କ୍ଷତାକ୍ତ ପ୍ରେମ
କ୍ଷତାକ୍ତ ପ୍ରେମ
ବାପା ମାଆ ପ୍ରେମ ନିଲାମ ହେଉଛି
ଜରା ଶ୍ରମ ବାରଣ୍ଡାରେ
ଭାଇ ଭାଇ ପ୍ରେମ ମୁଣ୍ଡ ଗଡଉଛି
ସ୍ୱାର୍ଥର କୁରାଢୀ ଧାରେ ।
ଭଉଣୀର ପ୍ରେମ ରାକ୍ଷୀରେ ରହୁନି
ଦାମୀ ଉପହାରେ ଘୁରେ
ଜମି ଜମା ଖାତା କାଗଜ ପତ୍ରରେ
ନିଜ ଭାଗ ଖୋଜୁ ଥାଏ ।
ଭାଇର ପ୍ରେମ ଯେ ଲୁଚି ଲୁଚି କାନ୍ଦେ
ଅକୁହା ବେଦନା ନେଇ
ପରିବାର ପ୍ରେମ ଦିଗ ହରାଇଛି
ଆଗେ ଖାଲି ମରୁବାଲି ।
ହଳଦୀ ବସନ୍ତ କୋଇଲି ର ଡାକ
କିଶୋରୀ ର ସେଇ ମନ
ପ୍ରେମ ଆକର୍ଷଣ ମଧ୍ୟରେ ଫରକ
ବୁଝେନା ତା ତନୁ ମନ ।
ପ୍ରେମ ନଈରେ ସେ ପହଁରୀ ପହଁରୀ
ଶବ୍ଦର ଜୁଆରେ ଫସେ
କେତେବେଳେ ଡିଏଁ ଲକ୍ଷ୍ମଣରେଖା ଯେ
ନିଜକୁ ଜଣା ନଥାଏ ।
ପ୍ରେମରେ କେବେ ସେ ପ୍ରତାରିତ ହୁଏ
କ୍ଷତାକ୍ତ ହୁଏ ହୁଏ ହୃଦୟ
ଜାନି ଯଉତୁକ ସପତଣୀ ସାଜେ
ଏ କିବା ପ୍ରେମର ଟେକ ।
ପ୍ରେମରେ ବିଭୋର ତରୁଣୀର ମନ
ସପନରେ ଭାସୁଥାଏ
ମଣିଷ ଚିହ୍ନିବା କଳାଟିକୁ ସିଏ
ପାଣିରେ ଫୋପାଡି ଦିଏ ।
ଭାସିଯାଏ ସିଏ ଶବ୍ଦର ସ୍ରୋତରେ
ଭଲ ମନ୍ଦ ଭୁଲିଯାଏ
ବିଶ୍ୱାସ କରି ଯେ କଣ୍ଟକିତ ପଥେ
ନିର୍ଦ୍ବନ୍ଦରେ ପାଦ ଦିଏ ।
ବିଶ୍ୱାସ ହଜାଇ ଧୋକା ଇଲାକାରେ
କ୍ଷତାକ୍ତ ହୁଅଇ ପ୍ରେମ
ସବୁ ଦେଇ କରି ନିଃସ୍ୱ ହୋଇ ଯାଏ
ଭୟେ କାଟୁଥାଏ ଦିନ ।
ଧମକ ଜାଲରେ ପ୍ରେମ ଛନ୍ଦି ହୋଇ
କ୍ଷତରୁ ରକତ ଝରେ
ବିଶ୍ୱାସ ତାହାର ଆଶ୍ୱାସ ମାଗଇ
ପ୍ରତାରଣା ଖାଲି ମିଳେ ।
କେଉଁଠି ପାଗଳ ପ୍ରେମିକଟିଏ ଯେ
ପ୍ରେମିକାର ପଥ ଚାହେଁ
ବାପା ଜମିଦାରୀ ଟଙ୍କାର ଟ୍ରେଜରୀ
ନାହିଁ ବୋଲି ହାରିଯାଏ ।
ପ୍ରେମ ଏଠି ଖାଲି ରୂପ ବଦଳାଏ
ଏଣ୍ଡୁଅର ଗୁଣ ନେଇ
କ୍ଷତାକ୍ତ ପ୍ରେମରେ ପ୍ରେମିକ ପ୍ରେମିକା
ରାହା ଯେ ଯାଆନ୍ତି ଭୁଲି ।
ପବିତ୍ର ପ୍ରେମ ଯେ ଅମୂଲ ମୂଲ ହେ
କିଏ ବୁଝୁଛି ତା ମର୍ମ
ଚତୁର୍ଦ୍ଦିଗେ ଖାଲି କ୍ଷତାକ୍ତ ପ୍ରେମର
ଶୁଭ ବିକଳ କ୍ରନ୍ଦନ ।