ଅଗ୍ନି ପରୀକ୍ଷା
ଅଗ୍ନି ପରୀକ୍ଷା
ମୁଁ ପାର୍କର ଗୋଟେ ସିଟରେ ବସିଥାଏ ।ଶୀତଳ ପବନକୁ ପାର୍କର ସୌନ୍ଦର୍ଯ୍ୟ ମନ କିଣି ନେଉଥାଏ। ଅପରାହ୍ନର ସମୟ । ଖରା ଏବେବି ତେଜ ଅଛି। ପାର୍କରେ ମୋ ଠାରୁ କିଛି ଦୂରରେ କିଛି ଛୋଟ ଛୋଟ ଶିଶୁ ଖେଳୁଥିଲେ, ସ୍ଲାଇଡ୍ ରେ ଖସୁଥିଲେ,ଦୋଳିରେ ଝୁଲୁଥିଲେ । ତାଙ୍କୁ ଦେଖି ମନରେ ଏକ ଅପୂର୍ବ ଖୁସିର ଲହରୀ ଖେଳି ଯାଉଥିଲା। ମୁଁ ଭୁବନେଶ୍ବରରେ ଏମିତି ଅନେକ ଥର ପାର୍କକୁ ଚାଲିଆସେ । କିଛି କାରଣ ନଥାଇ । କିନ୍ତୁ ଆଜି ରାଉରକେଲାରୁ ଭାଇ ତାଙ୍କର ଅଫିସ କାମରେ ଭୁବନେଶ୍ବର ଆସିଥିଲେ । ଭୁବନେଶ୍ୱରର ଏକ ପଞ୍ଚ ତାରକା ହୋଟେଲରେ ରହିଥିଲେ । ଭୁବନେଶ୍ୱର ଆସିଥିବା ହେତୁ ମୋ ସହ ଦେଖା କରିବାକୁ କହିଥିଲେ କିନ୍ତୁ ସମୟ ଅଭାବରୁ ମୋତେ ହିଁ ହୋଟେଲକୁ ଆସି ଦେଖା କରିବାକୁ କହିଥିଲେ । ହେଲେ ହୋଟେଲ ଆସି ପହଁଚିଲା ବେଳକୁ ସେ କୌଣସି କାମରେ ବାହାରକୁ ଯାଇଛନ୍ତି ତେଣୁ ମେସେଜ କାଉଣ୍ଟରରେ ତାଙ୍କ ପାଇଁ ମେସେଜ ଦେଇ ପାର୍କରେ ଆସି ଅପେକ୍ଷା କରିବାକୁ ଭାବିଲି । ଏମିତି ଅନେକ ସମୟ ବିତି ଯାଇଥିଲା । ମାନେ ଖରାର ତାତି ନଥିଲା । ଏମିତି ଏଣେ ତେଣେ ଚାହୁଁ ଚାହୁଁ ଜଣେ ମହିଳା ଉପରକୁ ମୋର ଦୃଷ୍ଟି ଚାଲିଗଲା । ମୋ ଠାରୁ କିଛି ଦୂରରେ ପାର୍କର ଏକ ଚ୍ୟାରରେ ବସିଛନ୍ତି ।ବୟସ କିଛିଟା ଢଳି ଗଲାଣି । ଚୁଟିର କିଛି ଅଂଶ ଧଳା ମଧ୍ୟ ହୋଇଗଲାଣି । ଆଉ ଚେହେରାରେ କୁଞ୍ଚନ କିଛି କିଛି ଆସିଯାଇଛି । ଏତେ ସବୁ ପରେ ମଧ୍ୟ ମୁ ତାଙ୍କୁ ଦୂରରୁ ହିଁ ଚିହ୍ନି ପାରିଲି । ଆରେ ଇଏ ତ ଶିଖା ଭାଉଜ । ହଜାରେ ଜଣକ ଭିତରେ ମଧ୍ୟ ମୁଁ ତାଙ୍କୁ ଚିହ୍ନି ଦେଇପାରେ । ମୁଁ ଉଠିପଡ଼ି ତାଙ୍କ ପାଖକୁ ଯିବାକୁ ବାହାରିଲି ଠିକ୍ ଏହି ସମୟରେ ମୋର ଦୃଷ୍ଟି ଅନ୍ୟ ଏକ ଦୃଶ୍ୟ ଉପରେ ପଡ଼ିଲା ଯାହା ମୋତେ କିଛି କ୍ଷଣ ପାଇଁ ସ୍ଥାଣୁ କରିଦେଲା। ଏକ ପନ୍ଦର କିମ୍ବା ସତର ବର୍ଷର ବାଳକଟିଏ ତାଙ୍କ ନିକଟକୁ ଆସିଲା ଆଉ ତାଙ୍କ କାନରେ କିଛି କହିଦେଇ ପୁନଶ୍ଚ ମୋହରି କଡ ଦେଇକି ଚାଲିଗଲା । ଆରେ ଇଏ କଣ? ୟେ କଣ ତାଙ୍କ ପୁଅ ଥିଲା ? ହଁ ,ନିଶ୍ଚିତ ଭାବରେ ୟେ ହିଁ ଶିଖା ଭାଉଜଙ୍କ ପୁଅ ମାନେ ମୋ ଭାଇର ମଧ୍ୟ । ପୁରା ଅବିକଳ ସଞ୍ଜୟ ଭାଇର ନକଲ । ସେଇ ଚେହେରା ସେଇ ଠାଣି ସେଇ ଚପଳତା ଯାହା କି ତାଙ୍କ ପିଲାଦିନରୁ ମୁଁ ଦେଖି ଆସିଛି । ତାକୁ ଦେଖିଲେ କିଏ ବା ନ କହିବ ଯେ ସେ ହିଁ ସଞ୍ଜୟ ଭାଇର ପୁଅ ବୋଲି । ତା ମାନେ ଭାଉଜ ସେଦିନ ସତ କହୁଥିଲେ । କିନ୍ତୁ ତାଙ୍କ ଉପରେ କେହି ବିଶ୍ୱାସ କରିନଥିଲେ । କିନ୍ତୁ କାହିଁକି ଭାଉଜ ନିଜର ସତ୍ୟତାକୁ ପ୍ରମାଣ କରେଇଲେନି ? ଘର ଛାଡି ଚାଲି ଆସିଲେ ? ଏମିତି ଅନେକ କଥା ମନେ ମନେ ଭାବି ମୁଁ ତାଙ୍କ ପାଖକୁ ଗଲି ଆଉ ତାଙ୍କର ଦୃଷ୍ଟି ମୋ ଉପରେ ପଡ଼ିବ କ୍ଷଣି ସେ ସଙ୍ଗେ ସଙ୍ଗେ ଚ୍ୟାର୍ ରୁ ଉଠି ଛିଡା ହୋଇ ପଡିଲେ । ଆଉ ମୋ ହାତକୁ ନିଜ ହାତରେ ଧରି କହିଲେ ," ଆରେ ସୋନୁ ତୁମେ । ତୁମେ ଏଠି କେମିତି ?" ମୁଁ ତାଙ୍କ ମନର ଭାବନା ତାଙ୍କର ଖୁସିକୁ ଅନୁଭବ କରିପାରୁଥିଲି । ତାଙ୍କ ହାତର ସ୍ପର୍ଶରେ ଆତ୍ମୀୟତା ଆଜିବି ପୂର୍ବ ଭଳି ମୋତେ ଅନୁଭୂତ ହେଉଥିଲା। ସେ ଟିକେ ବି ବଦଳି ନାହାନ୍ତି । ସେଇ ଧିର ସ୍ଥିର ଓ ମିଷ୍ଟଭାଷୀ ।
"ହଁ, ମୁଁ ଏଇ ଭୁବନେଶ୍ୱରରେ ହିଁ ରୁହେ । ମୋ ସ୍ବାମୀ ସମ୍ଭବଙ୍କ ସହ । କିନ୍ତୁ ତୁମେ ଏଠି କେମିତି କଣ ...।" ମୁଁ ପାଟିର କଥାକୁ ଅଧାରେ ହିଁ ଅଟକାଇ ମୋର ହାତ ଧରି ସେ ବସିଥିବା ଚ୍ୟାର୍ ରେ ବସେଇ ଦେଲେ ଆଉ କହିଲେ , " ରୁହ, ରୁହ ଟିକେ ଅପେକ୍ଷା କର । ମୋର ତୁମ ସହ କେତେ କଥା ଅଛି । ମୁଁ ଏଇ କିଛି ସମୟରେ ଆସୁଛି ।କୁଆଡେ ଯିବନି। ମୁଁ ଏଇ ଗଲି ଆଉ ଆସିଲି ।" ଏତକ କହି ଭାଉଜ ଚ୍ୟାର୍ ଉଠିକି କେଉଁଆଡେ ଚାଲିଗଲେ ।
ତାଙ୍କ ଅନୁପସ୍ଥିତିରେ ମୋର ସେଇ ପୁରୁଣା ଅତୀତର କିଛି କଥା ଜଳ ଜଳ ହୋଇ ମୋର ସ୍ମୃତି ଚିତ୍ରପଟରେ ଭାସି ଉଠିଲା । ଠିକ୍ କିଛି ବର୍ଷ ତଳେ ଶିଖା ଭାଉଜ ଆମ ଘରକୁ ବୋହୂ ହୋଇ ଆସିଥିଲେ । ସେତେବେଳେ ଆମେ ସବୁ କେତେ ଖୁସି ଥିଲୁ ।ଖାସ କରି ମୁଁ । କାହିଁକି ନା ଭାଉଜ ମାନଙ୍କର ଅତି ପ୍ରିୟ ଦିଅର ଓ ନଣନ୍ଦ ହିଁ ଅଟନ୍ତି । ଭାଉଜ ଆସିବାର କିଛି ଦିନ ଭିତରେ ହିଁ ଆମ ସମସ୍ତଙ୍କୁ ଏକ ସ୍ନେହର ଡୋରିରେ ବାନ୍ଧି ଦେଇଥିଲେ । ତାଙ୍କର ଶାନ୍ତ ,ସରଳ , ଧୀର,ନମ୍ର, ସ୍ଵଭାବ ଘର ଭିତରେ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ସେ ଅତି ହିଁ ଶାନ୍ତ ଥିଲେ । କେବେ କୌଣସି କଥାରେ କେବେ ବିରକ୍ତ କିମ୍ବା ରାଗୁନଥିଲେ । ଅତି ଜଟିଳ ସମସ୍ୟାକୁ ମଧ୍ୟ ସେ ଅତି ସରଳ ଭାବରେ ସମାଧାନ କରିଦେଇ ପାରୁଥିଲେ । ସବୁ ବେଳେ ହସ ହସ ମୁହଁ ତାଙ୍କର । ମଜାକ ମଜାକରେ ଆମ ମାନଙ୍କ ସମୟ ଗୁଡ଼ିକ କେମିତି କଟି ଯାଉଥିଲା ତାଙ୍କ ସହ ଆମେ ନିଜେ ମଧ୍ୟ କିଛି ଜାଣିପାରୁ ନଥିଲୁ।
ଭାଇ ମଧ୍ୟ ଭାଉଜଙ୍କୁ ବହୁତ୍ ଭଲ ପାଉଥିଲେ । ଘରେ ଥିଲେ ତ ଭାଉଜଙ୍କ ପଛେ ପଛେ କୌଣସି ନା କୌଣସି ବାହାନାରେ ଲାଗି ରହୁଥିଲେ। ତାଙ୍କ ଭିତରେ ଏତେ ସୁନ୍ଦର ବୁଝାମଣା ଥିଲା ତାହା କହିଲେ ନ ସରେ । କିନ୍ତୁ ମୋ ମାକୁ ଭାଇର ଭାଉଜଙ୍କ ପ୍ରତି ଏତେ ପ୍ରେମକୁ ଦେଖି ସହି ପାରୁନଥିଲେ। ପିଲାଟି ଦିନରୁ ଯିଏ ମା କାନି ଧରି ପଛେ ପଛେ ବୁଲୁଥିଲା ଆଜି ବଡ଼ ହେଲା ପରେ ବାହାଘର ପରେ ନିଜ ସ୍ତ୍ରୀ ପଛରେ ବୁଲୁଛି । ସେଇଟାକୁ ମା ଜମା ସହି ପାରୁନଥିଲା। ସେଥିପାଇଁ ଅଧିକାଂଶ ସମୟରେ ବିନା ଅର୍ଥରେ ଭାଉଜଙ୍କୁ କିଛି ନା କିଛି ଶୁଣେଇ ଦଉଥିଲା । କିନ୍ତୁ ଭାଉଜ ପ୍ରତି ବଦଳରେ କେବେ ଉଲଟାଇ କିଛି ଉତ୍ତର ଦେଉନଥିଲେ । ଭାଉଜ ଜଣେ ଶିକ୍ଷୟତ୍ରୀ ଥିଲେ । ସେ ଏକ ପ୍ରତିଷ୍ଠିତ ସରକାରୀ ବିଦ୍ୟାଳୟର ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ମାଆକୁ ଏ କଥାଟି ମଧ୍ୟ ଜମା ବି ପସନ୍ଦ ନଥିଲା । ଭାଉଜ ସବୁ କାମରେ ନିପୂଣ ଥିଲେ । ବାହାର ଠାରୁ ଘର ପର୍ଯନ୍ତ ସମସ୍ତେ ତାଙ୍କୁ ବହୁତ୍ ଭଲ ପାଉଥିଲେ । ସେ ବଡ ମାନଙ୍କୁ ସମ୍ମାନ ଦେବା ଅତି ଉତ୍ତମ ଭାବରେ ଜାଣିଥିଲେ । ଭୁଲ ନଥାଇ ବି ମାଙ୍କ ଠାରୁ କଥା ଶୁଣି ସମସ୍ତଙ୍କ ମଙ୍ଗଳ ପାଇଁ ଚୁପ୍ ରହିବା ଯେମିତି ତାଙ୍କର ଗୁଣ ଥିଲା ବାହାରେ ସେମିତି ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ମଧ୍ୟ ତାଙ୍କୁ ବେଶ୍ ଭଲ ଭାବରେ ଜଣା ଥିଲା । ସବୁ ଠିକ୍ ଠାକ୍ ଚାଲିଥିଲା କିନ୍ତୁ ହଠାତ୍ କେଜାଣି କେମିତି ବାତ୍ୟା ର ଏକ ଦଲକାଏ ପବନ ତାଙ୍କ ଜୀବନ ଭିତରକୁ ପଶି ଆସିଲା । ଦେଖୁ ଦେଖୁ ତାଙ୍କର ସବୁ ଖୁସିକୁ ଯେମିତି କାହାର ନଜର ଲାଗିଗଲା। ଭୂମିକମ୍ପରେ ସବୁ ଭାଙ୍ଗି ଛାରଖାର ହେଇଗଲା ଭଳି ତାଙ୍କ ଦ୍ଵାରା ଅତି ସୂକ୍ଷ୍ମ ଭାବରେ ଗଢା ହେଇଥିବା ଦୁନିଆଟି କ୍ଷଣିକରେ ଭାଙ୍ଗି ଚୂର୍ ମାର ହେଇଗଲା ।
ଭାଉଜଙ୍କ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ସହ ସବୁ ଶିକ୍ଷକ ଶିକ୍ଷୟତ୍ରୀ ଏକ ପିକନିକରେ ଏକ ସୁଦୂର ବଣ ପାହାଡ ଘେରା ଜାଗାକୁ ବୁଲିବାକୁ ଯାଇଥିଲେ । ସେମାନେ ଫେରିବା ବାଟରେ କିଛି ଆତଙ୍କବାଦୀ ଗୋଟେ ଗାଡ଼ିକୁ ଅପହରଣ କରିନେଲେ । ସେମାନେ ଯେଉଁ ଗାଡ଼ିକୁ ଅପହରଣ କରିନେଲେ ସେଥିରେ କିଛି ଛାତ୍ର ଛାତ୍ରୀଙ୍କ ସହ ଅନ୍ୟ ଦୁଇଜଣ ଶିକ୍ଷକଙ୍କ ସହ ଭାଉଜ ମଧ୍ୟ ଥିଲେ । ଆତଙ୍କବାଦୀ ମାନେ ସରକାରଙ୍କ ଠାରୁ ନିଜର କିଛି ସାଥିଙ୍କର ମୁକ୍ତି ବଦଳରେ ଭାଉଜ ଥିବା ବସ୍ ର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଜୀବନର ସଉଦା କରିଥିଲେ । ସରକାର କିନ୍ତୁ କିଛି ଦିନ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ପାଇଁ ତିଳେ ହେଁ ରାଜି ହେଲେ ନାହିଁ । ମିଡ଼ିଆ ବାଲା ବାରମ୍ବାର ନୀଉଜ ଚ୍ୟାନେଲ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରିବାକୁ ଲାଗିଲେ । ଏଣେ ଘରେ ଆମେ ମାନେ ମଧ୍ୟ ସବୁ ବ୍ୟସ୍ତ ଥିଲୁ । ଆଉ ସେଠି ଭାଉଜ ଆତଙ୍କବାଦୀଙ୍କ କବଳରେ ବନ୍ଦୀ ଥିଲେ । ଦୁଇ ଦିନ ପରେ ଭାଉଜ ନିଜ ଛାତ୍ର ଛାତ୍ରୀଙ୍କର ଭୋକ ଉପାସ ଚେହେରା ଦେଖି ପାରିଲେ ନାହିଁ ତେଣୁ ସେ ସେଠାରେ ବିଦ୍ରୋହ କରିବାକୁ ଲାଗିଲେ । ସେଥିପାଇଁ ଆତଙ୍କବାଦୀ ମାନେ ତାଙ୍କୁ ମାଡ଼ ମାରିବା , ଅତ୍ୟାଚାର କରିବା ସହ ପିଲାମାନଙ୍କ ଠାରୁ ଦୂରେଇ ଭିନ୍ନ ଏକ ରୁମରେ ବନ୍ଦୀ କରି ରଖିଲେ । ଦୀର୍ଘ ସାତ ଦିନ ପରେ ସରକାର ନିରାଶ ହୋଇ ଆତଙ୍କବାଦୀଙ୍କର ସବୁ ସର୍ତ୍ତରେ ରାଜି ହୋଇଗଲେ । ସେ ଯାହା ହେଉ ଆତଙ୍କବାଦୀ ସମସ୍ତଙ୍କୁ ମୁକ୍ତ କରିଦେଲେ । ଭାଉଜ ମଧ୍ୟ ଯେତେବେଳେ ଘରକୁ ଫେରିଲେ ତାଙ୍କର ଅବସ୍ଥା ଦେଖିବାର ଯୋଗ୍ୟ ନଥିଲା । ଦେହର ପ୍ରତିଟି ସ୍ଥାନରେ ଖଣ୍ଡିଆ ଖାବରା ହୋଇଥିଲା । ସାତଦିନ କାଳ ଭୋକ ଉପାସରେ ତାଙ୍କ ଶରୀର ମଧ୍ୟ ଝାଉଁଳି ଯାଇଥିଲା । ସେ ଠିକଠାକ ଘରକୁ ବଞ୍ଚିକି ଫେରି ଆସିଛନ୍ତି ତ ଘର ଲୋକେ ଏଥିରେ ବହୁତ୍ ଖୁସି ହେବେ ଆଉ ତାଙ୍କୁ ଆଦରରେ କୋଳେଇ ନେବେ ବୋଲି ସେ ଭାବିଥିଲେ କିନ୍ତୁ ସେମିତି କିଛି ଘଟି ନଥିଲା । ଆତଙ୍କବାଦୀ ମାନେ ତାଙ୍କୁ ଅନ୍ୟ ଏକ ଗୃହରେ ବନ୍ଦୀ କରି ରଖିଥିଲେ ତେଣୁ ମିଡ଼ିଆ ବାଲା ସେଥିରେ ଆଉ କିଛି ମସଲା ଦେଇ ଏଇ କଥାକୁ ହାଇଲାଇଟ୍ କରିଦେଲେ । ଟିଭିର ପ୍ରତିଟି ଚ୍ୟାନେଲରେ ଏଇ କଥାକୁ ଉଛଳିବାରେ କୌଣସି ମଉକା ଛାଡ଼ିଲେନି । ଭାଉଜଙ୍କ ଘରକୁ ଫେରିବାରେ ସମସ୍ତଙ୍କ ନଜରକୁ ସୁହାଇଲାନି। ଏକ ସନ୍ଦେହ ତଥା ଘୃଣା ଭରା ଦୃଷ୍ଟିର ସମ୍ମୁଖୀନ ତାଙ୍କୁ କରିବାକୁ ପଡ଼ିଲା । ଭାଉଜ ତଥାପି ଶାନ୍ତ ଥିଲେ । ଘର ଲୋକଙ୍କ ଘୃଣାର ସାମ୍ନା କରି ମଧ୍ୟ ସେ ବିଚଳିତ ନଥିଲେ । ସେ ଭାଇଙ୍କୁ ଅପେକ୍ଷା କରିଥିଲେ । କାରଣ ସେ ଯାହାର ସ୍ତ୍ରୀ ସେ ତ ତାଙ୍କୁ ବୁଝିବେ ଅନ୍ୟ କାହାକୁ ବୁଝାଇବା କଣ ଦରକାର । ଭାଉଜ ଫ୍ରେସ୍ ହୋଇ ଆସି ଟିକେ ବିଶ୍ରାମ କରୁଥିଲେ କି ଏହି ସମୟରେ ଭାଇ ଘରକୁ ଫେରିଲେ । ଭାଇ ଭାଉଜଙ୍କୁ ଦେଖି କିଛି ବି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ କି କିଛି ବି କହିଲେ ନାହିଁ । ଭାଉଜଙ୍କୁ ଭାଇଙ୍କର ଏହି ବ୍ୟବହାର ବହୁତ୍ କଷ୍ଟ ଦେଲା ତଥାପି ସେ ଧର୍ଯ୍ୟର ସହ ଭାଇଙ୍କ ସହ କଥା ହେବା ପାଇଁ ଚାହିଁ ରହିଥିଲେ । ଭାଇ ଫ୍ରେସ୍ ହୋଇ ଆସି ଭାଉଜଙ୍କୁ କିଛି ନ କହି ଶୋଇବାକୁ ଚାଲିଗଲେ । ଭାଉଜ କଣ କହିବେ କିଛି ଭାବି ପାରୁନଥିଲେ । କିଛି ସମୟ ପରେ ଭାଇ ନିଜର ମୌନତା ଭାଙ୍ଗି ଭାଉଜଙ୍କୁ ପଚାରିଲେ ," ଶିଖା ମୋ ରାଣ ଖାଇ କୁହ ମୁଁ ଯାହା ପଚାରିବି ତୁମେ ସବୁ ସତ ସତ କହିବ? । ତୁମକୁ ଆତଙ୍କବାଦୀମାନେ ଏଇ ସାତ ଦିନ ଭିତରେ କେବେ କିଛି ଶାରୀରିକ ମାନେ ତୁମ ଶରୀରକୁ ଛୁଇଁବାକୁ ଚେଷ୍ଟା କରି ନାହାନ୍ତି ?"
ଭାଉଜ, ଭାଇଙ୍କ ମୁହଁରୁ ଏ ଭଳି ପ୍ରଶ୍ନ ଶୁଣି ହତ୍ ବାକ୍ ହୋଇଯାଇଥିଲେ । କଣ କହିବେ କିଛି ବୁଝିପାରିନଥିଲେ। ତଥାପି ଭାଇଙ୍କୁ ତାଙ୍କ ରାଣ ଖାଇ ଏମିତି କିଛି ଘଟିନି ବୋଲି ପ୍ରମାଣ ଦେଇଥିଲେ । କିନ୍ତୁ କୌଣସି ନା କୌଣସି ଜାଗାରେ ଭାଇଙ୍କ ମନରେ ସନ୍ଦେହ ସେମିତି ବସା ବାନ୍ଧି ରହିଥିଲା । ସେଇଦିନଠାରୁ କିଛି ଦିନ ପଯ୍ୟନ୍ତ ତାଙ୍କୁ ସମସ୍ତେ ଏକ ପ୍ରକାର ଅଲଗା ଦୃଷ୍ଟି ରେ ଦେଖୁଥିଲେ । ଭାଉଜଙ୍କୁ ସେ ସବୁ ବହୁତ୍ କଷ୍ଟ ଦେଉଥିଲା । ଭାଉଜ କେତେ ଥର ମୋ କୋଳରେ ମୁଣ୍ଡ ରଖି ସବୁ କଥା କହି କେତେ କାନ୍ଦିଛନ୍ତି ସେ ସବୁର ଠିକଣା ନାହିଁ । ଭାଇ ଆଉ ପୂର୍ବ ଭଳି ନଥିଲେ । ମୁଁ କିଛି ବୁଝିପାରୁନଥିଲି । ଯଦି ବି ସେମିତି କିଛି ଘଟିଥାଏ ତ ଏଥିରେ ଭାଉଜଙ୍କର କଣ ଦୋଷ ରହିଲା । ସେ ତ କିଛି ଭୁଲ କରିନାହାନ୍ତି । ତାଙ୍କୁ ଏ ସବୁ ନିନ୍ଦାର ସାମ୍ନା କରିବାକୁ କାହିଁକି ପଡୁଛି । ଏମିତି ଏମିତିରେ କିଛି ଦିନ ବିତିଗଲା । ୟାରି ଭିତରେ ଭାଉଜ ଜାଣିବାକୁ ପାଇଲେ ଯେ ସେ ମା ହେବାକୁ ଯାଉଛନ୍ତି । କିନ୍ତୁ ତାଙ୍କର ଏହି ଖୁସିଟି ତାଙ୍କ ପାଇଁ ଅଭିଶପ୍ତ ପାଲଟି ଗଲା । ସମସ୍ତଙ୍କର ଦୃଷ୍ଟିରେ ସେ ପିଲାଟି ଭାଇଙ୍କର ନୁହେଁ ବୋଲି ବାରମ୍ବାର ତାଙ୍କୁ କୁହାଗଲା । ଭାଇ ମଧ୍ୟ ସେ ଛୁଆର ପିତା ନୁହନ୍ତି ବୋଲି ସଫା ସଫା ଅସ୍ବୀକାର କରିଦେଲେ । ଏମିତିରେ ଭାଉଜଙ୍କର ଜୀବନ ଦୁର୍ବିସହ ହୋଇଗଲା । ସେ ଆଉ ନିଜର ମାନସିକ ସ୍ଥିତିକୁ ସମ୍ଭାଳି ରଖିପାରିଲେନି। ଶେଷରେ ଭାଇ ତାଙ୍କ ଠାରୁ ଛାଡପତ୍ର ନେବାକୁ ଚାହୁଁଛନ୍ତି ବୋଲି କହିଦେଲେ । ଭାଉଜ ସେ ଦିନ ମଧ୍ୟ ଚୁପ୍ ଥିଲେ । କେବେ ଏଇ କଥାରେ କାହାରିକୁ ପ୍ରତିବାଦ ମଧ୍ୟ କରିଲେ ନାହିଁ । ଆପୋଷ ବୁଝାମଣାରେ ଛାଡପତ୍ର ହୋଇଗଲା ।
ମୋର ଆଜିବି ମନେ ଅଛି ଭାଉଜ ସେଦିନ ଘର ଛାଡ଼ି ଯିବା ବେଳକୁ କେହି ବି ତାଙ୍କୁ ଅଟକାଇ ନଥିଲେ । ମୋ କଥା ଘରେ ଶୁଣେ ବା କିଏ । ଭାଉଜ କେବଳ ନିଜର କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ଛାଡିଦେଲେ ସାଙ୍ଗରେ ଆଉ କିଛି ନ ନେଇ ସେଦିନ ଘର ଛାଡ଼ି ଚାଲି ଯାଇଥିଲେ । ବାପା ମା ଛେଉଣ୍ଡ ପିଲାଟି କୁଆଡେ ଗଲା କେଉଁଠି ରହିଲା କେବେ କେହି ବି କିଛି ଖୋଜ ଖବର ନେଇ ନାହାନ୍ତି ।ଭାଉଜଙ୍କ ଯିବା ପରେ ଭାଇ ମଧ୍ୟ ପୁରା ଭାଙ୍ଗି ପଡ଼ିଥିଲେ । ସେ କିଛିଦିନ ଏପରି ବ୍ୟବହାର କଲେ ଯେମିତି ସେ ପାଗଳ ହୋଇଯିବେ । କିଛି ମାସ ପରେ ତାଙ୍କ ମାନସିକ ସ୍ଥିତି ଠିକ୍ ହେଲା । ଆଉ ଆଜି ଏତେ ବର୍ଷ ପରେ ଭାଉଜଙ୍କ ସହ ଦେଖା ମୋର । କାଶ୍ ଭାଇ ଥରୁଟିଏ ଆସି ଆଜି ଭାଉଜ ଆଉ ପୁଅକୁ ଦେଖିପାରନ୍ତେ କି ।
ମୋର ଏତେ ସବୁ ଭାବନା ଭିତରେ ଭାଉଜ ମୋ ପାଖକୁ ଆସି ଚ୍ୟାର୍ ରେ ବସି ସାରିଥିଲେ । ଆଉ ମୋ ପାଖରେ ବସି କହିଲେ ,କୁହ ସୋନୁ ,ତୁମେ କେମିତି ଅଛ ?
"ମୋ ବିଷୟରେ ଭାଉଜ ପରେ କଥା ହେବା ପ୍ରଥମେ କୁହ ତୁମ ଏତେ ବର୍ଷ ଯାଏଁ କେଉଁଠି ଥିଲ କେମିତି ରହୁଥିଲ? " ମୁଁ ଭାଉଜଙ୍କ କଥାକୁ କାଟି ପଚାରି ଦେଲି ।
ଭାଉଜ ଟିକେ ଗମ୍ଭୀର ହୋଇ କହିଲେ ," କିଛି ନାହି ,ଘର ଛାଡ଼ିବା ପରେ ଏ ଦୁନିଆରେ ନିଜର ବୋଲି ତ କେହି ନଥିଲେ । ବାପା ମା ତ କେବେଠୁ ଛାଡ଼ି ଚାଲି ଯାଇଥିଲେ । ତେଣୁ ମୋ ନାଆଁ ରେ ଥିବା ମୋ ପୈତୃକ ଘରଟିକୁ ବିକ୍ରି କରି ଭୁବନେଶ୍ୱର ଚାଲି ଆସିଲି । ବହୁତ୍ କଷ୍ଟରେ କୁହାବୋଲା କରି ମୋର ଚାକିରି ଭୁବନେଶ୍ବରକୁ ବଦଳି କରି ନେଇ ଆସିଲି । "
ଆଉ ଏଠି ପୁଅ ସହ ଏକାକୀ ଜୀବନ ବିତାଉଛ। ଭାଉଜ ତୁମେ ସେଦିନ ଠିକ୍ ଥିଲ ତଥାପି କିଛି ପ୍ରତିବାଦ କାହିଁକି କଲନି ।
କଣ ଲାଭ ହେଇଥାନ୍ତା ମୋ ପ୍ରତିବାଦରେ ? ଯୁଗେ ଯୁଗେ ଏଇ କଥା ଚାଲି ଆସିଛି । କୌଣସି ଭୁଲ ଅଥବା ଠିକ୍ ପାଇଁ ଅଗ୍ନିପରୀକ୍ଷା କେବଳ ନାରୀଟିଏ ହିଁ ଦେଇ ଆସିଛି । ଏଇ ପୁରୁଷ ସମାଜ ମର୍ଯ୍ୟାଦା ପୁରୁଷର ମୁଖା ପିନ୍ଧି ମିଛର ବାଃ ବାଃ ନେବାରେ ବ୍ୟସ୍ତ । ତ୍ରେତୟା ଯୁଗରେ ପ୍ରଭୁ ରାମ ଯେଉଁଠି ଲୋକଙ୍କ ପାଇଁ ନିଜ ସ୍ତ୍ରୀକୁ ପରିତ୍ୟାଗ କରିପାରିଥିଲେ ଆଉ ଆଜିର ସମାଜରେ ପୁରୁଷଟେ କାହିଁକି ନ କରିପାରିବ? ମାତା ସୀତା ନିର୍ଦ୍ଦୋଷ ହୋଇ ମଧ୍ୟ ତାଙ୍କୁ ଅଗ୍ନିପରୀକ୍ଷା ଦେବାକୁ ପଡ଼ିଥିଲା ଏହାସତ୍ତ୍ୱେ ବି ସେ ପ୍ରଜାଙ୍କ ଦୃଷ୍ଟିରେ ଠିକ୍ ବୋଲି ପ୍ରମାଣିତ ହୋଇପାରିନଥିଲେ । ଏମିତିକି ନିଜ ସ୍ବାମୀ ପ୍ରଭୁ ଶ୍ରୀ ରାମଚନ୍ଦ୍ର ମଧ୍ୟ ତାଙ୍କୁ ସେଇ ମିଛ ,ତଥା ଲୋକଙ୍କ କଥାକୁ ନେଇ ତାଙ୍କୁ ବନକୁ ପଠାଇ ଦେଇଥିଲେ । ତାଙ୍କର କଣ ନିଜ ସ୍ତ୍ରୀ ପ୍ରତି କିଛି କର୍ତ୍ତବ୍ୟ ନଥିଲା ? କାହିଁକି ସ୍ତ୍ରୀଟିର ଚରିତ୍ର ଉପରେ ବାରମ୍ବାର ପ୍ରଶ୍ନ ଉଠାଯାଏ। ତାର ଅସ୍ତିତ୍ବକୁ ଧିକ୍କାର କରାଯାଏ । କେତେ ବା ସହିବ ମଣିଷ । ଆଉ ତୁମ ଭାଇ ତାଙ୍କୁ ମୁଁ କି ପ୍ରମାଣ ଦେଇଥାନ୍ତି ? ମୋ ନିର୍ଦ୍ଦୋଷତାର ପ୍ରମାଣ । କଣ ମୋ ନିର୍ଦ୍ଦୋଷର ପ୍ରମାଣ ପାଇଥିଲେ ସେ ମୋତେ ପୂର୍ବ ଭଳି ଭଲପାଇ ପାରିଥାନ୍ତେ। ନା କେବେ ବି ନୁହଁ । ତା ପରେ ମୋ ପୁଅକୁ ସେ ତ ତା ଜନ୍ମ ହେବା ଆଗରୁ ହିଁ ଅସ୍ବୀକାର କରିଛନ୍ତି । ତ ସେ କେବେ ବି ତାକୁ ସେ ସ୍ନେହ ଦେଇ ପାରିଥାନ୍ତେ ? ମୋ ପାଖରେ ଆଇନର ସାହାରା ଥିଲା । ଆଜିକାର ବିଜ୍ଞାନ ଯୁଗରେ ସବୁ କିଛି ସମ୍ଭବ । ଡିଏନଏ ଟେଷ୍ଟ ମାଧ୍ୟମରେ ପିଲାର ଅସଲ ପିତାର ପରିଚୟ ମିଳିଯାଇ ପାରିବ । ସେତେବେଳେ ସିନା ମାତା ସୀତଙ୍କ ପାଖରେ ଏମିତି କିଛି ବିକଳ୍ପ ନଥିଲା । କିନ୍ତୁ କି ଲାଭ ମିଳି ଥାଆନ୍ତା ମୋତେ । ଜଣେ ଭୀରୁ, କାପୁରୁଷର ଆଶ୍ରୟ ତଳେ ମୁଁ କେବେ ବି ନିଜକୁ ସହଜ କରିପାରିନଥାଆନ୍ତି । ମୋ ଗର୍ଭସ୍ଥ ଶିଶୁର ସମ୍ମାନ ପାଇଁ ମୋତେ ହିଁ ମୋ ନିଷ୍ପତି ନେବାର ଥିଲା । ଯେତେବେଳେ ତୁମ ଭାଇର ସାଥ ମୋତେ ଅଧିକ ଦରକାର ଥିଲା ,ତାଙ୍କ ବିଶ୍ୱାସ ଟିକକ ଦରକାର ଥିଲା ସେ ସେତେବେଳେ ମୋତେ ଲାଞ୍ଛନା କରୁଥିବା ଗୋଷ୍ଠୀ ସମୂହରେ ଛିଡା ହୋଇ ଯାତ୍ରା ଦେଖୁଥିଲେ । ମୋ ପୁଅ ସ୍ୱୟଂ ଉପରେ ତୁମ ଭାଇର ଛାଇ ବି ମୁ ସର୍ଯ୍ୟ କରିପାରିବିନାହିଁ।
ଏହି ସମୟରେ ପଛରୁ ଏକ ଶବ୍ଦ ଶୁଭିଲା । ଆମେ ଦୁହେଁ ବୁଲିପଡ଼ି ପଛକୁ ଚାହିଁଲୁ । ପଛରେ ସଞ୍ଜୟ ଭାଇ ଛିଡା ହୋଇଥିଲା । ହୁଏତ ସେ ହୋଟେଲରୁ ମୋର ମେସେଜ ପାଇ ସିଧା ଏଠାକୁ ଚାଲି ଆସିଛି ।
ଭାଇ ଆଗକୁ ଆସି କହିଲା ," ମୋତେ କ୍ଷମା କରିଦିଅ ,ଶିଖା । ମୁଁ ତୁମର ସମସ୍ତ କଥା ଶୁଣି ସରିଛି । ତୁମେ ଯାହା ସବୁ କହିଲ ସେ ସବୁ ସତ। ମୁଁ ଜଣେ ଭୀରୁ , କାପୁରୁଷ। ମୋ ଜୀବନ ହିଁ ଧିକ୍। ତୁମ ଭଳି ସ୍ତ୍ରୀ ସହ ମୁଁ ଯାହା କରିଛି ସେଥିପାଇଁ ଈଶ୍ୱର ମଧ୍ୟ ମୋତେ କେବେ କ୍ଷମା କରିବେନି । ବିଶ୍ୱାସ କର ମୁଁ ଅନେକ ସମୟରେ ବହୁତ୍ ଅନୁତାପ କରିଛି । କିନ୍ତୁ କିଛି ବି କରିପାରିନି । ପ୍ଲିଜ୍ ମୋତେ କ୍ଷମା କରିଦିଅ । ଆଉ ମୋ ସହ ଘରକୁ ଚାଲ । " ( ଏତକ କହି ଭାଇ ଯେମିତି ହିଁ ଭାଉଜର ହାତକୁ ଧରିଛନ୍ତି । ଭାଉଜ ତତକ୍ଷଣାତ୍ ସଙ୍ଗେ ସଙ୍ଗେ ନିଜ ହାତକୁ ତାଙ୍କ ହାତରୁ ଟାଣି ଆଣି ମୁକ୍ତ କରିଦେଲେ । )
ଆଉ କହିଲେ ," ମିଷ୍ଟର ସଞ୍ଜୟ ,ମୋର ତୁମ ସହ କୌଣସି ବି ସମ୍ପର୍କ ନାହିଁ । ତୁମେ ମୋତେ ଆଉ ମୋର ନାରିତ୍ଵକୁ ଏତେ କଷ୍ଟ ଦେଇଛ ଯେ ତାର ଠିକଣା ନାହିଁ । ଦୀର୍ଘ ସତର ବର୍ଷ ଭିତରେ ତୁମେ ଥରୁଟିଏ ବି ମୋତେ ଖୋଜିବାକୁ ଚେଷ୍ଟା କରିନ । ଛାଡ଼ପତ୍ର ପରେ ମୁଁ କିଛି ସମୟ ଯାଏଁ ଅପେକ୍ଷା କରିଥିଲି କି ହୁଏତ ତୁମେ ତୁମର ଭୁଲ ବୁଝିପାରିବ ଆଉ ମୋତେ ଖୋଜିବ । କିନ୍ତୁ ନା ତୁମେ ମୋତେ କେବେ ଖୋଜିଛ ନା ମୋ ବିଷୟରେ ଖୋଜ ଖବର ନେଇଛ। ଯଦି ସତରେ ମୋ ସହ ସେମିତି କିଛି ଘଟି ଥାଆନ୍ତା ତେବେ ତୁମେ ମୋ ସମ୍ମୁଖରେ କେବଳ ଗୋଟିଏ ମାତ୍ର ବିକଳ୍ପ ଛାଡ଼ି ଥାନ୍ତ ଆଉ ସେଇଟା ଆତ୍ମହତ୍ୟା। ତୁମକୁ ଛାଡ଼ିଲା ପରେ ଅନେକ ବାର ମୋତେ ମୋ ଜୀବନ ଦୁର୍ବିସହ, ନିରଥର୍କ ଲାଗିଥିଲା । ବହୁ ବାର ଆତ୍ମହତ୍ୟା କରିଦେବି ବୋଲି ମଧ୍ୟ ଭାବିଥିଲି କିନ୍ତୁ ମୋ ଗର୍ଭସ୍ଥ ଶିଶୁ ଯାହା ଉପରେ କେବଳ ମୋର ହିଁ ଅଧିକାର ଥିଲା ତାକୁ ମୁଁ କେଉଁ ଭୁଲ ପାଇଁ ଶାସ୍ତି ଦେଇଥାନ୍ତି । ତେଣୁ ମୁଁ ଆଉ ଥରେ ବଞ୍ଚିବାକୁ ଚେଷ୍ଟା କଲି । ଆଉ ବଞ୍ଚିଲି ମଧ୍ୟ । ତେଣୁ ଆଉ ଏହା ଆଉ ସମ୍ଭବ ନୁହେଁ । "
ଭାଇ ,ଭାଉଜର ଏଭଳି ରୂପ କେବେ ବି ଦେଖିନଥିଲେ । ସବୁବେଳେ ଶାନ୍ତ ରହୁଥିବା ମଣିଷଟେ ଯେ ସମୟ ସହ କେତେ ଶକ୍ତ ହୋଇଯାଏ ତାହା ଭାଉଜଙ୍କୁ ଦେଖିଲେ ବୁଝା ପଡୁଥିଲା।
ଭାଇ ,ଭାଉଜଙ୍କୁ ଏକ ଉତ୍କଣ୍ଠା ଓ ଆଶାୟୀ ଭରା ସ୍ଵରରେ କହିଲେ, " ତୁମେ ଯାହା ସବୁ କହୁଛ ତାହା ତୁମର ମୋ ପ୍ରତି ଥିବା ଅଭିମାନ କେବଳ । ତୁମେ ଆଜିବି ମୋତେ ଭଲ ପାଉଛ । ଆଉ ଏ କଥାକୁ ତୁମେ ବି ଅସ୍ବୀକାର କରିପାରିବନି ଯେ ସ୍ଵୟଂ ମୋ ପୁଅ ବୋଲି । ତୁମେ ମୋତେ ଏବେ ବି ସେତିକି ପ୍ରେମ କର ସେଥିପାଇଁ ତ ତୁମ ମଥାରେ ମୋ ନାଆଁର ସିନ୍ଦୂର ଆଜି ବି ଝଟକୁଛି । "
ମିଷ୍ଟର୍ ସଞ୍ଜୟ , ଆପଣ ଯାହା ଭାବୁଛନ୍ତି ତାହା ପୂର୍ଣ୍ଣ ରୂପରେ ଭୁଲ । ଏ ଶଙ୍ଖା ସିନ୍ଦୂର ମୁଁ ତୁମ ପାଇଁ ପିନ୍ଧିନି । ଏଇ ସେଇଠି ( କିଛି ଦୂରରେ ଏକ ଗଛ ଛାଇରେ ବସିଥିବା ଗୋଟେ ଝିଅ ଏବଂ ସ୍ଵୟଂ ଆଡ଼କୁ ଅଙ୍ଗୁଳି ଦେଖେଇ ) ଯେଉଁ ଜଣେ ବ୍ୟକ୍ତି ସହ ମୋ ପୁଅ ସ୍ଵୟଂ ବସିଛି ସେ ହଁ ସେହି ବ୍ୟକ୍ତି ହେଉଛନ୍ତି ମୋ ସ୍ବାମୀ , ଯାହାଙ୍କ ପାଇଁ ମୋ ମଥାରେ ଏଇ ସିନ୍ଦୂର ଶୋଭା ପାଉଛି । ସେ ହେଉଛନ୍ତି ଶରତ। ମୋ ଜୀବନରେ ଯେତେବେଳେ ମୁଁ ମୋ ପୁଅ ସହ ଏକାକୀ ଦୁନିଆରେ ବଞ୍ଚୁଥିଲି ସେ ମୋ ଜୀବନରେ ଆସିଥିଲେ । ଆଉ ମୋ ଅତୀତର ସମସ୍ତ ଅଧ୍ୟାୟ ଜାଣି କି ମଧ୍ୟ ମୋତେ ଆଉ ମୋ ପୁଅକୁ ଆପଣେଇଥିଲେ । ଆଉ ସେଇ ଯେଉଁ ଦଶ ବର୍ଷର ଝିଅଟି ଦେଖୁଛ ସିଏ ମୋର ଆଉ ଶରତର ଝିଅ । ଆମର ଛୋଟ ଦୁନିଆରେ ଆମେ ଖୁସିରେ ଅଛୁ ।ଏବେ ତାହା ହିଁ ମୋର ଦୁନିଆ। ସେମାନେ ମୋତେ ଅପେକ୍ଷା କରିଛନ୍ତି ।ତେଣୁ ମୁଁ ଆସୁଛି । ତୁମ ସହ ମୋର କୌଣସି ସମ୍ପର୍କ ନାହିଁ ,ଏଇ କଥାକୁ ମନେ ରଖିବେ ।"
ଏତକ କହି ଭାଉଜ ବୁଲିପଡ଼ି ଯିବାକୁ ଲାଗିଲେ । ସେ ଏବେ ପୂର୍ବ ଅପେକ୍ଷା ଅଧିକ ଶକ୍ତ ଭଳି ମୋର ମନେ ହେଉଥିଲା । ତାଙ୍କ ପାଦ ଆଗକୁ ଆଗକୁ ବଢ଼ି ଚାଲିଥିଲା । ସେ ଯେତେ ଯେତେ ଆଗକୁ ବଢ଼ୁଥିଲେ ଭାଇ ଭିତରୁ ହିଁ ଭିତରୁ ସେତିକି ଭାଙ୍ଗି ପଡୁଥିଲେ। ମୁଁ ତାଙ୍କୁ ସାହାରା ଦେବା ଛଡ଼ା ମୋ ପାଖରେ ଅନ୍ୟ କିଛି ଉପାୟ ନଥିଲା । ମୁଁ ସେଦିନ ସବୁ ଦେଖି ଶୁଣି କି ଚୁପ୍ ଥିଲି । ନା ମୁଁ ସେଦିନ କିଛି କରିପାରିଥିଲି ଭାଉଜ ପାଇଁ ନା ଆଜି କିଛି କରି ପାରିଲି ଭାଇ ପାଇଁ ।