ଆଶାର ନଗରୀ
ଆଶାର ନଗରୀ
ବରଫ,ପାଣିର ଏକ ରୂପ।ବିଜ୍ଞାନରେ ତାର ତଥ୍ୟ ଭିନ୍ନ ମାତ୍ର ସାଧାରଣରେ ବରଫ କହିଲେ ଥଣ୍ଡା ଲାଗୁଥିବା ଏକ ପଦାର୍ଥ । ଯାହାକୁ ପିଲାମାନେ ହାତରେ ଧରି ଖେଳିବାକୁ ଭଲ ପାଆନ୍ତି।ଖରାଦିନେ କାଚ ଗ୍ଲାସରେ ଥିବା ପାଣିର ଶୋଭା ବର୍ଦ୍ଧନ ସହ ତୃଷା ମେଣ୍ଟାଇବାରେ ସାହାଯ୍ୟ କରେ।ନାରୀ ମାନେ ବରଫକୁ ନିଜର ସୌନ୍ଦର୍ଯ୍ୟ ବର୍ଦ୍ଧକ ଭାବରେ ମଧ୍ୟ ବ୍ୟବହାର କରିଥାନ୍ତି ।
ମାତ୍ର ବରଫକୁ ପ୍ରକୃତରେ ଅନୁଭବ କରିହୁଏ କାଶ୍ମୀର ଭଳି ସ୍ଥାନରେ ଯେଉଁଠି ତୁଷାର ପାତ ହୁଏ। ବରଫର ଗୋଲା ତିଆରି କରି ଖେଳିବା ଓ ତା ଉପରେ ଗଡିବା ଏକ ରୋମାଞ୍ଚକର କଥା।ତାର ଅନୁଭୂତି ନିଆରା।ଆଉ ସେହି ନଗରୀରେ ରହିବାର ସ୍ୱପ୍ନ ତ ଆହୁରି ନିଆରା।
ସେହି ଅନୁଭୂତିକୁ ନେଇ ଆଜିର ଉପସ୍ଥାପନା।
ମିମି,ଏକ ମଧ୍ୟବିତ୍ତ ପରିବାରର ଝିଅ।ପାଠପଢି ଏକ ଚାକିରୀ କରିବାର ଆଶା ନେଇ ତା ବାପା ମାଆ ତାକୁ ପାଠପଢାଇବାରେ କୌଣସି ହେଳା କରିନଥିଲେ।ସେ ମଧ୍ୟ ଏକ ମନ ଏକ ପ୍ରାଣ ଦେଇ ବାପା ମାଆଙ୍କ ଆଶା ପୂରଣ କରିବାରେ ଲାଗିପଡିଲା। ଭଗବାନ ମଧ୍ୟ ସହାୟ ହେଲେ ।ଏକ ବେସରକାରୀ ଅନୁଷ୍ଠାନରେ ଭଲ ଦରମାରେ ଚାକିରୀ ପାଇଲା । ନିଜର ମନ ପ୍ରାଣ ଦେଇ କର୍ମକ୍ଷେତ୍ରରେ ଯୋଗଦେଲା। ନିଜର ନିଷ୍ଠାପରତା ଓ କାର୍ଯ୍ୟ ପ୍ରତି ସମର୍ପଣ ଭାବ ଯୋଗୁଁ ସେ ଅଫିସର ସମସ୍ତଙ୍କ ପ୍ରିୟ ହିସାବରେ ଗଣତିରେ ଆସେ । ତାର ମଧ୍ୟ ସମସ୍ତଙ୍କ ପ୍ରତି ବ୍ୟବହାର ଖୁବ ଭଦ୍ର। ପିଅନ ,ଚପରାସୀ ଠାରୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ ସମସ୍ତଙ୍କୁ ସମଭାବେ ସମ୍ନାନ ଦିଏ।
ଏମିତି ଭାବରେ ସମୟ ବିତେ ତାର । ଵିବାହ ସମୟ ଉପନୀତ । ଘରେ ମଧ୍ୟ ବାପା ମାଆ ଭଲ ପାତ୍ରଟିଏ ଖୋଜିବାରେ ବ୍ୟସ୍ତ । ଇତି ମଧ୍ୟରେ ଅଫିସରେ ଅଫିସର ହୋଇ ଯୋଗ ଦିଅନ୍ତି ସୁଜିତ । ଦେଖିବାକୁ ଯେମିତି ଭଦ୍ର ,ବ୍ୟବହାର ମଧ୍ୟ । ସେ ବି ସବୁ କର୍ମଚାରୀଙ୍କୁ ସମ ଦୃଷ୍ଟିରେ ଦେଖନ୍ତି।
କିଛି ଦିନ ପରେ ମିମି ର କାର୍ଯ୍ୟ କଳାପ ଓ ବ୍ୟବହାର ଦେଖି ତା ପ୍ରତି ଆକୃଷ୍ଟ ହେଲେ ସୁଜିତ । ପ୍ରାୟ ଅନେକ ସମୟରେ ବିଭିନ୍ନ କାର୍ଯ୍ୟ ନେଇ ତାକୁ ଡାକନ୍ତି ଏବଂ ତାର କାର୍ଯ୍ୟରେ ସ୍ପୃହା ଦେଖି ଅଧିକ ଦାୟିତ୍ବ ଦିଅନ୍ତି । ସେ ମଧ୍ୟ ବିନା ଦ୍ୱିଧାରେ ସବୁ କାର୍ଯ୍ୟ କରିଚାଲେ।ମଝିରେ ମଝିରେ ଫୋନ ଯୋଗେ ସୁଜିତ ବିଭିନ୍ନ କାର୍ଯ୍ୟ ନେଇ ମିମି ସହ କଥା ହୁଅନ୍ତି।ଏହି କଥାବାର୍ତ୍ତା ଧିରେ ଧିରେ ବଢିବାରେ ଲାଗିଲା । ମିମି ମଧ୍ୟ ଆଫିସର ହିସାବରେ ଭଦ୍ର ଓ ନମ୍ରତାର ସହ କଥା ହୁଏ । ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେବାରେ ଲାଗିଲା ଓ ସେମାନେ ପରସ୍ପରର ନିକଟତର ହେବାରେ ଲାଗିଲେ । ମିମି ବାବଦରେ ସବୁ କଥା ଜାଣିଥିଲେ ସୁଜିତ ଏବଂ ତାକୁ ସମ୍ମାନ ବି ଦେଉଥିଲେ।
ଦିନେ କଥାରେ କଥାରେ ବାହାରକୁ ବୁଲିଯିବା କଥା ପଡିଲା। ସୁଜିତ କୁଆଡେ ସବୁ ବୁଲିବାକୁ ଯାଇଛନ୍ତି ସବୁ କହିଲେ ଓ ମିମି କୁ ପଚାରିଲେ ।ମାତ୍ର ସେ ମନ ଦୁଃଖରେ କହିଲା ଯେ କେବଳ ଘର ଓ ଅଫିସ ଛଡା ତୃତୀୟ ସ୍ଥାନ ସେ ଆଜି ପର୍ଯ୍ୟନ୍ତ ଦେଖିନାହିଁ। ତାର ଭାବାବେଗକୁ ଦେଖି ସୁଜୀତ କହିଲା ,ମୁଁ ତୁମକୁ ବରଫ ନଗରୀ ବୁଲେଇ ନେବି। ହଠାତ ତା କଥା ଶୁଣି ମିମି ଏକ ଅଲଗା ଦୁନିଆକୁ ଚାଲିଗଲା ଏବଂ ସୁଜିତ ସହ ଏକ ସୁଖୀ ସଂସାର ଗଢିବାର ସ୍ୱପ୍ନ ରେ ମଜ୍ଜି ଗଲା।
କିଛି ଦିନପରେ ସୁଜିତର ବାହାରକୁ ଯିବାର ଯୋଜନା ହେଲା। ଛୁଟି ନେଇ ସେ ଯିବାକୁ ବାହାରିଲେ।ମିମି କିଛି ସମୟ ପାଇଁ ମନ ଦୁଃଖ କଲା ମାତ୍ର ସୁଜିତ ତାକୁ ବୁଝେଇଲେ ଯେ ସେ ଶିଘ୍ର ଫେରିଆସିବେ ଓ ପୂର୍ବବତ୍ ତା ସହ ସମୟ ବିତେଇବେ।ସେହି ଆଶାରେ ମିମି ଅପେକ୍ଷା କରି ରହିଲା।
ପନ୍ଦର ଦିନ କଟିଗଲା ।ତା ପରଦିନ ସୁଜିତ ଅଫିସ ଆସିବ ।ମନରେ କେତେ ଉନ୍ମାଦନା ଓ ନିଜର ସୁଜିତ ପ୍ରତି ଭଲ ପାଇବା ବ୍ୟକ୍ତ କରିବାର ଉତ୍ସାହ ନେଇ ନିଜକୁ ପ୍ରସ୍ତୁତ କଲା।ସମୟର ପୂର୍ବରୁ ସେ ଅଫିସ ପହଞ୍ଚି ଗଲା।
ସେତେବେଳକୁ ଅଫିସର ଅନ୍ୟଜଣେ କର୍ମଚାରୀ, ଯିଏକି କମ୍ପ୍ୟୁଟର କାମ କରନ୍ତି ସେ ଉପସ୍ଥିତ ଥିଲେ।ମିମି ତାଙ୍କର ଏତେ ଶିଘ୍ର ଅଫିସ ପହଞ୍ଚି ବାର କାରଣ ଜାଣିବାକୁ ଚାହିଁ ବାରୁ ସେ କହିଲେ,ସାରଙ୍କ ଅନ ଲାଇନ ଟିକେଟର ନକଲ କାଢିବାପାଇଁ ଶୀଘ୍ର ଆସିଛି।ସୁଜିତ କଥା ଶୁଣି ମିମିର ଆଗ୍ରହ ବଢିଗଲା ଓ ସେ ମଧ୍ୟ ସେ କର୍ମଚାରୀଙ୍କ ପାଖରେ ବସି ଟିକେଟ ଦେଖିବାକୁ ଲାଗିଲା।ଏତେ ଗୁଡେ ନା ଦେଖି ଏମାନେ କିଏ ପଚାରିଲାରୁ ଜାଣିବାକୁ ପାଇଲା ସେଥିରେ ତାଙ୍କ ସ୍ତ୍ରୀ ଓ ଝିଅ ସହ ଅନ୍ୟ ପରିବାର ବର୍ଗ ଅଛନ୍ତି ଓ ସେମାନେ ଛୁଟି କଟେଇବା ପାଇଁ ବରଫ ନଗରୀ କାଶ୍ମୀର ଯାଇଥିଲେ।
ଏହା ଶୁଣି ମିମିର ପାଦତଳୁ ଭୂଇଁ ଖସିଗଲା ପରି ଲାଗିଲା। ସୁଜିତର ପରିବାର ଥାଇ ମଧ୍ୟ ସେ କିପରି ତା ସହ ଏମିତି ସମ୍ପର୍କ ବଢାଇବାର ଚିନ୍ତା କଲା ଏହା ଭାବି ସେ ବିବ୍ରତ ହୋଇ ପଡିଲା ।ଆଖିରୁ ଲୋତକ ଗୁଡିକ ଅମାନିଆ ଝଡ ପରି ବହିବାରେ ଲାଗିଲା। ସୁଜିତ ତା ସହ ଛଳନା ଓ ଅଭିନୟ କରୁଛି ବୋଲି ଜାଣି ନୀଜକୁ ବହୁ ଧିକ୍କାର କଲା । ସେଠାରୁ ଉଠି ଆସି ନିଜ ସ୍ଥାନାନ୍ତର ପାଇଁ ଦରଖାସ୍ତ ଲେଖିବା ସମୟରେ ମନେ ମନେ ଭାବୁଥିଲା ତାର ବରଫ ନଗରୀ ଯିବାର ଉତ୍ସାହ କଥା ଓ ନିଜକୁ ଧିକ୍କାର କରୁଥିଲା । ସତ୍ୟରେ ପରିଣତ ହେବା ପୂର୍ବରୁ ତାର ଆଶା ଆଶାରେ ହିଁ ରହିଗଲା।