ସ୍ୱପ୍ନର ଭାରତର ଦୂରାବସ୍ଥା
ସ୍ୱପ୍ନର ଭାରତର ଦୂରାବସ୍ଥା
କୋଟି କୋଟି ଭାରତୀୟ ଭାଇ ଓ ଭଉଣୀ
ତ୍ୟାଗ କରି ଆଣିଲେ ସ୍ୱରାଜ
ଦେଖି ଦୁଃଖ ଲାଗେ ଆଜି ଭାରତ ବର୍ଷ, କାହା
ଯୋଗୁ ହୋଇଛି ଏକ ଜୀର୍ଣ୍ଣ ସମାଜ ।
ସ୍ବଦେଶୀ ସପନ ଆଜି ହୋଇଛି ନଷ୍ଟ, ଧର୍ମ
ଜାତି ନାମେ ଅହିଂସାର ହୁଏ କଣ୍ଠରୋଧ
ଶୁଦ୍ଧ ମହାନ୍ ଦେବୋପମ ଏ ଭାରତ ହଜାଇଛି
ଧର୍ମ ନିରପେକ୍ଷ ମୂଲ୍ୟବୋଧ ।
ସ୍ୱାଧୀନତା ସଂଗ୍ରାମର ଯେତେ ଥିଲେ ସାରଥୀ
ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଇଥିଲେ
ଅହିଂସା ଓ ଶାନ୍ତି ମନ୍ତ୍ରଦ୍ୱାରା ଦୀକ୍ଷିତ କରାଇ
ଜାତିଆଣ ହୀନଭାବ ମନୁ ପୋଛିଥିଲେ ।
କାଟି ପିନ୍ଧିବା କୁଟି ଖାଇବା ଥିଲା ନାରାବାଜି
ଭାରତ ମନରୁ ଯାଇଅଛି ହଜି
ପର ଦେଶରୁ ଧାର ଆଣି ବଡ ଦେଖାଇବା, ଲୁଟି
ନଚେତ ମାଗି ଖାଇବା ନୀତି ହୋଇଛି ଆଜି ।
ଲୋକଙ୍କ କଳ୍ପିତ ସପନର ରାମରାଜ୍ୟ ଆଜି ସ୍ୱାର୍ଥ
ମାଦକତାରେ ହରାଇଛି ସ୍ଥିତି
ଅନୀତି ଅନ୍ୟାୟ ତାନସାହୀର ଶାସନ ଚାଲିଛି ଆଜି,
ମେହନତୀ ମଣିଷ ଖୋଜେ ମୁକ୍ତି ।
