ଚୀର ସ୍ମରଣୀୟ ସ୍ମୃତି
ଚୀର ସ୍ମରଣୀୟ ସ୍ମୃତି
ଆଖି ମୋର ଆଜି ବୋଲ ମାନୁନାହିଁ
ନୀର ଧାର ଝରୁଅଛି
ତୁମ ସ୍ମୃତି ସବୁ ମନେପଡ଼ି ମୋର
ହୃଦ କନ୍ଦର କାନ୍ଦୁଛି ।
ଛାଡ଼ିଗଲ ମୋତେ ଏକାକରି ପ୍ରିୟ
କିପରି ବଞ୍ଚିବି ମୁହିଁ
ଯେତେ ଚେଷ୍ଟା କଲେ ତୁମ ସ୍ମୃତି ସବୁ
ମୁଁ ଯେ ଭୁଲି ପାରୁନାହିଁ ।
ତୁମ ହସ ହସ ମୁହଁ ମୋର ଆଖି
ଆଗରେ ନାଚି ଯାଉଛି
ସୁଲଳିତ କଣ୍ଠସ୍ବର ର ମୂର୍ଚ୍ଛନା
ପାଗଳ କରି ଦେଉଛି ।
ମନ ନଈ ମୋର ଉଚ୍ଛୁଳି ଉଠୁଛି
ତୁମରି ପରଶ ପାଇଁ
ଆସ ମୋର ପ୍ରାଣ ଧନ ଚାହିଁଛି ମୁଁ
କବାଟ ଖୋଲିଣ ଦେଇ ।
କମନୀୟ କାନ୍ତି ଅପରୂପ ଶୋଭା
ମନ ନେଉଥିଲା କିଣି
କେଉଁ ପରି ଦିନ କାଟିବି ମୁଁ କୁହ
ନିଜେ ପାରୁନାହିଁ ଜାଣି ।
ମନ ମନ୍ଦିରର ହୃଦ ସିଂହାସନ
ଥିଲା ଯେ ତୁମରି ସ୍ଥାନ
ଶୂନ୍ୟ ଦେଉଳ ଓ ଶୂନ୍ୟ ସିଂହାସନ
ଆକୁଳିତ ତନୁ ମନ ।
ପୁନେଇଁ ପରବ ଓଷା ବାର ବ୍ରତ
ଆସିଲେ ପସରା ଧରି
ମୋ ମନ କାନନ ହୁଅଇ ଦହନ
ଜ୍ୱଳନ୍ତ ଅନଳ ପରି ।
କିଏ ସିଞ୍ଚିଦେବ ସୁଶିତଳ ଜଳ
ଲିଭିଯିବ ହୁତାଶନ
ଶୁଷ୍କ ତରୁ ଲତା ହେବ ପଲ୍ଲବୀତ
ପାଇ ମଳୟ ପବନ ।
ଜାଣିଛି ମୁଁ ତୁମେ ଅଫେରା ରାଇଜୁ
ଆସିବନି ଆଉ ଫେରି
ବୁଝୁନାହିଁ ମନ, କାନ୍ଦୁଛି ପରାଣ
ମଣିହିନ ଫଣୀ ପରି ।