Pratima Das

Inspirational Romance Tragedy

4.8  

Pratima Das

Inspirational Romance Tragedy

ଆଉ ଥରେ କହି ପାରିଥାନ୍ତ

ଆଉ ଥରେ କହି ପାରିଥାନ୍ତ

12 mins
1.0K


      

ସମର ଦାସ ଚିଫ୍ ଏକଜିକ୍ୟୁଟିଭ ଅଫିସର ଏକ ପ୍ରାଇଭେଟ୍ ଟିଭି ଚ୍ୟାନେଲର । ନିଜ କ୍ୟାବିନରେ ବସି ସ୍ର୍କିନ ଉପରେ କିଛି ଚେକ୍ ଚାକ୍ କରୁଥିଲେ । ଏମିତିରେ ଏସବୁ କାମ ପ୍ରୋଗ୍ରାମିଙ୍ଗ ଅଫିସର କରିଥାନ୍ତି । କିଛି ମୁଖ୍ୟ ପ୍ରୋଗ୍ରାମ ସମରଙ୍କୁ ଛାନଭିନ କରିବାକୁ ପଡେ । ହଠାତ୍ ଆଖି ପଡିଛି ଏକ କବିତା ଆସର ପ୍ରୋଗ୍ରାମ ଉପରେ । ଆରେ ଏ କିଏ ? ହିରଣ୍ମୟୀ ମହାପାତ୍ର । ଆପେ ଆପେ ପାଟିରୁ ବାହାରି ଗଲା ...ଏ ମୋ ହିରଣ୍ମୟୀ ନୁହେଁ ତ ?? ନିରୂତା ସମ୍ପର୍କଟି ଏମିତି ବା!!!ଯେତେ ପୁରୁଣା ହେଉ ମୋର କହି ମାଡ଼ି ବସିବ,କୁଣ୍ଢାଇ ପକାଇବାକୁ ଇଚ୍ଛା ହେବ । ରେକର୍ଡିଂ ଚାଲିଛି । ହିରଣ୍ମୟୀ କବିତାଟି ଶୁଣାଇବା ଆରମ୍ଭ କଲେ । ହିରଣ୍ମୟୀଙ୍କ କବିତା’ର ପ୍ରତିଟି ଧାଡି ସମର ଶୁଣି କହି ଚାଲିଲେ, ଆରେ ଏପରି କଥା ତ ସେବେ ହୋଇଥିଲେ, ସେ କ୍ଲାସ ସାରି ଫେରୁଥିବା ବେଳେ । ଆରେ ସେମିତି କଥାବାର୍ତ୍ତା ତ ସେ କ୍ୟାଣ୍ଟିନ ପାଖେ ମୁଁ କହିଥିଲି ସେହିଦିନ ହିରଣ୍ମୟୀଙ୍କୁ । ଆଉ କବିତା’ର ଏ ଶେଷ ପଂକ୍ତିତ, ହିରଣ୍ମୟୀଙ୍କ ପ୍ରତି ଥିବା ମୋ ଭଲ ପାଇବାର ଯବନିକା ପଡିବାର ଶେଷ ସଂଳାପ । କବିତା’ର ଶୀର୍ଷକ ଥିଲା, #ତୁମେ ଆଉଥର ତ କହି ପାରିଥାନ୍ତ#

ଏ କବିତା ହିରଣ୍ମୟୀ ଆଉ ମୋର ଅଧୁରା ପ୍ରେମ କାହାଣୀକୁ ନେଇ ତା'ହେଲେ ?? 

ଓ ମାଇଁ ଗଡ୍ । ସତରେ ହିରଣ୍ମୟୀ ମୋତେ ନିବିଡ ଭାବରେ ଭଲ ପାଉଥିଲେ । ଆଉ ମୁଁ ବୁଡବକ ବୁଝି ପାରିନି ସେ ଭଲ ପାଇବାକୁ!!! ଦୀର୍ଘ ଆଠବର୍ଷ ହିରଣ୍ମୟୀର ସାହଚର୍ଯ୍ୟ ପାଇବା ପାଇଁ କେତେ କଷ୍ଟ କରିନି । ହେଲେ ହିରଣ୍ମୟୀଙ୍କର କିଛି କଠିନ ନିଷ୍ପତ୍ତି ଏବଂ ଟାଣୁଆ ମୁହଁ ଛିଞ୍ଚଡା କଥା ବାଧିଥିଲା ସମରଙ୍କୁ । ସମର ଏକାଥରେ ମୁହଁ ଫେରାଇ ନେଲେ ହିରଣ୍ମୟୀଙ୍କଠୁ । ଦ୍ଵିତୀୟ ବାର ନିଜକୁ ସୁଯୋଗ ଦେଲେନି ଭାବିବାକୁ । ଆଉ ଥରେ ପଚରା ଯାଇପାରିଥାନ୍ତା ହିରଣ୍ମୟୀଙ୍କୁ ଏକାନ୍ତରେ । ତାଙ୍କ ନିଷ୍ପତ୍ତିକୁ ନେଇ । ସେପରି ନ କରି ବାପାମା ଠିକ କରିଥିବା ଝିଅଟିକୁ ତୁରନ୍ତ ବାହା ହୋଇଗଲେ । ହେଲେ ହିରଣ୍ମୟୀ ହୃଦୟରେ ନେଇଥିବା ସ୍ଥାନଟି ଆଗପରି ରିକ୍ତ ଅଛି । 

ହଁ ଏପରି ବି ହୋଇପାରେ । ହିରଣ୍ମୟୀ ମୋତେ ଭଲ ପାଉ ବି ନ ଥାଇ ପାରେ । କବିଙ୍କ ମୁଣ୍ଡ । କାହାକୁ ବି ନେଇ କିଛି ବି କଳ୍ପନା କରି ପାରନ୍ତି । 

ସମରଙ୍କୁ ଯଦିଓ ହିରଣ୍ମୟୀ ବେଶୀ ସମୟ ଦେଇ ନାହାନ୍ତି ନିଜ ସହିତ ମିଶିବାକୁ, ତଥାପି ସମରଙ୍କ କାକୁତିମିନତୀରେ ହିରଣ୍ମୟୀ ସମରଙ୍କ ସହ ମିଶିଛନ୍ତି । ଏକ ନିଆରା ଗୁଣାତ୍ମକ ଶୈଳୀରେ । ସେହି ମିଶିବାରେ ଶସ୍ତା ଉନ୍ମାଦନା, ଅଯଥା ପ୍ରେମାଳପ ନଥିଲା କି ଚୁମ୍ବନ ଦିଆନିଆର ରୋମାଞ୍ଚ ନ ଥିଲା । ସମର କିନ୍ତୁ ଛଟପଟ ହୁଅନ୍ତି ଅନ୍ୟ ପୁଅଙ୍କ ପରି ସେସବୁ ଶୁଣିବାକୁ ଟିକେ ହିରଣ୍ମୟୀଙ୍କ ପାଖରୁ । ସମ୍ପର୍କ ବିଗିଡ଼ି ଯିବା ଭୟରେ ଚୁପ୍ ରୁହନ୍ତି । 

ହିରଣ୍ମୟୀ ଇଣ୍ଟରନାସନାଲ ପୋଏଟ ମାନ୍ୟତା ପାଇଗଲେଣି । ଖବରକାଗଜରୁ ପଢ଼ିଥିଲେ ସମର । ମୁହଁ ଫେରାଇ ନେଇଥିଲେ ସେଦିନ, ରାଗ ଆଉ ଅଭିମାନରେ । ପୋଡିଗଲା ତିଅଣରେ କ’ଣ ସୁଆଦ ଅଛି ଯେ!! ? ରାଗରେ ସେ ଦିନ ଖବରକାଗଜ ଆଉ ପଢି ନ ଥିଲେ । ତେଣୁ ଆଠ ଦଶ ବର୍ଷ ତଳର ହିରଣ୍ମୟୀ ଆଜି ନୂଆ ନୂଆ ଲାଗୁଥିଲେ । ଏତେ ପାଖରେ ହିରଣ୍ମୟୀକୁ ପାଇ ପୂର୍ବର ଦୁର୍ବଳତା ଜାଗି ଉଠୁଛି ମନରେ । ମନ ମାନୁନି । ମନ ଡେଉଁଛି, ଟିକେ କଥା ହେଲେ ଭଲ ଲାଗନ୍ତା କହୁଛି । ଅଗତ୍ୟା ବାଧ୍ୟ ହୋଇ ଦ୍ରୁତ ଗତିରେ ରେକର୍ଡିଂ ସେକ୍ସନ ପାଖକୁ ଯାଇ ଅପେକ୍ଷା କଲେ । ହିରଣ୍ମୟୀ ବାହାରି ନାହାନ୍ତି ବାହାରକୁ । ଆଉ କାହା ରେକଡିଙ୍ଗରେ ଯୋଗଦାନ ଅଛି ବୋଧେ ତାଙ୍କର । ମନେ ପଡି ଯାଉଛି ସେ ସପ୍ତମ ଶ୍ରେଣୀର ତନୁପାତଳି ଗୋରୀ ଝିଅଟି । ମୁହଁରେ ଏପରି ଏକ ଗୋଲାପି ମିଶ୍ରିତ ଗୋରା ରଙ୍ଗ କହରା ଚୁଟି, ଯେ କୌଣସିକୁ ଆକୃଷ୍ଟ କରିବ । ସାଧାରଣତଃ ଏତେ ଗୋରା ଝିଅ ସେ ଆଖପାଖରେ ସେ ଦେଖି ନ ଥିଲା । ସିଟ୍ ନମ୍ବର ୩୦୮ହିରଣ୍ମୟୀଙ୍କର । ସମରଙ୍କର ୩୦୯ । ପରୀକ୍ଷାର ତୃତୀୟ ଦିନ ସଂସ୍କୃତ । ସମର ଏ ପର୍ଯ୍ୟନ୍ତ ଦୁଇଟା ପରୀକ୍ଷା ଟପ୍ କରିଛନ୍ତି । ଏ ଝିଅଟି କେମିତିକା ଝିଅଟେ ମ । ଶ.. ମୁହଁ ଉଠାଇ ଟିକେ ଚାହୁଁନି । କ’ଣ ଏତେ ଲେଖୁଛି ? ମୋ ଠାରୁ କ’ଣ ଭଲ ଷ୍ଟୁଡେଣ୍ଟ ?? ନା ମ ହୋଇନଥିବ । ଝିଅ ଗୁଡା ବେଶୀ ଦେଖେଇ । 

ଭାଇ ଦେଖେଇ ହେଉ କି ଯାହା । ଆଜି ତା ସାହାଯ୍ୟ ଟିକେ ଦରକାର । ନହେଲେ ସଂସ୍କୃତରେ ମାଡ଼ ଖାଇଯିବ ସମର ଦାସ । ମନକୁ ମନ କହିଲେ । 

ଜିଲ୍ଲାର ଟପ୍ପର ହେବା ଧୂଳିସାତ ହେଲା ଜାଣ । ତେଣୁ ସାହସ ସଞ୍ଚୟ କରି ପଚାରିଲେ, ଟିକେ କହିଦେବ, ଦୁଇ ତିନୋଟି ଆସୁନି । ଠିକ ଅଛିକୁହ । ବାପରେ କି ମିଠା ସ୍ୱର । ଗାଆଁଉଲି ବତୁରା, ପଖାଳଖିଆ, ସଡସଡିଆ, ଗଣଗଣିଆ କଣ୍ଠ ଯାହେଉ ନୁହେଁ ଏ ଝିଅର । ଯାହା ଯାହାପଚାରିଲା ସବୁ ସେ ଝିଅଟି ବିନା ଝିନଝଟରେ ବତାଇ ଦେଲା । ରୁମରେ ଆସି ଉତ୍ତର ଦେଖିଲା ବେଳକୁ ସବୁ ଠିକ ବତାଇଥିଲା । ବାଃ ସୁପର ଗର୍ଲ, ପାଟିରୁ ବାହାରି ଗଲା । ବିଜ୍ଞାନ ଦିନ ଝିଅଟି ଗୋଟିଏ ଉତ୍ତର ପଚାରିଥିଲା, ଭାରୀ ଖୁସିରେ ବତାଇଦେଲାସମର । ମନେ ମନେ ଭାବୁଥିଲା ଆଉ ପଚାରନ୍ତାନି । ସବୁ ଉତ୍ତର କହି ଦିଅନ୍ତି । ମୋର ତ ସରିଲାଣି । ତା'ର ବି ସରିଲାଣି । ଖାଲି ରିଭିଜନ କରୁଛି । ଟିକେ ଅନଉନି ମୋ ଆଡେ । ନା ପଚାରୁନି କିଛି ବି । 

ଆଗୁଆ ପଚାରିଲା ଆଉ କିଛି ଡାଉଟ ଅଛି ତୁମର ହିରଣ୍ମୟୀ ? ମୁଁ ତୁମ ଖାତାରୁ ନାମ ପଢି ନେଇଥିଲି । ମୋ ନାମ ସମର । ସେ ଖାଲି ମୁଣ୍ଡ ହଲାଇଲା । ଖୁସି କି ରାଗ କିଛି ନାହିଁ । ହେଲେ ସେ ସ୍ମିତ ହାସ୍ୟ ମୁହଁରେ ସେପରି ଲାଗିଛି । ଓଠଟି ବମ୍ବେଇ ମିଠେଇ ଖାଇବା ପରି ରଙ୍ଗ । ଦୁଇଟା ଦି ହାତିଆ ମୋଟା ମୋଟା ବେଣୀ ଦି କାନ୍ଧ ଦେଇ ଝୁଲିଛି । ଶେଷ ଘଣ୍ଟା ପର୍ଯ୍ୟନ୍ତ ହିରଣ୍ମୟୀ କାହିଁକି ବସେ କେଜାଣି । ପିଲା ପ୍ରାୟ ବାହାରି ଗଲେଣି । ସମର ଉଠି ଯାଇ ସାରନ୍ତାଣି, ହେଲେ ଉଠୁନି । ଆଜି ପରୀକ୍ଷାର ଚତୁର୍ଥ ଦିନ । ପରୀକ୍ଷା ପରେ ଏକାନ୍ତରେ ପଦେ ଅଧେ ଯେମିତି ହେଉ କଥା ହେବ ହିରଣ୍ମୟୀ ସହ ବୋଲି ଭାବିଥିଲି। ହିରଣ୍ମୟୀ ବାହାରିଲା । ଅନ୍ୟ ଝିଅମାନେ ତା’କୁ ବେଢିଗଲେ । ଦେଖିଲୁ

ଏଇଟା ତୁ କ'ଣ କଲୁ, ସେଇଟା କ’ଣ ହେଲା ଇତ୍ୟାଦି । ସେଠି ସମର ଦେଖିଲା ତାଙ୍କ ଗାଆଁ ନାନୀର ଝିଅ ସବିତା’କୁ । ଯେ ପ୍ରାୟ ଛୁଟିରେ ସମର ଘର ଗାଆଁକୁ ଆସେ । କ’ଣ ଖାଏ କେଜାଣି ସେ ମୋଟି,  ଦିଟା ସମରକୁ ଏକା ସାଙ୍ଗରେ ଉଠାଇ ଫୋପାଡି ଦେବ । 

ଯାହେଉ ହିରଣ୍ମୟୀର ପାଖଲୋକ ହିସାବରେ ଏ ଝିଅଟି ଟିକେ ଚିହ୍ନା ବାହାରିଲା । ଯେ ଆଗକୁ ଯୋଗାଯୋଗର ସେତୁ ହୋଇପାରେ । 

ଏ ସମୟରେ ଏକ ମିଲିଟାରୀ ଲୋକପରି ଛଅ ଫୁଟିଆ ଲୋକଟିଏ ଯିଏକି ହିରଣ୍ମୟୀର ଭାଇ ଆସି ହିରଣ୍ମୟୀକୁ ବାଇକରେ ବସାଇ ନେଇ ଚାଲିଗଲେ । 

କେଉଁଠି ଥିଲେ ଭାଲୁପଲପରି ସାଙ୍ଗଦଳ ପେଲି ଦେଲେ ଦାଉଁକିନା ମୋତ । ପଡ଼ି ଯାଉ ଯାଉ ମୁଁ ଅଟକି ଗଲି । ଶ..ସାଙ୍ଗଗୁଡା ଏମିତି । ମୁଁ ନ ଜାଣିବା ଆଗରୁ ମୋ ପ୍ରଥମ ପ୍ରେମ ବିଷୟରେ, ଏଗୁଡାଙ୍କୁ ବାସ୍ନା ହେଲାଣି । ସେଇଠି ଗୋଟେ ସାଙ୍ଗ ଥାଇ ଗାଇଲାଣି ଗୋରୀ କନିଆଁ.....ସୁନା ପାନିଆଁ, ଆରେରେ କରନା ତୁ ଗୁମାନ...ଆଣିଦେବି.. ନାକଚଣା..ଆମ୍ବ କଷିଆ । 

ତା’କୁ ଚୁପକରି ଚାଲିଲୁ ରୁମକୁ । ଗଣିତ ଆଗ ଦିନ ଦି ଦିନ ଗ୍ୟାପ । କ’ଣ କରିବି ଏତେ ସମୟ । ପାଠ ନାହିଁ ପଢିବାକୁ ବା ପାଠରେ ମନ ଲାଗୁନି । ଗଣିତ ତ ଏପରି ପାଠ ଥରେ କଷିଛ ମାନେ ହେଲା । ଆଉ କିଛି ଥିଓରି, ଫର୍ମୁଲା ଦେଖିଲେ ସରିଲା ।


ଆମେ ଆମ ଗାଆଁରୁ ହିରଣ୍ମୟୀ ଘର ଗାଆଁ ସେଣ୍ଟରକୁ ଆସିଥିଲୁ ପରୀକ୍ଷା ଦେବାକୁ । ଏକ ସ୍କୁଲ ଘରେ ଟ୍ରଙ୍କ, ବାକ୍ସ ବେଡିଂପତ୍ର, ଚୂଡାଚୂନା, ଲଣ୍ଠଣ ଇତ୍ୟାଦି ଧରି ରହିଥାଉ । ସାରଙ୍କୁ କହି ଆମ ମେସ୍ ଭାଇ ସାଙ୍ଗରେ ତାଙ୍କ ସାହିଆଡ ପୋଖରୀକୁ ଗାଧୋଇବାକୁ ଗଲୁ । ମୋ ଉଦ୍ଦେଶ୍ୟ ଅଲଗା।ମୋ ଆଖି ହିରଣ୍ମୟୀକୁ ଖାଲି ଖୋଜୁଥାଏ । କାଳେ ଦେବୀର ଦର୍ଶନଟିକେ ମିଳିଯିବ, ନା ହେଲାନି । ସେ କ’ଣ ବୁଲୁଥିବ କି । ବହିରେ ମୁହଁ ମାଡ଼ି ଦେଇ ପଢୁଥିବ ।ଖାଲି ଗାଧୋଇପାଧୋଇ ଫେରି ଆସିଲୁ। 

*****

ଏହା ଭିତରେ ନଦୀରେ କେତେ ପାଣି ସମୁଦ୍ରକୁ ଚାଲି ଗଲାଣି, ସମୟ କେତେ ପରିବର୍ତ୍ତନର ସ୍ୱାଦ ଚଖାଇ ଆଗକୁ ଦୌଡ଼ି ଚାଲିଛି, ତା’ର ଠିକଣା ନାହିଁ । ସମର ରେକଡିଙ୍ଗ ରୁମର ବାହାରେ ଅପେକ୍ଷା ରତ । ଆଜି ସେ ବିଗତ ଦିନର ସପ୍ତମ ଶ୍ରେଣୀର ଗୋରୀ ନହକି ଝିଅଟି ପାଖକୁ ମନ ପୁଣି ଦୌଡ଼ି ଯାଉଛି । ଯିଏ ମୋ ପ୍ରଥମ ଆସକ୍ତି କହିଲେ ଠିକ ହେବ । କାରଣ ପ୍ରେମର ମାନେ ବୁଝି ନଥିବା ମୋଭଳି ତେର ଚଉଦ ବର୍ଷ ବାଳକ ପାଇଁ ସେ ଆସକ୍ତି ହିଁ ପ୍ରଥମ ପ୍ରେମ ଥିଲା, ସେତେବେଳେ । 

ପରୀକ୍ଷାର ଶେଷଦିନ । ସବୁ ପୁଅପିଲା ଠିକ କରିଥାଉ ଆଜି ଟିକେ ପରୀକ୍ଷା କେନ୍ଦ୍ର ସ୍କୁଲ ହତାରେ ଅଧିକ ସମୟ କାଟିବୁ । ହିରଣ୍ମୟୀକୁ ଏହି କଥାଟି ଜଣାଇ ଦେଲି । ହଁ, ଆମେ ଝିଅମାନେ ବି ଠିକ୍ କରିଛୁ ଟିକେ ଅଧିକ ସମୟ ସ୍କୁଲରେ ରହିବୁ ଯେହେତୁ ଶେଷଦିନ । ଭାଇଙ୍କି ସେଥିପାଇଁ ମନା କରିଛି, ମୋତେ ନେବାକୁ ଆଜି ଆସିବେନି, ହିରଣ୍ମୟୀ କହିଲା । 

ମୁଁ ଖୁସିରେ କହିପକାଇଲି ବଢିଆ ହେବ । ହିରଣ୍ମୟୀ ଟିକେ କଡ଼େଇ ଚାହିଁଲା, ମୁଁ ନିଜକୁ ଜାକି ନେଲି । ଧରା ନ ପଡ଼ିବା ପାଇଁ । ପରୀକ୍ଷା ସରିଲା । ସତେକି ଏମ୍.ବି.ଏ. ପରୀକ୍ଷା ସରିଲା । ମାତ୍ର ସପ୍ତମ ବୋର୍ଡ । କିନ୍ତୁ ସେଇଟି ଆମ ଜୀବନ ରାସ୍ତାର ପ୍ରଥମ ହର୍ଡଲ । କିଛି ବିଶ୍ୱାସ ଜନ୍ମ ନେବ ସେଇଠୁ, କେଉଁଭଳି ଷ୍ଟାଣ୍ଡାର୍ଡ ଆଗକୁ ଏ କଳାକାର ଦେଖାଇବ । 


ସ୍କୁଲ ହତାସାରା ଆମ୍ବଗଛର ଛାଇ, କୋଇଲିରକୁହୁତାନ ଆଉକୁଆଡକୁ ନିଘା ନ ଥିବା ମୋର ହିରଣ୍ମୟୀଆସକ୍ତ ମନ । ଆଖି ପାଖରେ ପାଇବାକୁ ଚାହୁଁଛି କେବଳ ହିରଣ୍ମୟୀକୁ । ପ୍ରେମିକାର ବଡ଼ ଭାଇ ଗୁଡିକ ଜହ୍ଲାଦ ଲାଗନ୍ତି ସବୁ ଯାଗାରେ, ସେ ଆଜି ଆସିବେନି ତେଣୁ ମନଖୁସି, ସାନଭାଇଗୁଡିକୁ ବାର୍ତ୍ତାବହ ରୂପେ ସାହାଯ୍ୟ କରନ୍ତି । ଅଡ଼ୁଆରେ ପକାନ୍ତି ବେଳେ ବେଳେ ମଧ୍ୟ । ହିରଣ୍ମୟୀ ସବିତା ସହ ଆସିଲା । ଆଜି ସବୁ ତା’ହେଲେ ପଳାଇବ ଗାଆଁକୁ, ପ୍ରଥମେ ପଚାରିଲା ମୋତେ । ମୁଁ ମୁଣ୍ତ ହଲାଇଲି । ଏ ସବିତାକୁ କାହିଁକି ଧରି ଆସିଛି ସାଙ୍ଗରେ । ଚିଠିଟି ଦେବି କିପରି ? ଚିଠିଟିଏ ରାତିର ଦୁଇ ଚାରି ଘଣ୍ଟା ସାରି ଲେଖିଛି । ମନ ଦେଇ ଗୋଲାପ ଫୁଲ ଗୋଟାଏ ଗୋଟାଏ ଆଙ୍କି, ଲେଖା ମଝିରେ ମଝିରେ ଦେଇଛି । କେବଳ ସେହିପରି ରୋମାଣ୍ଟିକ ଭାବନାରେ ଥିବା ଚରିତ୍ରଟି ତାହା ଗୋଲାପ ଫୁଲ ବୋଲି ବଡ଼ କଷ୍ଟରେ ଠଉରେଇବ । କାରଣ ମୋର ଚିତ୍ର ହୁଏନି । ତା’l ଭିତରେ ଏକ ଭଙ୍ଗା ହିନ୍ଦୀ ଭାଷାର ସାୟରୀ, ମୋର ଏବେ ବି ମନେ ଅଛି ସେ ସାୟରୀ । ତା' ମାନେ ସେ ସାୟରୀ ମୁଁ କେତେଥର ଘୋଷିଥିଲି ରାତିସାରା ଜାଣି ପାରୁଥିବେ । କାଳେ ହିରଣ୍ମୟୀକୁ ଶୁଣେଇବାକୁ ପଡିବ ବୋଲି, ପାଟିରେ ପାଟିରେ ଘୋଷିଥିଲି । ମୋ ଭଲପାଇବା- କଳ୍ପନାର ପରିସୀମା ବହୁତ ଅଧିକ ଥିଲା । 

ମୋ ସାଙ୍ଗ ପବନା, ଯେ ଆମ ସମସ୍ତଙ୍କ ପ୍ରେମ ଗୁରୁ, ତାଠୁ ଲେଖାଇ ଆଣିଥିଲି ସେ ସାୟରୀ । ଶ..ଆମ ଗାଆଁ ମାଟିର ଛୁଆ ତ, ତା ହିନ୍ଦୀବିକୁଆଡୁ ଠିକ ହେବ, ସବୁ ଭୁଲଭାଲ ବତାଇଥିଲା । ହେଲେ ଲେଖୁଛି ସେ ପ୍ରଥମ ସାୟରୀ ମୋର, ଏବେ ଠିକ କରି । 

इश्क तुझसे करती हूं   मेरी जीन्दगी से ज्यादा

मैं डरति नहीं मौत से   तेरी जुदाई से ज्यादा

कहे तो आजमाले मुझे ।  किसी और से ज्यादा

मेरी जिंदगी में कुछ नहीं  तेरी मोहब्बत से ज्यादा ।


ପକେଟରେ ଖାଲି ହାତ ଭର୍ତ୍ତି କରୁଥାଏ ଚିଠିଟି ଦେଇଦେବି ବୋଲି । ହେଲେ ବୁଢୀ ମା'ପରି ପ୍ରଶ୍ନ ପଚାରିବସିଲା ହିରଣ୍ମୟୀ କେତେ ମାର୍କ ଆସିବ ଭାବିଛ ? ଧେତ ତେରିକା । ଏ ପଢି ପଢି କ’ଣ କରିବ । ଏ କାମକୁ ନୁହେଁ । ସବୁ ମଜାରେ ପାଣି ପକେଇ ଦେଉଛି, ସାଥିରେ ସେ ମୋଟି ସବିତା । ଘୋରା ବରଫଗୋଲା ଖାଇବବୋଲି ହଲା କଲାଣି । ଯିବ ଘୋରା ଆଇସକ୍ରିମ ଖାଇ, ଆମ ସଙ୍ଗେ । ମୁଁ ଖୁସିରେ ହଁ ମାରିଲି । ଯାହାହେଉ ଆଉ କିଛି ସମୟ ଲାଗିବ, ଏ ଅସିଝା ଆଳୁକୁ ସିଝାଇବାକୁ । 


ତିନିହେଁ ଗଲୁ । କାଠରନ୍ଦା ମାରିବା ପରି ଏକ ଯନ୍ତ୍ରରେକୁଣ୍ଡା ଉପରେ ଥିବା ବରଫ ମୁଣ୍ଡାକୁ ରନ୍ଦା ମାରି ସେ ଆଇସକ୍ରିମ ବାଲା ବରଫଗୁଣ୍ଡକୁ ଗୋଲା କରି, ରଙ୍ଗୀନ ସାକାରିନ ପାଣିରେ ବୁଡାଇ ଦେଉଥିଲା । ତିନିହେଁ ଚୁଚୁମି ଚୁଚୁମି ଖାଉଥିଲୁ । ହିରଣ୍ମୟୀ ଓଠକୁ ଚୁଷକି ଆଇସକ୍ରିମର ଗୋଲାପି ରଙ୍ଗ ଆହୁରି ଆକର୍ଷଣୀୟ କଲାଣି । ପଇସା ଦେବାକୁ ଯିଦି କରି ହିରଣ୍ମୟୀ ଆମ ତିନିଜଣଙ୍କ ପଇସା ଦେଲେ । ଚିଠିଟି ଏ ସୁଯୋଗରେ ହିରଣ୍ମୟୀ ହାତକୁ ଦେଉଛି । ହାତ ଥରିଲା, ଆଉ ଆଠଭାଙ୍ଗ ଚିଠିଟି ତଳେ ପଡ଼ିଗଲା । ସଙ୍ଗେ

ସଙ୍ଗେ ମୁଁ ଟିକିଏ ସାହସ କରି ଗୋଟାଇ ପାରିଲିନି, ମୋ ପ୍ରଥମ ପ୍ରେମ ଚିଠି ଉପରେ ଚପଲ ମାଡ଼ି ଛିଡା ହୋଇ ଗଲି । କିଛି ନ ଜାଣିଲା ପରି । 

ହିରଣ୍ମୟୀ କହିଲେ, ଆମେ ଯାଉଛୁ ତା'ହେଲେ । ଆଉ କିଛି କହିବ ?? 

ଆହାଃ ହା ହା । ସେ ଆଉ କିଛି କହିବାରେ ଅନେକ ସମ୍ଭାବନାର ଖିଅ ଗୁଡ଼ାଇ ହୋଇ ଥିଲା ଯେପରି । ମୁଁ ଡରୁଆ କିଛି କରି 

ପାରିଲିନି । କେବଳ ସେ ଚାଲିଯିବାର ବିରହକୁ ଛିଡା ହୋଇ ଦେଖୁଥିଲି । ଚିଠି ଉଠାଇ ସାଙ୍ଗମାନଙ୍କ ପାଖକୁ ଫେରିଲି, ଗୁଡାଏ ଟାହିଟାପରା ଶୁଣୁଥିଲି । ପରୀକ୍ଷା ଫଳ ବାହାରି ଗଲା । ହିରଣ୍ମୟୀ ଟପ୍ କରିଥିଲା ଆମ ଜିଲ୍ଲାରେ, ମୁଁ ଦୁଇ ଚାରିଜଣ ତଳକୁ ଥିଲି । ମୋର ଦୁଃଖ ବଦଳରେ ଖୁସି ଥିଲା । କାରଣ ମୋ ହିରଣ୍ମୟୀ ତ ଟପ୍ କରିଛି । ମୁଁ, ଆମ ଗାଆଁରୁ ଏକ ସର୍ଟକର୍ଟ ରାସ୍ତା ଦେଇ ପ୍ରାୟ ହିରଣ୍ମୟୀକୁ ଦେଖିବାକୁ ଯାଉଥିଲି, ହିରଣ୍ମୟୀର ଅଜାଣତରେ । କାରଣ ତାଙ୍କ ଭାଇ ସେ ଅଞ୍ଚଳର ଏକ ନାମଜାଦ ଧନୀଲୋକ ଥିଲେ, ବାପା ମରି ଯାଇଥିଲେ । ପାଠପଢା ଯେମିତି ସେମିତି ଚାଲିଥାଏ । ସବିତା’କୁ ଦିନେ ଆମ ଗାଆଁରେ ଦେଖି ପୁଣି ଚିଠିଟେ ଲେଖିଲି ଏକ ପୋଖତ ପ୍ରେମିକ ପରି । ଆଉ ସବିତା ହାତରେ ଚିଠିଟି ପଠାଇଲି । ଆତୁର ହୋଇ ଚାହିଁ ରହିଲି ଏକ ନିର୍ଦ୍ଦିଷ୍ଟ ଯାଗାରେ, ସବିତା କ’ଣ ଖବର ଆଣିବ ହିରଣ୍ମୟୀ ପାଖରୁ । ତା' ପରଦିନ ସେ ଚିଠି ଆଣି ସବିତା ଫୋପାଡି ଦେଲା ମୋ ମୁହଁକୁ, କାରଣ ତା’କୁ ସେପରି ନିର୍ଦ୍ଦେଶ ଦିଆଯାଇଥିଲା । କ’ଣ ହେଲା ମୁଁ ପଚାରିଲି, ମଧ୍ୟସ୍ଥି ପାଖରେ କଥା ହେବାକୁ ସାହସ ଥିଲା ମୋର । 

ସବିତା କହିଲା ସେ ବହୁତ କାନ୍ଦିଲା । ତା’ ବୋଉକୁ କହିଲା । ତା' ବୋଉ ବୁଝାଇଲେ ଆରେ ଝିଅଟିକୁ ପୁଅଟେ ଚିଠି ଦେବା ସେମିତି ଗୋଟେ ଅପରାଧ ନୁହେଁ ବା ଖରାପ କଥା ନୁହେଁ, ଯଦି କିଛି ଖରାପ କଥା ଲେଖା ହୋଇନି....... । ତୁ ଇଚ୍ଛା ହେଲେ ପଢ ନହେଲେ ଫେରେଇ ଦେ କିମ୍ବା ଚିରି ଦେ । ତେଣୁ ହିରଣ୍ମୟୀ ଫେରାଇଦେଲା ଚିଠିଟି । ଆଉ ଜାଣିଛ ଦୁଇଟା ମୋତେ ପ୍ରଥମେ କୁନ୍ଦିଲା ପିଠିରେ । କହିଲା ଆଣିଲୁ କାହିଁକି ବେ ? 

ମୁଁ କହିଲି ନ ଆଣିଥିଲେ ସେ ସମର ରାସ୍ତାରେ ପକାଇ ଦେବ କହିଲା । ରାସ୍ତାରେ ଯେ ନାହିଁ ସେ ପଢିଥାନ୍ତା କ’ଣ ଭଲ ହୋଇଥାନ୍ତା । ତା'ପରେ ଯାଇ ମୋତେ ଆଉ କିଛି କହିଲାନି । ନହେଲେ ଚଣ୍ଡୀ ମାରି ପକାଇଥାନ୍ତା ମୋତେ । ଭାଇ ଏବେ ମୋତେ ଛାଡ । ମୁଁ ଉଭୟ ପଟୁ ଧିକ୍କାର ଶୁଣି ପାରିବିନି । 

ବାସ୍, ମୋ ପ୍ରେମ ଚିଠି ସେଇଠି ସମାଧି ନେଲା । ମୁଁ ଯେଉଁ କଳ୍ପନା ରାଜ୍ୟରେ ଥାଇ ଭାବୁଥିଲି ଯେ ହିରଣ୍ମୟୀ କହିପାରୁନି ସିନା ମୋ ଭଳି ସେ ବି ଭଲ ପାଉଥିବ ମୋତେ । ତାହା ମିଥ୍ୟା ସାବ୍ୟସ୍ତ ହେଲା । ଅଦ୍ୟାପି ଆଉ ସାହସ କରିପାରିନି ପ୍ରେମ ପତ୍ରଟିଏ କେବେ ଲେଖିବି ବୋଲି । 

ହିରଣ୍ମୟୀ ପ୍ରତି ମୋ ଆସକ୍ତି, ଭଲପାଇବା ଏକତରଫା ଯାତ୍ରା ଜାରି ରଖିଥାଏ । ମଝିରେ ମଝିରେ ତାଙ୍କ ଗାଆଁ ଆଡେ ଯାଇ ହିରଣ୍ମୟୀ ସ୍କୁଲ ଗଲାଆସିଲା ବେଳେ ଦୂରରୁ ଦେଖି ଚାଲି ଆସେ । ହିରଣ୍ମୟୀ ଧିରେଧିରେ ଏକ ଅପରୂପାରେ ପରିଣତ ହେଉଥାଏ । ମୁଁ ମନେ ମନେ ଶପଥ ନେଉଥିଲି, ଯଦି ବାହାହେବି କେବଳ ହିରଣ୍ମୟୀକୁ । 

ମାଟ୍ରିକ ପରେ ଅନେକ ପିଲା ବାହାରେ ପଢିବା ପାଇଁ ବିଭିନ୍ନ କଲେଜରେ ଦରଖାସ୍ତ ପକାଇଲୁ । ଆମ ଗାଆଁ ଠାକୁରାଣୀଙ୍କୁ ମୁଁ ମାନସିକ କଲି ହିରଣ୍ମୟୀ ଯେଉଁ କଲେଜରେ ପଢିବ ମାଲୋ!! ସେ କଲେଜରେ ସିଟ ଗୋଟେ ଦେବୁ ମୋତେ । କିନ୍ତୁ ହେଲାନି । ମୋତେ ବିଜେବି କଲେଜରେ ସିଟ ନ ମିଳି ରେଭେନ୍ସାରେ ସିଟ ମିଳିଲା, ଚଳିବ । 

ବାସ୍ ତାପରେ ମୋତେ ବିଶେଷ ଅସୁବିଧା ହୋଇନି, ହିରଣ୍ମୟୀର ନିକଟତର ହେବା । ସେ ମୋତେ ଗୋଟେ ଭଲ ସାଙ୍ଗ ରୂପେ ଆପଣାଇଲା, ପାଠ ପଢିବା ଅନୁସାରେ ଟିକେ ସ୍ମାର୍ଟ ହୋଇ ଯାଇଥିଲା ହିରଣ୍ମୟୀ । ମୁଁ ମଝିରେ ମଝିରେ ଆସି ହିରଣ୍ମୟୀ ସହ ଭେଟ ହେଉଥିଲି । ଗାଆଁକୁ ଯିବା ଦିନ ହିରଣ୍ମୟୀ ପାଇଁ ବାଦାମବାଡ଼ିରୁ ସିଟ ରଖି ଆସୁଥିଲି । ତଥାପି ଆମ ଭିତରେ କିଛି ଆଗୋଉ ନ ଥିଲା ସମସ୍ତଙ୍କ ଲଭଷ୍ଟୋରୀ ପରି । ସାଙ୍ଗ ହିସାବରେ କିଛି କିଛି ଭାବ ଆଦାନ ପ୍ରଦାନ ହେଉଥାଏ ଆମ ଭିତରେ । ହେଲେ ହିରଣ୍ମୟୀଙ୍କର କେବେ ଭାବବିହ୍ୱଳ ହେବା, ମୋ ବିନା ରହି ନ ପାରିବା ଦେଖିଲିନି । ସେ ତା ଆବେଗକୁ ମୋ ଭଳି ପ୍ରକାଶ କରେନି । Hiranmayi is a rare piece । ଦୁଇଜଣଙ୍କର ମାଷ୍ଟର ଡିଗ୍ରୀର ଶେଷ ବର୍ଷ । ଏବେ ସମାନ କ୍ୟାମ୍ପସ ଦି ଜଣଙ୍କର । ହିରଣ୍ମୟୀକୁ ବୁଝାଇବା ମୋତେ ସହଜ ଏବେ । 

କ୍ୟାମ୍ପସରେ ଅନ୍ୟ ପ୍ରେମୀ ଯୁଗଳମାନଙ୍କୁ ଦେଖି ଥରେ ପଚାରିଥିଲି, ହିରଣ୍ମୟୀ ତୁମକୁ ଏମିତି କିଛି ଇଚ୍ଛା ହେଉନି ହାତ ଧରାଧରି ହୋଇ ବୁଲିବା, ପାର୍କ ଭିତରେ ଗଛ ତଳେ ଘଣ୍ଟା ଘଣ୍ଟା କାଟିବା, ଆଉ... । 

What's nonsense!!!ଏଇଠି ପଢିବାକୁ ଆସିଛେ, ପ୍ରେମରେ ବରବାଦ ହେବାକୁ ନୁହେଁ?? ସେ ସମୟ ଆସିନି ଏବେ । 


ହଠାତ୍ କଳାହାଣ୍ଡିଆ ମେଘ ବରଷି ଦେଇଗଲା । ବର୍ଷାରୁ ବଞ୍ଚିବାକୁ ଆମ ପାଖେ କିଛି ନ ଥିଲା । ଆମେ ଭିଜି ଭିଜି ହଷ୍ଟେଲକୁ ଫେରୁଥିଲୁ । ମୁଁ ହିରଣ୍ମୟୀର ଓଦା ଶରୀରକୁ ଥରେ ଚାହିଁ ଦେଇ ମୋ ସାର୍ଟ ଖୋଲି ବଢାଇଦେଲି । ଏତେ ଫିଲ୍ମି ଫିଲମି ହେବା ଦରକାର ନାହିଁ । ମୁଁ ଠିକ୍ ଅଛି । ନିଜେ ପିନ୍ଧ, ପାଦର ଗତି ବଢାଅ, ହିରଣ୍ମୟୀ ତାଗିଦ୍ କଲା ପରି କହିଲା ।


 ସବୁବେଳେ ତ ମୁରବୀପଣିଆ ଦେଖାଇଲା, ମୋ ରୋମାନ୍ସ ହେବାରେ ଫୁଲଷ୍ଟପ ଲଗାଇଲା । ଧେତ୍ । କେଉଁ ପ୍ରକାର ଝିଅକୁ ହୃଦୟ ଦେଲି!!!

ହିରଣ୍ମୟୀର ଅଙ୍ଗସୌଷ୍ଟବ ବାଃ କି ଚମତ୍କାର । ହିରଣ୍ମୟୀକୁ ଆଉ ଚାହିଁ ପାରୁ ନ ଥିଲି । ହିରଣ୍ମୟୀ ମୁହଁରେ ଟାଣ ସିନା, ହେଲେ ଭିତରେ ଲଜ୍ଜ୍ୟାଶୀଳା । ତିନି ଚାରି ଦିନ ଧରି ମୋତେ ଦେଖା ଦେଲାନି । ହଷ୍ଟେଲରେ ଥାଇ ବି ଫେରାଇ ଦିଏ, ମୁଁ ନାହିଁ କହିଦିଅ । 


ବାଣୀବିହାର କ୍ୟାମ୍ପସରେ ଅନେକ ପ୍ରେମୀ ଯୁଗଳଙ୍କ ପ୍ରେମ କାହାଣୀ ଶେଷ ପାହାଚକୁ ପହଞ୍ଚି ପାରେ । ଅନେକଙ୍କ ପ୍ରେମକାହାଣୀ ଏଇଠି କେବଳ କାହାଣୀ ହୋଇ ରହିଯାଏ, ବାସ୍ତବ ରୂପ ନେଇ ପାରେନି । 


ଏହା ଭିତରେ ମୁଁ, ଏକ କମ୍ପିଟିଟିଭ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଚାକିରି ପାଇ ଯାଇଥାଏ । ମୋ ଜେଜେ କାଳେ ମରିଯିବେ, ତେଣୁ ମୋ ବୋଉର ଏକା ଯିଦି ତୁ ଚାକିରି ତ ପାଇଲୁ ବାହା ହୋଇଯା । 


ହିରଣ୍ମୟୀ ଘର କେମିତିଆ କେଜାଣି, ଝିଅ ହୋଇ ବି ତା'ବାହାଘର କଥା ଉଠାଉ ନାହାନ୍ତି । ମୁଁ କଫି ପିଇବା ବାହାନାରେ ଥରେ ଡକାଇଲି, ହିରଣ୍ମୟୀଙ୍କୁ । କେଉଁଥିରେ ସେ ଝିଅ ଗଢା କେଜାଣି ? ଆଖିରେ ପ୍ରେମ, ମୁହଁରେ ସ୍ନେହର ଗହ ଗହ ଭାବ ଫୁଟୁଥିବ, ହେଲେ ପ୍ରେମ ଆଳାପ ପଦେ କରିବନି । କ’ଣ ସେଥିରୁ ମୁଁ ବୁଝିବି ?? ମୁଁ କିଛି ଜାଣି ପାରୁ ନଥାଏ, କି ହିରଣ୍ମୟୀ ମୋହ ଛାଡି ପାରୁନଥାଏ । 


ମୋର ତା’ ପ୍ରତି ଅସମ୍ଭବ ଦୁର୍ବଳତା, ତେଣୁ ହିରଣ୍ମୟୀଠୁ ଦୂରେଇବା ମୋ କଳ୍ପନାକୁ ଆସୁନଥାଏ । ହିରଣ୍ମୟୀ ଛଡ଼ା ଆଉ କାହା କଥା କେବେ ଭାବିନି । ଯାହାହେଉ ଆଜି ସବୁ ପଚାରି ନେବି । 

ହିରଣ୍ମୟୀ !!!

ହଁ!

ମୁଁ ଆଜି ତୁମଠୁ କିଛି ପ୍ରତିଶ୍ରୁତି ଚାହୁଁଛି । ମୋ ଆଶାକୁ, ନିରାଶା କରିବନି ତ ? 

କହ..ତ ପ୍ରଥମେ । ଏମିତି କ’ଣ ପଚାରିବ । ନିରାଶା କରିବନି ଆଗରୁ କହୁଛ । 

ହିରଣ୍ମୟୀ ତୁମେ କିଛି ଅନ୍ଦାଜ ଲଗାଅ । ଏ ବୟସରେ ପୁଅଝିଅ କେଉଁ ସିରିୟସ ଟପିକ ଉପରେ କଥା ହୁଅନ୍ତି । 

ଅନ୍ଦାଜ ତ ବହୁତ କିଛି ଲଗାଇ ପାରିବି । ହେଲେ ତୁମେ ଧୁରନ୍ଧର କୁହ, କ’ଣ ସିରିୟସ ଟପିକ କହିବ । 

ତୁମେ କିଛି ବୁଝିପାରୁନ ?? 

ଆରେ ବାବା ନା!!!

ମୁଁ ସପ୍ତମ ଶ୍ରେଣୀରୁ ତୁମ ପାଖ ଛାଡୁନି । ତଥାପି ଜାଣିପାରୁନ ?? 

ହଁ, ଆମେ ସେବେଠୁ ଚିହ୍ନା । ଏମିତି ତ କେତେ ଜଣଙ୍କ ସହ ଚିହ୍ନା ପରିଚୟ ମୋର ଅଛି, ତା ମାନେ ପୁଣି କ'ଣ ? 

ଦେଖ ବି ମ୍ୟାଚୁୟର୍ଡ । ମୋର ଆଉ ଗର୍ଲ ଫ୍ରେଣ୍ଡ୍ ବି ନାହାନ୍ତି କେହି । 

ହଁ କ’ଣ ହେଲା!!!ମୋର ବି ତ ବୟଫ୍ରେଣ୍ଡ୍ ନାହାନ୍ତି । 

ଛାଡ ସବୁ, ତୁମେ ଭାରି ଖେଳୁଛ । ମୁଁ ତୁମକୁ ଭଲପାଏ ଆଉ ବାହା ହେବାକୁ ଚାହେଁ । ଏକା ନିଃଶ୍ୱାସରେ କହିଦେଲି । ମାଷ୍ଟର ଡିଗ୍ରୀ ପାଇଲା ବେଳକୁ ମୁଁ ଏତିକି ସାହସ ଜୁଟେଇଥିଲି । 


ସଟ୍ ଅପ୍!!!ଯାହା ମୋ ବିଷୟରେ ନିଷ୍ପତ୍ତି ନେବା କଥା ଆମ ଘରେ କରିବେ । ଯାଅ ଆମ ଘରେ ପଚାରିବ । 

ତୁମେ ସିନା ପ୍ରଥମେ ହଁ କଲେ,ତୁମ ଘର ଆଡ଼କୁ କଥା ଯିବ । ଏତେ ଅହଂକାର ମନେ ମନେ ଭାବିଲି । 


ମୁଁ ଇଏସ୍ କହିଦେଇ ମୋ ଦୁର୍ବଳତା ପ୍ରକାଶ କରିବିନି, ମନେ ମନେ ହିରଣ୍ମୟୀ କହିଲା ବୋଧେ । 

ତେବେ ତୁମେ ମୋତେ ଭଲପାଉନ ?? ? 


ହ୍ୱାଟ ନନସେନ୍ସ!!!ସାଙ୍ଗ ହିସାବରେ ଭଲ ପାଏ । ପଚାରୁଛ କ’ଣ ? 

ମୋ ବିନା ରହି ପାରିବ ହିରଣ୍ମୟୀ ?? 

ଏମିତି ନିର୍ବୋଧ ପ୍ରଶ୍ନ ?? ଜଣଙ୍କ ବିନା ଜଣେ ରହିପାରିବନି । I

can't believe. So rediculus u r.....

ହଁ ମୁଁ ସେପରି । ଆଉ କିଛି । 

ମୁଁ ତା’ହେଲେ ବାହା ହୋଇ ଯାଉଛି । 

ହଁ ହୋଇ ଯାଆ ନୋ ପ୍ରୋବ୍ଲେମ୍ । 

ବାସ୍ ଏଇଠି ମୋ ମନ ଛିଡି ଗଲା । ଆଉ ଥରେ ବି ତା’ ମୁହଁକୁ ଚାହିଁବାକୁ ଇଚ୍ଛା ହେଲାନି, ଏତେ ଗର୍ବ ସୁନ୍ଦରୀ ବୋଲି । ଛିଃ… ଦରକାର ନାହିଁ ଏପରି ଝିଅ । ତା'ପରେ ଯେତେ ଛୋଟ ବଡ ଖରାପ ଗୁଣଗୁଡିକ ହିରଣ୍ମୟୀର ମୁଁ ସାର ଖତ ଦେଇ ପରିପୃଷ୍ଟ କଲି । ବଡ଼ କରିଲି ଛୋଟ ଛୋଟ କଥାକୁ । ଘୃଣା ସୃଷ୍ଟି କଲି ହିରଣ୍ମୟୀ ପ୍ରତି । ଯେପରି ଭୁଲିବାକୁ ସହଜ ହେବ ମୋତେ ହିରଣ୍ମୟୀକୁ ।କିନ୍ତୁ ପ୍ରଥମ ପ୍ରେମ କ’ଣ ଭୁଲିବା ସହଜ । ସେ ଏକତରଫା ହେଉ ବା ଦିତରଫା । 

ହିରଣ୍ମୟୀ ରେକର୍ଡିଙ୍ଗ ରୁମରୁ ହସି ହସି ବାହାରୁଥିଲେ । ମୋତେ ଦେଖି ଟିକେ ରହିଗଲେ । ହିରଣ୍ମୟୀ ! ମୁଁ ଏଠି chief executive officer । କିଛି ମନେ ନ କର ଯଦି ମୋ କ୍ୟାବିନରେ ବସି ଗୋଟେ କପ କଫି ପ୍ଲିଜ୍ । 

Why not!!! ବଢ଼ିଆ । 

ସେହିପରି ପୁରୁଣା ଭାବ । କିଛି ବଦଳିନି ହିରଣ୍ମୟୀ । କେବଳ ଏକ ପୋଖତ ସୁନ୍ଦରୀ ମହିଳା ହୋଇଯାଇଛି । 

ହିରଣ୍ମୟୀ କହିଲେ, ସମର ମୁଁ ମନା କରିବାର ସାଙ୍ଗେ ସାଙ୍ଗେ ବାହା ହୋଇଗଲ!!!

କ’ଣ ଆଉ କରିଥାନ୍ତି । ଅପେକ୍ଷା କରିକି ତ ବୁଢ଼ା ହେବାକୁ ଯାଉଥିଲି । ହାଃ ...ହାଃ, ମୁଁ ୟଙ୍ଗ୍ ଥିଲି ନା କ'ଣ ? 

ଆରେ ତୁମ ପ୍ରେମ ଏତେ ଦୁର୍ବଳ ବୋଲି ଜାଣି ନ ଥିଲି । ଆମ ଘରକୁ ଯାଇ ପ୍ରସ୍ତାବ ପକାଇପାରିଥାନ୍ତ । ଆହୁରି ଚେଷ୍ଟା କରି ମୋ ଅନିଚ୍ଛାକୁ ଇଚ୍ଛାରେ ବଦଳାଇ ପାରିଥାନ୍ତ । ମୁଁ ନାହିଁ କରିଥିଲି ଅନେକ ଚାପ ଭିତରେ । ତୁମେ ପୁଅଟେ ହୋଇ କ’ଣ କଲ ?? ସଙ୍ଗେ ସଙ୍ଗେ ବାହା ହୋଇଗଲ । ଆଉ ଟିକେ ଚେଷ୍ଟା କରି ପାରିଥାନ୍ତ , ଯେହେତୁ ବାହାଘର ପ୍ରତି ମୋର ଅହେତୁକ ଆକର୍ଷଣ ନ ଥିଲା। ମୋତେ ରାଜି କରାଇବା ପାଇଁ ତୁମ ଦାୟିତ୍ୱ ନ ଥିଲା କି?


ଓ ମାଇଁ ଗଡ୍!!!ହିରଣ୍ମୟୀ ସବୁ ମନେ ରଖିଛନ୍ତି । ସବୁ କାମ କ’ଣ କେବଳ ପୁଅମାନେ କରିବେ!!!ମନେ ମନେ ସମର କହିଲେ । 


By the way ସମର! କିଛି ମନେ କରିବନି । 

ମୋ ପ୍ରେମ ମଜଭୁତ । କିଛି ନ ପାଇବି ସବୁ ପାଇଛି । ଯେମିତି କି ତୁମକୁ ବାହା ନ ହୋଇବି ତୁମ ହୃଦୟରୁ ଯାଇ ପାରିନି । ହାଃ ...ହାଃ

ଦୁଇସାଙ୍ଗ ହସି ଉଠିଲେ । ସେ ହସ କେବଳ ଶୁଖିଲା ହସ ।


ହିରଣ୍ମୟୀ ମନରେ ଅନେକ ଦୁଃଖ ଥିଲା ସମୟକୁ ହରାଇ।ହେଲେ ସେ

କାଉଁରିଆ କାଠି।ଭାଙ୍ଗିଯିବ ସିନା ନିଜ ଆଡାମେଣ୍ଟ ଛାଡିବିନି।

              •~ 💝~•


Rate this content
Log in

Similar oriya story from Inspirational