The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Pratima Das

Abstract

2  

Pratima Das

Abstract

ଅସମୟରେ ଝଡାପତ୍ର

ଅସମୟରେ ଝଡାପତ୍ର

8 mins
436


ଅନୀଲ ଓ ମୀରା ଦୁଇଟି ଶରୀର କେବଳ ,ବାକି ମନ,ଚଳଣୀ, ଚିନ୍ତାଧାରା ସବୁଥିରେ ଏକା। ଅନୀଲ ଭଲପାଇବା ଅଜାଡିବାବେଳେ ଏତେ ଖୋଲିଯାନ୍ତି ଯେ ,ଲାଜରେ ଲାଲ୍ ହୋଇ ଉଠି ମୀରା କୁହନ୍ତି ,ତୁମେ ଏଡେ ବେଲଜ୍ୟା କିପରି ବୋହୁ ବା ଆଣିଲଣି? ଘରେ କେହି ନାହାନ୍ତି ବୋଲି,ସୁଯୋଗର ଭରପୂର ମଜା ଉଠାଉଛ, ଛିଃ । ଯା ମୁଁ କଥା ହେବିନି। ଗୋଟିଏ ମାତ୍ର ଛୁଆ। ତାକୁ ବାହାରେ ପଢାଇଲ,ଜଲଦି ବାହା ବି କରାଇଦେଲ। ଏବେ ତ ସହଜେ ବୋହୁ ପୁଅ ଚାକିରି, ତେଣୁ ବାହାରେ। ଆଉ ଗୋଟେ ଛୁଆ ହେବାକୁ ଦେଲନି କ'ଣ ନା ତୁମେ ଡେଲିଭରି ବେଳେ ପାଉଥିବା କଷ୍ଟ ମୁଁ ଦେଖି ପାରୁନି,ମୀରା।

ଶାଶୁଶଶୁର ତ ସହଜେ ବହୁତ ଜଲଦି ଛାଡି ଚାଲି ଯାଇଛନ୍ତି, ପରପାରିକି। ମୋ ଶରୀରର ଟିକିନିଖି ସମ୍ବେଦନଶୀଳ ବିନ୍ଦୁ, ମୋ ମନର ଅକୁହା କଥା ସବୁ ଜଣା ତୁମକୁ। ଧେତ୍ କହି ବେଳେ ବେଳେ ଉଠି ଚାଲିଯାନ୍ତି ମୀରା। ପଛରୁ ଧରିନେଇ ମୀରାଙ୍କୁ ପୁଣି ହଜାଇ ନିଅନ୍ତି ନିଜ ନିବିଡ ଆଶ୍ଲେଷରେ, ବାହୁବନ୍ଧନରେ ଅନୀଲ। ମୀରା ତୁମକୁ ଭଲପାଇବା,ମୋ ଚାକିରି ସମ୍ଭାଳିବା ଛଡ଼ା ମୁଁ ଦ୍ବିତୀୟ କଥା ଜାଣିନି।

ମୀରା ଖୁବ ଡରିଯାନ୍ତି,ଏତେ ନିବିଡ ପ୍ରେମ ,କାହା ନଜର ନ ଲାଗୁ ପ୍ରଭୁ। ହେ ପ୍ରଭୁ କେବେ ଛଡ଼ାଇ ନେବନି ମୋ ସ୍ବାମୀଙ୍କ ଏହି ସ୍ନେହ ସୋହାଗ ଟିକକ,ମୋ ପାଖରୁ,ମରିବା ପୂର୍ବରୁ। ଆଉ ସବୁ ପଛେ ମୋର ନେଇଯାଅ। ମୋ ସିନ୍ଦୂର ଟୋପାକ ନେବୁନିଲୋ ମା ମଙ୍ଗଳା। ମୁଁ ମରିବା ଯାଏଁ ମୋ ମଥାରେ ଯେପରି ରହିବ, ସେହି ଦାୟିତ୍ୱ ତୋର ,ତୁ ମା ଯେହେତୁ

ସ୍ବାମୀଙ୍କ ଜିଦି କେବଳ ଟିକେ ଅଧିକ। ପୁଅ ବାହାଘର ସରିଲା ଚାଲ world trip.କହି ମୀରା ଙ୍କୁ ରାଜି କରାଇନେଲେ। ତାଙ୍କ ଅନୁରୋଧରେ ପୃଥିବୀର ବଛା ବଛା ଜାଗା ବୁଲି ଏଇ ଏଇ ଫେରୁଛନ୍ତି। ଭାରି କ୍ଲାନ୍ତ ଦିଶୁଛନ୍ତି ଅନୀଲ। ମୀରା ବ୍ୟସ୍ତ ହୋଇ ଅନୀଲ ଙ୍କ ମୁହଁକୁ ଚାହିଁଲେ ,ନିଜେ ନିଜେ ଆଗତୁରା କହି ପକାଉଛନ୍ତି ମୁଁ ଅଧିକ ଟାୟାର୍ଡ ହୋଇଗଲି , ସେଥିପାଇଁ ଏପରି ଲାଗୁଛି। କାଳେ ମୀରା ଅଧିକ କିଛି ପଢି ନେବେକି ଅନୀଲଙ୍କ ମୁହଁରୁ।

ହେଲେ ମୀରାଙ୍କ ଡରୁଆ ମନ କଣ ବୁଝୁଛି। ନିଜ ଶଶୁରଙ୍କୁ ବିଦାୟ ଦେବାର ଦୁଃଖଦ ଅନୁଭୂତି, କଣ ଭୁଲିହେବ। ସେଗୁଡିକ ଗୋଟି ଗୋଟି ହୋଇ ମନେ ପଡେ। ଯାହା ପୁଅକୁ ସାପ କାମୁଡେ ତା' ମା ପାଳଦଉଡି ଦେଖିଲେ ବି ଡରେ।

ମୀରା ଅନ୍ୟମନସ୍କ ହେବା ଦେଖି ଅନୀଲ ସହି ପାରନ୍ତି ନି। ତେଣୁ କୁହନ୍ତି,ଏତେ ବଢ଼ିଆ ପୁଅ,ସୁଶୀଲ ସୁନ୍ଦର ଚାକିରିଆ ବୋହୁ, ଆଉ ମୋ ପରି ସ୍ବାମୀ ପାଇ ,ପୁଣି କ'ଣ ଚିନ୍ତା ? ମୀରା ତୁମର ଚାଲ ଚାଲ କେଉଁଠି ବାହାରେ ଖାଇପିଇ ବୁଲି ଆସିବା। ଏମିତି ଅନ୍ୟମନସ୍କ ରୁହନି।

ମୀରା ମନେ ମନେ ଭାବନ୍ତି ସବୁ ତ ସୁଖ ମିଳେନା ଜଣଙ୍କୁ। ଏତେ ସୁଖ ମିଳିସାରିବାପରେ ହଟିଆ କଣ ରଖିଛି ମୋ ଭାଗ୍ୟରେ,ଦେଖିବା ବାକି ରହିଲା। ତୁମେ ଅନୀଲ ପୁଅ,ଏସବୁ ଇମସୋନାଲ କଥାଗୁଡିକ ହୁଏତ ଭାବୁ ନଥିବ, ମୁଁ କିନ୍ତୁ ଦିନରାତି ଏମିତି ଡରି ଡରି ବଞ୍ଚୁଛି। ମନେ ମନେ କୁହନ୍ତି, ନିଜକୁ ନିଜେ। କିଛିଦିନ ହେବ ମୀରା ଦେଖୁଛନ୍ତି,ଅନୀଲ ଚିଡଚିଡା ହେବାସହ ଖୁବ ଭୁଲିଯାଉଛନ୍ତି। ସମାନ କଥା ବାରବାର କହୁଛନ୍ତି। ବାକି ସବୁଠିକ୍।

କଣ ପାଇଁ ମୀରା ଅନିଲଙ୍କ ପ୍ରରସନାଲ ବକ୍ସ ଖୋଲିଲେ। ଚମକି ପଡିଲେ। ମେଡ଼ିସିନ କିଛି ଖାଉଛନ୍ତି,ତାଭିତରୁ ଦୁଇଟି ମେଡ଼ିସିନ ଶଶୁର ଖାଉଥିଲେ,ଲୁଚାଇ ଦେଖିନେଲେ ମୀରା। ମୀରା ଶିହରୀ ଉଠିଛନ୍ତି ଭିତରୁ। ଶହେତିନ ଜ୍ବରଟା ଯେପରି ଛାତିକୁ ଉଠାଉଛି ପକାଉଛି।ହେ ପ୍ରଭୁ କଣ ଦେଖାଇବ? ସେ ଦୁର୍ଦ୍ଦିନ ନୁହେଁ ତ?? ହଠାତ୍ ସ୍ବାମୀଙ୍କ ପାଦଶବ୍ଦରେ ସବୁ ବନ୍ଦ-ବାନ୍ଦ କରିଦେଇ ,ବାହାରକୁ ଚାଲି ଆସିଲେ।

ଆସ ଅନୀଲ ଆଜି ଲନରେ ବସି ଚା ପିଇବା। ହଁ ଚାଲ ବହୁତ ଦିନ ହେବ ଲନରେ ବସିନେ। ଚା'କପ ଉଠାଉ ଉଠାଉ ଡାହାଣହାତ ଥରି ଉଠୁଛି ଅନୀଲଙ୍କର। ସେଇଠି ଗୋଡ଼ତଳେ ବସିପଡି ମୀରା କହିଛନ୍ତି ମୋ ମୁଣ୍ଡ ଛୁଇଁ କଥାଦିଅ ଅନୀଲ ଆଜି ଟିକେ ମୋସହ ଡକ୍ଟର ଙ୍କ ପାଖକୁ ଯିବ । ମୀରା ଅତୀତକୁ ଫେରି ଯାଉଥିଲେ.... ସେଦିନ

ଧନତେରସାର ତ୍ରୟୋଦଶୀ ତିଥି ଥାଏ ,ସହର ଚକମକ ହୋଇ ଉଠିଲାଣି ବିଭିନ୍ନ ରଙ୍ଗବେରଙ୍ଗ ଆଲୋକରେ। ଆଗକୁ ଦୀପାବଳୀ। ଷ୍ଟେସନ ଆଡୁ ମେନରୋଡରେ ରୂପାଲି ଆଡ଼କୁ ଗଲାବେଳକୁ ଡାହାଣ ପଟେ ସତ୍ୟନଗର ମଶାଣି। ଶଶ୍ମାନ ପାଖରୁ ଏକ ପ୍ରଶସ୍ତ ରାସ୍ତା କାଳିମନ୍ଦିର ସାମ୍ନାଦେଇ ଲମ୍ବି ଯାଇଛି ସତ୍ୟ ନଗର ଭିତରକୁ। ଏଠି ଏକ ଅସାଧାରଣ କୋଠା ଅଛି, ଯଦିଓ କୋଠାଟି ସାଧାରଣ । ଅସାଧାରଣ ପୁଣି ସାଧାରଣ । ଏକଥା କଣ ?

ଷୋଳଗୁଣ୍ଠ ମାନେ ପାଖାପାଖି ୩୦ହଜାର ବର୍ଗଫୁଟର ଏକ ବିରାଟ ପଡିଆରକମ ଜମିରେ ଏକ ସାଧାରଣ କୋଠାଘର ତିଆରି ହୋଇଛି ଏକ କଡ଼କୁ,ବାକିତକ ଜମିରେ ଏକ ଛୋଟ କାଟିଆ ଆୟୁର୍ବେଦିକ ଉପବନ ଦୃଶ୍ୟମାନ। କୋଠାଟି ଅସାଧାରଣ ଏଥିପାଇଁ ଯେ ଭୁବନେଶ୍ୱର ପୁଣି ସତ୍ୟନଗରର ସୁନାପରି ମୂଲ୍ୟବାନ ଜମିରେ ଏତେ ପରିମାଣର ଜମିକୁ ଯେ କୌଣସି ଲୋକ ବ୍ୟବସାୟିକ ଭିତ୍ତିରେ ବ୍ୟବହାର କରିବ ନଚେତ ଏକ ପୋଷ ବଙ୍ଗଲୋ କରି ରହିବ, ଜମିଦାରୀ ଶୈଳୀରେ। ଏତେ ଦାମୀ ଜମିରେ ,ଏପରି ବାଡି ବଗିଚା କରି ସଉକି ମେଣ୍ଟାଇବ ନାହିଁ। ସେଥିପାଇଁ ବାଳକୃଷ୍ଣ ଦାସଙ୍କର ଏ

ନିଷ୍ପତ୍ତିକୁ ଅସାଧାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ଘରର ମାଲିକ ବାଳକୃଷ୍ଣ ଦାସ। ଏକମାତ୍ର ପୁତ୍ର ଅନୀଲ ସେ ଘରର ଉତ୍ତରାଧିକାରୀ। ସ୍ତ୍ରୀ ବହୁଦିନରୁ ଆରପାରିରେ। ଘର ଅଧିକ କରି କରିବେ କ'ଣ? ତେଣୁ ଅମୂଲମୂଲ ଜମିରେ ବାଡ଼ି ବଗିଚା କରିଛନ୍ତି। ସେକ୍ରେଟାରୀ ବାଳକୃଷ୍ଣ ଦାସ। କିପରି ଧୂରନ୍ଧର କେଜାଣି? ଦୂର ବଦଳିତ ଦୂରକଥା। ଭୁବନେଶ୍ୱର ଛଡ଼ା କଟକ ପୋଷ୍ଟିଂ ବି ତାଙ୍କର ହୋଇନି। ଚାକିରିରେ ଥିଲାବେଳେ କେବେ କୁହନ୍ତି ନାହିଁ ଏ ସାର୍ଟକାଲର ଟେକା କଥାଟି। ଅସହିଷ୍ଣୁ ବଢିବେ। ହୁସିଆର ବହୁତ ବାଳକୃଷ୍ଣ ଦାସ। ହେଲେ ଅବସର ଗ୍ରହଣ ପରେ ବହୁତ ଥର ଲୋକେ ତାଙ୍କ ମୁହଁରୁ ଶୁଣିଛନ୍ତି, ମୁଁ କୁଆଖାଇ ଆଉ ଦୟାନଦୀ ବାହାରକୁ କାମ କରିବାକୁ ଯାଇନି। କାଠଯୋଡ଼ି ବ୍ରିଜ ଡେଇଁ ନାହିଁ ଚାକିରି କରିବାକୁ। ନିଜ ସୌଭାଗ୍ୟକୁ ନିଜେ ନିଜେ ଉପଢ଼ୌକନ ପିନ୍ଧାନ୍ତି।

ଓଡ଼ିଶାର ହୃଦୟ, କେନ୍ଦ୍ରବିନ୍ଦୁ ମାନେ ସଚିବାଳୟ। ବାଳକୃଷ୍ଣ ଦାସଙ୍କର ଚାକିରି ଜୀବନ ଏହି ସଚିବାଳୟରୁ ଆରମ୍ଭ ହୋଇ , ସେଇଠି ଶେଷ। ଏପରି ସୌଭାଗ୍ୟ ଖୁବ କମ ଜଣଙ୍କ ଭାଗ୍ୟରେ ଆସେ। ଫଳରେ ଏକ ଆଛାଖାସା ଫଣ୍ଡ ବ୍ୟାଙ୍କରେ,ଏହି ବିରାଟ ଯାଗା ସତ୍ୟ ନଗରରେ, ଆହୁରି ବହୁତ କିଛି ସମ୍ବଳ ଜୁଟେଇ ପାରିଛନ୍ତି।

ସମୁଦ୍ରରେ ବିଶାଳ ଢେଉ ଆସିଲା ବେଳେ , କେବଳ ମୁଣ୍ଡ ଲୁଆଁଇ ଦେବା ବୁଦ୍ଧିମାନର କାମ କୁହନ୍ତି , ବାଳକୃଷ୍ଣ ଦାସ। ସେ ଶକ୍ତିଶାଳୀ ଢେଉ ମୁଣ୍ଡ ଉପର ଦେଇ ଚାଲିଯିବ,ଆଉ ସୁରକ୍ଷିତ ରହିବ। କାହା ପଛରେ ନ ଲାଗିଲେ ଗଲା।

ବାଳକୃଷ୍ଣ ଦାସ ଏସବୁ ଚାଲକୁ ସଫଳଜୀବନର ମନ୍ତ୍ର ରୂପେ ଆପଣାଇ ଛନ୍ତି। ସେହି ବାଳକୃଷ୍ଣ ଦାସ ନିଖୋଜ,କାଲି ସନ୍ଧ୍ୟାଠୁ। ପାହାନ୍ତା ପହର। ଧାରେ ଆଲୋକ ରଶ୍ମୀ ଅଗଣାରେ। ପୁଲିସ ଷ୍ଟେସନରୁ ରାତି ଏଗାରଟାରେ ,ପୁଲିସର ବାଧ୍ୟବାଧ୍ୟକତାରେ ମୀରା ଘରକୁ ଆସି ବିଛଣାରେ ପଡିଥିଲେ କେବଳ ।

ଅନୀଲ ଏଇ ଘଣ୍ଟେ ଦୁଇ ଘଣ୍ଟାରେ ପହଞ୍ଚିବେ ବୋଧେ। କାଲି ସନ୍ଧ୍ୟାଠୁ ଶଶୁର ଘରୁ ସମସ୍ତଙ୍କୁ ଚଗମା ଦେଇ ଚାଲି ଯାଇଛନ୍ତି ଯେ ଯାଇଛନ୍ତି। ଏପର୍ଯ୍ୟନ୍ତ କିଛି ଖବର ନାହିଁ। ମୀରାର ଆଖିରେ ଧାର ଧାର ଲୁହ। ଅପେକ୍ଷା ଅନୀଲଙ୍କୁ ଆଉ ଡ୍ରାଇଭରକୁ। ଦୁଇଜଣ ଆସିଲେ ପୁଣି ବାହାରି ଯିବେ ଶଶୁରଙ୍କୁ ଖୋଜିବାକୁ।

ଛିଡା ହେବାର ବଳ ହରାଇ ଦେଇ ମୀରା,ଅଗଣାରେ କାନ୍ଥକୁ ଆଉଜି ବସିଗଲେ। ଶଶୁର ଲଗାଇଥିବା ଅଗଣାମଝିର ପିଜୁଳି ଗଛରେ ଫଳ ଭର୍ତ୍ତି। ଆଉ ସେ ଗଛରୁ ଖସଖସ ହୋଇ ଦୁଇଚାରୋଟି ହଳଦିଆ ପତ୍ର ଖସି ପଡ଼ିଲା। କି ସୁନ୍ଦର ସେ ହଳଦିଆ ପତ୍ରଗୁଡିକ। ନିଜର ନିର୍ଦ୍ଧାରିତ ଆୟୁଷ ଉପଭୋଗ ପରେ,ହାଉଲେ ହାଉଲେ ହଳଦିଆ ପଡି ପାଚି ଖସିଛନ୍ତି। ବେଳରେ ଝଡିଲା ବୋଲି ପାଚି ଟହଟହ ହଳଦିଆ ହୋଇଛି ସିନା।

ତା ପାଖରେ ଆଉ ଯୋଡିଏ ରୋଗଣା ପତ୍ର ପଡିଛି,ଅବେଳରେ ସେ ଝଡିପଡିଛି। ପ୍ରକୃତି ସମସ୍ତ ସମୟ ବଞ୍ଚିବାକୁ ମୌକା ଦେଇନି,ଏ ପତ୍ରଗୁଡିକୁ। ସେ ରଙ୍ଗ ମନକୁ ଭାଉନି।

ଶାଶୁ ତ କେବେଠୁ ଆରପାରିରେ। ଶଶୁର ପାଉଥିବା ମରମଦାହ ଅକୁହାବେଦନା ସବୁ ଏକେଲା ଏକେଲା ଦେଖି ସହୁଛନ୍ତି ମୀରା। ଯୁଆଡ଼େ ଚାହିଁଲେ ଶଶୁରଙ୍କର ସେ ଅସହାୟ,,ଭ୍ରମିତ,ସରଳ ଚାହାଣୀ,କେବେ ପୁଣି ଦେଖାଉଥିବା ରୁଦ୍ର ରୂପ ଆଖି ଆଗରେ କେବଳ ଦିଶୁଛି। ଶୁଶୁରଙ୍କର ମସ୍ତିଷ୍କ ଆଉ ଶରୀରର କ୍ରମାନ୍ୱୟ ଅବନତି ,ଦିନରାତି ମୀରା ଅବଜରଭେସନରେ ରଖୁଥିଲେ। ତେଣୁ ମୀରା ସବୁ ଘଟଣାର ସ୍ବଚକ୍ଷୁ ଦ୍ରଷ୍ଟା ଆଉ ଭୁକ୍ତଭୋଗୀ।

ଶଶୁର ତାଙ୍କ ନିଜ ଅଜଣାତରେ ପୁରୁଣା ଭଗ୍ନ କୋଠାର ଛେଲା ଛାଡିବାପରି ଝଡିପଡୁଥିଲେ ବେଳେ ମୀରା ମୀରା ନିଜ ଜାଣତରେ ସେ ହତାଶ ଆଉ ଭୟାନକ ରୋଗକୁ ଦେଖି ଭିତରୁ ଭିତରୁ ଗୁଣ୍ଡ ହୋଇ ଯାଉ ଥିଲେ।

ପଲସ୍ତରା ପରେ ଜମାରୁ ପାଣି ନ ପାଇ ଯେପରି ସିମେଣ୍ଟ ପଲସ୍ତରା ଗୁଣ୍ଡଗୁଣ୍ଡା ହୋଇ ଝଡିପଡେ ଆପେ ଆପେ,ମୀରା ଙ୍କ

ମନୋଦଶା ଡାକ୍ତରଙ୍କ ବୁଝାଇବା ପରେ ବି ସେପରି ବିକ୍ଷିପ୍ତ ହୋଇ ଯାଉଥିଲା।

ସବୁକଥା ଫିଟାଇ କହିପାରୁନାହାନ୍ତି ସ୍ବାମୀଙ୍କ ପାଖରେ। କାଳେ ଏହି ଖରାପ ରୋଗର ଛାପ ,ଅଜଗର ଭଳି ସ୍ବାମୀଙ୍କ ମନ ମସ୍ତିଷ୍କକୁ ଗିଳିବା ଆରମ୍ଭ କରିବ। ସ୍ତ୍ରୀ ମନତ

ଶଶୁରଙ୍କ ଗୁଣ ଅବଗୁଣ କାନରେ ନପଡେ ବୋଲି ନାହିଁ ତାଙ୍କୁ ଦେଖି ନ ପାରୁଥିବା ଲୋକଙ୍କ ଦ୍ୱାରା। ମୀରା କିନ୍ତୁ ସେଥିପ୍ରତି ଧ୍ୟାନ ଦିଅନ୍ତି ନି,କାରଣ ଶଶୁର ମୀରା ଙ୍କୁ ଅତିସ୍ନେହ ଦେଇ ବୋହୁ ନୁହେଁ ଝିଅପରି ଦେଖୁଥିଲେ।

ତେଣୁ ମୀରା ଙ୍କ ଆଖିରେ ଶଶୁର ବାଳକୃଷ୍ଣ ଦାସ ଦେବତା।

ପୃଥିବୀର ଅଧିକାଂଶ ଭାଗ ସ୍ତ୍ରୀ ମୁଣ୍ଡ ପୁରାନ୍ତିନାହିଁ ସ୍ବାମୀଙ୍କ ବା ଘର ମୁରବୀର ରୋଜଗାରର ପନ୍ଥା ଟି ସତ୍ ନା ଅସତ୍।

ସେ ଶାଶୁ ନଥିବା ଘରେ ଏମିତି ବାପଟିଏ ପାଇ ତାଙ୍କ ଛାଇରେ ନିଜକୁ ବଡ଼ କରୁଥିଲେ।

ସ୍ବାମୀ ଅନୀଲ ଏକ ବଡ଼ ଫ୍ୟାକ୍ଟ୍ରିର ସଫ୍ଟୱେର ଇଞ୍ଜିନିୟରି। ମୀରା ଏହି ଘରକୁ ବୋହୁ ହୋଇ ଆସିବା ପରେ ଶଶୁର କହୁଥିଲେ ତୁ ପୁଅସହ ଝାରସୁଗୁଡ଼ା ଚାଲିଯା,ମୋ ଚଳିବାରେ କିଛି ଅସୁବିଧା ନାହିଁ। ଏହିକଥା ମୀରାକୁ ଜମାଭଲ ଲାଗିନଥିଲା। କିପରି ସହାୟକଙ୍କ ଭରସାରେ ବାପାଙ୍କୁ ଏକା ଛାଡିବେ, ଏକଥା ଚିନ୍ତା କରି ସ୍ବାମୀଙ୍କୁ ବୁଝାଇ କହିଥିଲେ। ଏଇ.....ଅନୀଲ। ପ୍ଲିଜ ଟିକେ ବୁଝ। ମୋତେ ବାପାଙ୍କ ପାଖେ ଛାଡ଼ି ଯାଅ । ତୁମେ ପରା ପୁଅ ବୋଲି ଗୋଟିଏ ତାଙ୍କର।

ନୁଆ ବାହାହୋଇଥିବା ସ୍ତ୍ରୀକୁ ଛାଡିବା କଷ୍ଟସାଧ୍ୟ ହେଲେ ମଧ୍ୟ , ସ୍ତ୍ରୀ ଙ୍କ ଅନୁରୋଧରେ ମୀରାଙ୍କୁ ବାପାଙ୍କ ପାଖେ ଛାଡ଼ି ଅନୀଲ ଚାକିରି କୁ ଯାଇଥିଲେ।

ଧିରେ ଧିରେ ଦୁଇପଟକୁ ଆଡଜଷ୍ଟ କରିପାରିଥିଲେ ମୀରା ଆଉ ଅନୀଲ । ଆଉ ସ୍ବାମୀ ମଧ୍ୟ ଅନଲାଇନରେ ଗୁଡେକାମକରି ଅଧିକ ସମୟ ଘରେ କାଟି ପାରୁଥିଲେ। ହେଲେ ମୀରା ଙ୍କୁ ହିଁ ଅଧିକାଂଶ ଝାମେଲା ମୁଣ୍ଡାଇବାକୁ ପଡେ।

ମୀରା ପ୍ରଥମେ ସେଦିନ କିଛି ବୁଝି ପାରୁ ନ ଥିଲେ, ଯେଉଁ ଦିନ ଖାଇ ଉଠିବା ପରେ ଶଶୁର ପୁଣି କହିଲେ ମୀରା ମୋତେ ଆଜି ଖାଇବାକୁ ଦେବୁନି କି? ଏହା ଏକ ସାମାନ୍ୟ ଲସ ଅଫ ମେମୋରି ଭାବି ମୀରା ହସିଦେଇ ନଜର ଅନ୍ଦାଜ କରି ଦେଇ

ଥିଲେ। ପୁଣି ଦିନେ ପଚାରିଲେ କିଏ ତୁମେ ଝିଅ ? ମୋ ପୁଅ ରୁମରେ କାହିଁକି ପଶିଛ? ମୀରା ମୀରା ବୋଲି ଯାହାକୁ ଦିନରାତି ଡାକନ୍ତି , ମୋତେ ପୁଣି ଚିହ୍ନି ପାରୁନାହାନ୍ତି। ନିହାତି ଡାକ୍ତର ଦେଖାଇବା ଦରକାର।

ସ୍ବାମଙ୍କୁ କହି ଭଲ ସାଇକ୍ରିୟାଟିକ ଡାକ୍ତର ଙ୍କୁ ଦେଖାଇଲେ। ଏହି ରୋଗରେ ମସ୍ତିଷ୍କ ଉଇ ଖାଇବା ପରି ସରି ସରି ଫମ୍ପା

ହୋଇ ଯାଉଥାଏ। ମସ୍ତିଷ୍କ ସୁସ୍ଥ ରହିବାର ପାଇଁ,ଆଉ ବହୁତ କିଛି ସିଡେଡିଭ ଔଷଧ ଡାକ୍ତର ଦେଇ କହିଲେ ,ରୋଗୀ ସହ

ଇଣ୍ଟର-ଆକସନ ବଢାନ୍ତୁ ,ଯେତେ ପାରୁଛନ୍ତି। ଏସବୁ ମୀରା ଅତି ଦାୟିତ୍ଵ ସହକାରେ କରି ଚାଲିଲେ। ହେଲେ.....ଏ

ମାରାତ୍ମକ ରୋଗ  ଆଲଜାଇର୍ମ

                       Alzheimer

                      ଆଲଜାଇମର....     କିଛି ଶୁଣୁନି। ଶୁଣୁନି।

ଧିରେ ଧିରେ ଶଶୁର କେବେ ଗାଧୋଇବା ଭୁଲିଗଲେତ, କେବେପେଷ୍ଟ ଯାଗାରେ ସେଭିଂକ୍ରିମ ଲଗାଇଲେ ବ୍ରଶରେ,ତେଲ ଯାଗାରେ ଆଉକିଛି ଲଗାଇବା ପାଇଁ ହାତରେ ଢାଳିଥିବେ,ଝାଡ଼ା କମବୋର୍ଡରେ ନକରି ଯେଉଁଠି ଇଛା କଲେ।

ତା"ପରକୁ ଛୋଟଛୁଆପରି ଜଗିବାକୁ ପଡ଼ିଲା ଶଶୁରଙ୍କୁ। ମୀରା ଭାବନ୍ତି ଆମେ ଅଜ୍ଞ ଥିବାବେଳେ ଆମ ଝାଡାପରିସ୍ରା ସଫାକରି ବାପାମା ଆମକୁ ବଡ଼ କଲେ,ଏବେ ସେମାନେ ଅଜ୍ଞାନ ,ତାଙ୍କୁ ଯତ୍ନ ନେବା ନିହାତି ଦରକାର।

କେବେ ଖାଇବାକୁ ନ ମାଗିବା ବା ବାରମ୍ବାର ମାଗିବା। ଏସବୁ ଦେଖି ମୀରାଙ୍କ ଆଖି ଲୁହରେ ଭରିଯାଏ। ଏମିତି ପାରିବାର ଲୋକଙ୍କ ଅବସ୍ଥା , ଏମିତି ଖରାପ ହୋଇପାରେ। ସହାୟିକା ଦିନେ ପାଟି କରି ଡାକିଲା ମା ଜଲଦି ଆସ।ଦେଖ

ବାବୁଙ୍କ ହାତ କିପରି ରକ୍ତାତ ହୋଇଛି। ନଜାଣି ପାରି ଶୁଆ ପଞ୍ଜୁରୀରେ ବାରମ୍ବାର ହାତ ଭର୍ତି କରିଛନ୍ତି,ଶୁଆକୁ ଦିଆଯାଇଥିବା ପିଜୁଳି ଖାଇବେ ବୋଲି,ଶୁଆ ପ୍ରତିଥର ଖୁମ୍ପି ହାତକୁ ଖଣ୍ଡିଆ କରୁଥାଏ। ସେ ରାଗରେ ତା ବେକ ବି ମୋଡ଼ି

ଦେବାକୁ ଯାଉଥିଲେ। ସହାୟିକା ଛଡ଼ାଇଲା ବୋଲି ଏମିତି ଏକ ମୁଥ ଦେଇଥିଲେ ଯେ ତା"ର ଏକ ଦାନ୍ତ ଗଳି ପଡିଛି। ମୀରା ଶଶୁରଙ୍କ ଏ ଅବସ୍ଥା ଦେଖି କାନ୍ଦି କାନ୍ଦି ଆଣ୍ଟିସେପ୍ଟିକ ଅୟଣ୍ଟମେଣ୍ଟ ଲଗାଇ ବ୍ୟାଣ୍ଡେଜ କରୁଥାନ୍ତି ଶଶୁରଙ୍କ ହାତ। ସହାୟିକା ଡରିଯାଇ ଆଉ ପାଖକୁ ଆସୁ ନ ଥାଏ।

ଆଜି ଆଉ ଏକ ଘଟଣା। ସହାୟିକାକୁ ଚଗମା ଦେଇ ଶଶୁର ଘରୁ ବାହାରିଯାଇଛନ୍ତି,,ମୀରା ସନ୍ଧ୍ୟା ବସାଇବାକୁ ଦିଅଁଙ୍କ ଘରେ ଅଧିକ ସମୟ ରହି ଯାଇଥିବା ବେଳେ। ମୀରାଙ୍କ ମୁଣ୍ଡ କାମକଲାନୀ। ରାସ୍ତା କେତେ ଭିଡ଼ । ଗାଡ଼ିମଟର

ସଂଖ୍ୟାତ ନ କହିବା ଭଲ। ସ୍କୁଟିଟି ନେଇ ଖୋଜିବାକୁ ଗଲେ।

ଡ୍ରାଇଭରକୁ ପଠାଇଲଲେ କାର ନେଇ ବାୟା ବାବା ମଠ,ରେଜିଓନାଲ ଇଂଜିନିୟରିଂ ପଟ ରୋଡ ଦେଖିନେବାକୁ। ଅନୀଲଙ୍କୁ ଖବର ପଠାଇଛନ୍ତି। ମୀରା ଆଖି ଆଗରେ ଦେଖୁଥିଲା ଏକ ବିଶାଳ ବୃକ୍ଷ ର ପତ୍ର ଠିକ ଆୟୂଷ ପୂର୍ବରୁ ରୋଗୀଣା ହଳଦିଆ ହୋଇ ଝଡିପଡୁଛି ଏକ ବିଷାକ୍ତ ରୋଗରେ। ସେ ଗଛ ଜଳିଗଲାପରି ଛିଡା ହୋଇଛି,ପତନ ଖାଲି ବାକି ଅଛି।

କିଛି ଔଷଧ କାମ କରୁନି। ଦେହସାରା ଫୋଟକା ହୋଇଗଲାଣୀ ଶଶୁରଙ୍କର। ପାଦ ଦୁଇଟି କେବଳ ଘୁଷୁରାଇ ଘୁଷୁରାଇ ଚାଲୁଛନ୍ତି। ଏହି ଅବସ୍ଥାରେ କୁଆଡେ ଗଲେ। ସବୁ ବେଦନା ପ୍ରକାଶ କରିବା ଠିକ୍ ନୁହେଁ। ହଜମ କରିବା ତ ଆଦ୍ୟୌ ସମ୍ଭବ ନୁହେଁ। ସେ ବେଦନାକୁ ଯୁଇକୁ ଯିବା ଯାଏଁ ଛାତିରେ,ମନରେ ବୋହି ବୋହି ଚାଲିବାକୁ ପଡେ। ହୃଦୟକୁ ଖିନଭିନ କରୁଥିବା ବେଦନା ଆଶଙ୍କା ସୃଷ୍ଟି କରାଏ , ଏଭଳି ଭୟାନକ ଅବସ୍ଥା ପରିବାରର ଆଉ କାହା ସହ ହେବନିତ? ଜିନ ଦ୍ବାରା ବାହିତ ଏ ରୋଗ ନିଜ ସ୍ବାମୀ ଏବଂ ଛୁଆଙ୍କୁ ଭୋଗିବାକୁ ପଡ଼ିବନି ତ?  ସବୁ ଥାଇ ଉପାୟଶୂନ୍ୟ ପରିସ୍ଥିତି ସୃଷ୍ଟି କରିଦେଉଥିବା ଏହି ବିଲକ୍ଷଣ ଆତଙ୍କ ସୃଷ୍ଟି କରାଏ ଘଡିକି ଘଡ଼ି ।

                          

ଡ୍ରାଇଭର ଡାକରାରେ ପ୍ରକୃତିସ୍ଥ ହେଲେ ମୀରା। ମା ବଡ଼ବାବୁ ଆଉ ନାହାନ୍ତି। ରେଜିଓନାଲ ଇଂଜିନିୟରିଂ କଲେଜର ଏକ ବାଉଁଶ ବୁଦା ଭିତରୁ ପାଇଲି। ସେଇଠି ଟଳି ପଡିଛନ୍ତି ଶୀତରେ ବୋଧେ। ପୁଲିସ ଏଯାଏ ଆସି ନ ଥିଲା,ମୋ ସାଙ୍ଗ ମାନଙ୍କ ସହ ରାତିସାରା ମିଶି ଖୋଜୁଥିଲି। ମୀରା ନିଜକୁ ସମ୍ଭାଳି ପାରୁନଥିଲେ। ଅନୀଲ ପହଞ୍ଚି ଯାଇ କହୁଥିଲେ ସମ୍ଭାଳ ମୀରା ନିଜକୁ। ହଳଦିଆ ହୋଇପ୍ରାକୃତିକ ଉପାୟରେ ଝଡ଼ିବାକୁ କାଳ ସାଙ୍ଗ ଦିଏନି ଆଲଜାଇର୍ମରୋଗ ଭୋଗୁଥିବା ରୋଗୀକୁ। ସେ ଆଶଙ୍କା,ଡର ଆଉ ସେ ବିଲକ୍ଷଣର ଝଲକ ଆଜି ସ୍ବାମୀଙ୍କୁ ଦେଖି ପୁଣି ଚେଇଁ ଉଠୁଛିମନ, ବ୍ୟତିବ୍ୟସ୍ତ ହୋଇ ଉଠିଲେ ମୀରି। ସହିଵା ଅସମ୍ଭବ। କଣ କରିବେ? ଉଠିଯାଇ ପୁଅ ପାଖକୁ ଫୋନ ଲଗାଉଥିଲେ,ବାବାରେ ଆମେରିକାର ଆଲଜାଇମର ସ୍ପେଶାଲିଷ୍ଟଙ୍କ ଫୋନ ନମ୍ବର,ମେଲ ଆଇ.ଡି ଜଲଦି କଲେକ୍ଟ କର। ନିହାତି ଦରକାର।

                          


Rate this content
Log in

More oriya story from Pratima Das

Similar oriya story from Abstract