ପାଞ୍ଚ ପତି ଙ୍କୁ ବିବାହ
ପାଞ୍ଚ ପତି ଙ୍କୁ ବିବାହ


ପାଞ୍ଚ ପତି ପାଇଁ ପାଞ୍ଚାଳୀ ବିଖ୍ୟାତ ସଭିଙ୍କର ପାଞ୍ଚ ଥିଲେ
ସଂସାର ରଥଟା ଗଡନ୍ତା ଗତିରେ ବିନା କେଁ କଟରରେ।
ଏକ ପରେ ଏକ ଧାଡିରେ ଆସିବେ ପ୍ରଥମ ଦ୍ଵିତୀୟ ପରି
କୃଷ୍ଣା ଯଥା ପ୍ରତିଦିନ ଏକ ପତି ଚଳୁଥିଲେ ପାଳିକରି।
ବିବାହ ସମ୍ପନ୍ନେ ପ୍ରଥମ ପତିଟି ପ୍ରେମର ଭଣ୍ଡାର ହେବ
ସ୍ୱପ୍ନ ଦେଖେଇବ ତାରା ତୋଳି ଆଣି ମଥାରେ ବିନ୍ଦି କରିବ।
ମଧୁଚନ୍ଦ୍ରିକା ମଧୁରେ କରିବ ଜହ୍ନରେ କରିବ ଘର
ରଜନୀଗନ୍ଧା ର ଗଜରା ଗଭାରେ ଗୁନ୍ଥିବ ପ୍ରାଣ ପ୍ରିୟା ର।
କ୍ରମେ ହେବ ପତ୍ନୀ ସନ୍ତାନ ସମ୍ଭବା ଦ୍ଵିତୀୟ ପତି ଆରମ୍ଭ
ସୁରକ୍ଷା ଯୋଗାଇ ବାସ୍ତବ ସୁଖର ପିତା ପରିଗ୍ରହ ହେବ
ସଂସାର ଛାଡିବ- ସଂସାରକୁ ଧରି ଅପତ୍ୟେ ଦେବ ସଂସ୍କାର
ଦାୟିତ୍ୱ ସମ୍ପନ୍ନ ପତ୍ନୀ ନୁହେଁ ଏବେ- ମାତା ରୂପେ ଆବିଷ୍କାର ।
ପତମତି ଛାଡି ଅପତ୍ୟ ପ୍ରଥମ- ନୁହେଁ ଏ ବିଚିତ୍ର କଥା
ହେଳା କଲେ ଭେଳା ବୁଡିବ ହେଜିକି ନୁଆଁଇବ ନିଜ ମଥା।
ତୃତୀୟ ପତିଟି ଆସିବ ଏଥର ସାମାଜିକ ସୁରକ୍ଷାର
ଘର ଗାଡି ଘୋଡା ଆସବାବ ପତ୍ର- ଘାଇଁ ଘାଇଁ ଘୁରେ ଶିର ।
ସକଳ ସଉକ ଆପଣାର ତେଜି ସନ୍ତାନର ଉଚ୍ଚ ଶିକ୍ଷ
ା
କାହିଁ ଗଲା ସେହି ବୀଣା ଜିଣା ବାଣୀ- ସନ୍ତାନ କେବଳ ଦୀକ୍ଷା।
ଚତୁର୍ଥ ପତି ଟି ଉଙ୍କି ମାରୁଥିବ ପିଲାଏ ହୋଇବେ ବଡ
ସାଥୀ ଟିଏ ପରି ବ୍ୟବହାର କରି ସଂସାର ତାଙ୍କର ଗଢ।
ପତ୍ନୀ ପର ପରି ବ୍ୟବହାର କଲେ ହୋଇବ ନାହିଁ ଆଶ୍ଚର୍ଯ୍ୟ
ନାତି ନାତୁଣୀରେ ହଜିବ ବାର୍ଦ୍ଧକ୍ୟ ଅପୂର୍ବ ସୁଖ ବିଚାର୍ଯ୍ୟ।
ମୋହଭଙ୍ଗ ଯେବେ ହୋଇବ ପତ୍ନୀଙ୍କ ସନ୍ତାନଗଣ ସଂସାରୀ
ପଞ୍ଚମ ପତିର ଆବିର୍ଭାବ ହେବ ପତ୍ନୀ ସବୁଠୁଁ ସୁନ୍ଦରୀ ।
ଏକ ଆରେକର ସୁଖେ ସୁଖୀ ହେବ ଦୁଃଖରେ ହୋଇବ ଦୁଃଖୀ
ଆତ୍ମାର ସୌନ୍ଦର୍ଯ୍ୟ ବଡ ଦିଶେ ଯଦି ହୋଇବ ପରମ ସୁଖୀ ।
ପରିବର୍ତ୍ତନଶୀଳ ଏ ସଂସାର ସଁବାଳୁଆରୁ ପ୍ରଜାପତି
ବିବର୍ତ୍ତନ ଯିଏ ଗ୍ରହଣ କରିବ- ପରମେଶ୍ଵର ସେ ପତି ।
ପତ୍ନୀ ଆଶା କରେ ଗୋଟିଏ ପତିରେ ପାଞ୍ଚ ପତିଙ୍କର ଗୁଣ
ଯୁଧିଷ୍ଠିର ତୁଲ୍ୟ ଧୈର୍ୟ୍ଯର ସାଗର ଭୀମ ପରି ବଳବାନ ।
ଧନଞ୍ଜୟ ପରି ବିଚକ୍ଷଣ ସହମିକ ନକୁଳ ସଦୃଶ
ସହଦେବ ତୁଲ୍ୟ ଦୁରଦ୍ରଷ୍ଟା ହେଲେ ପତ୍ନୀର ମେଣ୍ଟଇ ଆଶ।
ପୁରାଣ ଐତିହ୍ୟ ସମାଜ ପାଇଁକି ପଞ୍ଚତନ୍ତ୍ର ପରି ଶିକ୍ଷା
ହସି ଉଡାଇଲେ ନିଜେ ଉଡିଯିବ ପାଶେ ଥାଇ ମହା ଦୀକ୍ଷା।