ସମୟ ମାଗୁଛି ସମ୍ମାନ ଟିକେ
ସମୟ ମାଗୁଛି ସମ୍ମାନ ଟିକେ
ସମ୍ମାନ ଅଟଇ ବଡ ବଳବାନ
ସମ୍ମାନ ବି ମୂଲ୍ଯବାନ
ଅତୀତ ଭବିଷ୍ୟ ଏକକ ସମ୍ମାନ
ସବିଶେଷ ବର୍ତ୍ତମାନ ।
କର୍ମ ଧର୍ମ ସେବା ପଥର କଷଟି
ଜୀବନ ସମୀକରଣ
ସମୟର ହେଲେ ସତ ଉପଯୋଗ
ଉପୁଯଇ ସମାଧାନ ।
ଜୀବନ ଅଟଇ କ୍ଷୁଦ୍ରାଦପି କ୍ଷୁଦ୍ର
ସମୟ ଅଂଶ ବିଶେଷ
ଆଳସ୍ୟ ବିଷାଦେ କରନାହିଁ କେବେ
ସମୟ ଅଯଥା ନଷ୍ଟ ।
ବାଧା ପ୍ରତିବନ୍ଧେ ରହି ଅବିଚଳ
ରଖି ଦୃଢ ମନୋବଳ
ସ୍ରୋତ ପ୍ରତିକୂଳ ହୁଅ ସମ୍ମୁଖୀନ
ଲକ୍ଷ୍ଯ ରଖି ନିଜ ସ୍ଥିର ।
ଶୁଣ କାନ ପାତି ସମୟ ଆହ୍ୱାନ
ସମୟର ସମତାଳେ
ଜୀବନ ତରୀକୁ ଚଳାଅ ନାବିକ
ପ୍ରତିକ୍ଷେପ ସଯତ୍ନରେ ।
ସମୟ ମାଗୁଛି ସମ୍ମାନ ଟିକିଏ
ବଞ୍ଚି ବଞ୍ଚାଇବା ଶିଖ
ଆଲୋକ ଉଜ୍ଜ୍ବଳ ସତ୍ଯ ଚିରନ୍ତନ
ପଥେ ମିଳେ ସ୍ବର୍ଗସୁଖ ।
