ଟଙ୍କା
ଟଙ୍କା
କରିପାରେ ଟଙ୍କା ସଳଖକୁ ବଙ୍କା
ଖରାପକୁ ଭଲ କାମ
ଗରିବ ପରଶୁ ପାଲଟିଲେ ଧନୀ
ହୁଏ ବାବୁ ପର୍ଶୁରାମ।
ଲମ୍ବିଯାଏ ଏବେ ଦାଢୀ ରାତାରାତି
ଧନପୁଞ୍ଜି ଘୋଡାଦୌଡ
ପାଆନ୍ତିନି ଟେର ପୁଲିସ ଫୁଲିସି
ଲଜ୍ଜିତ ଏଠି ଈଶ୍ୱର।
ଭବସାଗରରେ ଶିଖରେ ଆବାସ
ଯକ୍ଷପତି ମହାଜନ
ଅର୍ଥ ଧନ ରତ୍ନେ ଭରା ଯା ଭଣ୍ଡାର
କୁବେର ମାନନ୍ତି ଜନ ।
ଚତୁର୍ଦ୍ଦିଗେ ଶୁଭେ ନାମ ତାଙ୍କ ଡଙ୍କା
ଅଟନ୍ତି ଅସାଧାରଣ
ପୁଞ୍ଜିଭୂତ ସ୍ତୁପେ ସୁରକ୍ଷ ଆସନେ
ଦର୍ପେ ସେ ଦଣ୍ଡାୟମାନ ।
ଶ୍ରମ ସେବା ଶକ୍ତି କର୍ମ ନିୟୋଜନେ
ଥାଏ ତାଙ୍କ ନିୟନ୍ତ୍ରଣ
ଅଦୃଶ୍ୟ ଭାବରେ ନିଭାନ୍ତି ଭୂମିକା
କ୍ଷମତାର ମୂଳ କେନ୍ଦ୍ର ।
ସୃଷ୍ଟି ଜଳଚକ୍ର ସଦୃଶ ବି ଅର୍ଥ
ଆଚରଣ ପ୍ରତ୍ୟାବର୍ତ୍ତୀ
ହୁଏ ଆହରଣ ପ୍ରବାହ ସିଞ୍ଚନ
ବିନିଯୋଗେ ଧନ ବର୍ଷି ।
କରମ ଧରମ ନବୁଝେ ମୁରୁଖ
କରଇ ପ୍ରତିଯୋଗୀତା
କଳାବଜାରରେ ଛୋଟ ବଡ଼ ଟାପୁ
ରାତାରାତି ହୁଏ ଠିଆ ।
ପ୍ରାକୃତିକ ଅର୍ଥ ପ୍ରବାହର ପଥ
ହୋଇଯାଏ ଅବରୁଦ୍ଧ
ସ୍ଥୂଳ ସ୍ଥଳ ବକ୍ଷ ଚୂର୍ଣ୍ଣ ଶିଖର
ଉଦଗମ କଷ୍ଟସାଧ୍ୟ ।
ପ୍ରଦୂଷଣ ପୂର୍ଣ୍ଣ ସର୍ବତ୍ର ପ୍ରକୃତି
ବାହ୍ୟ ଅନ୍ତଃ କଳମୁଷ
ଏଣୁ ପରିଣାମ ହୁଏ ଅମଙ୍ଗଳ
ବଣ୍ଟନ ଅସାମଞ୍ଜସ୍ୟ ।
ମନୁଷ୍ୟ ଜୀବନ ନୁହେଁ ଆକସ୍ମିକ
ଉଦବର୍ତ୍ତଇ ଜନ୍ମ କର୍ମେ
ପ୍ରୟୋଜନ ଏଣୁ ସ୍ଥିର ଗୁଣାତ୍ମକ
ବୃତ୍ତି ସ୍ଥିତି ନିର୍ଦ୍ଧାରଣେ ।
ନ ଥାଇ ଯୋଗ୍ୟତା ନିଷ୍ଠା ବା ଆଦର୍ଶ
ଉପଯୁକ୍ତ ସୁସଂସ୍କାର
ହାସଲ ହୁଏନା ଉତ୍କର୍ଷ ସମ୍ମାନ
ଦୁର୍ମତି ଭୋଗେ ଦୁଷ୍ଫଳ ।
-----
