ତୁମେ ଗୋ ବରଷା
ତୁମେ ଗୋ ବରଷା
ସ୍ତୂପୀକୃତ ମେଘ ସାଜି ଛାଇଗଲ ସୁନୀଳ ଆକାଶେ ।
ମୁରୁକି ମୁରୁକି ହସି ବରଷିଲ ସୁନ୍ଦରୀ ଶ୍ରାବଣେ ।।
ଝିପି ଝିପି ଆସି ଛୁଇଁଦେଲ ମାଟିକୁ ସୁସୁଆଗେ ।
ଇନ୍ଦ୍ରଧନୁ ର ପୁଲକ ଖେଳିଗଲା ସାରା ଦେହେ ।।
ପହିଲିସିକ୍ତେ ଝୁମି ଉଠେ ରୌଦ୍ର ଦଗ୍ଧ ଧରଣୀ ।
ସବୁଜ ଶୃଙ୍ଗାରରେ ଶ୍ରୀ ମଣ୍ଡିତା ହୁଏ ପ୍ରକୃତି ରାଣୀ ।।
ବର ରୂପେ ସାଜିଯାଏ ଅମ୍ବର ମେଘର ଗହଣେ ।
ମାଟି ଲାଗେ ସାଧବ ବୋହୂ ତୁମରି ଆଗମନେ ।।
ଟୋପାଟୋପା ଜଳବିନ୍ଦୁଏ ସବୁ ଖେଳିଯାନ୍ତି ସତ୍ୱର ।
ନିଦାଘର ନିରାଟ ଝାଞ୍ଜିକୁ ଭୁଲି ନାଚିଉଠେ ମୟୂର ।।
ଆପେକ୍ଷିକ ଇଶାରା ତୁମର କୁଁଆରୀ କଢି ପ୍ରତି ।
ତୁମ ସ୍ପର୍ଶ ପାଇ କିମିୟା ଯାଆନ୍ତି ଫୁଲରେ ବଦଳି ।।
ଋତୁ ଛଳେ ଉତାରିଲ ଲାଜ,ଦେଖି ଅମାନିଆ ମୌସୁମୀ ।
ତୁମେ ଗୋ ବରଷା ସତରେ ଭାରି ବେସରମୀ
◆◆◆