STORYMIRROR

BISWESWAR MAJHI

Abstract

4  

BISWESWAR MAJHI

Abstract

ସ୍ମୃତିର ପଟୁଆର

ସ୍ମୃତିର ପଟୁଆର

1 min
283

ମନର ଗୋପନେ ଶୟନେ ସପନେ

    ଅବା ଆସ ଜାଗରଣେ

ମଧୁମୟ ତିକ୍ତ  ପ୍ରାଣ କର ଶିକ୍ତ

   ସ୍ମୃତି ତୁମେ ଥାଇ ମନେ।


ବାଲ୍ୟ ଚପଳତା ଯୁବ ଉଦ୍ଦାମତା

    ପ୍ରୌଢ଼ତ୍ବର ଅନୁଭୂତି

ସାଙ୍ଗସାଥୀ ମେଳ ରାଜାରାଣୀ ଖେଳ

     ବାଗୁଡିର କିତିକିତି।


ବୋହୁଚୋରି ଫନ୍ଦା ଭାତଡାଲି ରନ୍ଧା

     ବାଲିର ଉଆସ ମାନ

ଅଭିମାନ ମିଶା   କେତେ ରାଗଋଷା 

     କ୍ଷଣିକରେ ହୁଏ ଚୂର୍ଣ୍ଣ।

 

କିଶୋର ବୟସ  ଚୋରା ପ୍ରୀତି ରସ

     ପ୍ରେମର ଅଙ୍କୁରୋଦଗମ

ଆଦ୍ୟ ଯୌବନର  ଉଦ୍ଦାମ ମହ୍ଲାର 

     ଚକୋର ଚକୋରୀ ସମ।


ବିବାହ ବେଦିର  ସ୍ମୃତି ସୁମଧୁର 

    ବାସର ରାତିର ଲାଜ

କୁଆଁ କୁଆଁ ରାବ ପୁତ୍ର କନ୍ଯା ଲାଭ

    ତିନ୍ତୁଥାଏ ନିତି ଶେଯ।


ପିତା ମାତା ଭ୍ରାତା  ଭଗିନୀ ବନ୍ଧୁତା

     ପରିପୂର୍ଣ୍ଣ ପରିବାର 

ସମୟ ସ୍ରୋତରେ  ଖସି ଚାଲିଗଲେ

      ସୃଷ୍ଟି କରି ହାହାକାର।


ସପନ ପୁରଣ  ପାଇଁ ଅକାରଣ

    ଜୀବନ ଜଞ୍ଜାଳ ଗାଥା

ସବୁ ସୁଖ ତ୍ୟାଗ  ପରିବାର ଆଗ

     ଚିନ୍ତି ଘୁରିଯାଏ ମଥା।


ମୋହଭଙ୍ଗ ହେଲା ସପନ ତୁଟିଲା 

     ବାର୍ଦ୍ଧକ୍ଯ କଲାଣି ଖେଳ

ପୁରିଛି ସାଧନ   ଭୋଗର ବାରଣ

    ରୋଗବ୍ୟାଧି ସାଜେ କାଳ।


ସନ୍ଧ୍ୟା ଉପଗତ  ପରାସ୍ତ ସୈନିକ 

      ଭାବୁଥିଲି ଜିତିଗଲି 

ହିସାବ ନିକାଶ   କି କଲି ବିକାଶ

     ବାସ୍ତବରେ ହାରିଗଲି।


ଚକ୍ଷୁ ମୁଦି ଆସେ  ସ୍ମୃତିପଟେ ଭାସେ

     ପଟୁଆର ପନ୍ତି ପନ୍ତି

ମାଆ କୋଳାଗ୍ରତ ବାପାଙ୍କ ଆକଟ 

     ଥରଟେ ଫେରି ପାଆନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract