ସବୁ ସପନକୁ ରାତି କାହିଁ
ସବୁ ସପନକୁ ରାତି କାହିଁ


ସପନ ବଣିକ ସପନରେ ମଗ୍ନ ଶୟନେ ବା ଜାଗରଣେ
ଶୟନର ସ୍ୱପ୍ନ ଚଳଚ୍ଚିତ୍ର ପରି ଉନ୍ମାଦନା ମନେ ଆଣେ ।
କ୍ଷଣସ୍ଥାୟୀ ଯେଣୁ ନିଦ ଭାଜିଗଲେ ମିଳାଇ ଯାଏ ପବନେ
ସ୍ୱପ୍ନାବିଷ୍ଟ ପ୍ରାଣେ ନିଦ୍ରା ହଜିଯାଏ ଶୟନ ବା ଜାଗରଣେ।
ସଫଳ କରିବା ପାଇଁ ସପନକୁ ଯୋଜନାର ରୂପାୟନ
ଉଦ୍ୟୋଗୀ ପୁରୁଷ ହୁଅଇ ସଫଳ ବଢେ ସମାଜରେ ମାନ।
ସପନଟି ସଫଳତାର ଜନନୀ ଗରଭେ ଧାରଣ କରେ
ବିନା ସପନରେ ଜିଏଁ ଭାଗ୍ୟବାଦୀ ଜିଅନ୍ତା ମରଣ ମରେ।
ବିଜୁ ମହାମନା ସ୍ୱପ୍ନ ବେଖିଥିଲେ ପରିଚୟ ଓଡିଶାର
ୟୁନେସ୍କୋ ମଂଚରୁ ବୈଜ୍ଞାନିକ ପାଏ କଳିଙ୍ଗର ପୁରସ୍କାର ।
ଓଡିଶାର ନାମ ଉଚ୍ଚ କରିବାକୁ ଜାତୀୟ ମାନ କ୍ରୀଡାର
କଳିଙ୍ଗରେ ହେଲା ବିଶ୍ୱ କପ୍ ହକି ଖେଳର ମହାସମର।
ସ୍ୱର୍ଣ୍ଣ ଚତୁର୍ଭୁଜ ନଦୀ ଯୋଡା ସ୍ୱପ୍ନ ଦେଖିଥିଲେ ବାଜପେୟୀ
ସଫଳ ହୋଇଛି ହୋଇବ ଆଗକୁ ସ୍ୱପ୍ନ ତାହା କାଳଜୟୀ।
ସପନ ସହିତ ନିଷ୍ଠା ପରାକାଷ୍ଠା ମଣି କାଞ୍ଚନ ସଂଯୋଗ
ଅଳସୁଆ ଚିନ୍ତେ ସପନ ନ ସରୁ ରାତି କାଳେ ପାହିଯିବ ।
p>କିଶୋରୀ କୁମାରୀ ଦେଖେ ତା'ର ସପନର ରାଜକୁମାରକୁ
ପକ୍ଷୀରାଜ ଘୋଡା ଚଢି ଆସୁଅଛି ବରଣ କରିବ ତାକୁ।
କୁମାର ଦେଖଇ ଲାବଣ୍ୟ ପ୍ରତିମା କୋମଳାଙ୍ଗି ସୁନାଗୋରୀ
ପଥ ଚାହିଁ ତା'ର ଅନାଇ ବସିଛି ଅଣିମାଦି ସୁଖଶିରୀ।
ସପନ ଦେଖିଲେ ସଫଳ କରିବା ପାଇଁ ହୁଅ ହରବର
ବାପୁଜୀଙ୍କ ସ୍ୱପ୍ନ ରାମରାଜ୍ୟ ପୁଣି ଅସ୍ପୃଶ୍ଯତା ବିପକ୍ଷର।
କୁଟୀର ଶିଳ୍ପର ପ୍ରସାର ହୋଇବ ପଞ୍ଚାୟତ ରାଜ ଦୃଢ
ନିଶା ନିବାରଣ ହୋଇବ ସଫଳ ନ ମରିବେ କୁଢକୁଢ ।
କଲାମଙ୍କ ସ୍ୱପ୍ନ ଭିଜନ୍ ଟ୍ୱେନ୍ଟି ଟ୍ୱେନ୍ଟି ଭାରତର ଭବିଷ୍ୟତ
ବିଶ୍ୱଶକ୍ତି ହୋଇ ଉଭା ହେବ ଯଦି ଯୁବଶକ୍ତି ହେବ ଶକ୍ତ।
ଏତେ ସପନକୁ ରାତି କାହିଁ ବୋଲି ଆପ୍ତ ବାକ୍ୟଟିଏ ଅଛି
ରାବଣର ସ୍ୱପ୍ନ ସରଗେ ନିଶୁଣି ସଫଳ କିବା ହୋଇଛି ।
ଜନନେତା ଆମ ଅବ୍ଦୁଲ କଲାମ ସପନର କଲେ ବ୍ୟାଖ୍ୟା
ସପନ ନିଦ୍ରାକୁ ନଭାଙ୍ଗିଲା ଯଦି ଅସଫଳ ସ୍ୱପ୍ନ ଦୀକ୍ଷା।
ଯୁବପିଢି ଆମ ସ୍ୱପ୍ନଭୂକ୍ ଯଦି ନିଜ ପାଇଁ ଦେଶ ପାଇଁ
ଆପେ ଉଚ୍ଚ ହେଲେ ଉଚ୍ଚ ଦେଶମାନ ହୋଇବ ଆପଣାଛାଏଁ।