ତମ ଗାଆଁ
ତମ ଗାଆଁ
ତମେ ଲେଖିଥିଲ ନୀଳ ଲଫାପାରେ
ମୋ ଗାଆଁକୁ ଆସ ପ୍ରିୟ,
ଦେଖିଯାଅ ଥରେ ମୋ ଗାଆଁ ପ୍ରକୃତି
ଜହ୍ନରାତି ବର୍ଣ୍ଣମୟ ।
ଆକର୍ଷିଲା ମୋତେ ତମ ଗାଆଁ ଆଉ
ତମ ସ୍ନିଗ୍ଧ ଅନୁରାଗ,
ମାଟିର ଆତୁର ଆମନ୍ତ୍ରଣ କେବେ
ଏଡି ପାରିଛିକି ମେଘ !
ତମ ଗାଆଁ ନଈ ସରସୀର କଇଁ
କାଶତଣ୍ଡୀ ମନୋଲୋଭା,
ମନ ମୋହିନେଲା ତୋଫା ଜହ୍ନରାତି
ବଧୂଲୀ ଫୁଲର ଆଭା।
ଆପଣାପଣର ମହକରେ ସତେ
ତମ ଗାଆଁ ମହମହ,
ଫୁଲ ପ୍ରଜାପତି ସବୁଠି ଦିଶିଲା
ତମ ସଜଫୁଟା ମୁହଁ ।
ତମରି ଗାଆଁରେ ଏତେ ସମ୍ମୋହନ
ପ୍ରିୟା ତମେ ଅଛ ବୋଲି,
ତମ ଗାଆଁ ସ୍ମୃତି ତମ ମିଠା ପ୍ରୀତି
ପାରିବିନି କେବେ ଭୁଲି।

