ଲେଖା ଓ ଲେଖନୀ
ଲେଖା ଓ ଲେଖନୀ
ଲେଖୁ ଲେଖୁ ଦିନେ
ଲେଖିଦେଲି ଯେବେ
ହୃଦୟର କିଛି ବ୍ୟଥା
ଗୋପନରେ ଆସି
ଚଗଲା ଭଅଁର
ପଢିନେଲା ସବୁ କଥା ।
କହିନି ଜହ୍ନକୁ
ମନ କଥା ଖୋଲି
କହିଦେବ କାଳେ ସିଏ
ଅୟୁତ ତାରକା
ସାଥେ ଅଭିସାରେ
ରାତି ତାର ବିତିଯାଏ ।
ଫୁଲ ସ୍ମିତ ହାସେ
ଇସାରାରେ ମୋତେ
କରୁଥିଲା କେତେ ପ୍ରଶ୍ନ
ପ୍ରଜାପତି ସାଥେ
ପଢିନେଉଥିଲା
ମୋ ଆଖିର ପ୍ରୀତି ଚିହ୍ନ ।
ସାଗର କୂଳରେ
ବେଳାଭୂମି ପରେ
ଆଙ୍କିନି ମୁଁ ତାଙ୍କ ଛବି
ଶାମୁକା କାନରେ
କହିନି ସେ କଥା
ପ୍ରିୟସଖୀ ମନେ ଭାବି ।
ଆଖି ପଲକରେ
ସଜାଇ ଦେଇନି
ଭ୍ରମର କଳାର ରଙ୍ଗ
ରାତି ଭାରି ଦୁଷ୍ଟ
ନିଦ ବାହାନାରେ
ରଚିବ ନାନା ସୁଆଙ୍ଗ ।
ପ୍ରୀତିର ମାଧୁର୍ଯ୍ୟ
ଶବ୍ଦର ପ୍ରାଚୁର୍ଯ୍ୟ
ଭାବନାର ମଧୁଗୀତୀ
ଉଦାସ ଉଲ୍ଲାସ
ରାଗ ଅନୁରାଗ
ହୃଦୟର ମଧୁପ୍ରୀତି ।

