି ରାମଚଣ୍ଡୀଙ୍କ ଦର୍ଶନରେ। ଆକାଶରେ ମେଘ ରାଜାର ଅଭିନବ ସାମ୍ଭାର। ଅସ୍ତଗାମୀ ସୂର୍ଯ୍ୟଙ୍କ ଲୋହିତ କିରଣରେ ସାଗରର ରାଶି ରାଶି ଜଳ ରାଶି ରକ୍ତିମ। ବିସ୍ତୀର୍ଣ୍ଣ ବେଳାଭୂମିର ଲଙ୍ଗଳା ବୁକୁ ଉପରେ ଦୁଇଟି ପ୍ରେମ ପକ୍ଷୀ ଭାବନାରତ। ଏପରି ଏକ ସୁନ୍ଦର ମୁହୂର୍ତ୍ତରେ ସୋନି ଭାବୁଥାଏ ଆଉ ଘଡ଼ିଏ ରହି ଯାଆନ୍ତାନି ଏ ସୂର୍ଯ୍ୟ। ସେ ଆଉ କିଛି ସମୟ ପାଇଁ ପାଇ ପାରନ୍ତା ସୁବାଷର ସାନ୍ନିଧ୍ୟ। କଥାରେ କଥାରେ ଛୁଇଁ ହୋଇଯାଏ ଉଭୟ ଉଭୟଙ୍କ ଶରୀର। ଏକ ଅପୁରନ୍ତ ପୁଲକ ଜୁଆରିଆ ନଈର ଢେଉ ପରି ବହିଯାଇ ଦେହ ଆଉ ମନକୁ ପ୍ଲାବିତ କରୁଥାଏ ଉଭୟଙ୍କୁ। ଅସ୍ତଗାମୀ ସୂର୍ଯ୍ୟର ଗୋଧୂଳି ବେଳାର ରକ୍ତିମ ଆଭାରେ ଆହୁରି ସୁନ୍ଦର ଦିଶୁଥାଏ ସୋନି। ଉଭୟଙ୍କୁ ଘାରି ଥାଏ ଦୁଇଟି ହୃଦୟ ଏକ ହୋଇଯିବାର ଦୁର୍ବାର ପିପାସା।

     ସନ୍ଧ୍ୟା ଆଗତ। ଚାରିଆଡେ ମେଘର ରାଜୁତି। ଏପରି ଏକ ସୁନ୍ଦର ପରିବେଶରେ ସୋନି ମନର ସବୁ ଅସମାହିତ ପ୍ରଶ୍ନପୁଞ୍ଜ ମଧ୍ୟରେ ସୁବାଷ କୋଳେଇ ନେଲା ସୋନିକୁ ଖୁବ ନିବିଡ଼ ଭାବରେ। ସୋନି ଅପ୍ରସ୍ତୁତ ଏବଂ ଅପରାଜିତ। ପ୍ରାଣପ୍ରିୟଙ୍କ ପ୍ରଥମ ସ୍ପର୍ଶରେ ସେ ଆଜି ଆମୋଦିତ, ବିମୋହିତ ଏବଂ ରୋମାଞ୍ଚିତ। ପ୍ରେମର ସପ୍ତରଙ୍ଗର ବର୍ଣ୍ଣ ବିଭାରେ ଉଭାସିତ ପ୍ରତେକ ମୁହୂର୍ତ୍ତ। ଆଉ ଦୂର ଦିଗବଳୟରେ ମେଘ ସହିତ ଜହ୍ନର ଲୁଚକାଳି ଖେଳ। 


      ଏବେ ଫେରିବାକୁ ପଡିବ। ସୁବାଷର ବାଇକ ଛୁଟିଲା ଘର ଅଭିମୁଖେ। ଏବେ ଦୁହେଁ ଦୁହିଁଙ୍କ ପାଖରେ ଖୁବ ସହଜ ଅନୁଭବ କରୁଥାନ୍ତି। ହସ ଖୁସିର ମାହୋଲ ଭିତରେ ଦୁହେଁ ସାଉଁଟି ଚାଲୁଥିଲେ ସ୍ୱପ୍ନର କୋଣାର୍କ ଯେଉଁଥିରେ ଥିଲା ରାଶି ରାଶି ଭଲ ପାଇବା, ଅସୁମାରୀ ଆଶା, ଅଗଣିତ ସ୍ୱପ୍ନ ଆଉ ଅନେକ ମଧୁର ଅନୁଭୂତି ଭରା ନିଷ୍କାମ ଭଲପାଇବା।


Rate this content
Log in

More oriya story from Seetaram Dash

Similar oriya story from Romance