ଉଆଁସୀ ରାତିର କନିଆଁ
ଉଆଁସୀ ରାତିର କନିଆଁ
ରଙ୍ଗ ମହଲ ର ରଙ୍ଗ ହୁରି ଖେଳ
ପାନ୍ଥଶାଳା ର ଜୀବନ.
ଡାକୁଛି ନୀରବେ
ଏକାନ୍ତରେ କେବେ
ଭୁଲିଯାଏ ଭୁଲା ପଣ ।
ଅଣପୁରୁଷା ର ଜୀବନ ଟି ହୀନ
ଅଦେଖା ନଈର ସୁଅ
ଦୁଇ କୂଳ ଲଙ୍ଘି ଯାଉଛି ସେ ଭାଙ୍ଗି
ବଂଚିବାରେ ନାହିଁ ମୋହ ।
ଅଢେଇ ପହର ବେଳ ଗଡ଼ିଲାଣି
ଆସୁଅଛି ମୁହଁ ସଞ୍ଜ
ସଞ୍ଜ ନଇଁ ଗଲେ ବହଳ ରାତିଟା
ପୀରତି ରେ ମଧୁ କୁଞ୍ଜ ।
ରଙ୍ଗ ମାଖି ରଙ୍ଗ ବେଦୀରେ ବସିଛି
ଶେଷ ରଙ୍ଗ ବୋଳି ଦେବୁ
ଶେଷ ଅଭିନୟ ନାଟକ ସରୁଛି
ଯବନିକା ଦେଖି ନେବୁ।
ପାନ୍ଥଶାଳାର ପଥିକ ମୁଁ ନୁହେଁ
ମୁଁହିଁ ତ ବାଟ ବାଟୋଇ
ଅବୁଝା ପଣର ଗୀତ ମୁଁ ଗାଉଛି
ବାଜୁଛି ମୋ ସାହାନାଇ।
ଫେରିଯିବି ମୁହିଁ ଅନେକ ଦୂରକୁ
ଅଫେରା ପଥିକ ହୋଇ
ଡାକୁଥିବ ଯେବେ ପାନ୍ଥଶାଳା ଠାରି
ବିଦାୟ ମୁଁ ଯିବି ନେଇ ।
ପଚାରିବି ପ୍ରଶ୍ନ ଉତ୍ତର ନମିଳୁ
ଅଣପୁରୁଷା ର ମୂଲ
ସଞ୍ଜରୁ ସକାଳ କେତେ ତୁଲ ହେଲି
ନକର ଗୋ ମୂଲଚାଲ।
ରଙ୍ଗ ହୁରି ଖେଳ ରଙ୍ଗ ମହଲ ର
ବହଳ ରାତିର ନିଆଁ
ପାନ୍ଥଶାଳା ରେ ଜୀବନ ବାହୁଛି
ଉଆଁସୀ ରାତିର କନିଆଁ ।