ଆଶାର କିରଣ
ଆଶାର କିରଣ


ଘଞ୍ଚ ଜଙ୍ଗଲ ଘେରା ଉଚ୍ଚ ଉଚ୍ଚ ପାହାଡ । ଠାଏ ଠାଏ ଚାଳ ଛପର କୁଡିଆ । ନା ଥାଏ ସେଠିକି ରାସ୍ତା, ନା ବିଜୁଳୀ ବତୀ। ଖରା ବେଳଟାରେ ବି ସନ୍ଧ୍ୟାର ଭ୍ରମ ସୃଷ୍ଟି କରେ ସେହି ଅପହଞ୍ଚ ଇଲାକାଟି । କେଉଁ ଆଦିମ କାଳରୁ କିଛି ଆଦିବାସି ସଂପ୍ରଦାୟ ଏହି ବଣ ଜଙ୍ଗଲ ଆଉ ପାହାଡଟାକୁ ନିଜର ସାମ୍ରାଜ୍ୟ ଭାବି ରାଜ କରନ୍ତି । ବନ୍ୟ ପଶୁଙ୍କର ହିଂସ୍ର ରଡି, ଛାତି ଥରାଇ ଦେଉଥାଏ । ଏମାନଙ୍କର ଭାଷା ବି ବିଚିତ୍ର କେଉଁ ପୁସ୍ତକରେ ଲିପିବଦ୍ଧ ନ ଥାଏ ।
ମୁଁ ସେହି ଇଲାକା ପାଖ ପଞ୍ଚାୟତ ସ୍କୁଲ୍ ରେ ଶିକ୍ଷକଭାବେ ନିଯୁକ୍ତି ପାଇଥାଏ । ସ୍କୁଲରେ ମୋଟେ ତିନୋଟି ବଖରା ... ଗୋଟିଏ ବଖରା ଭଙ୍ଗାଦୋଦରା ଅନ୍ୟଟିରେ ମୁଁ ଓ ମୋ ସହକର୍ମି .....ଗୋଟିଏ କୋଣରେ ରୋଷେଇବାସ କରିବା ସହ ରାତ୍ରିଯାପନ କରୁଥାଉ ଏବଂ ଦିନରେ ଶ୍ରେଣୀ ଗୃହ ଆଉ ମଧ୍ୟାନ୍ନ ଭୋଜନ ପ୍ରସ୍ତୁତି ପାଇଁ ବ୍ୟବହାର ହୁଏ । ସ୍କୁଲ୍ ରେ ପିଲା ଜମାରୁ 20 ଜଣ ......ଯଦିଓ ଶ୍ରେଣୀ ପ୍ରଥମରୁ ପଞ୍ଚମ ଯାଏ ଥାଏ ।
ଉପରିସ୍ଥ ଅଧିକାରୀଙ୍କ ତାଗିଦ୍ ଆଖ ପାଖ ଇଲାକାରୁ ଅନୁନ୍ୟ 100 ଛାତ୍ରଛାତ୍ରୀ ଜଇନ୍ କରାଇବା ଓ ସ୍କୁଲ୍ ର ଷ୍ଟାଣ୍ଡାର୍ଡକୁ ବଢାଇବା। ଛୁଟି ଦିନ ପାଇଲେ ମୁଁ ଆଉ ମୋ ସହକର୍ମି ସେହି ଅପହଞ୍ଚ ଇଲାକାରେ ଖୋଜିଖୋଜି କରିଥାଉ ପାଠପଢା ଯୋଗ୍ୟ ପୁଅଝିଅ । ଆଖି ଆଗରେ ଗୋଟିଏ କଥା ଟାରଗେଟ୍ କେମିତି ଫିଲଅପ ହେବ। ଚାକିରିଟା ବଞ୍ଚିଯିବ।
ଏମିତି ଖୋଜାଖୋଜି ଭିତରେ ଏହି ପାହାଡିଆ ଇଲାକା ବିଷୟରେ ଅନେକ କିଛି ଯାଣିସାରିଲିଣି । ଖୁବ୍ ପରିଚିତ ଆଉ ନିଜର ନିଜର ହୋଇ ସାରିଲାଣି ଜଙ୍ଗଲିଆ ରାସ୍ତାସବୁ । ଏଠାକାର ଅଧିବାସୀଙ୍କ ବେଶବୁଶା , ଭାଷା, ଜାନିଯାତ୍ରା, ଖାଦ୍ୟପେୟ, ସଂସୃତି ଓ ପରମ୍ପରା ସବୁକିଛି ଅନନ୍ୟ । ଏମାନଙ୍କୁ ଦେଖିଲେ ମନଟା ସ୍ବତପ୍ରବୃତ ଭାବେ ଚାଲିଯାଏ ସେହି ପ୍ରାକ୍ ଐତିହାସିକ ଯୁଗ ଆଡକୁ ।
ସେଦିନ ପାହାଡିଆ ଜଙ୍ଗଲଘେରା ଟାପୁଟାରେ ସନିଆ ସହ ଭେଟ ହୁଏ। କଳା ମଚମଚ ଚିକ୍କଣିଆ ଦେହଟା, ଅଣ୍ଟାରେ ଗୋଟେ କୌପିନୀ, ଖାନ୍ଦରେ ଲୁହାର ଧାରୁଆ ଟାଙ୍ଗିଆ । ବଳିଷ୍ଠ ଦେହଟା ଖୁବ୍ ହେଣ୍ଡସମ ଲାଗୁଥାଏ । ତା ଦେହରୁଶ ଏକ ଅଜବ ପ୍ରକାରର ଜଙ୍ଗଲିଆ ବାସ୍ନା ବାହାରି ମନରେ ଏକ ବିସ୍ମୟ ସୃଷ୍ଟି କରୁଥାଏ ।
ସନିଆ ସହ କିଛି ସମୟ ଗପିଲା ପରେ ଯାଣିବାକୁ ପାଏ ତାର ଗୋଟେ ପାଠପଢା ଯୋଗ୍ୟ ପୁଅ ଓ ଝିଅ ଅଛନ୍ତି । ସେ କିନ୍ତୁ ତା ପୁଅଝିଅକୁ ସ୍କୁଲ୍ ରେ ଛାଡିବାକୁ ନାରାଜ । କାହିଁକିନା ସେମାନେ ପାଠ ପଢିପଢିବାକୁ ବିଦେଶ ଗଲେ ....ମାନେ ତାଙ୍କ ଭାଷାରେ ସହରକୁ ଗଲେ ସେମାନଙ୍କର ଜାତି ଚାଲିଯିବ , ସେମାନଙ୍କର ଦେବତା କୋପ କରିବେ, ଅଜଣା ବେମାର ଲାଗିଯିବ ଇତ୍ୟାଦି , ଟାପୁରେ ଦୂର୍ଭିକ୍ଷ ପଡିବ।
ମୁଁ କିନ୍ତୁ ସନିଆକୁ ପିଲାଙ୍କୁ ସ୍କୁଲ୍ କୁ ଛାଡିବା ପାଇଁ ଅନେକ ଆଶାର କିରଣର ବର୍ଷା କରୁଥାଏ । ସ୍କୁଲକୁ ସନିଆର ପୁଅଝିଅ ଆସିଲେ ଡ୍ରେସ, ଖାତାବହି, ସାବୁନ୍ ତେଲ, ମଧ୍ୟାନ୍ନ ଭୋଜନ , ସ୍କୋଲାରସିପ୍ ଆହୁରି କେତେ କଣ ଯୋଗାଇ ଦିଆଯିବ ।
ଅନେକ ବୁଝାସୁଝା ପରେ , ସନିଆ ସବୁକିଛି ବୁଝି ପାରିଲା ଆଉ ପାଠ ପଢାଇ ପୁଅଝିଅଙ୍କୁ ବଡ ମଣିଷ କରାଇବା ସ୍ବପ୍ନରେ ଉବୁଟୁବୁ ହେଉଥିଲା । ଏକ ପ୍ରକାର ନୁଆ ଆଶାର କିରଣରେ ରଙ୍ଗାୟୀତ ହେଉଥିଲା ମନରେ ତାର । ମୁଁ ତା ତାମୁହଁରେ ଖୁସିର ଭାବଟିକୁ ଠିକ୍ ବୁଝି ପାରୁଥିଲି ।
ତା ପରଦିନ ସନିଆ ତା ପୁଅଝିଅକୁ ଧରି ସ୍କୁଲ୍ ରେ ପହଞ୍ଚିଲା । ଦୁଇଟି ଲଙ୍ଗଳା ଫୁଙ୍ଗୁଳା ଛୋଟ ଛୋଟ ପୁଅଝିଅ । ଧୁଳିଧୁସର ଗାମୁଛା ଗୁଡା ହେହରୁ ପେଟଗୁଡାକ ଅସ୍ବାଭାବିକ ଭାବେ ଆଗକୁ ବଢିଯାଇଥାଏ। ବୋଧେ ଭିଟାମିନ୍ ର ଅଭାବ । ନାକରୁ ସିଙ୍ଘାଣିର ଧାର ବୋହି ଚାଲିଥାଏ। ମୁଣ୍ଡର ବାଳ ସବୁ ଠିଆ ଠିଆ ଆଉ କହରିଆ। ସନିଆ କହୁଥାଏ ବାବୁ ଏମାନଙ୍କୁ ମଣିଷ କର..... ସତରେ ଏହି ପରିବେଶରେ ରହିଲେ ସେମାନେ ମୋ ପରି ଜଙ୍ଗଲି ହୋଇଯିବେ । ପାଠ ଦି ଅକ୍ଷର ପଢିଲେ ମୋ ପରି ଏମାନେ ଆଉ ଜଙ୍ଗଲରୁ ଶିକାର ଖୋଜିବେନି ନା ବଣ ଜଙ୍ଗଲ ସାରା ବୁଲି ବୁଲି ଫଳମୂଳ ଖାଇ ବଞ୍ଚିବେନି। ଛଳ ଛଳ ଆଖି ଦିଟା ପୋଛି ପୋଛି ସନିଆ ଚାଲିଯାଏ ତା ଟାପୁ ପଟେ ।