ଆମ୍ବଡାଳ
ଆମ୍ବଡାଳ
ବଡ଼ି ଭୋର୍ ରୁ ଉଠି ଚାଲିବାକୁ ଗଲାବେଳେ ଫୁଲ ଆଉ ଆମ୍ବଡାଳ ଆଣିବି" ବୋଲି କହିଲା ସର୍ବାଣୀ। ଗଣେଶଙ୍କ ପୂଜା ପାଇଁ ଫୁଲ ଇତ୍ୟାଦି ଦରକାର। ବଡ଼ ହେଉ ବା ଛୋଟ ଆକାରରେ ହେଉ ପୂଜା ପାର୍ବଣ ପାଇଁ କିଛି କିଛି ଯୋଗାଡ଼ କରିବାକୁ ପଡ଼ିଥାଏ। ତେଣୁ ତାର ଏ ଫୁଲ ଆଣିବାର ପ୍ରଚେଷ୍ଟା।
ଗଣେଶ ହେଉଛନ୍ତି ମୋ ମାଉସୀ ଙ୍କ ପୁଅ। ମାନେ ମାଉସୀ ଭକ୍ତିରେ ସେଇଭଳି ସମ୍ପର୍କ ରଖିଛନ୍ତି ବିଘ୍ନରାଜ ଙ୍କ ସହିତ। ପ୍ରାୟ ୩୦ ବର୍ଷ ହେଲାଣି ମୀନା ମାଉସୀଙ୍କ ସମ୍ପର୍କ ଏହିପରି, ପ୍ରଭୁଙ୍କ ସହିତ। ତେଣୁ ପ୍ରତିବର୍ଷ ଗଣେଶ ପୂଜା ହୁଏ ତାଙ୍କ ଘରେ। ନିଜ ସାଧ୍ଯମତେ ମାଉସୀ ସବୁ ଯୋଗାଡ କରନ୍ତି। ସାଜସଜ୍ଜା, ପୂଜାବିଧି, ହୋମ, ମନ୍ତ୍ର , ଭୋଗରାଗ , ଖିଆ ପିଆ ଇତ୍ୟାଦି ସବୁ ବ୍ୟବସ୍ଥା ହୁଏ। ତାଙ୍କ ଚାକିରି ସମୟରେ ଯେଉଁ ସ୍ଥାନରେ ସେ ଅବସ୍ଥାନ କରନ୍ତି ସେହି ସେହି ସ୍ଥାନରେ ସେ ଗଣେଶ ପୂଜା କରୁଥିଲେ। ଚାକିରି ରୁ ଅବସର ନେବାପରେ, ସେ ଭୁବନେଶ୍ୱର ଆଇଗିଣିଆ ରେ ନିଜ ଘରେ ଆସି ରହିଲେ। ସେଇଠି ଗଣେଶ ପୂଜାଦିନ କିଛିବର୍ଷ ପୁରା ଭୋଜିଭାତ ହେଉଥିଲା । ସାଇର ଲୋକମାନଙ୍କୁ ନିମନ୍ତ୍ରଣ ହେଉଥିଲା, ନଚେତ୍ ତାଙ୍କଘରକୁ ଭୋଗ ବଣ୍ଟାଯାଏ। ତେଣୁ ଆମମାନଙ୍କ ଉପସ୍ଥିତ ନିହାତି ଜରୁରୀ। ସେତେବେଳେ ଆଈ ବି ଥିଲା। କଟକରୁ ମା ଆସେ,ମୋ ସାନମାଉସୀ, ତାଙ୍କ ଝିଅ ମିକି ଓ ତା ପରିବାର ଲୋକ ଙ୍କ ସହ ମୋ ଭାଇ, ଭାଉଜ ଆସନ୍ତି। କେବେ କେବେ ମାମୁଁ ମାଇଁ ଅବା ପରିବାରର ଆଉ କେହି ବି ଆସନ୍ତି। ମୋ ଶାଶୁ ଶ୍ୱଶୁର ବି ମୋ ସହିତ ଯୋଗ ଦେଇଛନ୍ତି।
ମୋ ସାନଭାଇ ପେନୁ ଓ ମୁଁ ପ୍ରାୟ ୪ ବର୍ଷ ରହିଲୁ ମାଉସୀଙ୍କଘର ଆଇଗିଣିଆରେ। ଆମର କଳିଙ୍ଗନଗର ରେ ସେତେବେଳେ ଘର ନିର୍ମାଣ ଚାଲିଥାଏ। କଳିଙ୍ଗନଗର ଆଇଗିଣିଆ କୁ ପାଖ ହେଇଥିବାରୁ ଘରତିଆରି ଦେଖାଦେଖି କରିବାକୁ ସୁବିଧା ହେବ ବୋଲି, ସେଇଠି ରହିବାକୁ ମୁଁ ନିଷ୍ପତ୍ତି ନେଲି। ଆଈ ଓ ମାଉସୀ ଘରେ ରହିବା ଏକ ସୁନ୍ଦର ଓ ଉପଭୋଗ୍ଯ ଅନୁଭୂତି। ସେଇଠି ଆମେ ଗଣେଶ ପୂଜା ସହିତ ଓତଃପ୍ରୋତଭାବେ ଜଡ଼ିତ ଥିଲୁ । ପୂର୍ବ ଯୋଗାଡ଼ , ପୂଜା ସମୟରେ ଓ ପରେ ହେବାକୁଥିବା ସମସ୍ତ କାର୍ଯ୍ୟକ୍ରମ ରେ ସହାୟତା କରିବାକୁ ପଡ଼ିଥାଏ। ଆଈର ସ୍ଵର୍ଗାରୋହଣ ପରେ, ଜାକଜମକରେ ପୂଜା ହେବାଟା କମିଗଲା । ତାପରେ ପ୍ରାୟ ଏକ ବର୍ଷ ମାଉସୀଙ୍କ ଶରୀର ମଧ୍ୟ ଅସୁସ୍ଥ ହେଇ ପଡ଼ିଲା। ପରେ ପରେ କୋଭିଡ୍ ର ପ୍ରାଦୁର୍ଭାବ।
ଟିକିଏ ସୁସ୍ଥ ହେବାପରେ ମାଉସୀ ଏବେ ଆମଘରେ କଳିଙ୍ଗନଗର ରେ ଅବସ୍ଥାନ କରୁଛନ୍ତି। ତେଣୁ ତାଙ୍କ ସହିତ ତାଙ୍କ ପୁଅ ବି ଆମଘରେ। ଗେହ୍ଲା ପୁଅ ର ଜନ୍ମଦିନ ପାଳନ କରିବା ମା ପାଇଁ ଅତି ଆନନ୍ଦର କଥା। ତେଣୁ ଆରବର୍ଷ ଓ ଏବର୍ଷ ମଧ୍ୟ ଏଇଠି ଆମଘରେ ଗଣେଶ ଙ୍କ ପୂଜା ପାଳନ କରା ଯାଉଛି। ଅବଶ୍ୟ ଅତ୍ୟନ୍ତ ସରଳ ଓ ନିରାଡମ୍ବର ଭାବରେ। ମାଉସୀ ଆଗପରି ଆଉ ସବୁ ଯୋଗାଡ଼ ଓ କାମ କରି ପାରୁନାହାନ୍ତି। ସେ ବସି ବସି କଣ ହେବ କହନ୍ତି ଓ ବିଧିବିଧାନ ବତେଇ ଦିଅନ୍ତି ।
ଏବର୍ଷ ମଧ୍ୟ ସାଧାରଣ ଭାବରେ ଗଣେଶ ଙ୍କ ପୂଜା କରାଯିବାର ଯୋଜନା ହେଲା।ମୋ ସାନଭାଇ ର ସାଙ୍ଗ ହାତରେ ପୂଜା ଜିନିଷ ମଗେଇଲେ ମାଉସୀ। ଏହାଛଡା ଫୁଲ ଆମ୍ବଡ଼ାଳ, ଦୁବ ଇତ୍ୟାଦି ଦରକାର ଥିଲା। ତେଣୁ ମୋ ଝିଆରି ଏସବୁ ଜିନିଷ ପାଖରୁ କେଉଁଠୁ ଆଣିବ ବୋଲି ସକାଳୁ ତାକୁ ନିଦରୁ ଉଠାଇଦେବାକୁ ତା କକାକୁ କହିଥିଲା। ପାଠ ପଢୁଆ ପିଲା, ତେଣୁ ସେ ଏଥର ପୂଜାପାଇଁ ଆଗ୍ରହ ପ୍ରକାଶ କରୁଥିଲା।
ମୁଁ ପ୍ରାୟ ପ୍ରତିଦିନ ସକାଳ ସାଢେଚାରିଟାରୁ ଉଠେ। ତେଣୁ ଉଠିପଡ଼ି ଆଗ ଦାଣ୍ଡପିଣ୍ଡା କୁ ଦୌଡିଗଲି ରାସ୍ତା ସେପଟ ଗଛରେ ଫୁଲ ଅଛି କି ନାହିଁ ଦେଖିବାକୁ୍। କିଛି ଫୁଲତ ଥିଲା ତେଣୁ ତାଲା ଖୋଲି ବାହାରିଲି ବାହାରକୁ। ଏଇ ଟଗର ଗଛଟି ସର୍ବସାଧାରଣଙ୍କ ସ୍ଥାନରେ ହେଇଛି, ତେଣୁ ସମସ୍ତେ ନେଇପାରିବେ ଫୁଲ। ଆମଘର ତିଆରି ହେଉଥିବା ବେଳେ ସେଠି ଟଗର ଡାଳଟେ ପୋତିଥିଲେ କେହିଜଣେ । ସେ ଗଛ ବଢି ବଢି ୬ ଫୁଟ ଉଚ୍ଚତା ବିଶିଷ୍ଟ ହେଇଯାଇଛି ଏବେ। ଆମର ସେ ଗଛରୁ ଫୁଲ ଆଣିବା ଦରକାର ପଡେନାହିଁ। ମାଉସୀ ଗଣେଶ ପୂଜା କରିବେ ବୋଲି ଗଲାବର୍ଷ ଓ ଏଇବର୍ଷ ଫୁଲ ଆଣିବାକୁ ପଡିଲା।
ତେଣୁ ଡାଲାଟିଏ ଧରି ମୁଁ ଚାଲିଲି। ଜାଲ ଜାଲୁଆ ଅଲୁଅ , ସାଢ଼େ ପାଞ୍ଚଟା ବାଜିଥିଲା ବୋଧେ। କିଛି ଫୁଲ ବି ଗଛରେ ଥିଲା।
ହାତପାହାନ୍ତିରେ ଯେତିକି ଫୁଲ ପାଇଲି ତୋଳିଲି। ହଠାତ୍ ନଜର ପଡିଲା ଆଉଏକ ପ୍ରକାରର ପତ୍ର ଉପରେ। ଟଗରପତ୍ରଠୁ ଅଲଗା ଦିଶୁଛି । ଆରେ ଇଏତ ଆମ୍ବପତ୍ର, ଆଠଟି ପତ୍ର ସହିତ ଛୋଟିଆ ଡାଳଟିଏ। ଠିକ୍ କଳସୀ ରେ ଦିଆହେବା ପରି ଛୋଟ ଡାଳ। କଳସୀ ଉପରେ ସାତଟି ପତ୍ର ବାଲା ଆମ୍ବଡାଳ ଦିଆଯାଏ। ପାଖାପାଖି ତ ଆମ୍ବଗଛ ନାହିଁ ଏ ପତ୍ର ଏଠି କୋଉଠୁ ଆସିଲା। ଟିକେ ଆଶ୍ଚର୍ଯ୍ୟ ଲାଗିଲା। ବୋଧେ ଫୁଲ ତୋଳିବା ବେଳେ, କେହି ସେ ଆମ୍ବଡାଳଟି ଭୂଲ୍ ରେ ସେଠି ଛାଡ଼ିକି ଚାଲିଯାଇଛି, ଆଉ ଗଛରେ ଲଟକି ରହିଛି ସେ ଡାଳଟି। ସେ ଯାହାବି ହେଉ ଆମର କଳସୀ ପାଇଁ ଆମ୍ବଡାଳଟି ଆଶ୍ଚର୍ଯ୍ୟ ଜନକ ଭାବେ ଯୋଗାଡ ହେଇଗଲା। ଯେମିତି ଲାଗିଲା, ବିଘ୍ନରାଜ ନିଜେ ସେ ଆମ୍ବଡାଳଟିର ଯୋଗାଡ଼ କରିଛନ୍ତି। ଦୁବଘାସ ତ ଘର ପାଖରେ ଥିଲା ତେଣୁ ତା ପାଇଁ ଆଉ କୁଆଡେ ଯିବାର ଆବଶ୍ୟକତା ନଥିଲା।
ମତେ ଫୁଲ ଓ ଆମ୍ବଡାଳ ଧରି ଆସୁଥିବା ଦେଖି ମୋ ସାନଭାଇ କହିଲା "ଫୁଲ ନେଇ ଆସିଲୁ କି?" କହିଲି ହଁ
" ଆରେ ସର୍ବାଣୀ ଆମ୍ବଡାଳ ଓ ଫୁଲ ପାଇଁ ଆଉ ଯିବା ଦରକାର ନାହିଁ ବାହାରକୁ" । ଭାଇ ଜଣେଇ ଦେଲା
ସର୍ବାଣୀ କଳସୀ ଉପରେ ଆମ୍ବଡ଼ାଳ ରଖିଲା ବେଳେ ମାଉସୀ ବେଶ୍ ଉତ୍ଫୁଲ୍ଲିତ ହେଇ କହିଲେ "ଦେଖିଲୁ ଗଣେଶଙ୍କ କରାମତି"
ଆମେ ସମସ୍ତେ ଭାବିଲୁ ସତକଥା ତ ।
