ସପନର ସୌଦାଗର
ସପନର ସୌଦାଗର
ସପନର ସ୍ମୃତି ସବୁ ସାଉଁଟୁଛି ବସି ଏକା
ରାତି ରାତି ରହେ ଉଜାଗର,
କଦଳୀ ପଟୁଆ ଅବା କାଗଜ ପଟିର ଡଙ୍ଗା
ଭସାଇ ଦେଉଛି ପୁଣି ମୁଁ ସୈ।ଦାଗର ।
କଳିଙ୍ଗ ସାଧବ ପୁଅ ଅଦମ୍ୟ ସାହସ ମୋର
ଉତ୍କର୍ଷ ଐତିହ୍ୟ ମୋର କଳାର ଚାତୁରୀ,
ରାଜାରାଣୀ କୋଣାରକେ ପ୍ରସ୍ତର ଶିଳାର ଗାତ୍ରେ
ଖୋଦିତ ଛତ୍ରେ ଛତ୍ରେ ମୋ କାରିଗରୀ ।
ଭଞ୍ଜଭୂମି ଗଞ୍ଜାମର ଝୀନ ସୂତା ପାଟ ଶାଢୀ
ବାନ୍ଧପକା ପଣତ ଓ ହ°ସ ଫୁଲ ଧଡୀ,
ଚଳେ ହସ୍ତତନ୍ତ ଆଜି ଯାଇ ନାହିଁ ସ୍ମୃତି ହଜି
ଝଲସୁଛି ସମ୍ବଳକ ମାଣିବନ୍ଧ ଶାଢୀ ।
କେଦାରରେ ହସେ ଶସ୍ୟ ବାରମାସେ ତେରବ୍ରତ
ଭଙ୍ଗାଯାଏ ଗୁଆ ପାନ ଶୁଭ ନାରିକେଳ,
ଅଛି ସେହି ନଦୀ ନାଳ ପାରାଦୀପର ମୁହାଣ
ଚାନ୍ଦବାଲି ଧାମରା ଓ ପୁରୀ ବତୀଘର,
ନାହିଁ ସେ ପୂରୁବ ଶିରୀ ଝୁରୁଛି ଜାତିର କୀର୍ତ୍ତି
ସପନର ସୈ।ଦାଗର ଉତ୍କଳୀୟ ବୀର ।
ଆକାଶ ଦୀପ ପ୍ରଜ୍ଜ୍ୱଳି ଆକାମାବୈ ସ୍ମରି
ପକାଏ ପ୍ରତି କାର୍ତ୍ତିକେ ମହୋଦଧି ବୁଡ଼,
ପଣ୍ୟବାହୀ ମୋ ଜାହାଜ କରୁ ସତ ଯାତାୟତ
ଉଛୁଳି ଉଠୁ ମୁଖରେ ଖୋଲ ବଡଦାଣ୍ଡ ।
ଦିଅ ପ୍ରଭୁ ଶୁଭାଶିଷ ଜଗନ୍ନାଥ ଜଗଦୀଶ
ସାହା ହୁଅ ବିରଜାଇ ଜୟ ମା ମଙ୍ଗଳା,
ନୀଳଚକ୍ର ବାନା ଚାହିଁ ଏଇ ଜାତି ଉଠୁ ଚେଇଁ
ଚାଳିନେଉ ନୀଳବୁକେ ତା ଜୀବିକା ଭେଳା ।
ତା ଦକ୍ଷତା ନିଷ୍ଠା ଯୋଗେ ଅରଜୁ ପ୍ରତିଷ୍ଠା ହେଳେ
ନାଶ ହେଉ ଅଜ୍ଞାନତା ଦାରିଦ୍ର୍ୟ କଷଣ,
ଜାଗୁ ତାର ପରାକ୍ରମ ଉତ୍କର୍ଷୁ କର୍ତ୍ତବ୍ୟ କର୍ମ
ବିଜୟଶ୍ରୀ ଲାଭ କରୁ ଉତ୍କଳୀୟ ସିଂହ ।