ମୋ ପ୍ରିୟତମା
ମୋ ପ୍ରିୟତମା
ଅନେଇ ବସିଛି ମୁଁହି ଯାହାକୁ
କୁଆ ନେଇଗଲା କାହିଁ ତାହାକୁ
କାହିଁକିରେ କୁଆ ବାଇଆ ହେଲୁ
ମୋ ହୃଦ ଧନକୁ କୁଆଡେ ନେଲୁ
ନେଲେ ନେଲୁ ପଛେ ଫେରେଇ ଦେ
ମୂଷାଟେ ରଖିଛି ତୋ ପାଇଁ ନେ।
ମୋ କଥା ଶୁଣି କି କହିଲା କୁଆ
ପ୍ରଦୀପ୍ତ ସତେକି ହେଲୁ ବାଇଆ
କହୁଛୁ ଯାହାକୁ ତୁ ହୃଦ ଧନ
ସିଏ ପରା ମୋର ନେଲାଣି ପ୍ରାଣ
ଦରକାର ନାହିଁ ମୂଷା ମୋହର
ସମ୍ଭାଳେ ଅମୂଲ୍ୟ ସମ୍ପଦ ତୋର।
ଅମୂଲ୍ୟ ସମ୍ପତ୍ତି ସିଏ ମୋହର
ତୁ କି ବୁଝିବୁ ମୂଲ୍ୟ ତାହାର
ଜଗତ ଭିତରେ ଗୋଟିଏ ସିଏ
ତା ପରି ଅବା ହୋଇବ କିଏ
ଗୁଣ ଚିହ୍ନେ ଗୁଣି ସୁନା ବଣିଆ
ମୁଁ ଜାଣେ ସିଏ କେତେ ବଢ଼ିଆ।
ଲୋକଙ୍କ ଭିତରେ ସିଏ ଉତ୍ତମ
ତାରାଗଣ ମଧ୍ୟେ ଚନ୍ଦ୍ରମା ସମ
ନଦୀ ମଧ୍ୟେ ଗଙ୍ଗା ନାରୀରେ ସୀତା
ଫୁଲରେ ଗୋଲାପ ଜଗତଜିତା
ସୂର୍ଯ୍ୟର ଆଲୋକ ଜହ୍ନର ଜ୍ୟୋତି
ମୋ ପ୍ରୀୟତମାର ଗୁଣ ଏମିତି।

