ଇଟାଭାଟି ରେ ଜୀବନ
ଇଟାଭାଟି ରେ ଜୀବନ


ସୋନାଲି ଆଉ ରୂପାଲି ଦୁଇ ଭଉଣୀ । ବାପ ମାଁ ଗରିବ ଓ ଦିନମଜୁରୀଆ । ବଣଜଙ୍ଗଲ ଘେରା ଅକ୍ଷାତ ପଲ୍ଲୀରେ ଚାଳଛପର କୁଡିଆଟେ । ପାଠର ନା ଗନ୍ଧ ନାହିଁ । ତଳ ଉପର ହୋଇ ଦୁଇ ଭଉଣୀ ଦେଖିବାକୁ ଖୁବ୍ ସୁନ୍ଦର, ଶୁଶିଳ ଆଉ ସୁଗଠିତ। ସକାଳୁ ସାକାଳୁ ଜଙ୍ଗଲ ହିଁ ସେମାନଙ୍କର ଆଶ୍ରା । ବାପା ଜାଆନ୍ତି କାଠ ହାଣି। କାଉଡିଏ ଯୋଗାଡ କଲେ ପାଖ ସହରରେ ବିକ୍ରି କରିବେ। ମାଁ ଘରେ ରୋଷେଇ ବାସ କରେ କେବେ କେମିତି ଝିଅମାନେ ଆଣିତିବା ପତ୍ର ସବୁ ସିଲାଇ ବସେ , ନ ହେଲେ ମହୁଲ, ତେନ୍ତୁଳି, ସରଗୀ ଶୁଖାଏ । ସକାଳୁ ଦୁଇ ଝିଅ ଗାଁ ଝିଅଙ୍କ ସହ ଜଙ୍ଗଲ ମୁହା ହୁଅନ୍ତି ଶାଳ ପତ୍ର , ଦାନ୍ତକାଠି, ମହୁଲ, ତେନ୍ତୁଳୀ ଇତ୍ୟାଦି ବନଯାତ ସଂଗ୍ରହ କରିବେ । ଖୁବ୍ କାମିକା ଝିଅ ଦୁଇଟି ।
ଧିରେ ଧିରେ ବୟସ ବଢିବା ସାଙ୍ଗକୁ ବନଜାତ ଦ୍ରବ୍ୟର ଅଭାବଟା ସୋନାଲି ଆଉ ରୁପାଲୀ ବାପାଙ୍କ ପାଇଁ ବଞ୍ଚିବା ପାଇଁ ଅନେକ ଯାତନା ଆଣିଦିଏ। ପାଠ ସାଠ ବି ଏତେ ପଢି ନା୍ହାନ୍ତି ଯେ ଚାକିରି ବାକିରି ଖୋଜିବେ। ବେଳେବେଳେ ପାଖ ସହରକୁ ଯାଆନ୍ତି ରାଜମିସ୍ତ୍ରୀ ପାଖରେ କାମ କରିବେ । ଇଟା, ବାଲି ପଥର ସିମେଣ୍ଟ ମୁଣ୍ଡରେ ଭୁଁଇ ଯୋଗାଇବା । ଖୁବ୍ ଖୁସିରେ ଏହିକାମ କରିନିଅନ୍ତି ସୋନାଲି ଆଉ ରୁପାଲୀ ...ହେଲେ କାମ ସବୁଦିନ ମିଳେନି । ପୁଣି ଜଙ୍ଗଲରୁ ଭବିଷ୍ୟତ ଖୋଜା। ସକାଳ ପାହିଲେ ଖାଇବା ଚିନ୍ତାଟା ଘାରୁଥାଏ ଯୁଆନ୍ ଝିଅଦୁଇଟିଙ୍କୁ ।
ସେଦିନ ଗାଁକୁ ଫେରିଥାଏ ରଘୁ । ଏଇ ଗାଁର ପିଲାଟା । ହାଇଦ୍ରାବାଦ୍ ରେ ଇଟାଭାଟିରେ ସୁପରଭାଇଜର କାମ କରେ। ଆଖପାଖ ଗାଁରୁ ପୁଅଝିଅଙ୍କୁ ନେଇ ସେଠାରେ କାମ କରାଏ । ବହୁତ ପଇସା ରୋଜଗାର କରେ। ସୋନାଲି ଆଉ ରୁପାଲି ବାପା ସେହି ରଘୁଆ ସହ କଥାବାର୍ତ୍ତା ହୋଇ ସୋନାଲି ଆଉ ରୁପାଲୀ କୁ ହାଇଦ୍ରାବାଦ୍ ଛାଡିବା ପାଈଁ ନିଷ୍ପତ୍ତି ନେଲେ। କିଛି ଦିନ ପରେ ଗାଁରୁ ଆଉ ଚାରିଜଣ ଝିଅ ପୁଅସହ ମିଶି ସେମାନେ ହାଇଦ୍ରାବାଦ୍ ଚାଲିଗଲେ ।
ନୁଆ ସହର , ଚଳନୀ ସବୁ ଅଲଗା ଅଲଗା ଲାଗୁଥାଏ ସୋନାଲି ଆଉ ରୁପାଲୀର । କଣବା ଆଉ କରିଥାନ୍ତେ ଗାଁଟାରେ, କେତେଦିନ ବା ଅଉ ଭୋକର ଜ୍ବାଳାକୁ ସମ୍ଭାଳି ଯିଇଁଥାନ୍ତେ। ଇଟାଭାଟିରେ କାମ କଷ୍ଟ ହେଲେବି ପଇସା ରୋଜଗାର କରିବାକୁ ସବୁକାମ କରିବାକୁ ବାଧ୍ୟ । ସକାଳୁ ସକାଳୁ ମାଟି ଚକଟି କାଦୁଅ କରିବା, କାଦୁଅକୁ ଠେଳା ଠେଳା କରି କାରିଗର ହାତକୁ ବଢାଇବା । କଞ୍ଚା ଇଟାତକ ଶୁଖିଗଲେ ତାକୁ ନେଇ ଭାଟିରେ ଯୋଗାଡିବା । ତାପରେ ଭାଟିରେ ତସୁକୁଣ୍ଢା ଭରି ପୋଡାଇବା । ଇଟା ଭାଟିଟା ପୋଡୁ ପୋଡୁ ଟ୍ରାକଟର ଆସି ଲାଗିଯାଏ । ସେଥିରେ ପୋଡାଇଟା ସବୁ ଲୋଡ କରିବା। ଭାଟି ସରିଗଲେ ଭାଟିମାଲିକ ଖାଇବା ପିଇବା ଦେଇ ଦୈନିକ ଦୁଇଶହ ଟଙ୍କା ପାଉଣା ଦେଇଦିଏ ।
ସେଦିନ କିନ୍ତୁ ସୋନାଲୀ ଆଉ ରୁପାଲୀ ପାଇଁ ଥିଲା ଏକ ଅଶୁଭ ଦିନ । ଦୁହେଁ ସକାଳୁ ସକାଳୁ ବାହାରି ଯାନ୍ତି ଇଟାଭାଟିରୁ ଇଟାଗୁଡାକ ବାହାର କରି ଟ୍ରାକଟର ରେ ସଜାଇବେ । ସୋନାଲି ଇଟାଭାଟି ଉପରେ ଚଢିଥାଏ ...., କରେଇରେ ଇଟା ଭରିକରୀ ରୁପାଲି ମୁଣ୍ଡରେ ଥୋଇ ଚାଲିଥାଏ । କିଛି ସମୟ ଏମିତି ଇଟାଗୁଡାକ କାଢୁକାଢୁ ଇଟାଭାଟିରେ ଏକ ଅଜଣା କମ୍ପନ ଆଉ ଶବ୍ଦ କରି ଭୁଷୁଡି ଯାଏ ଆଉ ଭାଟିଟା ଭିତରେ ଚାପି ହୋଇଯାନ୍ତି ସୋନାଲି ଆଉ ରୁପାଲୀ । ହୋ ହାଲ୍ଲା ଭିତରେ ଭାଟିରେ କାମ କରୁଥିବା ଲୋକେ ଇଟାସବୁ ବାହାର କଲାବେଳକୁ ସୋନାଲି ଆଉ ରୁପାଲୀ ଚେତାଶୁନ୍ୟ , ଖଣ୍ଡିଆ ଖାବରା ହୋଇସାରିଥିଲେ।
ଗହଳି ଭିତରୁ କିଏ ଜଣେ କହୁଥାଏ .... ସେମାନଙ୍କର ଆଉ ପ୍ରାଣ ନାହିଁ । ଭାଟି ମାଲିକକୁ କହି ସେମାନଙ୍କର ଲାସଗୁଡିକୁ ଗାଁ କୁ ପଠାଇବା ବ୍ୟବସ୍ଥା କରିଦିଅ। କିଛି କ୍ଷଣରେ ଏକ ଅହେତୁକ ନିଶବ୍ଦ ଖେଳିଯାଏ । ଆଉ କାହାର ପାଟିରୁ ଭାଷା ବାହାରୁନଥାଏ । ରକ୍ତାକ୍ତ ଲାସ୍ ଦୁଈଟି ଭଙ୍ଗା ଇଟାଭାଟିରେ ସେମିତି ପଡିଥାଏ ।