ସଂସାର ନିୟମ
ସଂସାର ନିୟମ
ଚୁନା ଚୁନା ସ୍ମୃତି ଗୁନ୍ଥା ହୋଇଯାଏ
ଏନ୍ତୁଡ଼ି ରୁ ଜୁଇ ଯାଏ
ଛିଣ୍ଡିଗଲେ ସୁତା ଲିଭିଯାଏ ଚିହ୍ନ
ଚିହ୍ନ ବି ଅଚିଂହା ହୁଏ ।
କିଏ ବା ଜାଣିଛି ଜୀବନର ସ୍ରୋତ
କେଉଁଠି ସେ ଅଟକିବ
ଝଡ କି ଆସିବ ସୁଅ ଖର ହେବ
ଅବା ତରି ବୁଡ଼ିଯିବ ।
ଜୀବନର ତରି ସମୟ ନଈ ରେ
ଦିଗ ହୀନ ହୋଇ ଭାସେ
ନାଉରି ବିଚରା ତୋରଣ ମେଲାଇ
କାହିଁ ପ୍ରତୀକ୍ଷା ରେ ବସେ ।
ଗହନ ବନରେ ଚଂଚଳା ମୃଗୁଣୀ
ଚପଳତା ମନ ନେଇ
ମାୟା ମୃଗ ପରି ଘୁରି ବୁଲୁଥାଏ
ଧରା ଜମା ଦିଏ ନାହିଁ ।
କେବେ ମେଘ ମାଳା କେବେ ମୋନାଲିସା
ଅବା କେବେ ମଧୁମିତା
କେବେ ନିରୁପମା ଅବା ପରମିତା
କେତେ ରୂପେ ସୁଶୋଭିତା ।
ସଂସାର ନିୟମ ବଡ ଏ ବିଚିତ୍ର
କ୍ଷଣ କ୍ଷଣ ପରା ଆନ
ଯେଉଁଠି ଆରମ୍ଭ ସେଇଠି ହିଁ ଶେଷ
ଭାଗଶେଷ ହୁଏ ଶୂନ ।
