ସରୀସୃପ
ସରୀସୃପ
କାମନା ବାସନା ସରୀସୃପ ସମ
ହୃଦ କନ୍ଦେ କରେ ବାସ
ନିସର୍ଗେ ନିଭୃତେ କୁଣ୍ଡଳ ଆକାରେ
ତନୁ ମନ କରେ ଗ୍ରାସ ।
ବିଷୟାର ବିଷ କଟୁ ହଳାହଳ
କରିଥାଏ ମୋହଗ୍ରସ୍ତ
ବିଷମ ସେ ଜ୍ୱାଳା ପ୍ରପଞ୍ଚ ଓ ପୀଡା
ମଣିଷ ସହେ ଅବଶ୍ୟ ।
କାମ ସରୀସୃପ ଉତ୍କଟ ଉଦ୍ଭଟ
ହୁଅଇ ଯେବେ ଉତଫଣ
ନିଶାରେ ଏକାନ୍ତେ ହୁଏ ବର୍ହିଗତ
କ୍ଷୁଧା କରେ ନିବାରଣ ।
ଫୁଲି ଉଠେ ଅହି ରାଜ ଗୋଟାପଣେ
ଡେରିଥାଏ ମନ କର୍ଣ୍ଣ
ଶୁଣିପାରେ ସିଏ ଗୀତ ପଦ୍ମତୋଳା
ବାରିନିଏ ପଦ୍ମ ଗନ୍ଧ ।
ସାତ ତାଳ ପଙ୍କ ପଦୁମ ପୋଖରୀ
ତା ମଧ୍ୟେ ପେଟି ସୁବର୍ଣ୍ଣ
ଗହ୍ୱର ମନ୍ଥନୁ ଜୀବନ ପାତ୍ରକୁ
କରଇ କାମ ସନ୍ଧାନ ।
ପାନ କରି ରସ ହୁଅଇ ସନ୍ତୁଷ୍ଟ
ଲୀଳା ତା ଆଦି ଅନନ୍ତ
କାଳ ହଳାହଳ ଦ°ଶନ ପ୍ରକୋପ
ସହିଛନ୍ତି ନୀଳକଣ୍ଠ ।
ଜୀବନ ମୃତ୍ୟୁର ଲୁଚକାଳି ଖେଳ
କାମରୂପୀ କାଳସର୍ପ
ରୋମାଞ୍ଚୁ କଦମ୍ବ ଯମୁନା ତଟରେ
ଉକୁଟୁ ଜୀବନ ରଙ୍ଗ ।