ସରବେ ପାଗଳ ଏକ ପ୍ରକାରର
ସରବେ ପାଗଳ ଏକ ପ୍ରକାରର
ଦୁନିଆରେ ମଣିଷ,
ପାଗଳ ଏକ ପ୍ରକାରର
କିଏ ହୁଏ ଆତ୍ମହରା ପୂଜା ଅର୍ଘ୍ୟ ବନ୍ଦନାରେ
ଯାଏ ହଜି ଭକ୍ତିର ସୁରରେ,
ଶାନ୍ତିର ଅନ୍ବେଷଣରେ,
ଖୋଜୁ ଖୋଜୁ ଇଶ୍ୱରଙ୍କ ସତ୍ତା
ସାରା ଜୀବନଟା ସ୍ୱଳ୍ପ ହୋଇ ଯାଏ ତାର ।
ଦୁନିଆରେ ମଣିଷ,
ପାଗଳ ଏକ ପ୍ରକାରର
ରାଜନୀତି ପଶାପାଲି ଭିତରେ
ଜଳୁ ସମାଜ ଜାତି ସମ୍ପ୍ରଦାୟ ବିଭେଦ ସୃଷ୍ଟିରେ
ଖେଳନ୍ତୁ ଜନତା ରକ୍ତର ହୋଲିରେ
ମୋର ଶାସନ ଗାଦି ଥାଉ ସୁରକ୍ଷିତ
ଜଳିଛି ତ ଜଳୁ, ଦେଶ ଯାଉ ରସାତଳକୁ
ସେଥିରେ ତାର ନାହିଁ ନଜର, କ୍ଷମତା ନିଶାରେ।
ଦୁନିଆରେ ମଣିଷ
ପାଗଳ ଏକ ପ୍ରକାରର
ଧାଏଁ କାମିନୀ କାଞ୍ଚନ ଲୋଭରେ
ଧନ ଯୌବନ ପାଇବା ନିଶାରେ
ବିବେକକୁ ତାର ନାହିଁ ନଜର,
ନିଶାରେ ବୁଦ୍ଧି ବାମ ହୁଏ ତାର
ଦୁନିଆରେ ମଣିଷ
ପାଗଳ ଏକ ପ୍ରକାରର
ଗ୍ରନ୍ଥକୀଟ, ମନ ଖାଲି ବହି ପୃଷ୍ଠାର ଭିତରେ
ବିମୁଖ କଣ ଘଟୁଛି ଚତୁଃପାର୍ଶ୍ଵରେ
ନାହିଁ ଅନୁଭବ କଅଣ ଚାଲିଛି ସଞ୍ଜ ସକାଳରେ ।
ଦୁନିଆରେ ମଣିଷ
ପାଗଳ ଏକ ପ୍ରକାରର
ସମାଜର ଗରିବ ବାପୁଡା କ୍ଷୁଧାର ଯନ୍ତ୍ରଣାରେ
ଆଖିର ଲୁହ ନ ପାରେ ସହି!
ଚିନ୍ତା କରୁଥାଏ ତାର ସମାଧାନ ବାହାର କରିବାରେ ।
ଦୁନିଆରେ ମଣିଷ
ପାଗଳ ଏକ ପ୍ରକାରର
ଖୋଜୁଥାଏ ନିଜକୁ,
ଧାଏଁ ଚିହ୍ନିବାକୁ ନିଜକୁ,
ସେ କିଏ, କାହିଁକି ଆସିଛି ଦୁନିଆକୁ
ଖୋଜୁ ଖୋଜୁ ସାରା ଜୀବନଟା ସରି ଯାଏ ତାର ।
ଦୁନିଆରେ ମଣିଷ
ପାଗଳ ଏକ ପ୍ରକାରର
ମନରେ ପ୍ରଶ୍ନ ଉଙ୍କି ମାରେ...
ଜାଣିବାକୁ ସୃଷ୍ଟି କଅଣ, କିଏ ସ୍ରଷ୍ଟା,
ଖୋଜୁ ଖୋଜୁ ସାରା ଜୀବନଟା ସରି ଯାଏ ତାର ।।
