ହସ ଫୁଲଟିଏ
ହସ ଫୁଲଟିଏ
ମଣିଷ ଅଧରେ
ଦେଇଛି ବିଧାତା
ହସ ଫୁଲଟିଏ,
ଖୁସି ଥିଲେ ମନେ
ଫୁଟି ବାସେ ନିତି
ଜିତିଯାଏ ସିଏ।
ହୃଦୟର ଭାବ
ପ୍ରକାଶି ଉଠଇ
ଶୁଭେଚ୍ଛା ଜଣାଇ,
ମନକଥା ତାର
କହିଦିଏ ଖୋଲି
ସନ୍ତୋଷ ସେ ହୋଇ।
ମନ ଆଇନାର
ଏ ପ୍ରତିଫଳନ
ଭରି ଦିଏ ଶାନ୍ତି,
ସ୍ଵଚ୍ଛ ଥିଲେ ତାର
ଚିକ୍କଣ ପୃଷ୍ଠଟି
ଦିଶେ ରୂପକାନ୍ତି।
ଇଚ୍ଛା କରି କେହି
ହସି ପାରେ ନାହିଁ
ହୃଦୟ ତା' ଖୋଲି,
ଦେଖାଇ ହେବାକୁ
ମିଛେ ହସି ଦିଏ
ସୁଖେ ଅଛି ବୋଲି।
ଦୁନିଆଁରୁ ଆଜି
ହସ ଯାଏ ହଜି
ପଡ଼ଇ ମଉଳି,
ଅଧର ଦିଶଇ
ନିସ୍ତେଜ ମଳିନ
ଦୁଃଖ ପଡେ ବଳି।
ଆଜିର ଦିନରେ
'ହସ ଟିକେ ମିଳୁ
ପ୍ରଭୁଙ୍କୁ ମିନତି,
ମଧୁ ହସଟିଏ
ଓଠେ ଥାଇ ସଦା
ଦିନ ଯାଉ ବିତି।
ସଭିଙ୍କ ହୃଦୟେ
ଭରି ରହୁ ସଦା
ସେନେହ ମମତା,
ପରସ୍ପର ମଧ୍ୟେ
ରଖି ଭଲ ଭାଷା
ଆଣିବା ସମତା।