ସତର୍କ ବାଣୀ
ସତର୍କ ବାଣୀ
ଘୋର ବରଷା ଘନକାଳ
ଗଗନେ ତଡିତର ମାଳ ।
ତଡିତ ବନ୍ଧୁ ଗରଜନ
ଭୀତ ସଞ୍ଚରେ ତନୁମନ ।
ସର୍ବ ପ୍ରାଣୀଏ ଯେଝା ପୁରେ
ମୁଖରୁ ବଚନ ନସ୍ଫୁରେ ।
ଏହି ସମୟେ ଆମ ପାଶ
ଉତ୍ତପ୍ତ ସମୀର ପ୍ରବେଶ ।
ମନ ମଧ୍ୟରେ ଭୀମ ସ୍ତମ୍ଭ
କ୍ଷଣିକେ ଭାଙ୍ଗିଯାଏ ଦମ୍ଭ ।
ଗ୍ରାମରୁ ଶୁଭେ କୋଳାହଳ
ଅଦୂରେ ଦିଶଇ ଅନଳ ।
ଭୟରେ ଗ୍ରାମ ନରନାରୀ
ଗତି କରନ୍ତି ମନେ ଡରି ।
ନେତ୍ରେ ପଲକ ନପଡଇ
ଦେଖିଲା ଯାହା ସେଠି ଯାଇ ।
ଅଗ୍ନି ସ୍ଫୁଲିଙ୍ଗେ ଦେହେ କ୍ଷତ
ଶୁଭଇ ରଖ ହେ ଅଚ୍ଯୁତ ।
ଶରୀରେ ଜଳନର ଜ୍ବାଳା
ସହି ନପାରେ ଏକ ବାଳା ।
ଅର୍ଦ୍ଧେକ ତନୁରେ ତାହାର
ହୁତାଶନର ଚିହ୍ନ ଠାର ।
ପଚା ମାଂସର ପୋଡା ବାସ
ନାସାରେ ହୁଅଇ ପ୍ରବେଶ ।
ମଳିନ ଦିଶେ ମୁଖ ଶଶୀ
ଉଜୁଡା ତା'ର କେଶ ରାଶି ।
ଗାତ୍ର ତାହାର କମ୍ପମାନ
ଝରଇ ସ୍ବେଦ ବିନ୍ଦୁମାନ ।
ବିସ୍ମୟେ ଚାହିଁ ସହୋଦର
ବାଣୀ ଭାଷଇ ଥରଥର ।
ପଚାରି ବୁଝିଲି କାରଣ
କାହିଁକି ଏହି ଦଶା ପୁଣ ।
ଅତି ସନ୍ତପ୍ତେ ଭାଷେ ଚାହିଁ
ଦୁର୍ଘଟଣାର ଫଳ ଏହି ।
ବିସ୍ଫୋଟ ହେଲା ସିଲିଣ୍ଡର
ଆଘାତେ ହେଲି ନାରଖାର ।
ଛାତ ଯେ ଉଡିଲା ଘରର
ଭୋଗ ହୋଇଲା ଦଶା ଘୋର ।
ସତର୍କେ କଲେ ବ୍ଯବହାର
ନ ହେବ ଧନ ଛାରଖାର ।