Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Arati Sahoo

Others Fantasy


3  

Arati Sahoo

Others Fantasy


ଆତ୍ମହତ୍ୟା

ଆତ୍ମହତ୍ୟା

6 mins 484 6 mins 484


- ବାବା , ଏ ବାବା , ମୋ ମାମାର କଣ ହୋଇଛି । ସେ ଉଠୁନି କଣ ପାଇଁ ? ମାମା.... , ମାମା ଲୋ , ଉଠୁ । ବାବା ତାକୁ ଡାକ୍ତର ପାଖକୁ ନେଇ ଯାଅ ନା , ପ୍ଲିଜ ବାବା , ବାବା.....


  ରାହା ଧରି କାନ୍ଦୁଛି ପପୁନ୍ । ଲୁହ ସିଂହାଣୀରେ ମୁହଁଟା ଶେଥା ପଡ଼ି ଯାଇଛି । ଆଖି ଦୁଇଟା ଫୁଲି ଟୁମା ଟୁମା । ପଥର ପାଲଟି ଜଡ଼ ଭଳି ବସି ରହିଛନ୍ତି ଅନିକେତ । ଅତି ବିକଳ ଦେଖା ଯାଉଛି ତାଙ୍କ ଚେହେରା । ଲୁହ ଟଳମଳ ଆଖି ଦୁଇଟା ତାଙ୍କ ସୌମ୍ୟ ମୁହଁକୁ ଜମା ମାନୁନାହିଁ । ପାପ କଲା ଭଳି ମୁଣ୍ଡ ପୋତି ବସିଛନ୍ତି । ଲଜ୍ଜାରେ ସତେକି ମାଟି ଭିତରେ ପଶିଯିବେ ।


 ଘର ଭିତରେ , ଦାଣ୍ଡ ଦୁଆରେ ଅଜସ୍ର ଲୋକ । ସମସ୍ତଙ୍କ ଆଖିରେ ପ୍ରଶ୍ନ ! 


 ଆରେ ! ଇଏ କଣ ? ପୋଲିସ ଜୀପଟା କଣ ମାଡ଼ି ଆସିଲାଣି ? ଜନସମୁଦ୍ରକୁ ଦିଭାଗ କରି ଜଣେ ପୋଲିସ ଇନ୍ସପେକ୍ଟର ଓ ଦିଜଣ କନେଷ୍ଟବଳ ତା ବେଡରୁମକୁ ଧସେଇ ପଶିଗଲେ । ଲୋକମାନେ ଟୁପ ଟାପ ଫୁସ୍ ଫାସ୍ ହେଉ ଥାଆନ୍ତି । ବାତାବରଣରେ ଛନ୍ଦି ହୋଇ ରହିଛି ପ୍ରଶ୍ନଜାଲ ।


 କଣ ପାଇଁ ଏ ଦାରୁଣ ପଦକ୍ଷେପ ନେଲା ଅନୀମା ! କି କଷ୍ଟକୁ ସେ ମନରେ ଚପେଇ ରଖିଥିଲା ! ଅନୀମା ଅନିକେତର ଯୋଡ଼ି ଆଦର୍ଶ ଦମ୍ପତିର ଏକ ଉତ୍କୃଷ୍ଟ ଉଦାହରଣ ଥିଲା ସର୍ବସମକ୍ଷରେ । ଶାଶୁ ଶ୍ଵଶୁରଙ୍କ ମୁହଁରେ ଅନୀମାର ଭୂରି ଭୂରି ପ୍ରଶଂସା ଶୁଣି ଅନେକେ ଈର୍ଷ୍ୟାତୁର ହୋଇ ପଡୁଥିଲେ । ତଥାପି କଣ ହେଲା ଯେ !


 ମୁଣ୍ଡରେ ହାତ ଦେଇ ବସିଛନ୍ତି ଶାଶୁ ଶ୍ଵଶୁର । ଛୁଆଟାକୁ ବୋଧ କରି ପାରୁ ନାହାନ୍ତି । ଶାଶୁଙ୍କ ଆଖିରୁ ଧାର ଧାର ଲୁହ ବୋହି ପଡୁଛି । ଏ କରୁଣ କଲିଜା ଚିରା ଦୃଶ୍ୟ ଦେଖିଲେ ପଥର ତରଳି ଯିବ । ହେଲେ ଏମିତି କର୍ମ କଲା କେମିତି ଅନୀମା ?


 ଧଳା ଚାଦର ଆଚ୍ଛାଦିତ ତାର ନିର୍ଜୀବ ଶରୀର । କେବଳ ମୁହଁ ଅନାବୃତ । ଜୀଭଟା ହାତେ ବାହାରି ପଡ଼ିଛି । ଜୀଭ ଉପରେ ମାଛି ତିନି ଚାରିଟା ବସିଛନ୍ତି । ଅନୀମାକୁ ଓକାଳ ଉଠିଲା । ସେ ସବୁ ଦେଖୁଛି କିନ୍ତୁ କିଛି କରିବାର ଜୁ ନାହିଁ । ପଶିଯିବ କି ଶରୀର ଭିତରେ ପୁଣି । ନିଷ୍ଫଳ ଚେଷ୍ଟା କଲା ସେ । ନାଃ , ସେ ତା ଭିତରେ ପଶି ପାରୁନାହିଁ । ଛାଡ଼ ! ଗଲା ପପୁନ୍ ପାଖକୁ । ତାକୁ ଛାତିରେ ଜାକି ଧରି ପପି ଦେଇ ବୁଝେଇ ଦେବାକୁ । କିନ୍ତୁ , ଏ କଣ ସେ ତ ତାକୁ ସ୍ପର୍ଶ ସୁଦ୍ଧା କରିପାରୁ ନାହିଁ । ତାର କାନ୍ଦ ଶୁଣି , ତାର ବିକଳ ମୁହଁ ଦେଖି ଅନୀମାର କଲିଜା ଭିତରେ କଣ ସବୁ ଭାଙ୍ଗିରୁଜି ଯାଉଥିଲା । ତାର ମୁଣ୍ଡଟାକୁ ହେଲେ ଟିକେ ଆଉଁସି ପାରନ୍ତା । ଓଃ କଣ କରିବ ସେ ?! କଣ କରିବ !! ଖୁବ ଯୋରରେ ଚିତ୍କାର କରି କାନ୍ଦି ଉଠିଲା ସେ । ଏତେ ଯୋରରେ ଯେ ନିଜେ ଚମକି ପଡିଲା । ଚାରିପାଖକୁ ଦେଖିଲା । ସମସ୍ତେ ନିର୍ବିକାର । ତାର କାନ୍ଦ କଣ କେହି ଶୁଣି ପାରୁ ନାହାନ୍ତି । କେହିଜଣେ ତାକୁ ଅନଉ ନାହାନ୍ତି ଯେ । ଦ୍ଵାରବନ୍ଧ ଉପରେ ଲଥ କିନା ବସି ପଡ଼ିଲା । ମୁଣ୍ଡ ବୁଲେଇ ଦେଉଛି । ସମସ୍ତ ଦୃଶ୍ୟ ଘିରିଘିରି ହୋଇ ବୁଲୁଛି ତାର ଚତୁର୍ପାର୍ଶ୍ଵରେ । କିଂକର୍ତ୍ତବ୍ୟ ବିମୂଢ଼ ଅବସ୍ଥାରେ ବସି ରହିଲା ସେ ନିରାଶ ହୋଇ ।


 ପଡୋଶୀ ମାନେ ଶାଶୁଙ୍କୁ ବୁଝାଉଛନ୍ତି । ବାହୁନି ଚାଲିଛନ୍ତି ସେ ଛାତି ବାଡେଇ । 


- କଣ ପେଇଁ ଏମିତି କଲୁ ମୋ ମାଆ ? କି ଦୁଃଖ ତୋ ମନରେ ଥିଲା ମୋତେ କହିଲୁ ନାହିଁ । ମୁଁ ଏଇନେ କଣ କରିବି ଲୋ ମୋ ମାଆ । ପୁଅକୁ କିଏ ସମ୍ଭାଳିବ ଲୋ । କେଡ଼େ ଆନନ୍ଦରେ ତ ଆମକୁ ପଠେଇ ଦେଲୁ ପୁଅକୁ ପ୍ଲେ ସ୍କୁଲରୁ ଆଣିବା ପାଇଁ । ତୋ ମନରେ ଶେଷକୁ ଏଇୟା ଥିଲା । ମୁଁ ଅଲକ୍ଷଣି କାହିଁକି ତୋତେ ଏକୁଟିଆ ଛାଡ଼ି ଗଲି । ମୋ ଘରତ ଭାସି ଗଲା ଲୋ ମୋ ମାଆ !! 


 ସିଆଡେ ଜେରା କରି କରି ପୋଲିସ ଅନିକେତଙ୍କୁ ଅଥୟ କରି ସାରିଲେଣି । ଅବାନ୍ତର ପ୍ରଶ୍ନ - 


- ଅନୀମା ସହିତ ତାଙ୍କର ମନୋମାଳିନ୍ୟ ହୋଇଥିଲା କି ,


- ତାର କିଛି ଶାରୀରିକ ଅସୁସ୍ଥତା ଥିଲା କି ,


-ତାର ମସ୍ତିଷ୍କ ବିକୃତି କିମ୍ବା ଅବସାଦ ଥିଲା କି ,


- ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ଥିଲା କି ନାହିଁ , ଇତ୍ୟାଦି ଇତ୍ୟାଦି ।


 ଅନିକେତ ନିର୍ବାକ ହୋଇ ବସି ରହିଛନ୍ତି ତାର ଶବାଧାରରେ । ନିର୍ଲିପ୍ତ ଦୃଷ୍ଟି ଅନୀମାର ମୁଖମଣ୍ଡଳରେ । ତାଙ୍କୁ ଯେମିତି ଶବ୍ଦ ସବୁ ଛୁଇଁ ପାରୁନାହିଁ । ସେ କିଛି ଦେଖି ପାରୁ ନାହାନ୍ତି, କି ଶୁଣି ପାରୁ ନାହାନ୍ତି କି ବୁଝି ସୁଦ୍ଧା ପାରୁ ନାହାନ୍ତି । ଅନୀମା ଯାଇ ତାଙ୍କୁ ହଲାଇ ଦେବାର ବୃଥା ଉପକ୍ରମ କଲା ।


- କୁହ ଅନିକେତ , କିଛି ତ କୁହ । କୁହ ଏସବୁ ମିଛ । ଅଯଥା ଜେରା କାହିଁକି କରୁଛନ୍ତି ? ଏଥିରେ କାହାରି ଦୋଷ ନାହିଁ ।


 ଅନୀମାର ବାପା ବୋଉ ଭଉଣୀ ସବୁ ଆସି ପହଞ୍ଚି ଗଲେ । ଦ୍ଵାରବନ୍ଧ ଉପରେ ବସିଥିବା ଅନୀମା ଉପରେ ଚଢ଼ି ଯାଇ କାନ୍ଦି କାନ୍ଦି ଅଥୟ ହୋଇ ତା ଶବଟାକୁ ଯାଇ କୁଣ୍ଢାଇ ଧରିଲେ । ବୋଉର କରୁଣ କାନ୍ଦଣା ଶୁଣି ତାର ମଧ୍ୟ କୋହ ଉଠିଲା । ସେ ବୋଉକୁ କୁଣ୍ଢେଇ ପକେଇ କହିଲା ,


- ନା ବୋଉ , କାନ୍ଦନା , ହେଇଟି ପରା ମୁଁ ! ବୋଉ ଶୁଣି ପାରୁନାହିଁ ।


 ଓଃ , କି ଭୂଲ ନକଲା ସତେ ସେ !!!

  

ବାପାଙ୍କ ଆଖିରେ ଦୁଃଖ , କୋହ ଓ ତାତ୍ସଲ୍ୟ ମିଶା କ୍ରୋଧର ନିଆଁ । ରାଗରେ ପାଚି ଲାଲ ହୋଇ ଯାଇଥିବା ବାପାଙ୍କ ଆଖିକୁ ଦେଖି ତାର ସର୍ବାଙ୍ଗ ଥରି ଉଠିଲା । ଠିକ ଏହିପରି ଆଖି ଦୁଇଟାକୁ ସାମନା କରିଥିଲା ସେ , ଅନିକେତଙ୍କୁ ବିବାହ କରିବାର ନିଷ୍ପତ୍ତି ନିଜେ ନିଜେ ନେଲାବେଳେ । ଅନେକ ବାରଣ ଅନେକ ମନାନ୍ତର ମତାନ୍ତର ସତ୍ତ୍ବେ ସେ ଅଟଳ ରହିଥିଲା ନିଜ ନିଷ୍ପତ୍ତିରେ । ନିମ୍ନ ମଧ୍ୟବିତ୍ତ ପରିବାରରେ ତାକୁ ବିବାହ ଦେବାକୁ ତାର ଓ .ଏ . ଏସ . ବାପା ଆଦୌ ରାଜୀ ନଥିଲେ , କାଳେ ତାଙ୍କର ପ୍ରତିପତ୍ତିରେ ଆଞ୍ଚ ଆସିବ ବୋଲି । କିନ୍ତୁ ଅନୀମାର ଜିଦ ପରାସ୍ତ କଲା ତାଙ୍କୁ ।


  ଆଜି ଯେମିତି ପୁରୂଣା କ୍ରୋଧର ନିଆଁଟା ପୁଣି ଥରେ କୁହୁଳି ଉଠିଲା । ହିତାହିତ ଜ୍ଞାନ ଲୋପ ପାଇଗଲା । ଚିତ୍କାର କରି ଉଠିଲେ ସେ ,


 - ଏଇ ନିଚ୍ଚ ଲୋଭି ଲୋକଗୁଡା ମୋ ଝିଅକୁ ମାରି ଦେଇଛନ୍ତି । ହତ୍ଯା କରିଛନ୍ତି ଏମାନେ ।


 ତାର ବେକ ପାଖରେ ପଡ଼ିଥିବା ରସିଟା ଉଠେଇ କହିଲେ , 


- ମୋ ଝିଅ କେବେବି ରସି ଦେଇ ପାରେନା । ସେ ଏତେ ଦୁର୍ବଳା କଦାପି ନଥିଲା । ଯୌତୁକ ଲୋଭରେ ଏମାନେ ତାକୁ ମାରି ଦେଇଛନ୍ତି ନିଶ୍ଚେ ।


 ଜମା ହୋଇଥିବା ଲୋକଙ୍କ ଆଖିରେ ସନ୍ଦେହଟା ଆହୁରି ଘନେଇ ଆସିଲା । ଅନୀମା ଧାଇଁ ଯାଇ ତା ବାପାଙ୍କ ପାଦକୁ ଜାବୁଡ଼ି ଧରିଲା ।


- ନା ନା ବାବା , ଏମିତି କୁହ ନାହିଁ । ସେମାନେ ସବୁ ନିର୍ଦୋଷ । କିଛି ବି କରି ନାହାନ୍ତି । ତୁମେ ତ ଜାଣିଛ , ମୁଁ କେତେ ଖୁସିରେ ଥିଲି । ମୋର ଏଠାରେ କେତେ ଆଦର ଓ ସମ୍ମାନ ଥିଲା । ରାଗ ଚଣ୍ଡାଳରେ ଏମାନଙ୍କୁ ଦଣ୍ଡିତ କର ନାହିଁ ।


 ଅନୀମାର କଥା ଗୁଡା ପବନରେ ମିଳେଇ ଯାଉଥିଲା । କଣ କରିବ ସେ । କେମିତି ସମସ୍ତଙ୍କୁ ବୁଝେଇବ । ଆଉ କଣ କିଛି ଉପାୟ ନାହିଁ ?


 ପୋଲିସ ଅଫିସର ଏଥର ନିଜର ଓଜନଦାର ଚଢା଼ ଗଳାରେ ଅନିକେତଙ୍କୁ ଡାକି ଏତେ ଯୋରରେ ହଲାଇ ଦେଲେ ଯେ ସେ ତଳେ ଗଳି ପଡ଼ିଲେ । ଅନୀମା ଧାଇଁ ଯାଇ ତାଙ୍କୂ ଟେକି ଧରିବାର ବ୍ୟର୍ଥ ଚେଷ୍ଟା କଲା । ଅନିକେତ ଚାରିପାଖକୁ ଶୂନ୍ୟ ଦୃଷ୍ଟିରେ ଅନେଇ ପୁଣି ଚୁପ ବସିଗଲେ । ଯେମିତି ସବୁ ଅପରାଧ ସ୍ଵୀକାର କରୁଛନ୍ତି । ନିର୍ବୋଧ ପାଗଳ ପ୍ରାୟ ପୋଲିସ ଅଫିସରଙ୍କୁ ଅନେଇ ରହିଲେ । ଅନୀମା ନିଜର ମୁଣ୍ଡ ପିଟି ପକାଇଲା କାନ୍ଥରେ ।


 କି ଦୁର୍ବୁଦ୍ଧି ନକଲା ସେ ସତେ । ଖଣ୍ଡେ ସୁଇସାଇଡ ନୋଟ ହେଲେ ଲେଖି ରଖିଥାନ୍ତା । ସେ ଜାଣି ପାରିଲା ଅନିକେତଙ୍କୁ ସେ ଆଉ ବଞ୍ଚେଇ ପାରିବ ନାହିଁ । ତା ଛୁଆକୁ ସେ ବାପା-ମାଆ ଦିଜଣଙ୍କ ସ୍ନେହରୁ ବଞ୍ଚିତ କରିଦେଲା । ସବୁଠାରୁ ଦୁଃଖ , ସେ ଏଇ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ବାଧ୍ୟ । ସେ କିଛି କରି ମଧ୍ୟ ପାରିବ ନାହିଁ । ତାର ଅଶରୀରି ଆତ୍ମା ଏହିଠାରେ ହିଁ ତ ଘୁରି ବୁଲିବ ଅନନ୍ତ କାଳ ଯାଏ । ହେଲେ ସେ କଣ ସତ ସତିକା ମରିବାକୁ ଚାହିଁଥିଲା କି ? ଖାଲି ଥଟ୍ଟା ମଜାରେ ହୋଇଥିବା ବାର୍ତ୍ତାଳାପକୁ ପରିଣାମ ଦେଵାକୁ ଯାଇ ସିନା ଏ ଦୂରବସ୍ଥା । ସେ କେବଳ ପରଖିବାକୁ ଚାହିଁଥିଲା , ଯେ ତାର ମୃତ୍ୟୁ ପରେ କି ଅବସ୍ଥା ହେବ ଅନିକେତଙ୍କର , ଅନିକେତ ସତରେ କେତେ ଭଲ ପାଆନ୍ତି ତାକୁ । କେବଳ ମିଛିମିଛିକା ଆତ୍ମହତ୍ୟାର ଅଭିନୟ କରିବାକୁ ଚାହିଁଥିଲା , ଯେମିତି କଲେଜରେ ପଢ଼ୁଥିବା ବେଳେ ଗୋଟିଏ ନାଟକରେ ଅଭିନୟ କରି ଦର୍ଶକଙ୍କୁ ଭାବବିହ୍ଵଳ କରି କନ୍ଦାଇ ଦେଇଥିଲା ଓ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ପାଇଥିଲା । କିନ୍ତୁ ହାୟ !! ସେ କଣ ଭାବିଥିଲା ,ରସିର ଫାଶଟା ତା ବେକରେ ବାନ୍ଧି ହୋଇଯିବ ବୋଲି ? ଯନ୍ତ୍ରଣାରେ କେତେ ଛଟପଟ ନ ହେଇଛି ସିଏ ! କଲିଜା ଫଟାଇ ଖୁବ ଯୋରରେ ସେ ଚିତ୍କାର କରି କାନ୍ଦି ଉଠିଲା !! 


- ଅନିକେତ , ମୋତେ ବଞ୍ଚାଅ ! ମୁଁ ଆତ୍ମହତ୍ୟା କରିବାକୁ ଚାହୁଁନାହିଁ !! ମରିବାକୁ ଚାହୁଁନାହିଁ !!!


- ଅନୀମା , ଅନୀମା , କଣ ହେଲା ତୁମର ? ଏମିତି ଆତ୍ମହତ୍ୟା ଆତ୍ମହତ୍ୟା ବୋଲି ପାଟିଟାଏ କାହିଁକି କରୁଛ ? ଶଃ , ରାତିଅଧ ଯାଏ ତ ହରର୍ ସିରିଏଲ ଦେଖିବ , ଆଉ ଲୋକଙ୍କୁ ଶୁଆଇ ଦେବ ନାହିଁ ଶାନ୍ତିରେ ଟିକେ ।


ଧଡ଼ପଡ଼ କରି ଉଠି ବସିଲା ସେ । ଦେହ ହାତ ଆଉଁସି ପକାଇଲା । ଝାଳରେ ଗୋଟାପଣେ ସୁଡ଼ବୁଡ଼ । ହେ ଭଗବାନ !! ସେ ତାହେଲେ ସ୍ଵପ୍ନ ଦେଖୁଥିଲା ଏଯାଏଁ , ମରିନାହିଁ !!! 


 ପାଖରେ ସ୍ଵପ୍ନରେ ହସୁଥିବା ପପୁନ୍ କୁ ସେ ଖୁବ ଯୋରରେ ଛାତିରେ ଭିଡ଼ି ଧରିଲା , ଅନିକେତ ଆଡ଼କୁ ଗଭୀର ଅନୁରାଗରେ ଚାହିଁରହି ।



Rate this content
Log in