Debaki Behera

Romance

4.8  

Debaki Behera

Romance

ଆକାଶ ଓ ମାଟି

ଆକାଶ ଓ ମାଟି

10 mins
395



ଆର୍ଟ ଗ୍ୟାଲେରୀରେ ଆଜି ବହୁତ ଭିଡ଼ । ଯିଏ ବି ପେଣ୍ଟିଂଗୁଡିକୁ ଦେଖୁଛନ୍ତି ସେଇଥିରେ ହିଁ ନିମଗ୍ନ ହୋଇଯାଉଛନ୍ତି । ଆଉ ପେଣ୍ଟିଂ ଗୁଡ଼ିକର ଭୂରି ଭୂରି ପ୍ରଶଂସା ମଧ୍ୟ କରୁଛନ୍ତି । ଯାହାର କଳାକୃତିରେ କିଛି ବି ଜ୍ଞାନ ଅଛି ସେ ତ ପ୍ରତି ପେଣ୍ଟିଂରୁ ତାର ବିଶେଷତା ଖୋଜିବାରେ ଲାଗିପଡ଼ିଛି । ସବୁଆଡେ ଖାଲି ପେଣ୍ଟିଂର ଚର୍ଚ୍ଚା । ଛୋଟରୁ ବଡ଼ ମୁହଁରେ କଳାକୃତିର ଓ କଳାକାରଟିର ପରିଶ୍ରମର ବିଚାର । ପ୍ରତିଟି ନିଉଜ୍ ଚ୍ୟାନେଲରେ ତାରି ପେଣ୍ଟିଂର ପ୍ରଶଂସା । ପ୍ରଦର୍ଶନୀର ଆଜି ଶେଷ ଦିନ । ଦୀର୍ଘ ତିନି ଦିନ ହେଲାଣି ଏଇ ପ୍ରଦର୍ଶନୀକୁ । ସାମ୍ବାଦିକ ମାନେ ତାକୁ ଘେରି ରହିଛନ୍ତି ଆଉ ବିଭିନ୍ନ ପ୍ରଶ୍ନ ପଚାରି ଚାଲିଛନ୍ତି । ଆଉ ସେ ମଧ୍ୟ ଧିରସ୍ଥିର ଭାବରେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରୁଛି । ଆଉ ମଝି ମଝିରେ ମୋ ଆଡ଼କୁ ଦୃଷ୍ଟି ନିକ୍ଷେପ କରୁଛି । ତା'ର ସେଇ ଚାହାଣୀ ମୋତେ କଣ କହିବାକୁ ଚାହୁଁଛି ମୁଁ ବୁଝି ପାରୁଛି । ହେଲେ ମୁଁ କଣ କରିଛି? କିଛି ନାହିଁ ଜଣେ କଳାକାରକୁ ତାର କଳା ପ୍ରଦର୍ଶନ ପାଇଁ ଟିକେ ପ୍ରେରଣ ଦେଇଛି ଆଉ ଏକ ଛୋଟିଆ ସହଯୋଗ ଯାହା ମୋର ଭୁଲକୁ ପରିମାର୍ଜିତ କରିପାରିବ । ହଁ ମୁଁ ଦୂରରେ ଥାଇ ତାର ଚେହେରାରେ ଏକ ଅପୂର୍ବ ଶାନ୍ତିକୁ ପଢ଼ି ପାରୁଛି । ଏଇ ଟିକିଏ ଖୁସି ଓ ଆନନ୍ଦ ତା ମୁହଁରେ ଦେଖିବା ପାଇଁ ତ ମୁଁ ପୁରା ଦୁନିଆ ସହ ସଂଗ୍ରାମ କରିଦେଇ ପାରେ । ଆଉ ଇଏ ତ ମାତ୍ର ମୋତେ ତାକୁ ସହଯୋଗ କରିବାର ଆଉ ତାକୁ ପ୍ରତିଷ୍ଠିତ କରେଇବାର ସମୟ ଥିଲା ତ ମୁଁ ଏହାକୁ ହାତ ଛଡ଼ା କେମିତି କରିଥାନ୍ତି ଭଲା । ତା ଆଖିରେ ଯିଏ କି ଏତେ ଭିଡ ଭିତରୁ ମୋତେ ହିଁ ଖୋଜୁଥିଲା ଦିନେ ସେଇ ଗଭୀର ମୃଗୁଣୀ ନୟନା ଆଖିର ପ୍ରେମରେ ମୁଁ ଉବୁଟୁବୁ ହେଉଥିଲି । କିନ୍ତୁ କେବେ ତାକୁ ମୁଁ ଭଲ ପାଉଛି ବୋଲି ମୁହଁ ଖୋଲି କହିପାରିନଥିଲି । ଆଜିର କାମକୁ କାଲି ଉପରେ ଛାଡିବାର ଏକ ବଦଭ୍ୟାସ ଯେହେତୁ ମୋ ପାଖରେ ଥିଲା । ଆମେ ଦୁହେଁ ବି.ଟେକର ଶେଷ ବର୍ଷରେ ଗୋଟିଏ କ୍ଲାସରେ ପଢୁଥିଲୁ । ସେହି ବର୍ଷ ହିଁ ମୁଁ ତାକୁ ବନ୍ଧୁତା ପାଇଁ ହାତ ବଢ଼ାଇଥିଲି ଆଉ ସେ ମଧ୍ୟ ଖୁସି ଖୁସି ମୋର ଏଇ ପ୍ରସ୍ତାବକୁ ଗ୍ରହଣ କରିଥିଲା । ଆମେ ଦୁହେଁ ବହୁତ୍ ଖୁସି ଥିଲୁ । ସାଙ୍ଗ ହେଇ ହସିବା, ବସିବା, କଲେଜ କ୍ୟାଣ୍ଟିନରେ ଖାଇବା, ପଢା ଉପରେ ଚର୍ଚ୍ଚା କରିବା ଏମିତି ଅନେକ କଥା ଏକାଠି କରୁଥିଲୁ । ଧିରେ ଧିରେ ଆମର ଏହି ବନ୍ଧୁତା ପ୍ରଗାଢ଼ ହୋଇ ଚାଲିଲା । ଆମେ କଲେଜ କ୍ୟାଣ୍ଟିନରେ ସାଙ୍ଗ ହୋଇ ଖାଇବା ସହ ପର୍ସନାଲ୍ କଥା ମଧ୍ୟ ଚର୍ଚ୍ଚା କରୁଥିଲୁ । ଆମ ଦୁହିଙ୍କର ପସନ୍ଦ ନାପସନ୍ଦ, ଜୀବନ ଜୀଇଁବାର ଚିନ୍ତାଧାରା ବହୁତ୍ ଭାବେ ସମାନ ଥିଲା । ଏମିତି କି ଆମ ଦୁହିଁଙ୍କ ନାଆଁରେ ମଧ୍ୟ ସମାନତା ଥିଲା । ତା ନାମ ଅଙ୍କିତା ଆଉ ମୋର ଅଙ୍କିତ । ଏହା ବୋଧହୁଏ ଅନ୍ୟ ଏକ ପ୍ରମୁଖ କାରଣ ଥିଲା ଯାହପାଇଁ ମୁଁ ତା ଆଡକୁ ଟିକେ ଅଧିକ ଢଳି ଯାଉଥିଲି । ପ୍ରତିଦିନ ମୋ ସହ ଦେଖା ହେଲାବେଳେ ମୋ ପ୍ରତି ଥିବା ଭଲ ପାଇବା ମୁଁ ତା ଆଖିରେ ସ୍ପଷ୍ଟ ରୂପରେ ଦେଖିପାରୁଥିଲି । ବହୁତ୍ ଥର ଭାବିଥିଲି କି ତାକୁ ମଁଖ ମୋ ମନର କଥା କହିଦେବି । କିନ୍ତୁ ପର ମୁହୂର୍ତ୍ତରେ ଏଇ କଥା ଭାବି ରହିଯାଏ କି ସତରେ ସେ କଣ ମୋତେ ଭଲ ପାଉଛି ? ସେ ମୋ ପ୍ରେମକୁ ପ୍ରତ୍ୟାଖାନ କରିଦେବନି ତ? ଯଦି ସେ ମୋତେ କେବଳ ଏକ ଉତ୍ତମ ବନ୍ଧୁ ରୂପରେ ଦେଖୁଥିବ ତେବେ ମୋର ମନ କଥା ଶୁଣି ସେ ମୋତେ ଘୃଣା କରିବାକୁ ଲାଗିବନି ତ? ଏପରି କରିବା ଦ୍ୱାରା ମୁଁ ତା ବନ୍ଧୁତାକୁ ହରେଇଦେବିନି ତ? ଏହିପରି ଅନେକ ଥର ମନରେ ହଜାରେ ପ୍ରଶ୍ନ ଉଙ୍କି ମାରିଛି । ଏମିତି ଏଣୁ ତେଣୁ ଭାବି ମୁଁ କେବେ କିଛି ତାକୁ କହିପାରେନି । ଏମିତି ଆମର ବନ୍ଧୁତା ବର୍ଷର ଶେଷରେ ପହଞ୍ଚିଲା । ପରୀକ୍ଷାର ଗୋଟେ ଦିନ ଆଗରୁ ସେ କାହାକୁ କିଛି ନକହି କୁଆଡେ ଚାଲିଗଲା । ମୁଁ ବହୁତ ତାକୁ ମନେ ପକେଇଲି । କେଉଁଠି ଥିବ, କଣ ହେଲା କାହିଁକି ପରୀକ୍ଷା ନ ଦେଇ କୁଆଡେ ଚାଲିଗଲା ? ଥରୁଟିଏ ତ ମୋତେ ଜଣେଇକି ଯାଇପାରିଥାନ୍ତା । କିଛି ଅସୁବିଧା ତାଙ୍କ ଘରେ ହେଇନି ତ? ଏଣୁ ତେଣୁ ବହୁତ୍ କିଛି ମନରେ ଭାବେ । ମୁଁ ମଧ୍ୟ ଏଇ ସବୁ କଥାରୁ ବାହାରି ଆଗକୁ ବଢ଼ିଲି । ଏମ୍. ଟେକ୍. ଶେଷ କରି ଏକ ଭଲ କମ୍ପାନୀରେ ଜବ୍ କଲି । କିନ୍ତୁ କେବେ ତାକୁ ଭୂଳିନଥିଲି କି ତାକୁ ଓ ତା ସ୍ମୃତିକୁ କେବଳ ଅତୀତର ପୃଷ୍ଠା ହୋଇ ରହିବାକୁ ଦେଇନଥିଲି । ତାର ସ୍ମୃତିକୁ ପାଥେଇ କରି ଜୀବନରେ ଧୀରେ ଧୀରେ ଆଗକୁ ଆଗକୁ ବଢୁଥିଲି କାରଣ ମୋର ବିଶ୍ବାସ ଥିଲା କି ଯଦି ମୋ ପ୍ରେମ ସତ ତେବେ ତା ସହ ଦିନେ ନାହିଁ ଦିନେ ମୋର ଦେଖା ହେବ । ଆଉ ଏହି ଲୋକବାଣୀକୁ ମଧ୍ୟ ବିଶ୍ଵାସ କରୁଥିଲି " ଯଦି ତୁମେ କାହାକୁ ସଚ୍ଚା ମନରେ ପ୍ରେମ କରୁଛ ନା ତେବେ ପୁରା ଦୁନିଆର ଶକ୍ତି ତାକୁ ଖୋଜି କି ତୁମ ପାଖକୁ ନେଇ ଆସିବ । " ଏମିତି ଦିନ ଗଡି ଚାଲିଥାଏ । ମୁଁ ସେତେବେଳେ ଓଡ଼ିଶାରୁ ବଦଳି ହୋଇ ହାଇଦ୍ରାବାଦ ଯାଇଥାଏ । ହାଇଦ୍ରାବାଦ ଅଫିସରେ ଆଜି ପ୍ରଥମ ଦିନ ମୋର । ପ୍ରୋଜେକ୍ଟ ମ୍ୟାନେଜର ଭାବରେ ମୁଁ ସେଠାରେ ଜଏନ୍ କରିଥାଏ । ପ୍ରଥମ ଦିନରେ ମୁଁ ଅଫିସକୁ ଯିବା ବେଳେ ହଠାତ୍ ମୋର ଆଖି ଅଙ୍କିତା ଉପରେ ପଡ଼ିଲା । ସେ ସେଇ ଅଫିସରେ ଏକ କର୍ମଚାରୀ ହିସାବରେ କାମ କରୁଥିଲା । ଏତେ ବର୍ଷ ପରେ ତାକୁ ଦେଖି ମୁଁ ଯେ କେତେ ଖୁସି ଥିଲି ତାହା ଶବ୍ଦରେ ବ୍ୟାଖ୍ୟା କରିବା ଅସମ୍ଭବ । ସେ ମଧ୍ୟ କେଉଁ କମ୍ ଖୁସି ନଥିଲା । ହେଲେ ମୁଁ ତାକୁ ଦେଖିବା ମାତ୍ରେ ମୋ ପାଟିରୁ ସ୍ୱତଃ ପ୍ରବୃତ୍ତ ଭାବରେ କଥାଟିଏ ବାହାରି ଆସିଲା, 'ଆଜି ମୋ ପ୍ରେମ, ମୋ ବିଶ୍ୱାସ ଜିତି ଗଲା, ଅଙ୍କିତା ।' ମୋର ଏଇ ପଦେ କଥାରେ ସେ ଟିକେ ଆଶ୍ଚର୍ଯ୍ୟର ସହ ଲାଜେଇ ଗଲା । ମୁଁ ପୁନଶ୍ଚ ତାକୁ ଫେରି ପାଇଛି ଏଇ ବିଶ୍ୱାସ ମୋତେ ହେଉ ନଥିଲା । ମୁଁ ମନେ ମନେ ନିଷ୍ପତି ନେଇ ସାରିଥିଲି କି ଯେଉଁ ଭୁଲ ମୁଁ କିଛି ବର୍ଷ ତଳେ କରିଥିଲି ଆଉ ତାକୁ ଦୋହରେଇବିନି । ତାକୁ ମୁଁ ମୋର ମନର କଥା ଖୋଲି କି କହିଦେବି । ସେଥିପାଇଁ ଅଫିସର କାମ ମଝିରେ ହିଁ ମୁଁ ତାକୁ ଫୋନ କରି କଫି ପିଇ ବାକୁ ଡାକିଲି । ଅଫିସ ଛୁଟି ପରେ କଫିସପରେ ଦୁହେଁ ସାମ୍ନା ସାମ୍ନି ବସି କଫି ପିଇଲୁ । କଫି ଅଧାରୁ ହିଁ ମୁଁ ତାକୁ କହିଲି, "ଅଙ୍କିତା, ଜୀବନରେ ଥରେ ମୁଁ ତୁମକୁ ହରେଇ ସାରିଛି ଆଉ ଥରେ ହରେଇବାକୁ ଚାହୁଁନି । ମୋ ଜୀବନର ଏକ ଅଂଶ ହେବାକୁ ତୁମେ ପସନ୍ଦ କରିବ କି? ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି ।" ଏତକ ଶୁଣି ସାରି ସେ ତଳକୁ ମୁଁହ ପୋତି ନିରବରେ କଫିରୁ ବାହାରୁଥିବା ଗରମ ବାଷ୍ପକୁ ନିରୀକ୍ଷଣ କରୁଥିଲା । କିଛି ସମୟ ପରେ ସେ ଯେତେବେଳେ ମୁଁହ ଉପରକୁ ଉଠେଇଲା ତା ଆଖି ଦୁଇଟି ଲୁହରେ ଢଳ ଢଳ ଥିଲା । ମୁଁ କିଛି ବୁଝିପାରୁ ନଥିଲି । ମନେ ମନେ ଭାବିଲି କି ମୁଁ କିଛି ଭୁଲ କରି ଦେଲିନି ତ? ତା ମନକୁ କଷ୍ଟ ଲାଗିଲା କି ? ତାକୁ କିଛି ପଚାରିବ ଆଗରୁ ହିଁ ସେ ମୋତେ କହିଲା " ଅଙ୍କିତ, ତୁମେ ଏତକ କହିବାକୁ ବହୁତ୍ ଡେରି କରିଦେଲ ସତରେ । ମୁଁ ବର୍ତ୍ତମାନ ବିବାହିତ । ମୋର ବାହାଘର ସରିଯାଇଛି ।" ତାର ଏପରି କଥା ଶୁଣି ମୁଁ ପୁରା ଆଶ୍ଚର୍ଯ୍ୟ ହୋଇ ଗଲି । ମୋ ପାଟିରୁ ଗୋଟିଏ ବି ଶବ୍ଦ ବାହାରୁ ନଥିଲା । ସେ କିଛି ସମୟ ନିରବ ରହି ପୁଣି ଥରେ କହିବାକୁ ଲାଗିଲା, "ତୁମର ମନେ ଅଛି ଅଙ୍କିତ, ମୁଁ ପରୀକ୍ଷାର ଦୁଇ ଦିନ ଆଗରୁ ହିଁ ପଳେଇ ଆସିଥିଲି । ମୁଁ ହଷ୍ଟେଲରେ ହିଁ ଶୁଣିବାକୁ ପାଇଲି କି ଗୋଟେ ଗାଡ଼ି ଦୁର୍ଘଟଣାରେ ବାପା ଓ ମମି ଦୁଇଜଣଙ୍କର ମୃତ୍ୟୁ ହୋଇ ଯାଇଛି । ମୁଁ ସେତେବେଳେ କଣ କରିବି କିଛି ଜାଣିପାରିଲି ନାହିଁ । ସକାଳର ପ୍ରଥମ ଗାଡ଼ିରେ ହିଁ ମୁଁ ଘରକୁ ପଳେଇ ଆସିଲି । ବାପା, ମାଆଙ୍ର ଏମିତି ଅଚାନକ ମୃତ୍ୟୁରେ ମୁଁ ପୁରା ଭାଙ୍ଗି ପଡ଼ିଥିଲି । ଦୁନିଆ ଏପଟ ସେପଟ ହେଇଗଲା ପରି ମନେ ହେଉଥିଲା । ପ୍ରତି ମୁହୂର୍ତ୍ତରେ ମୁଁ ଅନାଥ ହୋଇଯାଇଛି ଏପରି ଭାବନା ମନକୁ ବିଚଳିତ କଟିପକାଉଥିଲା । ବଡ଼ ଦିଦି ଆଉ ଭିଣୋଇ ଭାଇ ମଧ୍ୟ ଦିଲ୍ଲୀରୁ ଘରକୁ ଆସିଥିଲେ । ବର୍ତ୍ତମାନ ତାଙ୍କ ଛଡା ମୋର ଏଇ ଦୁନିଆରେ କେହି ନଥିଲେ । ମୋର ଭବିଷ୍ୟତ ପାଇଁ ସେ ବହୁତ ଚିନ୍ତିତ ଥିଲେ । କଣ କରିବେ ସବୁବେଳେ ଭାବି ହେବାକୁ ଲାଗିଲେ । ତେର ଦିନ କର୍ମ ପରେ ହିଁ ଭାଇ ମୋତେ କହିଲେ କି ଅଙ୍କିତା ଆମେ ଦୁହେଁ ତୋର ବାହାଘର ସ୍ଥିର କରି ସାରିଛୁ । ମୁଁ ନାରାଜ ହେବାରୁ ଭାଇ ମୋତେ ବୁଝେଇଲେ କି " ଦେଖ ଅଙ୍କିତା, ତୁ ଏକ ଶିକ୍ଷିତ, ଦୁନିଆକୁ ଏବେ ଭଲ କରି ବୁଝିନୁ । ଏଇ ଦୁନିଆରେ ଏକୁଟିଆ ଝିଅଟିଏ ଚଳିବା ଅତ୍ୟନ୍ତ କଷ୍ଟ ଦାୟକ । କିଏ ତୋ ବିପଦ ଆପଦରେ ଛିଡା ହେବା ? ଆମେ ମାନେ ସବୁବେଳେ ତୋ ପାଖରେ ଛିଡା ହୋଇ ପାରିବୁନି । ଆମେ ତୋ ଠାରୁ ବହୁତ୍ ଦୂରରେ ରହୁଛୁ । ତେଣୁ ଆମ କଥାକୁ ମାନି ତୁ ବାହାଘର ପାଇଁ ରାଜି ହୋଇ ଯାଆ । "

ସତରେ ଅଙ୍କିତ ମୋର ସେତେବେଳେ ବାହାଘର ପାଇଁ କଦାପି ଇଚ୍ଛା ନଥିଲା । ମୁଁ ନିଜ ଗୋଡ଼ରେ ଛିଡ଼ା ହେବାକୁ ଚାହୁଁଥିଲି । ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଥିଲି । ଆଉ ତା ପରେ ବି ବାପା ଓ ମମିର ଏପରି ଅଚାନକ ମୃତ୍ୟୁରେ ମୁଁ ମାନସିକ ଭାରସ୍ୟମ ହରେଇ ବସିଥିଲି । ମୁଁ କେଉଁ ଆଧାରରେ ସେମାନଙ୍କୁ ମନା କରିଥାନ୍ତି । ମୋ ଜୀବନରେ କେହି ସେମିତି ନଥିଲେ ଯାହା ପାଇଁ ମୁଁ ଜିଦ୍ଦି ବି କରିପାରିଥାନ୍ତି । ଥରୁଟିଏ ତୁମ କଥା ମନକୁ ଆସିଥିଲା କିନ୍ତୁ ତୁମେ ତ କେବେ ମୋତେ ମୁଁହ ଖୋଲି କେବେ କିଛି କହିନଥିଲ ତ କେଉଁ ଆଶାରେ ମୁଁ ତୁମକୁ କିଛି ପଚାରି ଥାଆନ୍ତି । ତେଣୁ ଦିଦି ଓ ଭାଇର ବହୁତ୍ ବୁଝେଇବା ପରେ ମୁଁ ତାଙ୍କ କଥାରେ ରାଜି ହୋଇ ଗଲି । " ଅଙ୍କିତାର ଏଇ ଶେଷ ଦୁଇ ପଦ କଥା ମୋ ଭୀରୁତାର ପରିଚୟ ଦେଇଦେଲା ମୋତେ । ମୁଁ କଣ କଲି ନିଜେ ହିଁ ମନେ ମନେ ଭାବିବାକୁ ଲାଗିଲି । ତା ପରେ ନିଜ ଭାଗ୍ୟ ଓ ନିୟତି ଉପରେ ମୋର ରାଗ ଆସିଲା, କି ଯଦି ସେ ମୋର ହେବାର ନଥିଲା ତ ତାକୁ ପୁଣି ଥରେ ସମୟ କାହିଁକି ମୋ ସମ୍ମୁଖରେ ଆଣି ଛିଡା କରେଇ ଦେଲା ? ନିଜ ମନକୁ ଶାନ୍ତ କରି ମୁଁ ଅଙ୍କିତାକୁ ଚାହିଁଲି ଆଉ ପଚାରିଲି," ତୁମେ ଖୁସି ଅଛ ଅଙ୍କିତା ? "

ସେ ଏକ ଦୀର୍ଘଶ୍ଵାସ ଛାଡ଼ି କହିଲା, "ଅନୁପ ଜଣେ ଭଲ ମଣିଷ । ବହୁତ୍ ବଡ ଶିଳ୍ପପତି । କୋଟି କୋଟି ସମ୍ପତ୍ତିର ମାଲିକ ।"

" ଏହା ସତ୍ତ୍ଵେ ବି ତୁମେ ଖୁସି ଅଛ କି ? " ମୁଁ ମୋ ପ୍ରଶ୍ନକୁ ଆଉ ଥରେ ପଚାରି ବସିଲି । 

ଯଦି ଜୀବନରେ ଟଙ୍କା, ଗାଡ଼ି, ବ୍ୟାଙ୍କ୍ ବାଲାନ୍ସ୍ ଖୁସିର ମାନଦଣ୍ଡ ବୋଲି ବିବେଚନା କରାଯାଏ ତେବେ ନିଶ୍ଚିତ ରୂପରେ ମୁଁ ବହୁତ୍ ଖୁସିରେ ଅଛି । 

ଜାଣିଛ ଅଙ୍କିତ, ଅନୁପ ଏକ ସଫଳ ବ୍ୟବସାୟୀ । ସେ ପ୍ରତିଟି କଥାରେ ଲାଭ ଓ କ୍ଷତିର ହିସାବ କରନ୍ତି । ଆଉ ପତ୍ନୀକୁ ସମୟ ଦେବା ଓ ତା ଖୁସିରେ ଖୁସି ହେବାରେ ତାଙ୍କର ବା କି ଲାଭ । ସମୟକୁ ସଦୁପଯୋଗ କରିବାରେ ସେ ବିଶ୍ୱାସ ରଖନ୍ତି । ଆଉ ମୋ ସହ ସମୟ କାଟିଲେ ସମୟର ଅପଚୟ ବୋଲି ସେ ଭାବନ୍ତି । ବାହାଘରଟା ନିଜ ସମାସ୍କନ୍ଦ ପ୍ରତିପତ୍ତି ଥିବା ପରିବାର ସହିତ ହେଲେ ଭଲ । କିନ୍ତୁ ଯଦି ଗୋଟେ ମଧ୍ୟବିତ୍ତ ପରିବାରର ଝିଅ ହଠାତ୍ ଗୋଟେ ଉଞ୍ଚ ଖ୍ୟାତି ସମ୍ପନ୍ନ ଘରକୁ ଯାଏ ତ ତାକୁ ସେଠାରେ ନିଚ୍ଚା ଦେଖେଇବାର ସୁଯୋଗ ସେ ନିଜ ମଥାରେ ବୋହି ନେଇଥାଏ । ତାଙ୍କର ହାଇ ସୋସାଇଟରେ ମୋ ଭଳି ଜଣେ ମଧ୍ୟବିତ୍ତ ପରିବାରରୁ ଆସିଥିବା ଝିଅର ଔକାତ୍ ତାକୁ ବାରମ୍ବାର ଜଣେଇ ଦିଆ ଯାଇଥାଏ । 

ତୁମେ କେବେ ତାଙ୍କୁ ବୁଝାଇବାକୁ କି ବିରୋଧ କରିବାକୁ ଚେଷ୍ଟା କରିନ? ମୁଁ କହିଲି । 

ହଁ କରିଛି ବହୁ ବାର କିନ୍ତୁ ସବୁ ଚେଷ୍ଟା ବିଫଳ । ଶେଷରେ ନିଷ୍ପତ୍ତି ନେଲି କି ତାଙ୍କ ଠାରୁ ଅଲଗା ହେବି । ଜବ୍ ଅଫର ତ ଥିଲା ମୋ ପାଖରେ ଯାହା ଦ୍ଵାରା ମୋର ଆର୍ଥିକ ସମସ୍ୟା କେବେ ହେବନି ବୋଲି ମୁଁ ଭାବିଲି । ଆଉ ଥରେ ଜୀବନକୁ ନୂଆ କରି ଗଢି ତୋଳିବାକୁ ମୁଁ ନିଷ୍ପତ୍ତି ନେଲି । କିନ୍ତୁ ଭାଗ୍ୟର ବିଡମ୍ବନା ଦେଖ ଭାଗ୍ୟ ସେତକ ବି କରେଇ ଦେଲାନି । ମୁଁ ଯେତେବେଳେ ତାଙ୍କଠୁ ଅଲଗା ହେବି ବୋଲି ନିଷ୍ପତ୍ତି ନେଲି ମନରେ ସେତେବେଳେ ଜାଣିବାକୁ ପାଇଲି ଯେ ମୁଁ ଗର୍ଭବତୀ । ମାଆ ହେବାକୁ ଯାଉଛି । ମୋର କିଛି ଅଧିକାର ନଥିଲା ଯେ ମୁଁ ମୋ ଗର୍ଭସ୍ଥ ଶିଶୁକୁ ଏ ଦୁନିଆ ଦେଖେଇ ଦେବିନି । ଏଥିରେ ତାର ବା କି ଭୁଲ । ଆମ ଦୁହିଁଙ୍କ ପାଇଁ ସେ କାହିଁକି ହଇରାଣ ହେବ । ଗୋଟେ ଶିଶୁ ପାଇଁ ମାର ସ୍ନେହ ଯେତିକି ଆବଶ୍ୟକ ପିତାର ପରିଚୟ ମଧ୍ୟ ସେତିକି ଆବଶ୍ୟକ । ଆଉ ପିତା ମାତାର ବିଚ୍ଛେଦରେ ଅଧିକ ପ୍ରଭାବିତ ହୁଏ ଶିଶୁଟି । ତାର ଶାରୀରିକ ଓ ମାନସିକ ଅତି ମାତ୍ରାରେ ପ୍ରଭାବିତ ହୁଏ । ଆଉ ଏବେ ତ ମୋ ସନ୍ତାନ ଉପରେ ପୂର୍ଣ୍ଣ ଅଧିକାର ତାର ଜେଜେବାପା ଓ ଜେଜେମାଆର । ମୁଁ ଖାଲି ଯାହା ନାମକୁ ମାତ୍ର ମାଆ । 

ଅଙ୍କିତା ଠାରୁ ତାର ନିଜସ୍ଵ କଥା ଶୁଣି ସାରି ମୋ ମନ ବିଚଳିତ ହେବାକୁ ଲାଗିଲା । ସେହି ରାତିରେ ନା ମୋତେ ନିଦ ହେଲା ନାହିଁ ମୋ ମନ ଶାନ୍ତ ହେଲା । ରାତି ଯାକ ଛାତରେ ବୁଲି ବୁଲି ଏହା ମନକୁ ଆନ୍ଦୋଳିତ କଲାକି କାହିଁକି ମୁଁ ସମୟ ଥାଉ ଥାଉ ମୋ ମନର କଥା କହିଲିନି । ଯଦି ସେତେବେଳ ଟିକେ ସାହସ କରି ମନର କଥା କହିଥାନ୍ତି ତ ଆଜିର ଚିତ୍ର କିଛି ଅଲଗା ହିଁ ଥାଆନ୍ତା । ଅଜାଣତରେ ମୋ ଦ୍ଵାରା ହେଇଥିବା ଭୁଲ ପାଇଁ ମୁଁ ମନେ ମନେ ଦୁଃଖିତ ହେବାକୁ ଲାଗିଲି । କଣ କରି ତାକୁ ମୁଁ ଟିକେ ଖୁସି ଦେଇ ପାରିବି । କଣ ଅନ୍ୟ କୌଣସି ରାସ୍ତା ନାହିଁ ଅଙ୍କିତାକୁ ଖୁସି କରେଇବାର ? ତାକୁ ମୁଁ ଆଗ ଭଳି ଦେଖିବାକୁ ଚାହୁଁଥିଲି । କିନ୍ତୁ କଣ ମୁଁ କରିପାରିବି । 

ମୁଁ ତାର କେବଳ ଏକ ବନ୍ଧୁ ମାତ୍ର । ସଚ୍ଚୋଟ ବନ୍ଧୁର କର୍ତ୍ତବ୍ୟ କରିବାକୁ ଚାହୁଁଥିଲି । ତାକୁ ମୁଁ ବହୁତ ଥର ବୁଝାଇବାକୁ ଚେଷ୍ଟା ମଧ୍ୟ କରିଛି, "ଦେଖ ଅଙ୍କିତା ଜୀବନରେ ସମସ୍ତଙ୍କୁ ନିଜର ମନପସନ୍ଦର ଜୀବନ ସାଥି ମିଳିବା କଷ୍ଟକର । ଆମେ ଜୀବନକୁ ଖୁସିର ସହ ବଞ୍ଚିବାର ଅଛି । କଷ୍ଟ, ଦୁଃଖ ସମସ୍ତଙ୍କ ଜୀବନରେ ଆସେ କିନ୍ତୁ ସେହି ଦୁଃଖକୁ ଖୁସିର ରାସ୍ତାରେ ବାଧକ ବନେଇବାକୁ ଦେବା କଥା ନୁହେଁ । ଆମେ ଖୁସି ରହିବା କେବଳ ଆମରି ଉପରେ ନିର୍ଭର କରେ । ଆଉ ଏହା ହିଁ ଜୀବନର ଅର୍ଥ । ଇନ୍ଦ୍ରଧନୁର ସପ୍ତରଙ୍ଗ ଭଳି ଖୁସି ଆମ ଭିତରେ ସମାହିତ, କେବଳ ତାକୁ ଦେଖିବାକୁ ଦୃଷ୍ଟି ଶକ୍ତି ଦରକାର ।"

କଲେଜ୍ ପଢ଼ିବା ବେଳେ ଅଙ୍କିତାର ପେଣ୍ଟିଂ ପ୍ରତି ଦୁର୍ବଳତା ଥିଲା । ଆଉ ମୋ ପ୍ରେରଣାରେ ସେହି ଦୁର୍ବଳତା ତାର କଳାରେ ପରିଣତ ହେଇଥିଲା । ତା ଦ୍ଵାରା ବନା ଯାଇଥିବା ପେଣ୍ଟିଂ କୌଣସି ବି ଦକ୍ଷ କଳାକାରକୁ ହରେଇବାରେ ସକ୍ଷମ ଥିଲା । ତେଣୁ ତାକୁ ପୁନଶ୍ଚ ସେହି ପେଣ୍ଟିଂ କଥା କହି ସମୟକୁ ସଦୁପଯୋଗ କରିବାକୁ ପରାମର୍ଶ ଦେଲି । ଏବଂ ସେ ମଧ୍ୟ ମୋ କଥାକୁ ଗ୍ରହଣ କରି ନିଜର କିଛି ସମୟ ସେଇଥିରେ ଦେବାକୁ ଲାଗିଲା । ବର୍ତ୍ତମାନ ପୂର୍ବ ଅପେକ୍ଷା ଏତେ ଉଦାସ ଆଉ ନଥିଲା ଭଳି ମୋର ମନେ ହେଲା । କିନ୍ତୁ ତାକୁ ତାର ସ୍ଵପ୍ନକୁ ସାକାର କରିବାରେ ସାହାଯ୍ୟ କରିବାକୁ ମୁଁ ନିଷ୍ପତ୍ତି ନେଇ ସାରିଥିଲି । ତେଣୁ କିଛି ବନ୍ଧୁଙ୍କ ସାହାଯ୍ୟରେ ଏକ ଚିତ୍ର କଳାର ପ୍ରଦର୍ଶନୀର ଆୟୋଜନ କଲି । ତିନିଦିନ ଧରି ପ୍ରଦର୍ଶନୀକୁ ବହୁତ୍ ଆଡୁ ଲୋକେ ଦେଖିବାକୁ ଆସିଥିଲେ । ଆଉ ସତ କହିବାକୁ ଗଲେ ତାର ପେଣ୍ଟିଂଗୁଡ଼ିକ ଏତେ ମନଲୋଭା ଥିଲା କି ଗୋଟିଏ ଦିନ ଭିତରେ ହିଁ ସେ ନିଉଜର ସାମ୍ନାକୁ ଆସି ଯାଇଥିଲା । ଆଜି ପେଣ୍ଟିଂର ତୃତୀୟ ଏବଂ ଶେଷ ଦିନ । ଆଜି ଦିନରେ ତାର ସ୍ୱପ୍ନ ପୂରଣ ହୋଇଛି । ତାର ନିଜସ୍ଵ ପରିଚୟ ଟିଏ ଅଛି । ସମାଜରେ ତା ସ୍ବାମୀ ସମ୍ମଖରେ ସେ କେବଳ ମଧ୍ୟବିତ୍ତ ପରିବାରର ଝିଅଟିଏ ହୋଇ ଆଜି ନାହିଁ । ଏକ ସଫଳ, ପ୍ରସିଦ୍ଧ ଲାଭ କରିଥିବା ବ୍ୟକ୍ତିତ୍ବର ଅଧିକାରିଣୀ ଏବେ ସେ । 

ସତ କହିବାକୁ ଗଲେ ଆମ ଜୀବନକୁ କିଏ ଆସିବ କିଏ ଯିବ ଏହା ଉପରେ ଆମର କିଛି ନିୟନ୍ତ୍ରଣ ନଥାଏ । କିନ୍ତୁ ଆଜି ମୋତେ ଏମିତି ପ୍ରତୟ ହେଲା କି କାହାରି ଜୀବନରେ ପୁନଶ୍ଚ ଫେରିବାଟା କେବଳ ଏକ ସଂଯୋଗ କେବେ ବି ନୁହେଁ । ମୋ ଦ୍ଵାରା ହୁଏତ ଅଙ୍କିତାକୁ ଏହି ଶିଖରରେ ପହଞ୍ଚିବାର ଥିଲା । ମୁଁ ମୋର ଏହି ଭାବନାର ଦୁନିଆରେ ନିମଗ୍ନ ଥିଲି ହିଁ କି ଅଙ୍କିତାର ଡାକରେ ମୋ ତନ୍ଦ୍ରା ଭାଙ୍ଗିଲା । ମୁଁ ପଛକୁ ଫେରି ଚାହିଁଲି କି ଅଙ୍କିତା ଛିଡା ହୋଇଛି । ତାକୁ ମୁଁ ଶୁଭେଚ୍ଛା ଜଣାଇଲି ତାର ସଫଳତା ପାଇଁ । ସେ କହିଲା କି ଏହି ସବୁ କେବଳ ତୁମ ପାଇଁ ହିଁ ସମ୍ଭବ ହୋଇ ପାରିଛି ଅଙ୍କିତ । ତୁମେ ଯଦି ଆଉ ଥରେ ମୋ ଜୀବନରେ ଆସି ନଥାନ୍ତ ତ ଏହା ଅସମ୍ଭବ ଥିଲା । 

ମୁଁ କହିଲି, " ନାହିଁ ଏମିତି ନୁହେଁ । ତୁମେ ଜଣେ କଳାକାର । ଆଉ କଳା କେବେ ଲୁଚିରହେନା । ହଁ କିଏ ନା କିଏ ଦୁନିଆରେ ଏମିତି ଜଣେ ଥାଆନ୍ତି ଯିଏ କି ସେହି କଳାକୁ ଚିହ୍ନି ତାକୁ ଆଗକୁ ବଢିବାର ପ୍ରେରଣା ଯୋଗନ୍ତି । ଆଉ ସେ ବ୍ୟକ୍ତି ମୁଁ ହେଇଥିବାରୁ ବହୁତ୍ ଖୁସି । ତୁମର ଏହି ଦକ୍ଷତାକୁ କେବେ କମିବାକୁ ଦେବନି । ଇଏ ତ ଆରମ୍ଭ ମାତ୍ର । ତୁମକୁ ବହୁତ୍ ଆଗକୁ ବଢିବାର ଅଛି ।"

ଏତକ ଶୁଣି ତା ଆଖିରେ ଲୁହର ଦୁଇ ଧାର ଗାଲ ଦେଇ ବୋହି ଆସିଲା । 

ଏହା ଆବଶ୍ୟକ ନୁହେଁ ଯେ ସବୁ ପ୍ରେମ କାହାଣୀର ଶେଷ ବାହାଘର ମଣ୍ଡପ । ମାଟି ଓ ଆକାଶ ଦୂର ଦିଗବଳୟରେ ଏକାଠି ହେଉଥିବାର ଦେଖା ଯାଉଥିଲେ ବି ସେମାନେ ପରସ୍ପର ଠାରୁ ଅନତି ଦୂରରେ ଅବସ୍ଥିତ । ଦୁହେଁ ଜଣେ ଅନ୍ୟ ଜଣକ ଠାରୁ ପୃଥକ୍ ହେଲେ ବି ଜଣେ ଅନ୍ୟଜଣର ପୂରକ ଅଟନ୍ତି । ମୁଁ ଆଉ ଅଙ୍କିତା ମଧ୍ୟ ଆଜି ସେହି ଏକ ସମ୍ବେଦନଶୀଳର ମାନଦଣ୍ଡରେ ଦଣ୍ଡାୟମାନ । ସମାଜ ଦ୍ୱାରା ଗଢା ଯାଇଥିବା ନୀତି ନିୟମର ପାଳନ କରି ନିଜ ନିଜର ମର୍ଯ୍ୟାଦାକୁ ବଜାୟ ରଖି ଏକ ସୁନ୍ଦର ସମ୍ପର୍କ ( ବନ୍ଧୁତ୍ୱ) ଗଢା ଯାଇ ପାରିବ । 



Rate this content
Log in

Similar oriya story from Romance