Debaki Behera

Others

4  

Debaki Behera

Others

ନାରୀ ମୋର୍ଚ୍ଚା

ନାରୀ ମୋର୍ଚ୍ଚା

9 mins
236



ସକାଳୁ ସକାଳୁ ମୋବାଇଲର ଶବ୍ଦରେ ମୋର ନିଦ ଭାଙ୍ଗିଗଲା । ଆଖି ମଳି ଫୋନକୁ ଚାହିଁଲି । ରାଜୀବର କଲ୍ ଥିଲା । ଫୋନ ରିସିଭ କରିବା ମାତ୍ରେ ସେପଟୁ ରାଜୀବ କହିବାକୁ ଲାଗିଲେ, "ପ୍ଲିଜ୍ ରିତୁ, ଘରକୁ ଫେରି ଆସନା। ତୁମ ବିନା ଘର ଜମା ବି ଭଲ ଲାଗୁନି । ତୁମେ ଯାହା କହିବ, ଯେମିତି କହିବ, ସବୁ ସେମିତି ହିଁ ହେବ । ତୁମେ ଚାକିରି କରିବାକୁ ଚାହୁଁଛ, ତ ତୁମ ଇଚ୍ଛା ତୁମେ ଯେଉଁଠି ଚାହିଁବ ସେଇଠି ଚାକିରି କରିପାରିବ । ମୋ ତରଫରୁ କିଛି ବାରଣ ନାହିଁ । ମାଆ ମଧ୍ୟ କହିସାରିଲାଣି କି ତୁମର ଯାହା ଇଚ୍ଛା ତାହା କରିବ । ପ୍ଲିଜ୍ ଏବେ ତ ମାନିଯାଅ। ଆଉ ଘରକୁ ଫେରି ଆସ। " 

ଏକା ନିଃଶ୍ୱାସରେ ଏତେ କଥା ରାଜୀବ କହିଚାଲିଗଲେ । ମୋ ଚେହେରାରେ ଏକ ଖୁସିର ଲହର ଖେଳିଗଲା । " ହଉ ଠିକ୍ ଅଛି, ମୁଁ ଯାଉଛି।" ଏତକ ମୋ ମୁହଁରୁ ଶୁଣି ରାଜୀବ ଖୁସିରେ ଥ୍ୟାଙ୍କ ୟୁ ରିତୁ ଆଣ୍ଡ ଆଇ ଲଭ୍ ୟୁ କହିକି ଫୋନ କାଟିଦେଲେ।

 ସତରେ କେତେ ସରଳିଆ ମୋ ରାଜୀବ । ମମି ମିଛଟାରେ ଖାଲି ଯାହା ତାଙ୍କ ଉପରେ ସନ୍ଦେହ କରି କେତେ କଣ ଭାବି ଯାଉଛି । ସତରେ ଯଦି ମମି କଥା ମାନି ଜିଦରେ ରହିଥାନ୍ତି ତ ନିଶ୍ଚିତ ରୂପରେ ମୁଁ ମୋ ସଂସାରକୁ ନିଜ ହାତରେ ଭାଙ୍ଗି ଦେଇଥାନ୍ତି । ଧନ୍ୟବାଦର ଶ୍ରେୟ ସବୁ ତ ପାପାଙ୍କୁ ଯାଉଛି। ସିଏ ଯଦି ମୋତେ ଭଲ ମନ୍ଦ,ଠିକ୍ ଭୁଲ ନ ବୁଝାଇଥାନ୍ତେ ତ କଣ ହେଇଥାନ୍ତା । 

ରାଜୀବ ଓ ମୋର ଏଇ ଛଅ ମାସ ତଳେ ବାହାଘର ହୋଇଛି । ଘରେ କେବଳ ପକ୍ଷାଘାତ ରୋଗରେ ଆକ୍ରାନ୍ତ ମାଆଟିଏ। ରାଜୀବକୁ ନିଜର ଜବ୍ ଚକ୍କରରେ ଅଧିକାଂଶ ସମୟ ବାହାରେ ରହିବାକୁ ପଡେ। ମୁଁ ଘରେ ଏକୁଟିଆ ଦିନ ଯାକ ବସି ବସି ବିରକ୍ତ ହୋଇଯାଇଥିଲି। କାରଣ କାମ ବୋଲି କହିଲେ କିଛି ନାହିଁ । ରୋଷେଇ ବାସ, ଘର ସଜାଇବା, ମାଆଙ୍କର ଯତ୍ନ ନେବା, ସମୟରେ ଔଷଧ ଦେବା ବାସ୍ ଏତିକି । ପିଞ୍ଜରାରେ ବନ୍ଦ ପକ୍ଷୀଟେ ପରି ମୋତେ ଅନୁଭବ ହେଉଥିଲା। ରାଜୀବ ମୋର ବହୁତ୍ ଯତ୍ନ ନେଉଥିଲେ । ବାହାରକୁ ଗଲେ ମଧ୍ୟ ସମୟ ବ୍ୟବଧାନରେ ଫୋନ କରି କଥା ହୁଅନ୍ତି । ହେଲେ ମୁଁ ଟିକେ ମୁକ୍ତ ହେବାକୁ ଚାହୁଁଥିଲି। ତେଣୁ ଚାକିରୀ କରିବାର ଚିନ୍ତା ମୋ ମୁଣ୍ଡକୁ ଜୁଟିଲା । ତେଣୁ ଦିନେ ରାଜୀବର ମୁଡ୍ ଭଲ ଥିବା ଦେଖି ଏଇ କଥାଟି ତାଙ୍କୁ କହିଲି । ସେ କିନ୍ତୁ ମୋତେ ବୁଝାଇବାକୁ ଯାଇ କହିଲେ କି,"ମୁଁ ଯଦି ଘରେ ବୋର୍ ହେଉଛି ତ ଘରେ ରହିକି ବି କିଛି କାମ ଆରମ୍ଭ କରିପାରିବି । ବାହାରକୁ ଯାଇ ଚାକିରି କରିବା କଣ ଦରକାର । ମାଆଙ୍କର ଯେଉଁ ଅବସ୍ଥା ତା ବିଷୟରେ ତ ତୁମେ ଜାଣିଛ । ତାଙ୍କୁ ଏମିତି ଏକୁଟିଆ ଘରେ ଛାଡ଼ି ବାହାରକୁ ଯିବାଟା ଠିକ୍ ନୁହଁ। "

ରାଜୀବ ଠାରୁ ଏମିତି ଶୁଣି ମୋର ରାଗ ଟିକେ ମୁଣ୍ଡକୁ ଅଧିକ ଚଢିଗଲା। ତ ମୁଁ ରାଗିକି କହିଦେଲି, " ଆଗରୁ ମୋତେ ବାହା ହେବା ପୂର୍ବରୁ ତ ସେ ଏକୁଟିଆ ରହୁଥିଲେ ନା । ଏବେ କାହିଁକି ରହିପାରିବେନି। "

ରାଜୀବ ମୋତେ ବୁଝାଇବାକୁ ଯାଇ କହିଥିଲେ କି ସେତେବେଳର କଥା ଅଲଗା ଥିଲା । ଜଣେ କାମବାଲୀ ଝିଅଟେ ରହିକି ମାଆଙ୍କର ସେବା କରୁଥିଲା ।ମନରେ ଇଚ୍ଛା ନଥିଲେ ମଧ୍ୟ ତାର ସାହାର୍ଯ୍ୟ ନେବାକୁ ବାଧ୍ୟ ଥିଲି । ସେ ଯତ୍ନ ନ ନେଇଥିଲେ ମୁଁ ବାହାରେ କାମ କେମିତି କରିଥାନ୍ତି? ତା ପରେ ସେ କଣ ନିଜର? ତୁମେ ଆସିଲା ପରେ ମାଆ କେତେ ଖୁସି ଅଛି। ସେ ଆଗ ଅପେକ୍ଷା ସୁସ୍ଥ ଅନୁଭବ କରୁଛି। ତା ପରେ ତୁମେ ଯେମିତି ଯତ୍ନ ନେଇ ପାରିବ ବାହାର ଝିଅଟେ କଣ ସେମିତି ନେଇ ପାରିବ?

ଏତକ ଶୁଣି ମୋ ରାଗର ପାରଦ ଯେମିତି ଟିକେ ଅଧିକ ଉପରକୁ ଉଠିଗଲା । ମୁଁ ରାଗରେ ତମତମ ହୋଇ କହିଲି, "ଓହୋ ତୁମର ତାହେଲେ ଗୋଟେ ଚାକରାଣୀ ଦରକାର ଥିଲା । ଯିଏକି ଘରେ ରହିବ ଆଉ ତୁମ ମାଆଙ୍କର ସେବା କରିବ । ସେଥିପାଇଁ ଖାଲି ତୁମେ ମୋତେ ବାହା ହୋଇଥିଲ ନୁହଁ।"

"ନିଜ ଲୋକଙ୍କ ସେବା କଲେ କିଏ ଚାକରାଣୀ ହୋଇଯାଆନ୍ତି ନି।", ଟିକେ ଅଧିକ ବିରକ୍ତ ହୋଇ କହିଲେ।

ମୁଁ ଆଉ କଥା ଶୁଣିବା ପରିସ୍ଥିତିରେ ନଥିଲି ତେଣୁ ସିଧା ବ୍ୟାଗ ବାହାର କରି ନିଜର କିଛି ସାମଗ୍ରୀ ଓ ଲୁଗା ପଶେଇ ଘରୁ ରାଗ ତମତମ ହୋଇ ଆମ ଘରକୁ (ବାପାଙ୍କ ଘରକୁ ) ଚାଲି ଆସିଲି । ସେ ପଛରୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ବି ମୁଁ କିଛି ଶୁଣି ନଥିଲି । 

ଘରେ ମୋତେ ଏମିତି ରାଗ ତମତମ୍ ହୋଇ ବ୍ୟାଗ ସହ ଦେଖି ମମି ପଚାରିଲା," କଣ ହେଲାକି ରିତୁ ? ଘରୁ ରାଗିକି ଚାଲି ଆସିଛୁ କି ? କଣ ହେଇଛି କହ?"

ମୁଁ ଏକା ନିଃଶ୍ୱାସରେ କାନ୍ଦି କାନ୍ଦି ସବୁ କଥା କହିପକେଇଲି। ମମି ମୋ ଠାରୁ ସବୁ କଥା ଶୁଣି କହିଲା, " ତୁ ଜମା ବ୍ୟସ୍ତ ହୁଅନି । ମୁଁ ଏହାର କିଛି ବାଟ ବାହାର କରୁଛି । ତୁ ଯାହା କରିଛୁ ଏକଦମ ଠିକ୍ କରିଛୁ । ଆମର ସ୍ୱାଭିମାନ, ଇଚ୍ଛା ବୋଲି କଣ କିଛି ନାହିଁ ? " 

ଏହି ସମୟରେ ବାପା କୁଆଡେ ବାହାରକୁ ଯାଇଥିଲେ । ପଛରୁ ସେ ଆମ ଦୁହିଁଙ୍କ ବାର୍ତ୍ତାଳାପ ସବୁ ଶୁଣି ସାରିଥିଲେ। କିନ୍ତୁ ଅଧିକ କିଛି ନ କହି ମୋତେ ମୋ ରୁମକୁ ଯାଇ ବିଶ୍ରାମ ନେବାକୁ କହିଲେ।

ଏମିତିରେ ତିନିଦିନ ବିତିଗଲା। ତିନିଦିନ ଯାକ ରାଜୀବ ମୋତେ ଅନେକ ଥର ଫୋନ କରିଛନ୍ତି । କିନ୍ତୁ ମୁଁ ତାଙ୍କ ଫୋନ ଜମା ବି ଉଠେଇନି। ମମିକୁ ଥରେ ଦୁଇ ଥର କଲ୍ କରିଥିଲେ କିନ୍ତୁ ମମି ତାଙ୍କୁ ପାଟି କରି ଏଣୁ ତେଣୁ କହି ଫୋନ କାଟି ଦେଇଥିଲା । ମମି ଯେହେତୁ ମହିଳା ମୋର୍ଚ୍ଚାର ସଭାପତି ସେ ଏମିତି ଅନ୍ୟାୟ ତାଙ୍କ ଝିଅ ପ୍ରତି ହେଇଥିବା କଥାକୁ ସହଜରେ ଗ୍ରହଣ କରିପାରିନଥିଲେ।

ତିନିଦିନ ପରେ ସନ୍ଧ୍ୟା ସମୟରେ ବାପା ମୋ ରୁମକୁ ଆସିଲେ ।ଆଉ ମୋ ସହ କଥା ହେବାକୁ ଚାହୁଛନ୍ତି ବୋଲି କହିଲେ ।ହଁ ବାପା କୁହନ୍ତୁ କଣ ହେଇଛି । ଆପଣ ଚିନ୍ତିତ କଣ ପାଇଁ ? ମୁଁ ବାପାଙ୍କର ଚେହେରାର ଭାବକୁ ଦେଖି ପଚାରି ବସିଲି ।

ବାପା ଅତି ନମ୍ର ଭାବରେ କହିଲେ, " ଦେଖେ ମା, ତୁ ଏବେ ବଡ଼ ହେଲୁଣି । ବୟସ ହେଲାଣି, ଘର ସଂସାର କଲୁଣୀ। ହୁଏତ ମୁଁ ଯାହା କହିବି ତୁ ତାକୁ ଗ୍ରହଣ ନ କରିପାରୁ କିନ୍ତୁ ମୋର ଅନୁରୋଧ ଥରୁଟିଏ ମୋ କଥା ଉପରେ ବିଚାର ବିମର୍ଷ କରିବୁ ।" 

ବାପା ଏମିତି କଣ କହୁଛ । କୁହ କଣ କହିବାକୁ ଚାହୁଁଛ ?

ବାପାଙ୍କୁ ମୁଁ ପିଲାଟି ଦିନରୁ ଦେଖି ଆସିଛି ସେ ବହୁତ୍ ଶାନ୍ତ, ସରଳ ଓ ନମ୍ର। କୌଣସି କଥାରେ ଯୁକ୍ତି କରୁଥିବାର ମୁଁ ତାଙ୍କୁ କେବେ ଦେଖିନି । ମମି ପଛେ ରାଗେ କିନ୍ତୁ ବାପା କେବେ ବି ମୋ ଉପରେ ରାଗନ୍ତିନି । ସେ ଯାହା ହଉ ମୁଁ ବାପାଙ୍କ କଥାକୁ ଧ୍ୟାନର ସହ ଶୁଣିବାକୁ ଲାଗିଲି ।

ବାପା କହିଲେ, " ତୋ ମମି ଜଣେ ବହୁତ୍ ଭଲ ହୃଦୟର ମଣିଷଟିଏ । ଭାରି ସରଳ । କିନ୍ତୁ ସେ ସବୁ ଦିଗକୁ କେବେ ଦୃଷ୍ଟି ଦେଇ କିଛି କଥା କୁହେନି । ସେ ଟିକେ ଅଧିକ ଜିଦ୍ଦିଆ। ମୁଁ ଏ କଥା କହୁନି ଯେ ସେ ତୁମ ଦୁଇ ଭଉଣୀ କି ଉଚିତ୍ ସଂସ୍କାର ଦେଇନି । ସେ ବହୁତ୍ ଭଲ ଭାବରେ ତୁମ ଦୁହିଁଙ୍କ ଯତ୍ନ ନେଇଛି। କିନ୍ତୁ ତାର ମିଛ ଅହଙ୍କାର ଓ ଜିଦ୍ଦି ପାଇଁ ତୋ ବଡ ଭଉଣୀର ସଂସାର ଭାଙ୍ଗି ଚୂର୍ଣ୍ଣ ହୋଇଗଲା । ସେତେବେଳେ ମୁଁ ତାକୁ ମଧ୍ୟ ବୁଝାଇଥିଲି କିନ୍ତୁ ସେ ମୋର ଗୋଟିଏ ବି କଥା ଶୁଣି ନଥିଲା । ତୋ ମମି କଥାକୁ ଅକ୍ଷରେ ଅକ୍ଷରେ ପାଳନ କଲା।ଆଉ ଆଜି ....

ଛାଡ ମୁଁ କିନ୍ତୁ ଏ କଥା ସହିପାରିବିନି ଯେ ତୋର ମଧ୍ୟ ସେଇ ପରିସ୍ଥିତି ହେଉ । 

ତୋ ମମି ପିଲାଟି ଦିନରୁ ହିଁ ପୁରୁଷର ଗୋଟିଏ ଚେହେରାକୁ ନିଜ ମସ୍ତକରେ ସ୍ଥାନ ଦେଇ ଆସିଛି। ସେ ପିଲାବେଳେ ତୋ ଅଜା ଆଈଙ୍କୁ ପ୍ରତିଦିନ ଝଗଡ଼ା କରିଥିବାର ଦେଖିଛି। ତୋ ଅଜା ଟିକେ ଟିକେ କଥାରେ ତୋ ଆଈକୁ ପିଟୁ ଥିଲେ । ତେଣୁ ସେ ପିଲାଟି ଦିନରୁ ହିଁ ନିଜ ମନରେ ପୁରୁଷ ସମାଜର ଏକ ବ୍ୟଭସ୍ତ ଚିତ୍ର ଆଙ୍କି ରଖିଛି । ତେଣୁ ବୟସ ବଢିବା ସହ ଏଇ ତିକ୍ତତା ତା ଭିତରେ ଅଧିକ ଦୃଢୀଭୂତ ହୋଇ ଯାଇଛି । ମୋତେ ବିବାହ ପରେ ଟିକେ ଟିକେ କଥାରେ ମୋ ଉପରେ ସେ ବର୍ଷି ପଡୁଥିଲା । ମୁଁ କିଛି ସେତେବେଳେ ବୁଝିପାରୁ ନଥିଲି। କିନ୍ତୁ ଧୀରେ ଧୀରେ ତୋ ମମିର ଅତୀତ ବିଷୟରେ ଜାଣିଲା ପରେ ମୋ ମୁଣ୍ଡରୁ ସମସ୍ତ କଥା ସ୍ପଷ୍ଟ ହୋଇଗଲା । ମୁଁ ତାକୁ ଅଧିକ ସ୍ନେହ ଭଲପାଇବା ଦେଇ ବଦଳାଇବାକୁ ଚାହିଁଲି । ତେଣୁ ତାକୁ ସମାଜ ସେବା ପାଇଁ ମଧ୍ୟ ପ୍ରବର୍ତ୍ତାଇଲି ।ଭାବିଲି ସମାଜ ସେବାରେ ସମୟ ଦେଲେ କିଛି ଅସହାୟ, ଗରିବ, ଦୁଃଖିରଙ୍କିଙ୍କର ସାହାଯ୍ୟ ଓ ସେବା କଲେ ସେ କିଛିଟା ପରିବର୍ତ୍ତନ ହୋଇଯିବ । କିନ୍ତୁ ମୋ ଭାବନା ଭାବନାରେ ହିଁ ରହିଗଲା । ସେ ସମାଜ ସେବାରେ ନାରୀ ମୁକ୍ତି, ନାରୀ ଜାଗରଣର ରାସ୍ତାକୁ ବାଛି ନେଲା। ପୁରୁଷ ସମାଜର ବିରୁଦ୍ଧରେ ସ୍ୱର ଉଠେଇବାକୁ ଲାଗିଲା । ଧିରେ ଧିରେ ତା ଭିତରର ତିକ୍ତତା ଘୃଣାରେ ପରିଣତ ହୋଇଗଲା । ସେ ପୁରୁଷକୁ ଅତି ନିମ୍ନ ସ୍ଥରରେ ଦେଖିବାକୁ ଲାଗିଲା । ହୁଏତ ଏଥିପାଇଁ ଦାୟୀ ବୋଧହୁଏ ମୁଁ ଥିଲି । କାରଣ ମୁଁ ତାକୁ କେବେ କିଛି ମୁହଁ ଖୋଲି କହିନି । ସ୍ୱାମୀ ହେବାର ଅଧିକାରରେ ଶକ୍ତି ପ୍ରୟୋଗ କରିନି । ଏହା ବୋଧହୁଏ ତା ପ୍ରତି ମୋ ମନରେ ଥିବା ଭଲପାଇବାର ଫଳ। ନା ମୁଁ ତାକୁ ଜୀବନରେ କେବେ ବୁଝେଇ ପାରିଲି ନା ହିଁ ସେ ତାର ଯିଦ୍ଦୀ ଛାଡ଼ି ପାରିଲା। ଆଜି ନାରୀ ମୁକ୍ତି, ନାରୀ ଜାଗରଣର ସଭାପତି ସେ ସବୁର ଫଳ।

ଜୀବନରେ ସ୍ଵାମୀ ସ୍ତ୍ରୀ ଜଣେ ଅନ୍ୟଜନଙ୍କର ପରିପୂରକ ।ଜଣଙ୍କ ବିନା ଅନ୍ୟ ଜଣେ ଅଧୁରା । ଯଦି ପରିବାରରେ ଦୁଇ ଜଣ ନିଜ ଜିଦିରେ ଅଟଳ ରହିବେ ତେବେ ସଂସାର ଚାଲିବ ନାହିଁ । ତୁ ତ ତୋ ବଡ ଭଉଣୀ ରୀମା କଥାର ଉଦାହରଣ ନେଇପାରୁ। ତୋ ବଡ ଭଉଣୀ ରିମା ଆଉ ରାଜେଶ ଭିତରେ କିଛି ସେମିତି ବଡ଼ ଘଟଣା ଘଟିନଥିଲା । କେବଳ ରାଜେଶ ଏତିକି ଚାହୁଁଥିଲା କି ରିମା ପରିବାରରେ ଶାଢ଼ୀ ପିନ୍ଧୁ । ଏଥିପାଇଁ ସେ ବାଧ୍ୟ ମଧ୍ୟ କରିନଥିଲା। ପରିବାରର ସାନ ବୋହୂ ହେଇଥିବା ହେତୁ ବଡ ମାନଙ୍କ ସମ୍ମାନ ପାଇଁ ତାକୁ ଶାଢ଼ୀ ପିନ୍ଧିବାକୁ କହୁଥିଲା । ଉପର ଦୁଇ ବଡ ଯାଆ ଏତେ ଶିକ୍ଷିତ ଓ ସଂସ୍କାରୀ ଥିଲେ ଯିଏ କି ଶାଢ଼ୀ ପିନ୍ଧୁଥିଲେ କିନ୍ତୁ ରୀମା ଏହାକୁ ସହଜରେ ଗ୍ରହଣ କରିପାରିନଥିଲା । ଛୋଟ କଥାକୁ ତିଳରୁ ତାଳ କରିବାରେ ତୋ ମମିର ଭୂମିକା ଅଧିକ ଥିଲା । ହଁ ଏହା ନୁହ ଯେ ଶାଢ଼ୀ ପିନ୍ଧିଲେ ହିଁ ଆମେ ସଂସ୍କାରୀ ବୋଲାଇବା ନହେଲେ ନୁହ । କିନ୍ତୁ ପରିବାରରେ ବୟସ୍କଙ୍କ କଥାକୁ ବୁଝିବା ମଧ୍ୟ ଦରକାର । ଆମେ ତାଙ୍କ ଚିନ୍ତାଧାରାକୁ ଏତେ ସହଜରେ ବଦଳାଇ ପାରିବାନି। କାରଣ ତାଙ୍କୁ ବଦଳି ବାକୁ ସମୟ ଲାଗିବ ହୁଏତ ନ ବଦଳି ବି ପାରନ୍ତି । କିନ୍ତୁ ଆମେ ତ ଟିକେ ବଦଳି ଗଲେ ଯଦି ସବୁ କିଛି ଠିକ୍ ହେଇଯାଉଛି ତ ଆମେ ବଦଳିବାନି କାହିଁକି? ଯଦି ଏଇ ଟିକକ କଥା ତୋ ବଡ ଭଉଣୀ ବୁଝିଥାନ୍ତା ତ ତାର ସଂସାର ମଧ୍ୟ ଆଜି ହସ ଖୁସିରେ ବିତୁ ଥାଆନ୍ତା। ତାର ଜିଦ୍ ଛାଡ଼ି ଯଦି ସେ ଟିକେ ନରମି ଯାଇଥାନ୍ତା ତ ହୁଏତ ରାଜେଶ ମଧ୍ୟ ତା ଭାବନାକୁ ସମ୍ମାନ ଦେଇଥାନ୍ତା। ବେଳେ ବେଳେ କିଛି ପରିବର୍ତ୍ତନ ଯଦି ଆମେ ଆଗକୁ କରିବାକୁ ଇଚ୍ଛା କରୁଛେ ତ କିଛିଟା ପରିବର୍ତ୍ତନର ଆରମ୍ଭ ନିଜ ପାଖରୁ ହେବା ଉଚିତ୍ । ଆଜି ରି ପାଖରେ ଭଲ ଚାକିରି, ଘର ସମ୍ପତି ସବୁ ଅଛି କିନ୍ତୁ ଶାନ୍ତି ନାହିଁ ଏଇ କଥା ମୁଁ ଗ୍ୟାରେଣ୍ଟି ଦେଇ କହିପାରିବି । 

ମୁଁ ଏ କଥା କହୁନି କି ସ୍ତ୍ରୀ ଚାକିରି କରିବା କଥା ନୁହେଁ କିନ୍ତୁ ପରିବାରର ଦାୟିତ୍ଵ ନେବା ମଧ୍ୟ ଆମର କର୍ତ୍ତବ୍ୟ । ତେଣୁ ଗୋଟେ ସ୍ତ୍ରୀକୁ ହିଁ ନିଷ୍ପତ୍ତି ନେବାକୁ ପଡି ସେ କାହାକୁ ଅଧିକ ପ୍ରାଧାନ୍ୟ ଦେବ। ଘର ପରିବାର ନା ନିଜର ଇଚ୍ଛା । ପୁରୁଷ ଜୀବନ ଠାରୁ ନାରୀର ଜୀବନରେ ଅଧିକ କିଛି କରିବାକୁ ପଡେ । ମାଆ,ଭଉଣୀ, ବୋହୂ, ସ୍ତ୍ରୀ ସବୁ ହେବାକୁ ପଡ଼େ । ଜଣେ ପୁରୁଷ ଚାହିଁଲେ ବି ନାରୀର ସମକକ୍ଷ କରିପାରିବେନି । ତାର ତ୍ୟାଗ ଓ ନିଷ୍ଠା ଆଗରେ ନିହାତି ହାର ମାନିଯିବ। ଯଦି ତୁ ତୋ ପରିବାର କଥାକୁ ପଛରେ ପକାଇ ଚାକିରି କରିବୁ ତେବେ ତୁ କିଛି ଅର୍ଥ ରୋଜଗାର କରିବୁ, ବାହାରେ ନିଜ ଇଚ୍ଛାରେ ଖୁସିରେ ତୋର ସବୁ ସମୟ ଆରାମ ସେ କଟିଯିବ । କିନ୍ତୁ ସତରେ କଣ ଏଇଟା ପକୃତ ସୁଖ । ତୋ ସ୍ୱାମୀର ମନ କଥା ବୁଝି ଭଲ ପାଇବା ତୋ ଶାଶୁର ସେବା କଣ ତୋର କର୍ତ୍ତବ୍ୟ ନୁହେଁ । ଯଦି ରାଜୀବ ଚାହୁଁଛି କି ତୁ ଚାକିରି ନ କରେ ବୋଲି ତା ମାନେ ନୁହ ଯେ ସେ ତୋର ଶତ୍ରୁ, ସେ ତୋର ଅମଙ୍ଗଳ ଚାହୁଁଛି । ନିଜର ଲୋକଙ୍କଠାରୁ ହିଁ କିଛି ଆଶା କରା ଯାଏ । ଥରୁଟିଏ ଚିନ୍ତା କରି ଆଜି ଯଦି ତୋ ଶାଶୁ ସ୍ଥାନରେ ତୋ ମମି ସେ ସ୍ଥାନରେ ଥାନ୍ତା ତ ତୁ କଣ ତାକୁ ଏମିତି ଅବସ୍ଥାରେ ଛାଡି ଦେଇ ପାରିଥାନ୍ତୁ । 

ରିତୁ ଏଥର ନିଜ ଭୁଲ ବୁଝିପାରିଲା । ସେ ତା ବାପା କୋଳରେ ମୁଣ୍ଡ ରଖି କିଛି ସମୟ କାନ୍ଦିବାକୁ ଲାଗିଲା ।ଆଉ କହିଲା, " ବାପା, ମୁଁ ମୋର ଭୁଲ ବୁଝି ପାରିଛି । ମୁଁ କାଲି ହିଁ ମୋ ଘରକୁ ଫେରି ଯିବି । " 

ବାପାଙ୍କ ଆଖିରେ ଖୁସିରେ ଲୁହ ଧାର ଧାର ବୋହିବାକୁ ଲାଗିଲା ଆଉ ଖୁସି ମନରେ କହିଲେ," ଯେ କି ଠିକ୍ କଥା, ମୁଁ ତୋତେ ନିଜେ ନେଇ କି ତୋ ଘରେ ଛାଡ଼ି ଆସିବି । "

ରିତୁ କିଛି ସମୟ ବାପା ଯିବା ପରେ ସ୍ଥିର ହୋଇ ବସିଲା ଆଉ ମନରେ ଏକ ଖୁସିର ଅନୁଭବ ତାକୁ ହେଲା । ସକାଳର ଅପେକ୍ଷାରେ ସେ ଖୁସି ମନରେ ଶୋଇଗଲା।

ଆଜି ସକାଳୁ ରାଜୀବର ଫୋନ କଲ୍ ଶୁଣି ସେ ଏଇ ସବୁ କଥାକୁ ତର୍ଜମା କରିବାକୁ ଲାଗିଲା ଆଉ ଶେଯରୁ ଉଠିକି ଯାଇ ଘରକୁ ଯିବାକୁ ବ୍ୟାଗ ସଜାଡ଼ିଲା । 

ରିତୁର ମମି ଶାନ୍ତି ମୟୀ ଦେବୀ ରୁମକୁ ଆସି ରିତୁକୁ ବ୍ୟାଗ ସଜଡ଼ାସଜଡ଼ି କରୁଥିବାର ଦେଖି ପଚାରିଲେ, "କୁଆଡେ ଯିବାକୁ ବହାରିଛୁ? " 

ରିତୁ ହସି ହସି କହିଲା, କୁଆଡେ ଆଉ ନିଜ ଘରକୁ ଯିବାକୁ । ରାଜୀବ ଆଜି ଫୋନ କରିଥିଲେ ଆଉ ମୁଁ ମୋ ଘରକୁ ଯାଉଛି । 

କଣ ସେ ଥରୁଟିଏ ଫୋନ କରିଦେଲା ଆଉ ତୁ ବୁଝିଗଲୁ। 

ରିତୁ ବ୍ୟାଗକୁ ହାତରେ ଧରି ଡ୍ରଇଂ ରୁମକୁ ଆସିଲା । ତା ମମିକୁ କୁଣ୍ଢେଇକି କହିଲା, " ମମି ସେ ମୋ କଥାରେ ରାଜି ହୋଇ ଯାଇଛନ୍ତି, ଯଦି ସେ ମୋର ଖୁସି ପାଇଁ ମୋ କଥାରେ ରାଜି ହୋଇପାରିଛନ୍ତି ତ ମୁଁ କଣ ମୋ ପରିବାରର ଖୁସି ପାଇଁ ନିଜର ଜିଦିକୁ ଛାଡ଼ି ପାରିବିନି । "

ଏତକ କହି ରିତୁ ସୋଫାରେ ବସି ପେପର ପଢ଼ୁଥବାର ଅଭିନୟ କରୁଥିବା ବାପାଙ୍କୁ କହିଲା କି,"ବାପା ମୋତେ ମୋ ଘରକୁ ଛାଡ଼ି ବାକୁ ଯିବନି? "

ରିତୁର ବାପା ଏତକ କଥା ଶୁଣିକି ପେପରକୁ ସୋଫା ଉପରେ ରଖି ଉଠିପଡ଼ି କହିଲେ, 'ମୁଁ ତ କେତେବେଳେ ପ୍ରସ୍ତୁତ ହୋଇ ବସିଛି।ଚାଲ ଯିବା ।" 

ଶାନ୍ତି ଦେବୀ କିଛି ବୁଝିବା ଆଗରୁ ରିତୁ ତାଙ୍କ ଗାଲରେ ଏକ ଚୁମା ଦେଇ ବାପା ଝିଅ ଦୁହେଁ ପରସ୍ପରକୁ ଚାହିଁ ଟିକେ ସ୍ମିତ ହାସ୍ୟର ସହ ଘରୁ ବାହାରକୁ ବାହାରି ଗଲେ । 

ଶାନ୍ତି ଦେବୀ ନିଜ ନାରୀ ମୋର୍ଚ୍ଚାର ଦୀର୍ଘ ସମୟ ଭିତରେ ଏମିତି ଘଟଣା କଣ କେବେ ଦେଖି ନଥିଲେ । ତେଣୁ ସେ ତାଙ୍କ ଦୁହିଁଙ୍କ ଯିବା ବାଟକୁ ଅପଲକ ନୟନରେ ଚାହିଁ ରହିଗଲେ। 



Rate this content
Log in