Pratima Das

Classics

3  

Pratima Das

Classics

ଆଭ୍ରାନ୍ତ

ଆଭ୍ରାନ୍ତ

5 mins
197



ମୁଁ ମରିଯିବିଲୋ ଝୁମୁରୀ, ଆଉ ମାରେନା। ମାଲୋ... ମରିଯିବି। ମାରେନା ଲୋ..., ମୋ ପିଠିରେ ଖଜୁରୀ ଝାଡୁ କଣ୍ଟାରେ ଫୁଟି ଯାଇ ପୋଡିଲାଣି। ନା ଆଉ ନୁହେଁ, ନା ନା ଆଉ କହିବିନି। ଭୁଲରେ ବି କହିବିନି। ତୁ ଲାଠିରେ ଆଉ ପିଟିନାଲୋ।ମାଲୋ ମରିଯିବି। ମରିଯିବି। ମାରେନା। ମାରନା। ତୋ ଗୋଡ ଧରୁଛି। 

ଠେଙ୍ଗାଟେ ଫୋପାଡ଼ି ଦେବାର ଶବ୍ଦ ବାହାରକୁ ଆସିଲା। 

ଝୁମୁରୀ ଅଣ-ନିଶ୍ବାସୀ ହୋଇ ପଡିଲାଣି ।ରାଗ ଜରଜର ହୋଇ ପିଟୁଥିଲା ତା ଗେରସ୍ତକୁ।ଯାହା ହେଲେ ମାଇପିଟେ। ବଳ ଯୁଟେଇ ଯୁଟେଇ ଛାଂଚୁଣୀ ମୁଠା ଧରି ପିଟିବ ନହେଲେ ଠେଙ୍ଗାରେ ପାହାରେ ଦିପାହର ଦେବ,ଆଉ କେତେ। ହେଲେ ଶୋଧାଶୋଧିରେ ଝୁମୁରୀକି ସେ ସାହିରେ କେହି ପାରିବେନି।ଜେନେଟିକ ଫରକ।ଅଇଖା ଝୁମୁରୀ ରାଗିପାଚି ହିତାହିତ ଜ୍ଞାନ ହରେଇ ଦେଇଛି। 

କିଛିଲୋକ ଅପମାନଜନକ କଥାରେ କ୍ଷୋଭ ଦେଖାଇବା ସହ,କ୍ଷୋଭ ଦେଖାଇବା ପରେ ନିଜର ଭାରସାମ୍ୟ ହରାଇ ଆହୁରି ଆହୁରି ବିଗିଡା କାମ କରନ୍ତି। ଠିକ ଯେପରି ଝୁମୁରୀ ଫିଲ୍ମର ଆକସନ ପରେ ଡାଇଲଗ ବାଜିର ଡବିଂ କାମଟି ଏଇନା କରୁଛି। 

ହଇରେ ଏ ...ବାଡିଖିଆ !

ତୋତେ ଧରମ ସହିବନିରେ... ବାଡିପଶା!

ଗୋଟିଏ ବାଡିରେ ଯିବୁରେ... ଧରମଛଡା!

ତୋ ମଲା ଆଖିରେ ପୋକ ପଡୁରେ... ହାରାମଜାଦା!

ତୁ ଚମଛଡା କୁକୁରଭଳି ପୋକରା ହୋଇ ମରରେ... ଯୋଗିନି ଖିଆ।ଏ ବଡରୋଗିଆ!

କେଉଁ ଲକ୍ଷେ ହୀରା ଠି ମନ ଲଗାଇଲୁଣି କିରେ... ଗାତ ପଶା?

ମୋ ଠି ମନଭରି ଗଲାକିରେ.... ବାଇଢଙ୍କ ବେ... ଆ?? 

ଏ ଝୁମୁରୀ କଣ ହେଲା କିଲୋ, ଏ ସକାଳୁ ସକାଳୁ ଏ ପୁରାଣ ଦଣ୍ଡୁଆକୁ କାହିଁକି ଶୁଣାଉଛୁ ?କଣ କଲା ସିଏ?ଯିଏ ଯେମିତି ସକାଳ ନିତ୍ୟକର୍ମ ପାଇଁ ପୋଖରୀକୁ ଆସିଥିଲେ ,ଗଦା ହୋଇ

ଯାଇଛନ୍ତି ଆଜି ପୋଖରୀ ହୁଡାରେ। ପୋଖରୀ ହୁଡାର ଅଣ୍ଡିରା ତୋଠରେ ସତେକି ଅର୍ଧବସ୍ତ୍ର ପରିହିତା, ଛାତିପେଟ ଦେଖାଇ ଅଣ୍ଟାରେ ଗାମୁଛା ଭିଡୁଥିବା ପଲେ ଲୋକଙ୍କ ମେଳଣ ପଡିଛି। ସେପଟ ମାଇକିନା ତୋଠରୁ ବି ମାଇକିନା ଦଳକ ଦାନ୍ତ, ଗୋଇଠି ରେଣ୍ଠି ରେଣ୍ଠି ସେମିତି ଅଧାଗାଧୁଆରେ ଏ ମଜା ଦେଖୁଛନ୍ତି। 

ପୋଖରୀକୁ ଯିଏ ଆସିଛି ନିତ୍ୟକର୍ମ ସାରିବାକୁ, ଆଉ ଫେରୁନି ଘରକୁ। ସମସ୍ତଙ୍କୁ ମଜା ଲାଗୁଛି। ଯିଏ ଦାନ୍ତଘଷୁଥିଲା ତା"ଦାନ୍ତକାଠି ଛୋଟ ହୋଇ ପବଟାକର ହେଲାଣି ପଛେ ସେ ହଟୁନି। ଶାଳୁଆ ଦାନ୍ତକାଠିକୁ ଚୋବୋଉଛି, ଦାନ୍ତକୁ ଠେସ ମାରୁଛି, ସେତକ ପାରୁଆ ହୋଇଗଲେ ତାକୁ ଛିଣ୍ଡାଇ ଥୁକୁଛି ଆଉ ଗଣ୍ଠିଏ ଚୋବାଉଛି। କାହା ଗୁଡାଖୁ ବାଟୁଳା ସରି ଗଲାଣି ସେ ଆଉ ନଖେ ମାଗୁଛି ତା" ପଛରେ ଆସିଥିବା ଲୋକଠୁ। ଦେ...ମ ଭାଇ ଟିକିଏ ଗୁଡାଖୁ, ନିଶା ଛାଡିଗଲା, ଦଣ୍ଡୁଆର ଗଁ ଗଁ ରଡିରେ। ବୋପାଲୋ ଝୁମୁରୀର କି ରଣଚଣ୍ଡୀ ରୂପ ଆଜି। ପାଣିକି ଗାଧୋଇବାକୁ କେହି ପଶୁନାହାନ୍ତି। ପୋଖରୀପାଣି ଆସିଥିବା ଲୋକେ ଖାଲି ସଉଚ ହୋଇ ଛିଡା ହୋଇ ଏ ସୁଆଙ୍ଗ ଦେଖୁଛନ୍ତି।ସହଜେ ଶୀତଦିନ ହେମାଳିଆ। ପୋଖରୀ ହୁଡାରେ ଖରା ପୋଇଁ ଗଣ୍ଡଗୋଳ ଦେଖିବାକୁ ସବେ ବସିଛନ୍ତି। 

କାଚକେନ୍ଦୁ ପରି ପାଣିଭରା ନିରିମଳିଆ ପୋଖରି ହୁଡାରେ ଡମ୍ବରୁ ଖଣ୍ଡେ କୁଡ଼ିଆ କରିଛି। ଡମ୍ବରୁ ଘୁଡୁକି ବଜାଇ ଭଲ ଗୀତ ଗାଏ,ଗୀତଗାଇ ଭିକ୍ଷାବୃତ୍ତି ପରି ମାଗି କିଛି ଚଳେ। ଏ ଭିତରେ କମଳୀ ସହ ତାର ନାମକୁ ମାତ୍ର ପ୍ରେମ ହୁଏ। ନାମକୁ ମାତ୍ର ପ୍ରେମ କହିବାର କାରଣ ଯାହା ପରେ ଭାଂଗିଯାଏ ସମସ୍ତଙ୍କ ପରି ଏହାକୁ ମୁଁ ପ୍ରେମର ଟ୍ୟାଗ ପିନ୍ଧାଇ ପାରେନା। ମୋ ମତରେ ଏହା ଭାରସାମ୍ୟ ହରାଇଦେଇଥିବା ଏକ ଆବେଶ ,ଆଉ ଶାରୀରିକ କ୍ଷୁଧା। ଗୀତଗାଇ, ନାଟ ସୁଆଙ୍ଗକରି ଡମ୍ବରୁ କମଳି ଚଳିଯାନ୍ତି। ଦିନେ ଡମ୍ବରୁର ବଡ ଧରଣର ଦୁର୍ଘଟଣା ହେଲା। ଡମ୍ବରୁର ଆଖି ଦୁଇଟି ନଷ୍ଟ ହୋଇଗଲା। କମଳୀ ଡମ୍ବରୁକୁ ଆଉ ଆଦରି ପଡି ରହିଲାନି। କାହା ସହ ପଳାଇଲା। ବିଚର ଡମ୍ବରୁ ନିଜ ଆଖି ହରାଇବା ସହ, କମଳୀର ସ୍ବାର୍ଥପର ଧୋକାବାଜି ସହି ପାରିଲାନି, କୁଡିଆରେ ସେପରି ପଡିରହିଲା। ଡମ୍ବରୁ ଯେଉଁ ଯେଉଁ ଛକରେ ଘୁଡୁକି ବଜାଇ ଭିକ ମାଗେ, ଝୁମୁରୀ ସେହି ସେହି ଛକରେ ପ୍ରାୟ ଭିକମାଗେ। ଦେଖାସାକ୍ଷାତ ପ୍ରାୟ ସମୟରେ ହୁଏ। 

କଣ ପାଇଁ ଏତେ ଦିନ ଧରି ଡମ୍ବରୁ ଆସିନି,କୁଆଡେ ଗଲା ଦେଖିବାକୁ ଝୁମୁରୀ ଡମ୍ବରୁର କୁଡିଆକୁ ଆସିଲା। ଡମ୍ବରୁ ମଲା ସମାନ ହୋଇ କୁଡିଆ ଭିତରେ ପଡିଛି। ତାକୁ ଉଠାଇ ବସାଇଲା। ସେ ଆଉ ଦେଖିପାରିବନି, ସେ କଥାବି ଶୁଣିଲା। ବିରକତିଆ ହୋଇ ଡମ୍ବରୁ କହିବା ଶୁଣିଲା ମୁଁ ଆଉ ବଂଚିବିନି ଲୋ। କମଳୀ ବେଇମାନୀ କଲା, ଆଖିନାହିଁ ବଂଚିବି କିପରି ?ଚଳିବି କେମିତି? କିଏ ଅଛି ମୋର? ଏତକ ଶୁଣୁ ଶୁଣୁ ଝୁମୁରୀ ଦୁଃଖରେ ବୋହିଗଲା। ମୁଁ ତୋ ପାଖରେ ରହିବି। ତୋ"ହାତଧରି ଚଳେଇବି। ଦୁହେଁ ଭିକ ମାଗିବା, ଚଳିବା। ହେବଟି .....

ଅଳପ କଥାରେ ତରଳି ଯାଉଥିବା ଝୁମୁରୀ ଏତିକି ସିନା କହିଦେଲା, ଡର ରହିଲା ତା ସନମାନ ଟିକକ ରହିବନି। ଯଦି ସେ ଡମ୍ବରୁଟା ମନା କରିଦେବ। ମନେ ମନେ ଭାବିଲା ଯାଚି

ହେଲି କାହିଁକି ? 

ପରମୁହୂର୍ତ୍ତରେ ଡରୁଥିବା କଥାର ଓଲଟା ଶୁଣିଲା। ଡମ୍ବରୁ ପାଖକୁ ଲାଗିଆସି କହିଲା ସତ କହୁଛୁ ଝୁମୁରୀ ତୁ ମୋ ସାହାରା ହେବୁ? 

ହଁ କହିଲି ପରା। 

ଡମ୍ବରୁ, ତେଣିକି ଆଉ ଟିକେ ସାହାସପାଇ ଝୁମୁରୀ ପାଖକୁ ଲାଗି ଆସିଲା। କହିଲା ମୋ ଭାଇଗ ବାମ ହୋଇନି ତାହେଲେ। ମୋ ସାହାରା ପାଇଁ କାହାକୁ ହେଉ ଭଗବାନ ପଠାଇଛନ୍ତି। ସେମିତି ତୋତେ ରଖିବିନି ମ... ହକରେ ବାହାହୋଇ ମାଳା ବଦଳ କରି ରହିବି।  ଦୁନିଆରେ ପ୍ରେମ ନାମରେ ବା ଭଲପାଉଛେ ଏପରି ଭ୍ରାନ୍ତ ଧାରଣା ଭିତରେ ବୋଧେ ବେଶୀ ଭାଗ ସ୍ବାମୀସ୍ତ୍ରୀ କାଟୁଥାନ୍ତି ଜୀବନ। ପ୍ରକୃତରେ ଅଭ୍ରାନ୍ତ କଥାଟି କେବଳ ଗୋଟିଏ । ଜରୁରତ.... ଜରୁରତ..... ବୁଝାମଣାର ଜରୁରତ।  ଝୁମୁରୀ ମଧ୍ୟ ଖୁସି ହୋଇଗଲା। ପରସ୍ପରର ସାହାରା ହେବେ। ନିଜେ ବି ସାହାରା ପାଇଲା। ତା ପରଦିନ ତା"ଝୁପୁଡି ଖଣ୍ଡକ ଟଙ୍କା ଶହେକୁ ଭଡା ଲଗାଇଦେଇ, ଚାଲିଆସିଲା ପୋଖରୀ ହୁଡାରେ ଥିବା ଡମ୍ବରୁ କୁଡିଆକୁ।  ତୋଠ ସଫା କରିବାଠୁ ପୋଖରୀ ହୁଡା ସଫା ରଖିବା, ପୋଖରୀ ହୁଡା ଯାକ ଗଛ କେତେ ଲଗାଇଲାଣି ଝୁମୁରୀ ।ମେହନତୀ ମାଇପି ଝୁମୁରୀ। ଯିଏ ଯେମିତି ଦାନ୍ତକାଠି ,କନାପଟା ଫୋପାଡି ଯାଇଥିବେ ତାକୁ ଓଳାଓଳି କରି ଏକାଠି କରିବ।

ଏପଟ ସେପଟ କରି ଖରା ଖୁଆଇ ସେ ଗଦାକ ପୋଡିବ। ସବୁ ସାଇଜିଆ କାମ ତାର। କୁଡିଆଟିକୁ ବି ନିପାପୋଛା କରି ମାଛିଟିଏ ବି ବସାଇ ଦିଏନି। ଏହାକୁ ସ୍ବର୍ଗ ଭାବେ, ଶାନ୍ତିରେ ଥାଏ।ଭିକ ମାଗି ଗଣ୍ଡେ ଫୁଟାଇ ଦୁହେଁ ଖାଆନ୍ତି। ତେଲ ଘଷାଘଷି କରି ଡମ୍ବରୁକୁ ବି ସାଷ୍ଟାଙ୍ଗ କରି ତା'ସ୍ତ୍ରୀ ଧର୍ମ ନିଭାଏ। ଏତିକି,ଝୁମୁରୀର ପାଟିଟା ଖର। ଅନିୟାଅ ସହିବନି। ରାଇଟିଆ ନୋକେ ତାକୁ ପସନ୍ଦ କରନ୍ତି। ହେମାଳିଆ ପୋଖରୀ ହୁଡା। ହେମାଳିଆ କୁଡିଆ। ଜାଡଟା ଏ ବରଷ ଅଧିକ। ବେଳ ବୁଡୁ ବୁଡି ରାତି ପହରକଠି ଦିଟା ଖାଇ ଶୋଇବାକୁ ଯାନ୍ତି ଡମ୍ବରୁ ଆଉ ଝୁମୁରୀ। 

ଆଠଦିନ ହେବ ଏକ ରାସାୟନିକ ପ୍ରକ୍ରିୟା ନିଜର ପ୍ରତିକ୍ରିୟା ଦେଖାଉଛି ଝୁମୁରୀ ଦେହ ମନରେ। ଝୁମୁରୀ ସ୍ନେହ ସୁଆଗ ଟିକେ ପାଇବାକୁ ଛଟରପଟର ହୋଇ ଯେତେ ନିକଟତର ହେଉଛି, ଡମ୍ବରୁ ଦୂର ଦୂର ହେଉଛି। ଯାହାହେଲେ ମାଇପି ମଣିଷ ଝୁମୁରୀ କେତେ ଉପରେ ପଡିବ। ଦିନଯାକ କଟିଯାଏ ଦୁଃଖଧନ୍ଦାରେ। ରାତିକି ଦେହ ଚାହେଁ ଦେହଟିଏ। ରାତି ଅନେକ କଥା କୁହେ। ଲାଗେ ଦିନଠୁ ଅଧିକ ବୋଧେ ବେଳେ ବେଳେ।

ପାହାନ୍ତା ପହର। ଆଜି ଝୁମୁରୀ ଉଲ୍ଲସିତ। ତା'ମନ ଦେହ ଯାହା ପାଇଥିଲା କିଛି ମାସଧରି ଡମ୍ବରୁ ଠାରୁ, ଆଜି ପୁଣି ପାଇବାକୁ ବାଡେଇ କଚାଡି ହେଉଛି। ଆଠ ଦିନ ଧରି ଏ ଅମାନିଆ ମନକୁ

କେତେ ସମ୍ଭାଳିବ । ଆଜି ସମ୍ଭାଳି ନପାରି ଭାବୁଛି ମୋ ଗେରସ୍ତ ତ କଣ ପର କି ଏକି ? ମୁଁ ଟିକେ ଜବରଦସ୍ତି କଲେ କଣ ଅସୁବିଧା। ଝୁମୁରୀ ମାଇପିଙ୍କ ପାଇଁ ନିଷିଦ୍ଧ ପାହାଚକୁ ଓହ୍ଲାଇ ଗଲା, ପାହାନ୍ତା ପହରରେ ଯେଉଁ ପାହାଚକୁ କେବେ ଓହ୍ଲାଇ ନଥିଲା। 

କାହିଁକି ଏମିତି... ଇ ଭଳି ହେଉଛୁ କହିଲୁ! ତୋର ବେଶୀ ଉତୁରୁଛି। ତୋ'ଭଳି ଅସୁନ୍ଦରୀ ଠି କାହାର ମନ ଲାଗିବ ! ତୋ ଦାନ୍ତ ଆସିକି ମୋ ମୁହଁରେ ବାଜୁଛି।  ଛାତିରେ ଚେନାଏ ମାଉଁସ ଗୋଡି ଯୋଡି ଏଭଳି ଖତେଇ ହେଉଛି । ନରମ ଛୁଆଁ ଟିକେ ପାଇବ ବୋଲି ଜାକି ଧରିଲା ବେଳକୁ ଓଲଟା ଛାତିହାଡ ବାଜି କାଟୁଛି। ଠେଙ୍ଗୀହାଡ ବାଜୁଛି ଏପରି ଅଥାନରେ ଯେ ନକହିବା ଭଲ। ତୋଠ ସଫା, ଘର ନିଚିପଳ, ଗଛଲଗା କରି କରି ବେଳସାରି ନିଜ ଦେହମୁଣ୍ଡ ଟିକେ ଘଷାମଜା କରୁନୁ ଯେ କେମିତି ଫୁରୁକୁଟିଆ ଗନ୍ଧୁଛି।

ଝୁମୁରୀର ମରମ ହାଣିବା କଥାତକ ତ କହିଛି, ତା'ପରେ ଝୁମୁରୀ ଯାହାକଲା... ଶୁଣିଲେ।

ଘର ଭିତରେ ଗଁ ଗଁ ହେଉଥିଲା ଡମ୍ବରୁ। ବାହାରେ ଝୁମୁରୀର ଶୋଧା ବକା ଚାଲିଥିଲା। ବାଡିଖିଆ ଅନ୍ଧ ! ଆଖିକୁ ଦିଶୁନି ପଛେ, ସୁନ୍ଦରୀ ଖୋଜୁଛି। ଏ ବାଡିଖିଆ ଆଜିଯାଏଁ କୋଉ ସୁନ୍ଦରୀ ତୋ ଦିହମୁଣ୍ଡ, ଖାଇବା ପି ବା ତ ତୁ ଅନେଉ ଥିଲା। ସୁନ୍ଦରୀ ବାହା ହେଇଥିଲୁ ତ ରହିଲାନି ସେ କମଳୀ ... ତୋ ସହ।

ଆରେ ହେ.... ମୋ ଇମାନଦାରୀର ଏୟା ପାଉଣା? 

ଦୁନିଆଁର ମରଦ ଗୁଡା ବଡ ବିଚିତ୍ର ଜୀବ। 

କୋଢିଆ ମରଦ ବି ଖୋଜେ ଏଠି ଲକ୍ଷ ହୀରାର ସାନିଧ୍ୟ। ଏହା ଚିର ଅଭ୍ରାନ୍ତ। 

             


Rate this content
Log in

Similar oriya story from Classics