STORYMIRROR

Sandhyarani dash

Inspirational

4  

Sandhyarani dash

Inspirational

ସଭିଙ୍କୁ କୋଳେଇ ନିଅ

ସଭିଙ୍କୁ କୋଳେଇ ନିଅ

1 min
366


ଦୀପଟିଏ ହୋଇ ନିଜେ ଜଳି ଜଳି

ଆଲୋକ ଦିଏ ସେ ଢାଳି

ଅମା ଅନ୍ଧକାର କାଳିମା ଦୂରେଇ

ଦୀପ ପରି ଯାଏ ଜଳି।


ଯେତେ ଝଡ ଝଞ୍ଜା ଆସିଥାଉ ପଛେ

କର୍ତ୍ତବ୍ୟେ ଯାଇନି ହଟି

ଜୀବନ ଦୀପକୁ ପ୍ରଜ୍ବଳିତ କରି

ସ୍ନେହ ପ୍ରେମ ଦିଏ ବାଣ୍ଟି।


ସର୍ଜନାର ଭାର ବୁହେ ସେ ଗର୍ଭର

ଜଗତରେ ସିଏ ଧନ୍ୟା

ମାଆର ମମତା ସଭିଙ୍କ ଦେବତା

ସିଏ ପରା ଆମ କନ୍ୟା।


କରିନି ଜୀବନେ ପ୍ରତିବାଦ କେବେ

ପ୍ରେମ ରଙ୍କୁଣୀଟି ସିଏ

ଭାଇ ପାଇଁ ତା'ର ପ୍ରାଣରେ ଦରଦ

ଈଶ୍ୱରଙ୍କୁ ଡାକୁଥାଏ।


ବଂଶ ବୃକ୍ଷ ସିନା ବଢ଼ଇ ତା' ପାଇଁ

ସମାଜରେ ଲୋଡା ପୁତ୍ର

ଭଗିନୀ ଜନନୀ ଜାୟା ରୂପେ ସୃଷ୍ଟି

ବିଧାତା ବିଧି ବିଚିତ୍ର।


ସର୍ବଂସହା ସିଏ ଧରଣୀ ସମାନ

ଅନୁରାଗ ଅପମାନ

ପ୍ରେମର ଝରଣା ତ୍ୟାଗ ପଥ ଜଣା

ଗୃହେ ତା'ର ଆଗମନ।


ପରିବାର ସୁଖ ତ୍ୟାଗ ଆତ୍ମ ସୁଖ 

ନୀରବରେ ଝାଡେ ଲୁହ

ହସି ହସାଇ ସେ ସାରା ଦୁନିଆକୁ

ହୃଦୟରେ ରଖି କୋହ।


ଜନମ ଦୁହିତା ଦୁଇକୁଳ ହିତା

ସାର୍ଥକ କରିଛି ନାମ

ଆଜିର ଯୁଗରେ ପୁଅ ସାଙ୍ଗେ ଝିଅ

ତାଳ ଦେଇ କରେ କାମ।


ପୁଅ ବି ଆମର ଝିଅ ବି ଆମର

ଆଦର କରିବା ମିଶି

ଅତଳ ଗର୍ଭର ମୁକ୍ତା ପରି ସବୁ

ଖିଲି ଖିଲି ଯିବେ ହସି।


କନ୍ୟାଟିଏ ହେଉ ପୁତ୍ରଟିଏ ହେଉ

ଶାନ୍ତି ବିଭବର ସୁଅ

ଭାଗ୍ୟେ ଭୋଗ ଥିଲେ ମିଳିଥାଏ ସବୁ

ସଭିଙ୍କୁ କୋଳେଇ ନିଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational