ଓଃ କି ଶାନ୍ତି
ଓଃ କି ଶାନ୍ତି
ମୁଁ ଖୋଜୁଥିଲି ମାନବିକତାକୁ
ଏଠି ସେଠି ସବୁଠି
ଖୁବ ଉତ୍କଣ୍ଠାର ସହିତ ।
କେହି ଜଣେ ହସିଲେ
ମୁଁ ଆତ୍ମହରା ହେଲି
ଅନୁସନ୍ଧାନର ପ୍ରାପ୍ତି ଆଶାରେ,
ସେ ଭରିଦେଲେ ମୁଠାଏ ସ୍ୱାର୍ଥ
ମୁଁ ସୁଖ ଭାବି ଆପଣାଇ ନେଲି ।
ଆଗକୁ ପାଦ ବଢ଼ାଇଲି
ଆଶା ଓ ବିଶ୍ୱାସରେ
ଦୂରରୁ କିଏ ହାତ ଠାରି ଡାକିଲା
ମୁଁ ବନ୍ଧୁ କରିନେଲି
ନାଁ,ଗାଁ ଠିକଣା ବୁଝି ଜାଣିଲି
ସେ କହୁଥିଲେ
ମୁଁ ଲୋଭ ।
ପଡିଲି ,ଉଠିଲି ଜୀବନରେ
ସାମର୍ଥ୍ୟ ଚିହ୍ନିଲି
ଆୟତ୍ତ କଲି ଦକ୍ଷତାକୁ,
ସଫଳତାର ସ୍ୱାଦ ଚାଖିବା ପରେ
କେମିତି କେଜାଣି
ଧସେଇ ପଶିଆସିଲା
କେହି ଜଣେ ,
ମୁଁ କିଛି ନ ଭାବି ଆଶ୍ରା ଦେଇଦେଲାପରେ
ଅଦୃଶ୍ୟରେ ହସୁଥିଲେ
ଗର୍ବ ଆଉ ଅହଂକାର ।
ମୁଁ ଶ୍ରେଷ୍ଠ
ମୁଁ ସକ୍ଷ
ମୁଁ ଦକ୍ଷ
ବିଜୟ ମୋର ପରିଚୟ
ପାଦ ର ଗତି ବଢ଼ିଲା
ବଢ଼ିଲା ଆଶା
ଦେଖିଲି ସ୍ୱପ୍ନ
ଝୁମିଲି ଅଜଣା ରାଜ୍ୟରେ
ଛନ୍ଦି ହୋଇଗଲି ଏକ ଫାଶରେ
ମୁକୁଳିବାକୁ ଚେଷ୍ଟା କଲି
କିନ୍ତୁ
ଶକ୍ତିଶାଳୀ ଥିଲା ମୋହମାୟା ।
ମୁଁ ଖୋଜିଲି ମୁକ୍ତି
ସମୟ ଟାଳିଲା
ଭୋଗିଲି ସୁଖ ଦୁଃଖ
ଜଳିଲି ଜାଳିଲି
ନିଜକୁ
ଭୁଲିଗଲି ବିବେକକୁ ।
କେତେ କାଳ କେଜାଣି ବିତାଇଲି
କିଏ କେଜାଣି ଟାଣିନେଲା
ଦେଖିଲି ଉଜ୍ଜ୍ୱଳ ରଶ୍ମିଟିଏ
ଚାଲିଲି ଅନୁସରଣ କରି,
ନଥିଲା ତାତି
ନଥିଲା ପୀଡା
ଓଃ କି ଶାନ୍ତି !
ଅନୁନୟ ହେଲି ପ୍ରଭୁଙ୍କୁ
ସେ ରଶ୍ମିରେ ହଜିଯିବାକୁ,
ସେ ଦୟାଳୁ
ବାହୁ ପ୍ରସାରିଲେ
ମୁଁ ଚାଲିଗଲି
ପରମ ଆନନ୍ଦରେ ।
ଶରୀର କିନ୍ତୁ ରହିଗଲା
ନିଶ୍ଚଳ ହୋଇ ।
