ଲେଖା ଓ ଲେଖକ
ଲେଖା ଓ ଲେଖକ
ଲେଖା ଅଟେ ଭାବନା ର ମନୋହର ବେଶ
ସାହିତ୍ୟ ସର୍ଜନା ମଗ୍ନ , ପ୍ରତିଭା ପ୍ରକାଶ ।
ଲେଖା ରେ ହିଁ ଲେଖକ ର ପ୍ରତିଷ୍ଠା ପ୍ରଭାଵ
ସମୃଦ୍ଧି କୃତିତ୍ୱ ଆଦି ଯେତେ ସବୁ ଭାବ ।
ଅବସ୍ଥିତ ରହି ଥାଏ ସଦା ନିରନ୍ତର
ମଣିଷ ମଣିଷ ପ୍ରତି ପ୍ରୀତି , ସ୍ନେହ ଧାର ।
ମନ୍ମୟ ମୂର୍ଚ୍ଛନା ଭାସି ଉଠେ ପ୍ରକମ୍ପିତ
ଚିତ୍ତ ବୃତ୍ତି ସମୂହ କୁ କରାଏ ଜାଗ୍ରତ ।
ଆଶା , ଆଶ୍ଵାସନା, ଅଭୟ ସାନ୍ତ୍ଵନା ଦାନ
ପାଇଁକି ଲେଖକ ମାନେ କରନ୍ତି ସଂଗ୍ରାମ ।
ଅସୁମାରୀ ଆଶା , ଆଉ ସ୍ୱପନ ଆବେଗ
ଦୈହିକ ସମ୍ପର୍କ , ପ୍ରେମ , ପ୍ରୀତି , ଅନୁରାଗ ।
ଘେନି ସୂକ୍ଷ୍ମ କାରିଗରୀ କୌଶଳ ପ୍ରଭାବେ
ନବ ରୋମାଞ୍ଚ ସଞ୍ଚାର କରାଏ ସ୍ୱଭାବେ ।
ଭାଷା ସାହିତ୍ୟ ସଂସ୍କୃତି ସଭ୍ୟତା ବିକାଶ
ଲାଗି , ଲାଗି ଥାଏ ନିତି , ଲେଖକ ର ଚାଷ ।
ଅମଳ କରି ସେ କରେ ସମାଜ କଲ୍ୟାଣ
ଆହାରୀ ସମାଜୁ ଅଭିନବ ଭାବ ମାନ ।
କଳା -କଳ୍ପନା ପ୍ରସୂତ ନିର୍ଝର ପ୍ଲାବନେ
କେତେ ଭାବ ରାଶି ସେହି ଭରଇ ଯତନେ ।
ପ୍ରଶଂସିତ ହୋଇ ଥାଏ ଯାହା ଯୋଗୁଁ ଲେଖା
ବଢେ ଯଶ , ଖ୍ୟାତି, ହସେ ସମାଜ ବ୍ୟବସ୍ଥା ।
ବ୍ୟକ୍ତି ଜୀବନ , ଚରିତ୍ର ଅନୁଧ୍ୟାନ କରି
ସମୀକ୍ଷା , ଚିତ୍ରଣ ପାଇଁ ବ୍ୟବହାର କରି ।
ଅବିରତ କଷ୍ଟ ସହି ରହଇ ଚେଷ୍ଟିତ
କଳା , ସାହିତ୍ୟ ର ସାଧୁ ଥାଏ ସେ ଉତ୍କର୍ଷ୍ୟ ।
