ମନଖୋଲା ହସ
ମନଖୋଲା ହସ
ସୂର୍ଯ୍ୟ ଉଦୟର ପୂର୍ବରୁ ଶୁଭଇ
ପକ୍ଷୀରବ କୋଳାହଳ
ଧୀରେ ଧୀରେ କ୍ରମେ ଫରଚା ଦିଶଇ
ହୁଅଇ ଶୁଭ ସକାଳ ।
ସକାଳ ପ୍ରାରମ୍ଭେ ପଶୁପକ୍ଷୀଗଣ
ସବୁ ମନେ ଖୁସିଥାଏ
ନର ନିଦୁ ଉଠି ନିତ୍ୟକର୍ମ ସାରି
କର୍ମରେ ବାହାରିଯାଏ ।
କର୍ମ ସ୍ୱୟଂ ପରା ଅଟେ ଭଗବାନ
ମନୁଷ୍ୟଠୁ ପଶୁପକ୍ଷୀ
କର୍ମରେ ସକାଳୁ ତତ୍ପର ହୁଅନ୍ତି
କର୍ମ ବିନା ନାହିଁ ମୁକ୍ତି ।
ଚାପଗ୍ରସ୍ତ ହୋଇ ଆଜି ଦୁନିଆରେ
କର୍ମେ ଲାଗି ରୁହେ ନର
ଭୋକ ଶୋଷ ଭୁଲି ଧନ ପଛେ ଧାଇଁ
ଯତ୍ନ ନିଏ ନାହିଁ ତା'ର ।
ଫଳ ଆଶା ରଖି କର୍ମ ଯେ ନକର
ଆଶା ନହେଲେ ପୂରଣ
ମନରେ ନିଶ୍ଚିତ ଆସେ ଅବସାଦ
କାମନା ଦୁଃଖ କାରଣ ।
ସୁଖ ପାଖେ ଦୁଃଖ ଦିନେ ପାଖେ ରାତି
ଖରା ପାଖେ ଅଛି ଛାଇ
ସବୁ ମିଶା ମିଶି ନେଇତ ଜୀବନ
ଜୀବନେ ହାରିବା ନାହିଁ ।
ଦୁଃଖ ଓ ଯନ୍ତ୍ରଣା ଭିତରେ ଖୁସିକୁ
ଖୋଜି ବାହାର କରିବା
ନିଜେ ଖୁସି ରହି ଖୁସିକୁ ବାଣ୍ଟିବା
ଖୁସିରେ ଆମେ ବଞ୍ଚିବା ।
ସ୍ୱାସ୍ଥ୍ୟ ଆମ ପାଇଁ ଅମୂଲ୍ୟ ସମ୍ପଦ
ମନ ଖୋଲା ଯେବେ ହସ
ରୋଗଶୋକ ଦେହୁ ହୋଇଯାଏ ଦୂର
ବଢ଼ଇ ଆମ ଆୟୁଷ ।
ମନ ପ୍ରଫୁଲ୍ଲିତ ଥିଲେ ମନଖୋଲା
ହସ ସ୍ବତଃ ଆସିଥାଏ
ଅଳ୍ପରେ ସନ୍ତୁଷ୍ଟ ରଖିଲେ ମନକୁ
ବ୍ୟକ୍ତି ଆପେ ଖୁସି ରହେ ।
