ତଲ୍ଲୀନ ମୁଁ ତବଠାରେ
ତଲ୍ଲୀନ ମୁଁ ତବଠାରେ
ମଧୁର କାକଳି ତୁମେ ମୋ ମନ କୁଞ୍ଜରେ,
ସବୁଜ ଲହଡି ତୁମେ ମୋ ହୃଦ- କେଦାରେ ।
ତୁମେହିଁ ଉତ୍ତର ମୋର ସବୁ ଜିଜ୍ଞାସାର,
ତୁମେ ତ ପରମ ପ୍ରାପ୍ତି ସବୁ କାମନାର ।
ମୁଁ ତୁମ ବନ୍ଧୁ ମହାନ୍ତି ସାଲବେଗ ଭକ୍ତ ,
ବଳରାମ ଦାସିଆ ମୁଁ ରଘୁ ଅରକ୍ଷିତ ।
ଶ୍ରଶଣ କରୁଛି ତବ ବଚନ ଅମୃତ,
କୀର୍ତ୍ତନ କରୁଛି ଗୁଣ କାଳିଆ ସାଆନ୍ତ ।
ସ୍ମରଣ କରୁଛି ତୁମ ନାମର ରହସ୍ୟ,
ପଦ ଯୁଗଳରୁ ଧ୍ୟାନ ଛାଡିନି ନିମିଷ ।
କରୁଛି ଅର୍ଚ୍ଚନ ତବ କରୁଛି ବନ୍ଦନ,
ଏକାନ୍ତ ଭାବେ କରିଛି ଆତ୍ମ ନିବେଦନ ।
ବାନ୍ଧିଛି ତୁମକୁ ପୁଣି ଦାସ୍ୟରେ ସଖ୍ୟରେ,
ତଲ୍ଲୀନ ମୁଁ ତବଠାରେ ନବଧା ଭକ୍ତିରେ ।
ତବ ଲାଗି ମୁକୁଳା ମୋ ହୃଦ-ସିଂହାସନ,
ମୋ ମନ ମନ୍ଦିରେ ଦେବ କର ପଦାର୍ପଣ ।
ଦୀପ୍ତିମୟ କରିଦିଅ ଅନ୍ତର ପ୍ରଦେଶ,
ଜୀବନର ବାଟ ହେଉ ତବ ପାଖେ ଶେଷ ।
ଅପଲତା ଆରୁକ,
ମନୋହରପୁର, ମୟୂରଭଞ୍ଜ
