ତୁ ତ ମୋହର ଗେହ୍ଲା କୁକୁର
ତୁ ତ ମୋହର ଗେହ୍ଲା କୁକୁର
ତୁ ତୁ ବୋଲି ଡାକିଲେ ମୁହିଁ
ଦଉଡି ଆସୁ ମୋ କୁକୁର ତୁହି।
ଯୁଆଡେ ଡାକେ ମୁଁ ସେଆଡେ ଯାଉ
ମୋ ପଛେ ପଛେ ଗୋଡାଉ ଥାଉ ।
ବାହାରୁ ଆସିଲେ ଦଉଡି ଆସୁ
ଗେହ୍ଲେଇ ହୋଇ ମୋ କୋଳରେ ବସୁ ।
ବାହାରକୁ ଗଲେ ଦଉଡି ଆସୁ
ଆଉଁସି ଦେଲେ ତୁ ପାଖରେ ବସୁ ।
ମୁହଁକୁ ଶୁଖାଇ ଅନାଇ ରହୁ
କୁଉଁ କୁଉଁ ହୋଇ ତୋ କଥା କହୁ ।
ଘରକୁ ସତର୍କେ ଜଗିକି ରହୁ
ଅଚିହ୍ନା ଲୋକକୁ ତୁ ଘଉଡାଉ ।
ଅତ୍ୟନ୍ତ ବିଶ୍ବସ୍ତ ସାଥି ତୁ ମୋର
ତୋ ଯୋଗୁଁ ମୋ ଘର ମାଡେନି ଚୋର ।
ଖାଦ୍ୟରେ ବିଷାକ୍ତ ପଦାର୍ଥ ଥିଲେ
ତୁ ଜାଣିପାରୁ ତାହାକୁ ଭଲେ।
ଚୋରୀ ଦରବକୁ ଖୋଜି ବାହାର
କରିପାରୁ ମୋର ଗେହ୍ଲା କୁକୁର ।
ମଣିଷକୁ ଯେତେ ଦେଲେ ଆହାର
ବେଇମାନୀ ଭରା ତାର ବେଭାର ।
ସ୍ବାର୍ଥପାଇଁ ହୁଏ ନସର ପସର
ସ୍ବାର୍ଥ ସରିଗଲେ ସେ ସାତପର ।
ବିଶ୍ବାସ ଘାତକ ଅଟଇ ନର
ତୋପରି ବିଶ୍ବସ୍ତ ନୁହେଁ ମୋହର ।
ବିପଦେ ଆପଦେ ସାଥି ତୁ ମୋର
ପଶୁ ହେଲେ ବି ତୁ ଅତି ନିଜର ।
ଉତ୍ସବ ବ୍ୟସନ ଶ୍ମଶାନ ସଖା
ବିପ୍ଳବେ ନ୍ୟାୟାଳୟେ ତୁ ମୋ ସଖା ।
ତୁ ଅଟୁ ମୋର ଗେହ୍ଲା କୁକୁର
ତୋ ସାଥେ ହସେ ମୋ ସୁନା ସଂସାର ।
