ସ୍ମୃତି
ସ୍ମୃତି
ଅମାନିଆ ଏଇ ନଦୀ ସ୍ରୋତ ପରି
କୁଳୁ କୁଳୁ ବୋହି ଯାଏ
ଅଜାଣତେ ପୁଣି କାହା ହୃଦୟରେ
ବସା ବାନ୍ଧି ରହିଥାଏ ।
ଭଲ ମନ୍ଦ ସବୁ ଜଣା ତ ନ ଥାଏ
ପରକୁ କରେ ଆପଣା
ଭଲ ପାଇବାର ଅଭିନୟ ଭରା
ନଥିଲା ତାହାକୁ ଜଣା ।
ମଳୟ ସ୍ପର୍ଶରେ ବାସ୍ନା ଫୁଲ ପରି
ଝୁମି ଝୁମି ନାଚି ଯାଏ
ଶ୍ରାବଣ ଜଳରେ ଭିଜିଗଲା ପରି
ପ୍ରେମେ ନିତି ଭିଜୁ ଥାଏ ।
ଏକାନ୍ତରେ ବସି ପାଗଳ ପ୍ରଳାପ
କେବେ ହସେ କେବେ କାନ୍ଦେ
କାହାକୁ ହଜାଏ କାହାକୁ ଖୋଜେ ସେ
ନୀରବ ନିସ୍ତବ୍ଧ ବସେ ।
ଛାତି ତଳେ ତାର ଅବ୍ୟକ୍ତ ଆବେଗ
ଅକୁହା ତା ଅନୁଭବ
ବାରମ୍ବାର ତାର କାନେ ପ୍ରତି ଧ୍ଵନି
ସ୍ମୃତି ଆଉ କି ଫେରିବ ।