Soumya Shubhadarshinee

Romance Tragedy

3  

Soumya Shubhadarshinee

Romance Tragedy

ଅଭିସନ୍ଧି

ଅଭିସନ୍ଧି

4 mins
169



 ଅମ୍ଳଜାନ ଭଳି ତୁମକୁ ଶୋଷି ନେବାର ଇଚ୍ଛାଟିଏ ଶୋଇଛି ଆଜିବି ଭିତରେ ଅଜଗର ଭଳି । ଜାଣିନି କେବେ ଉଠିବ ସେଇ ଭୁଜଙ୍ଗ ଆଉ ଗିଳି ନେବ ମୋ ଯୁଗ୍ମ ଜୀବନର ଅସ୍ତିତ୍ୱ । 


 ଏମିତି କାହିଁକି ହୁଏ କହିଲେ ମୋ ପାଖରେ ତା'ର କୌଣସି ଉତ୍ତର ନାହିଁ । ଏଇଟା ଗତାନୁଗତିକ । ଯେମିତି ନୂଆ ବର୍ଷ କି ଦଶହରା । ଆସେ, ଆସିବାର ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହୁଏ ନାହିଁ । ହେବା ସମ୍ଭବ ନୁହେଁ । ନୂଆ ବର୍ଷ ଆସିଲେ ଗ୍ରୀଟିଂ କାର୍ଡ ବଣ୍ଟା ହୁଏ , ଦଶହରା ଆସିଲେ ଦେବୀ ମେଢ଼ ଦେଖା ହୁଏ ଆଉ ତୁ ଆସିଲେ ମୋ ଭିତରେ ଉନ୍ମାଦନା ଫେଣ୍ଟା ହୁଏ । ବଣୁଆ ଫୁଲଟେ କେବଳ ତୁ । କିନ୍ତୁ ମୋ ପାଇଁ ଗୋଟେ ଆକର୍ଷଣ । 


ତୋତେ ଭଲ ନାଁ ଦେଇଛି ମୁଁ 'ଆଦିମ ଆକର୍ଷଣ' କାରଣ ତୁ ସତରେ ବଣ୍ୟ ସମ୍ମୋହନଟେ ମୋ ପାଇଁ । ବାସ୍ନା ତୋର ମୋତେ ପାଗଳ କରେ । ମୁଁ ରହି ପାରେନି ଘର ଭିତରେ । କରି ପାରେନି କିଛି ଠିକ ଭାବରେ । ନିଦରେ ମଧ୍ୟ ତୋ ସାନିଧ୍ୟ ଖୋଜେ । ତୋ ଆକର୍ଷଣ ଅପ୍ରତିହତ । 


  ଜାଣିଛୁ ଯେବେ ସେ ଥିଲେ ମୋ ଜୀବନରେ , ଯାହାକୁ ମୁଁ ମୋ ପ୍ରେମ ବୋଲି ଭାବୁଥିଲି , ଯେଉଁଠି ମୁଁ ନିଜକୁ ହଜେଇ ଦେଇଥିଲି ଆଦ୍ୟ ଯୌବନରେ , ଯେଉଁଠି ମୁଁ ସବୁ କିଛି ହରେଇ ଆନନ୍ଦିତ ହେଉଥିଲି । ସେଇ ତାଙ୍କ କଥା ମନେ ପଡେ ତୁ ବାସିଲେ ବହୁତ । ଖାସ ସେଇଥିପାଇଁ ଅନେକ ଦିନ ପର୍ଯ୍ୟନ୍ତ ମୁଁ ନିଜକୁ ପ୍ରତାରିତ କରିଥିଲି । ଯେବେ ତୁ ଫୁଟୁ ଥିଲୁ ମୁଁ ଜୋର ଜବରଦସ୍ତ କରି ନିଜକୁ ତୋଠାରୁ ଦୁରେଇ ରଖୁଥିଲି । ବାରବାର ମିଛ ପ୍ରବୋଧନା ଦେଉଥିଲି , '' ତୋ ବାସ୍ନା କେବଳ ପବନର ଖେଳ ବ୍ୟତୀତ କିଛି ନୁହେଁ । ଆଦିତ୍ୟଙ୍କ ସହ ତୋ ବାସ୍ନା ର କୌଣସି ସମ୍ପର୍କ ନାହିଁ । ''


 କିନ୍ତୁ ମିଛ କହୁଥିଲି , ସତରେ ମିଛ କହୁଥିଲି ମୁଁ । ଆଦିତ୍ୟ କାହିଁକି ବୁଝିଲେ ନାହିଁ । ସେ ମୋର ଅସ୍ଥିମଜ୍ଜାରେ ମିଳେଇ ସାରିଛନ୍ତି , ମୋ ଭିତରେ ବିଲୀନ ହେଇଯାଇଛନ୍ତି । ମୁଁ ପାରିବିନି କେବେ ପାରିବିନି , ଆଦୌ ନୁହେଁ । କାରଣ ବଞ୍ଚି ହୁଏନି , କେବେବି ଏମିତି କାହାକୁ ଝୁରିଝୁରି ଅହରହ । ଭାରି କଷ୍ଟ ହୁଏ , ବହୁତ ସତରେ ।


 ତୁମେ କାହିଁକି ଚାଲିଗଲ ଆଦିତ୍ୟ ? ଏଇ ପ୍ରଶ୍ନ ଟା ମୁଁ ପଚାରିବାକୁ ଚାହେଁନା , ବିଲକୁଲ ଚାହେଁନା । କାରଣ ଉତ୍ତର ଜାଣିବାକୁ ମୋର ଇଚ୍ଛା ନାହିଁ । ଉତ୍ତର ଜାଣି କ'ଣ ପାଇବି ଯେ ?...............


 ଆଦିତ୍ୟ ଆଉ ଆସିବାର ନୁହେଁ , ତାଙ୍କ ସହ ଆଉ ଭେଟ ହେବାର ନୁହେଁ , ତାଙ୍କୁ ନେଇ ଆଉ ସ୍ୱପ୍ନ ଗଢିବାର ନୁହେଁ , ତାଙ୍କୁ ଆଉ ଅନୁଭବ କରିବାର ନୁହେଁ , ତାଙ୍କ ସହ ଆଉ ସୁଖଦୁଃଖ ବାଣ୍ଟିବାର ନୁହେଁ । ଜାଣିଛି ମୁଁ ବେଶ ଭଲ ଭାବରେ ଜାଣିଛିି ।


 ଆଦିତ୍ୟଙ୍କୁ ଭୁଲିଯିବାର ହଜାରେ ଏକ ପ୍ରଚେଷ୍ଟା କରିସାରିଛି ମୁଁ । ବାହାଘର ପରେ , ନିଜକୁ ଘରମନସ୍କ କରିବାର ସମସ୍ତ ପ୍ରଚେଷ୍ଟା କରିସାରିଛି । ଜୀବନ ରଙ୍ଗମଞ୍ଚର ପଟ ପରିବର୍ତ୍ତନକୁ ନିଷ୍ଠୁର ବାସ୍ତବତା ବୋଲି ମାନି ସାରିଛି । ଅବିନାଶଙ୍କ ଭିତରେ ନିଜକୁ ଆବଦ୍ଧ କରିବାର ପ୍ରାଣପଣେ ସଂଘର୍ଷ ଜାରି ରଖିଛି । ତଥାପି ଆଦିତ୍ୟ ନାମକ ନିଶା ଉତୁରି ଯାଉନି ଖାସ ତୋ ପାଇଁ । ତୋ ବାସ୍ନା , ଆଃ ! ...


 --'' କୁହ ଆଦି ଏଇ ବାସ୍ନା ମୋତେ କାହିଁକି ଏତେ ପ୍ରଲୁବ୍ଧ କରେ ଯେ ?''


--'' ଝିଅ ଗୁଡା ବଡ଼ ଅବୋଧ୍ୟ , ଏକଦମ କଂପ୍ଲିକେଟେଡ଼ , ତାଙ୍କୁ ବୁଝିବା ଭଳି ମଣିଷ ଆଜି ଯାଏଁ ତିଆରି ହେଇନି ବୁଝିଲ ?''


--'' ଏକଦମ କ୍ଲିୟର ବୁଝିଗଲି ।"


--'' ୱେଲ, ଏଇ ବାସ୍ନା ମୋତେ ଭାରି ଅସ୍ୱସ୍ତିକର ଲାଗେ ହେଲା । କେମିତି ମୁଣ୍ଡ ବୁଲେଇ ପକାଏ ।''


--'' ଓଃ !"


--'' ହା ହା ହା......... ସତ କହିଲି , ତୁମକୁ ଦୁଃଖ ଦେବାର କୌଣସି ଷଡ଼ଯନ୍ତ୍ର କରିନି ମୁଁ ହେଲା ।''


---'' ଅବଶ୍ୟ , ତୁମେ ସତ କୁହ ସବୁବେଳେ।"


--'' ହଁ ଯେ ହେଲେ ପ୍ରେମ ପାଇଁ ଲୋକ

 ମିଛର ଅଧିକ ସାହାରା ନିଅନ୍ତି ବୋଲି ମୁଁ ଭାବେ ।"


--'' ମାନେ ?''


--" ହା ହା ହା ..........


  ମେଞ୍ଚେ ଫୁଲ ଧରି ଥିଲ ତୁମେ ହାତରେ ଆଦିତ୍ୟ । ମୋତେ ଭିଜେଇ ଦେଉଥିଲ ସେ ବାସ୍ନାରେ । ମୁଁ ହଜି ଯାଉଥିଲି , ସରି ଯାଉଥିଲି , ଫୁଲ ହେଇ ଫୁଟି ପାରୁଥିଲି ତୁମ ମନରେ । କେତେ ସତ ଲାଗୁଥିଲା ସବୁ ଏକଦମ ସତ । ଶତକଡା ଶହେ ରୁ ଶହେ ।


 ତୁମେ କିନ୍ତୁ ସବୁବେଳେ କହୁଥିଲ ମୁଁ ପ୍ରେମ କରେନି କାହାକୁ । ବିଶ୍ୱାସ କରେନି ସମ୍ପର୍କରେ । ସେସବୁ ଭାରି ଅଡୁଆ । ମୁଁ ଏଇ ଫୁଲର ବାସ୍ନା ଭଳି ଥିବି ଅନୁଭବ ଭିତରେ କିନ୍ତୁ ଦିଶିବି ନାହିଁ , ଛୁଇଁ ପାରିବ ନାହିଁ ତୁମେ 

ମୋତେ । ମୁଁ କିନ୍ତୁ ତୁମ ଦାର୍ଶନିକ କଥା ଗୁଡାକୁ କେବଳ କଥା ଭାବିଥିଲି । ଏମିତି କେବଳ ଏମିତିହିଁ କହୁଛ , ଟିକେ ବେଶୀ ରୋବାଵ ଝାଡୁଛ , ହଟକେ ଦେଖେଇ ହେଉଛ । ଝିଅ ଗୁଡା କିନ୍ତୁ ଏମିତି ମଣିଷଙ୍କ ପାଇଁ ପାଗଳୀ ହୁଅନ୍ତି ହୁଁ ।


 

 କିନ୍ତୁ ହେଲାନି ଏମିତି । ତୁମେ ସତରେ ନିରୁଦ୍ଦିଷ୍ଟ ହେଇଗଲ ବିନା କିଛି ପୂର୍ବ ସୂଚନା ଦେଇ । କାହିଁକି ଏମିତି କଲ ସେତକ ମଧ୍ୟ ପଚାରିବାର ସୁଯୋଗ ନଦେଇ । ବାସ୍, ହଜିଗଲ ଏମିତି ଯେମିତି ରୁମାଲ ଗୋଟେ କି କଲମ ଗୋଟେ ହଜିଯାଏ ଅଜାଣତରେ । 

ମୁଁ କିନ୍ତୁ ଖୋଜିଲି ଅସ୍ତବ୍ୟସ୍ତ ହେଇ ,ବିକଳ ହେଇ , ପାଗଳୀ ହେଇ । ଜଣ ଜଣକୁ ଟିକିନିଖି ପଚାରିଲି । ଏମିତି ବୋଧେ କେହି ବଞ୍ଚି ନଥିଲେ କଲେଜରେ ଯାହାକୁ ମୁଁ ତୁମ କଥା ପଚାରି ନାହିଁ । ଆମେ ଏକାଠି ଥିବା ସମୟରେ ଯେତିକି ଗୋପନ ଥିଲା ଆମ ପ୍ରସଙ୍ଗ ତା'ର ହଜାରେ ଗୁଣ ଅଧିକ ପ୍ରଚାର ହେଇଛି କେବଳ ତୁମକୁ ଖୋଜିବାରେ ।


 କିନ୍ତୁ କେହି ଜାଣିନି ତୁମେ କେଉଁଠି ? ମୁଁ ଏଇ ଇଣ୍ଟରନେଟ୍ ଭିତରେ ମଧ୍ୟ ଖୋଜିଛି ତୁମର ଅଦୃଶ୍ୟ ଉପସ୍ଥିତି । କିନ୍ତୁ ନାଁ ! ଜିଦଖୋର ମଣିଷ ଗୋଟେ ହଜିଗଲେ ମିଳେନି ଆଉ । ଏଇ ତଥ୍ୟ କେବଳ ଉନ୍ମୋଚିତ ହେଇଛି ବାରମ୍ବାର । ତେଣୁ ତୁମକୁ ଭୁଲିବାର ଅଵଶ୍ୟକତା ମୋ ପାଇଁ ଖୁବ୍ : ବଞ୍ଚିବା ଲାଗି । ରୋଜ ନହେଲେ ମରିବି ମୁଁ ତୁମ ଅନୁପସ୍ଥିତିର ଜ୍ୱାଳାରେ ଜଳି ଜଳି ।



 ମୁଁ ନିଜେ କହିଛି ଅବିନାଶଙ୍କୁ ତୋ ବାସ୍ନା ଆଉ ତା' ପ୍ରଭାବ କଥା । ଅବଶ୍ୟ ତାଙ୍କୁ ଏସବୁ କହିବାର ଅଵଶ୍ୟକତା ନଥିଲା କିନ୍ତୁ ମୋର ତ ନିଜ ଉପରେ ନିୟନ୍ତ୍ରଣହିଁ ରୁହେନି ତୋ କଥା ଆସିଲେ । ପେନ୍ଥାପେନ୍ଥା ଫୁଲ ହେଇ ତୁ ଯେବେ ଆସୁ ମା' ଙ୍କ ଅବାହାନୀ ସହ , କାଶତଣ୍ଡୀ ସହ ମୋ ଭିତରେ କିଛି ଗୋଟେ ହୁଏ । ପ୍ରବଳ ଭାବରେ ମାଡ଼େ ଗୋଟେ ଇଚ୍ଛା । ସେଇଟା ମୋର ନିଜସ୍ୱ ପ୍ରବୃତ୍ତି ।


 ତେଣୁ ଜାଣୁ ଏବେ ଅବିନାଶ ସେଇ ତୋରି ଫୁଲ ପେନ୍ଥାଟିଏ ନିତି ଆଣି ରଖୁଛନ୍ତି ମୋ ଘରେ । ହୁଏତ ମୋ ଲାଗି ତାଙ୍କର ଆବେଗ ଦେଖେଇବାର ଉପକ୍ରମ କରୁଛନ୍ତି ଏମିତି । କିନ୍ତୁ ଭାରି ଅପରାଧୀ ଅପରାଧୀ ଲାଗୁଛି ମୋତେ । କାରଣ ତୋ ବାସ୍ନା ଆସିଲେ ସେଇ ଜିଦଖୋର ମଣିଷର : ଆଦିତ୍ୟଙ୍କ ସ୍ମୃତି ଧସେଇ ପଶି ଆସୁଛି ଆଜିବି ; ଆମ ଯୁଗ୍ମ ଜୀବନକୁ କ୍ଷତାକ୍ତ କରିବାର ଗୋଟେ ଦୁଷ୍ଟ ଅଭିସନ୍ଧି ନେଇ ।


 


   


Rate this content
Log in

Similar oriya story from Romance