ଗୃହବନ୍ଦୀ
ଗୃହବନ୍ଦୀ


ମୋର ପୂର୍ବଗଳ୍ପ ସୁରତ ଫେରନ୍ତା ରେ ନାୟକ ବଉଳାଟା ପାଠଶାଠ ନପଢ଼ି ସୁରତକୁ ଯାଇ ଦିନ ମଜୁରୀଆ କାମ କରୁଥିଲା ଏବଂ ଏକ ହୋଟେଲରୁ ମିଠା ଚୋରିକରିବାରୁ ସେଠୁ ତଡାଖାଇ ସୁରତରୁ ସାଇକଲଯୋଗେ ନିଜ ଗାଁ ମାଟି କୁ ବାହାରିପଡ଼େ ।
ତାପରେ..........
ବଉଳା ବାଟସାରା ଅନେକ ଝଡ଼ଝଞ୍ଚା ସହି ଘରକୁ ଫେରୁଥାଏ, ବାଟରେ ଅନେକ ଥର ପୋଲିସ୍ ହାବୁଡରେ ପଡ଼ି ମାଡ଼ବି ଖାଇଛିା ଏଣେ ଭୋକର ଜ୍ୱାଳା ଆଉ ରୋଗ ସଂକ୍ରମଣର ଭୟ... । ମାଇଲ ମାଇଲ ବାଟ । ଗୋଡ଼ଦିଟା ଝିକିହୁଏ ପିଠିଟା ପ୍ରାସ ହୋଇଯାଏ ଆଉ ପାଦଦିଟାରେ ଫୋଟକା । ହାତର ପାପୁଲିରେ ଦିଇଞ୍ଚର ବିଣ଼୍ଡି ବସିଯ଼ାଇ ଖୋଳପା ଛାଡ଼ିବାକୁ ବସିଲାଣି । ଯେମିତି ହଉ ଜୀବନ ବଞ୍ଚାଇ ଗାଁ ମାଟିରେ ପହଞ୍ଚିବାକୁ ହେବ । ଖାଲି ଏକ ଯୋସ୍ ତାକୁ ଗାଁ ମାଟିରେ ପହଞ୍ଚାଇବାରେ ଶକ୍ତି ଭରିଦିଏ ।
ପ୍ରାୟ 25 ଦିନ ପରେ ଗାଁ ମାଟିରେ ପହଞ୍ଚିଲା ବଉଳା । ହେଲେ ଗାଁ ସୀମା ମାଡୁ ମାଡୁ ପୋଲିସ ଧରିନେଲେ । ତାକୁ ଘରକୁ ନ ଯ଼ାଇ ଗାଁ ପାଖ ସ୍କୁଲ୍ କୁ ଯିବାକୁ ହେବ । ତାହାପୁଣି ଯେଉଁ ସ୍କୁଲକୁ ଡ଼ରି ସେଦିନେ ପାଠ ଛାଡ଼ିଦେଇଥିଲା ସେଠାକୁ । ସେଠି କୁଆଡ଼େ କ୍ୱାରେଣ୍ଟାଇନ୍ ସେଣ୍ଟର ହୋଇଛି । ଯିଏ ଗାଁ ଛାଡ଼ି ବାହାରେ କାମକରୁଥାନ୍ତି ମାନେ ପ୍ରବାସୀ ମାନଙ୍କୁ ସେଠି 21 ଦିନ ରଖାଯ଼ିବ । ସ୍କୁଲ ବାଉଣ୍ଡେରି ଡ଼େଁଇ କେଉଁଆଡେ ଯାଇପାରିବନି । ଏକ ପ୍ରକାର ନିର୍ବାସନ ଓ ବନ୍ଦି ଜୀବନ କାଟିବାକୁ ହେବ । ବଉଳାର ଗାଁରେ ପହଞ୍ଚିବା ଖୁସିଟା ଟିକିଏ ମଉଳିଗଲା । ବାଧ୍ୟବାଧ୍ୟକତାରେ ସେହି ସ୍କୁଲ ବା ସଂଗରୋଧ କେନ୍ଦ୍ରକୁ ଗଲା । ତାପରି ଅନେକ ଯ଼ୁବକ ସେଠି ବନ୍ଦି, ସେତ ଏକା ସେଠି ନାହିଁ ଯେ ତାକୁ ଡର ଲାଗିବ । ଏକ ପ୍ରକାର ସ୍ୱାନ୍ତନାରେ ନିଜକୁ ନିଜେ ବୁଝାଇନିଏ ବଉଳା ।
ସ୍କୁଲ ସଂଗରୋଧକେନ୍ଦ୍ରରେ ପହଞ୍ଚିଲା ବେଳକୁ ତାର ସ୍କ୍ରିନିଂ କରାଗଲା । ଆଉ ରୁମ୍ କୁ ଯିବାପାଇଁ ଆଦେଶ ମିଳିଲା । ଶ୍ରେଣୀ କକ୍ଷ୍ୟଟା ଖୁବ୍ ଚିହ୍ନା ଚିହ୍ନା ଲାଗୁଥିଲା ବଉଳାର । ହଁ, ସେଇ ଶ୍ରେଣୀ କକ୍ଷ୍ୟ ଯେଉଁଠିରୁ ସେ ଶେଷଥର ପାଇଁ କେଶବ ମାଷ୍ଟ୍ରଙ୍କୁ ଧୋକା ଦେଇ ସ୍କୁଲରୁ ଲୁଚିଲୁଚି ଯାଇଥିଲା । ସେଇ କଳାପଟା ଖାଲିଟିକେ ରଙ୍ଗଟା ଫିକା ପଡିଯାଇଛି । ଠାଏଁ ଠାଏଁ ଧଳା ଧଳା ଦାଗ ହୋଇସାରିଛି । ସେଇ ଆଜବେଷ୍ଟ ଛାତ ଯାହାଟିକେ ଅଳନ୍ଧୁ ଆଚ୍ଛାଦିତ ହୋଇ କଳାପଡିଯାଇଛି । ସେହି ଝରକାଟା ଯ଼ାହାର କବାଟଟା ଡିକେ ଅଧିକ ଫାଙ୍କ ଫାଙ୍କ ହୋଇଯାଇଛି । ବଉଳା କାବାଟ ଫାଙ୍କରୁ ବାହାରକୁ ଦେଖି ପଶ୍ଟାତାପ କରୁଛି , କାହିଁକି ସେ ସ୍କୁଲ କେଶବ ମାଷ୍ଟ୍ରଙ୍କୁ ଧୋକା ଦେଇ ପାଠ ପଢ଼ିଲାନାହିଁ....... ବଗିଚାଟାକୁ ଦେଖି ଭାବୁଥିଲା କାହିଁକି ଫୁଲଗଛ ଗୁଡ଼ାକ ଭାଙ୍ଗି ଦେଉଥିଲା........ଆଉ ପ୍ରାର୍ଥନା ଲାଇନରେ ଆଗପିଲାଙ୍କ ଚୁଟି କାଁହିକି ଟାଣୁଥିଲା...
ଏବେ ସୁରତରୁ ଫେରିଲାପରେ ସବୁ କିଛି ବଦଳି ଯାଇଛି । କବାଟ ଫାଙ୍କରୁ ସ୍କୁଲ ବାହାରକୁ ଦେଖୁ ଦେଖୁ ବଉଳା ଆଖିରେ ଦୁଇଧାର ଲୁହ........ଭବିଷ୍ୟତର ଚିନ୍ତାରେ ମଗ୍ନ ହେଲାବେଳକୁ ପଛଦିନ ଗୁଡ଼ାକୁ ଆଖିଆଗରେ ନାଚି ଉଠୁଥାଏ... । ଗାଁକୁ ଦେଖାଯାଉଥିବା ସରୁଆ ରାସ୍ତାଟା ସତେ ଯେମିତି ଡ଼ାକୁଛି........ ଆ ବଉଳା ଜଲଦି ଆ......ଗାଁ ଦାଣ୍ଡ ଧୁଳି ଉଡେଇ ଦୌଡିବୁ ...... ଘର ଆଗରେ ଥିବା ଖଣ୍ଡିଆ ଟାୟରଟାକୁ ଗଡ଼ାଇ ଗଡ଼ାଇ ତା ପଛରେ ଗୋଡ଼ାଇବୁ ... ଗାଁ ଗାଡିଆରେ କୁଦିକୁଦି ନାଚିନାଚି ଗାଧୋଇବ...... ରାଧୁଆ ଆମ୍ବ ତୋଟାକୁ ଯାଇ କଶିକଶି ଆମ୍ବ ଚୋରାଇବ ... । କାହା ବାଡରୁ କୋଳି ତ କାହା ବାଡରୁ ଫୁଲ ତୋଳିବ । ସେ କରିଥିବା ଭୂଲ୍ ସବୁକୁ ସୁଧାରିବାକୁ ଖୁବ୍ ଚେଷ୍ଟା କରିଛି .... ସୁରତ ଯାଇଛି ... ହେଲେ ପାଇଛି କଣ….. ???