STORYMIRROR

suchismita Panda

Tragedy Fantasy

4  

suchismita Panda

Tragedy Fantasy

ସୁନାମୀ

ସୁନାମୀ

1 min
426

ପବନର ତୀବ୍ର ଗତି ପରି

ଖବରଟା ଯେବେ ତୀବ୍ରତର ହୋଇ ଖେଳିଗଲା

ଲୋକଙ୍କ ଗହଣରେ 

ବର୍ଷ ବର୍ଷର ଦରଜ ଯେତକ

ଜମାଟ ବାନ୍ଧିଥିଲା ଛାତିତଳେ

ପୁଣିଥରେ ବୋହିଗଲା ଆଖିକୋଣେ ।


କିଏ ଫେରିଯାଉଥିଲା ଅତୀତର ଇତିହାସ ଭିତରକୁ

ଆଉ କିଏ ଅତୀତକୁ ଭୁଲିବାର ଶକ୍ତି ସଂଗ୍ରହ କରୁ କରୁ

ହାରି ଯାଉଥିଲା, ଭାଙ୍ଗି ଯାଉଥିଲା ଭିତରୁ ଭିତରୁ 

ତଥାପି ଏମିତି ଅନେକ ଥିଲେ, ଯିଏ 

ଅତୀତରୁ ଶିକ୍ଷା ସାଉଁଟି ଆଣି ଲାଗିଯାଉଥିଲି

ବର୍ତ୍ତମାନ ଓ ଭବିଷ୍ୟତକୁ ସଜାଇବାକୁ ।


କେଜାଣି କେଉଁ ରାକ୍ଷସଟିଏ ସିଏ

ଯିଏ ବେଳ ଅବେଳରେ ନିଜ ଇଚ୍ଛାରେ ଆସି

ଗ୍ରାସି ନିଏ ଭୟଙ୍କର ରୂପେ ଏମିତି,

ସତେକି ଯେମିତି ସେ 

ଆଜନ୍ମ ଭୋକିଲାଟିଏ ।


ବିଶାଳ ରୂପ ନେଇ ଆଗରୁ ଯେବେ ଆସିଥିଲା

ସର୍ବସ୍ବ ପେଟରେ ପକାଇ ଚାଲିଗଲା

ବଳକା ଯେତକ ଯାହା ରହିଗଲା 

ଗରମ କଢେଇରେ ତାକୁ ପକାଇ

ଖଇ ଫୁଟିବା ପରି ଠୋଠା ଫଟେଇ

ତିଳ ତିଳ କରି ଅଗ୍ନିର ଲେଲିହାନ ଜ୍ବଳନରେ

ନିଇତି ଭାଜିଚାଲିଲା, ପୋଡିଚାଲିଲା । 


ସେଇ ରାକ୍ଷସ 

ପୁଣି ଆସିବାକୁ ବାଟ କଢାଉଛି

ସେଇ ଡର 

ପୁନର୍ବାର ଛାତି ଥରାଉଛି 

ସେଇ ପେଟରେ

ପୁଣି ସମାଧି ଯିବ କିଏ !

ସେଇ ଦହନରେ

ପୁନର୍ବାର ଭସ୍ମ ହେବା ପାଳି ଆସିଛି କାହାର !!!


ପ୍ରକୃତିର ମଞ୍ଚେ ସେ ରଚେ

ପ୍ରାକୃତିକ ତାଣ୍ଡବ

ଉଗ୍ର ରୂପେ ଦେଖାଏ ସେ

ଭୟଙ୍କର ଖେଳ

ସେ ସୁନାମୀ

ସୁବିସୃତ ସ୍ଥଳଭାଗକୁ 

କରେ ଜଳଗାମୀ ।


ସେ ଥର ଆସିଥିଲା 

ସର୍ବସ୍ବ ଲୁଟିନେଲା, କିଛି ଶିକ୍ଷା ଦେଲା

ଏଥର ଆସୁଛି 

କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ, ବୋଧେ ପରିବର୍ତ୍ତନ ପାଇଁ 

ତାର ଆସିବା ସୁନିଶ୍ଚିତ ଯେବେ

ସେ ଆସୁ 

କିଛି ଦୁଃଖ ସହ ସାଥିରେ ସାହାସ ଧରି

ଯେବେ ଇଚ୍ଛା ସେବେ ଆସୁ 

ନିଜ ଖୁସିରେ ଆସୁ ।


ତା'ଠୁ ସାହାସ କିଛି ପାଇ

ଆମେ ହେବା ସାହାସୀ

ସେ ପୁରୁଣାକୁ ନାଶ କରି 

ପୁଣି ଗଢିବ ସବୁ ନୂଆଁ କରି

ଭାଙ୍ଗିବାନି ଆମେ, ଭାଙ୍ଗିବନି ଆମ ମନୋବଳ

ବୁଝିବା ଆମେ, ବୁଝିବା ଏଇ ଜୀବନର ମୂଲ୍ୟ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy